ଦେଶ ବିଦେଶ

ରାଜସ୍ଥାନ ପରେ ଓଡ଼ିଶା ପାଳି: ଓଡ଼ିଶା କଂଗ୍ରେସକୁ ମୁରବିଶୂନ୍ୟ କରିଦେଲା ଏଆଇସିସି

ଭୁବନେଶ୍ବର: ୨୦୨୦ ମସିହାରେ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଥିଲା ଏଆଇସିସି। ଆଉ ଏହାର ୪ବର୍ଷ ପରେ ଓଡ଼ିଶାରେ ସମାନ ଢଙ୍ଗରେ ନିଜର ସଂଗଠନକୁ ଏଆଇସିସି ଭାଙ୍ଗି ଦେଇଛି। ଏଆଇସିସି ଏଭଳି କଠୋର ନିଷ୍ପତ୍ତି ନେବା ପଛର ଯେଉଁସବୁ କାରଣକୁ ନେଇ ଏବେ ଚର୍ଚ୍ଚା ହେଉଛି ତାହା ମଧ୍ୟ ବେଶ୍‌ ଚକିତ କଲାଭଳି।
ଜାତୀୟସ୍ତରରେ ଏଆଇସିସି ଖବର ସଂଗ୍ରହ କରୁଥିବା ବରିଷ୍ଠ ସାମ୍ବାଦିକ ଆଦେଶ ରାୱଲ ନିଜ ‘ଏକ୍ସ’ରେ କରିଥିବା ଏକ ପୋଷ୍ଟ ବେଶ୍‌ ଚର୍ଚ୍ଚାରେ ରହିଛି। ଶ୍ରୀ ରାୱଲ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା କଂଗ୍ରେସର କିଛି ନେତାଙ୍କୁ ବାଦ୍ ଦେଲେ ଅଧିକାଂଶ ନେତା ବିଜେଡି ଓ ଅନ୍ୟ ଦଳ ସହ ସଂପର୍କରେ ରହି ଦଳକୁ କ୍ଷତି ପହଞ୍ଚାଉଛନ୍ତି। ଏଥିରେ ପୂର୍ବ ସଭାପତିଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ଥିବା ହାଇକମାଣ୍ଡଙ୍କ ହୃଦ୍‌ବୋଧ ହୋଇଥିଲା। ତେଣୁ ପ୍ରଥମଥର ଲାଗି କଂଗ୍ରେସ ହାଇକମାଣ୍ଡ ଓଡ଼ିଶାରେ ଏଭଳି ଏକ କଠୋର ପଦକ୍ଷେପ ନେଇଛନ୍ତି। ଖୁବଶୀଘ୍ର ଓଡ଼ିଶା କଂଗ୍ରେସର ନବ କଳେବର ହେବ ବୋଲି ସେ କହିଛନ୍ତି। ଚଳିତ ନିର୍ବାଚନ ସମୟରେ ରାଜ୍ୟ କଂଗ୍ରେସ ନେତାମାନେ ବିଜେପି ଓ ବିଜେଡି ଏକ ବୋଲି ବୟାନ ଦେଉଥିଲେ। ବିଜେପି-ବିଜେଡିର ବାହାଘର କରାଇବା ସହ ଅନ୍ନପ୍ରସନ୍ନ ମଧ୍ୟ କରିଥିଲେ। ମାତ୍ର ବରିଷ୍ଠ ସାମ୍ବାଦିକ ଶ୍ରୀ ରାୱଲଙ୍କ ପୋଷ୍ଟ ସଂପୂର୍ଣ୍ଣ ଓଲଟା କଥା କହୁଛି।

ଡ଼ିଶା କଂଗ୍ରେସକୁ ନେଇ ଏଭଳି ଅଭିଯୋଗ ନୂଆ ନୁହେଁ। ପୂର୍ବତନ କଂଗ୍ରେସ ପ୍ରଭାରୀ ଏ.ଚେଲାକୁମାର ରାଜ୍ୟ କଂଗ୍ରେସର ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବିଜେଡି ଓ ବିଜେପି ସଂପର୍କରେ ଥିବା ନେତା ଦଳ ଛାଡ଼ନ୍ତୁ ବୋଲି କହିଥିଲେ। ଏଭଳି କାର୍ଯ୍ୟରୁ ବିରତ ନ ହେଲେ ଦଳରୁ ବିଦା କରି ଦିଆଯିବ ବୋଲି ରୋକଠୋକ୍ ଶୁଣାଇଥିଲେ। ୨୦୨୨ ମସିହାରେ ବହିଷ୍କୃତ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି କିଏ ହେବ ତାହାର ନିଷ୍ପତ୍ତି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥାନ୍ତି ବୋଲି ବିସ୍ଫୋରକ ବୟାନ ଦେଇଥିଲେ। ଯାହାକୁ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା।

ନାମ ଗୋପନ ସର୍ତ୍ତରେ କିଛି କଂଗ୍ରେସ ନେତା କହିଛନ୍ତି, ଓଡ଼ିଶା କଂଗ୍ରେସ କମିଟି ଭଙ୍ଗ ପଛରେ ପ୍ରଭାରୀ ଅଜୟ କୁମାରଙ୍କ ପ୍ରସ୍ତାବ ରହିଥିଲା। ନିର୍ବାଚନ ସମୟରେ କଂଗ୍ରେସ ନେତାଙ୍କ ଆଭିମୁଖ୍ୟରୁ ପ୍ରଭାରୀ ଏଭଳି କିଛି ସଙ୍କେତ ପାଇଥିଲେ। ଏ ଦୃଷ୍ଟିରୁ ଓଡ଼ିଶାରେ ଅଧିକାଂଶ ପଦପଦବି ନିଯୁକ୍ତି କିମ୍ବା ବହିଷ୍କାର ନିଷ୍ପତ୍ତି ପ୍ରଭାରୀ ନିଜେ ନେଉଥିଲେ। ନିର୍ବାଚନ ଲଢ଼ୁଥିବା ଅଧିକାଂଶ ପ୍ରାର୍ଥୀଙ୍କ ନିକଟରେ ଟଙ୍କା ପହଞ୍ଚି ନ ଥିଲା। ନିର୍ବାଚନ ପରେ ପ୍ରଭାରୀଙ୍କ ପ୍ରସ୍ତାବକୁ ବିଚାରକୁ ନେଇ ହାଇକମାଣ୍ଡ ବୋଧହୁଏ ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କାହାରିକୁ ବି କାମଚଳା ସଭାପତି ଭାବେ ଦାୟିତ୍ବ ଦିଆଯାଇନାହିଁ। ତେଣୁ ଆସନ୍ତା ନିର୍ବାଚନ ପାଇଁ କଂଗ୍ରେସକୁ ନୂଆ ଢଙ୍ଗରେ ପ୍ରସ୍ତୁତ କରିବା ଲାଗି ଏଆଇସିସି ବିଚାର କରିଥାଇପାରନ୍ତି। ଏଥିରେ ସଭାପତିଙ୍କ ସମେତ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦିଆଯାଇପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ