ତିରୁଅନନ୍ତପୁରମ: କେରଳର ଚେଲିୟାର ଆଜି ଦୁଃଖର ନଦୀରେ ପରିଣତ ହୋଇଛି। ପ୍ରକୃତିର ତାଣ୍ଡବରେ ଆଜି ବହୁ ଲୋକ ଚେଲିୟାର ନଦୀରେ ଭାସିଯାଇଛନ୍ତି। କେରଳର ମଲ୍ଲାପୁରମରେ ଅତ୍ୟନ୍ତ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଭୂସ୍ଖଳନରେ ପ୍ରାୟ ୨୬ ଜଣ ଲୋକଙ୍କ ମରଶରୀର ମାଲ୍ଲାପୁରମର ଚେଲିୟାର ନଦୀର ବିଭିନ୍ନ ଅଂଶରେ ଭାସୁଥିବା ଦେଖିବାକୁ ମିଳିଛି। ଏହି ମରଶରୀରଗୁଡ଼ିକୁ ଉଦ୍ଧାରକାରୀ ଦଳ ନଦୀରୁ ବାହାର କରିଛନ୍ତି। ନଦୀ କୂଳରୁ ମଣିଷ ହାତ, ଗୋଡ଼ ଏବଂ ମୁଣ୍ଡ ମିଳୁଛି। ଏପରିକି ଜଣେ ୩ ବର୍ଷୀୟ ଶିଶୁର ମରଶରୀର ବି ଲୋକ ପାଇଛନ୍ତି। ଚେଲିୟାର ନଦୀର ଇରୁଟ୍ଟୁକୁଥି, ପୋଥୁକାଲ୍ଲୁ, ପାନାମକାୟମ, ଭୁଦାନମ୍ ଅଞ୍ଚଳରେ ଏହି ସବୁ ମରଶରୀର ମିଳିଛି। ଚେଲିୟାର ନଦୀରେ ୨୫ କିମି ପର୍ଯ୍ୟନ୍ତ ଲୋକଙ୍କ ମର ଶରୀର ଭାସିଯାଇଛି। ଏବେ ବି ଉଦ୍ଧାର କାର୍ଯ୍ର ଜାରି ରହିଛି। ଉଲ୍ଳେଖଯୋଗ୍ୟ ଆଜି ସକାଳେ ମାଲ୍ଲାପୁରମ ଜିଲ୍ଲାର ନିଲମପୁର ନିକଟସ୍ଥ ପୋଥୁକାଲ୍ଲୁରେ ଲୋକମାନେ ନଦୀ କଡ଼ରେ ଖୋଜାଖୋଜି ଆରମ୍ଭ କରିଥିଲେ। ସେମାନେ ନଦୀକୂଳରୁ ଲୋକଙ୍କ ମରଶରୀର ସହ ମଣିଷ ଶରୀରର ବିଭିନ୍ନ ଅଂଶ ପାଇଥିଲେ। ପ୍ରଥମେ ଏକ ୯ ବର୍ଷର ଶିଶୁ ପାଣିରେ ଭାସି ଯାଉଥିବା ଦେଖିବାକୁ ପାଇଥିଲେ। ପରେ ଅମ୍ବୁଟ୍ଟୁମୁଟି ଏବଂ ଭୁଥାନାରେ ୨ ଜଣ ମହିଳାଙ୍କ ଶରୀରର କିଛି ଅଂଶ ମିଳିଥିଲା। କୁମ୍ବିଲାପଡ଼ା କଲୋନିରେ ରହୁଥିବା ଆଦିବାସୀ କହିଛନ୍ତି, ନଦୀ ଜଳରେ ଭାସି ଆସି ୫ଟି ମରଶରୀର ଜଙ୍ଗଲରେ ପଡ଼ିଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଅଗ୍ନିଶମ ବାହିନୀ ଏହି ଆଦିବାସୀ କଲୋନିରେ ପହଞ୍ଚିବାରେ ସକ୍ଷମ ହୋଇନାହିଁ।
ତିରୁଅନନ୍ତପୁରମ୍: କେରଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଇଏମ୍ଡି (ଭାରତୀୟ ପାଣିପାଗ ବିଭାଗ) ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟ ଉତ୍ତର କେରଳରେ ପ୍ରବଳ ବର୍ଷା ହେବ। ୫ ଜିଲ୍ଲାରେ ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ମଲାପ୍ପୁରମ, କୋଝିକୋଡ଼, ୱାୟନାଡ଼, କସରଗଡ଼ ଏବଂ କନ୍ନୁର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ସେହିପରି ଏର୍ନାକୁଲମ, ଇଡ଼ୁକ୍କି, ତ୍ରିଶୁର ଏବଂ ପଲକ୍କଡ଼ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ଆଜି ୧୦ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ଆସନ୍ତାକାଲି ମଧ୍ୟ ବନ୍ଦ ରହିବ। ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନ ଜଳବନ୍ଦୀ ହୋଇ ରହିଛି। ୱାୟନାଡ଼ ସମେତ କୋଝିକୋଡ଼ର ଭିଲାଙ୍ଗଡ଼ ଅଞ୍ଚଳରେ ମଧ୍ୟ ଭୂସ୍ଖଳନ ହୋଇଛି। ପ୍ରବଳ ବର୍ଷା ପାଇଁ ଆଜି କେରଳରେ ଅନେକ ଟ୍ରେନ୍ ବାତିଲ ହୋଇଛି। ଅନେକ ପର୍ଯ୍ୟଟନ ସ୍ଥଳ ବନ୍ଦ କରାଯାଇଛି। ଆଜି ପଲକ୍କଡ଼ରେ ପ୍ରବଳ ବର୍ଷା ଯୋଗୁଁ ଜାତୀୟ ରାଜପଥ ନଈ ପାଲଟିଯାଇଛି। ଅନେକ ଗାଡ଼ି ରାସ୍ତା ଉପରେ ଫସିଯିବାରୁ ଟ୍ରାଫିକ୍ ଜାମ୍ ସମସ୍ୟା ସୃ୍ଷ୍ଟି ହୋଇଛି।
୪୫ ରିଲିଫ୍ ଶିବିରରେ ୩୦୬୯ ଜଣ
ୱାୟନାଡ଼: ୱାୟନାଡ଼ ଜିଲ୍ଲାରେ ହୋଇଥିବା ଭୂସ୍ଖଳନ ପରିପ୍ରେକ୍ଷୀରେ ୩୦୬୯ ଜଣ ଲୋକଙ୍କୁ ୪୫ଟି ରିଲିଫ୍ ଶିବିରକୁ ପଠାଯାଇଛି।ଛୁଟିରେ ଥିବା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଫେରିଆସି ତୁରନ୍ତ କାର୍ଯ୍ୟରେ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ତିରୁଅନନ୍ତପୁରମ ପୁଲିସ ମୁଖ୍ୟାଳୟରେ ଦୁଇଟି ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସମନ୍ବୟ ରଖିବା ଏବଂ ଖୋଜିବା କାର୍ଯ୍ୟରେ ସାମିଲ ବ୍ୟକ୍ତିମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାଲାଗି ଏହି କେନ୍ଦ୍ର କାର୍ଯ୍ୟ କରୁଛି। ମୃତକଙ୍କ ମଧ୍ୟରୁ ୩୪ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୮ ଜଣଙ୍କ ମୃତଦେହକୁ ସେମାନଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ସରକାର ସ୍ଥାନୀୟ ଶାସନ ବିଭାଗର ପ୍ରମୁଖ ନିର୍ଦ୍ଦେଶକ ସିରାମ ଶାମ୍ବାଶିବରାଓଙ୍କୁ ସ୍ବତନ୍ତ୍ର ଅଧିକାରୀଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ପୂର୍ବରୁ ସେ ୱାୟନାଡ଼ର ଉପଜିଲ୍ଲାପାଳ ଏବଂ କୋଝିକୋଡ଼ର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବାରୁ ସେହି ଅଞ୍ଚଳର ଭୂମି ଗଠନ ସଂପର୍କରେ ଜ୍ଞାନ ରହିଛି।