ରାଜ୍ୟ ସ୍ପେଶାଲ ରିପୋର୍ଟ

ମତଦାନକୁ ସୁହାଇବ ଓଡ଼ିଶାର ପାଣିପାଗ

ଭୁବନେଶ୍ବର: ମେ’ ୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନାମ‌ାଙ୍କନପତ୍ର ଦାଖଲ ସରିଥିବାବେଳେ ଏବେ ପ୍ରଚାର ‌ଜୋର୍‌ ଧରିଛି। ଗତ ୧୫ ଦିନ ହେବ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ‌ ଯୋଗୁ ନିର୍ବାଚନୀ ପ୍ରଚାରରେ ଏହା ଏକ ବଡ଼ ବାଧା ହୋଇ ଛିଡ଼ା ହୋଇଥିଲା। ପ୍ରାର୍ଥୀମାନେ ଦିନ ୧୧ରୁ ୩ ପର୍ଯ୍ୟନ୍ତ ପ୍ରଚାର ନ କରିବାକୁ ଏସ୍‌ଆର୍‌ସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ଏକ ସପ୍ତାହ ରହିଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ତାପମାତ୍ରା କମିବା ନେଇ ସବୁଜ ସଙ୍କେତ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆକଳନ ଅନୁସାରେ, ଆସନ୍ତା ସପ୍ତାହରେ, ଅର୍ଥାତ୍ ୬ ତାରିଖ ପରଠାରୁ ରାଜ୍ୟରେ କୋହଲା ପାଗ ସାଙ୍ଗକୁ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ କମ୍‌ ରହିବ। ଆସନ୍ତା ୭,୮ ଓ ୯ ତାରିଖରେ ରାଜ୍ୟ‌ର ବିଭିନ୍ନ ସ୍ଥାନରେ ଅଧିକ ପରିମାଣରେ କାଳବୈଶାଖୀ ବର୍ଷା ସହିତ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଣୁ ଏହି ସମୟରେ ନିର୍ବାଚନୀ ପ୍ରଚାର ଜୋର୍‌ ଧରିବ। ତା‌ପମାତ୍ରା ଏଥିରେ ଆଉ ବାଧା ସୃଷ୍ଟି କରିବ ନାହିଁ।

ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବାକୁ ଥିବା ବେଳେ ଏହି ଜିଲ୍ଲାଗୁଡ଼ିକରେ ତାପମାତ୍ରା ସ୍ବଭାବିକ କିମ୍ବା ଏହାଠାରୁ କମ୍‌ ରହିପାରେ। ‌ବିଶେଷକରି ଗଞ୍ଜାମ ଭଳି ଉପକୂଳ ଅଞ୍ଚଳରେ ଥିବା ଜିଲ୍ଲାଗୁଡ଼ିକରେ ତାପମା‌ତ୍ର‌ା କମ୍‌ ରହିବାର ସମ୍ଭାବନା ରହିଛି। ଫଳରେ ମତଦାନ ହାର ବୃଦ୍ଧି ସହିତ ବହୁ ସଂଖ୍ୟାରେ ଭୋଟର ମତଦାନ କରିବାକୁ ଆସିବେବୋଲି ଅନୁମାନ କରା ଯାଉଛି। ସେହ‌ିପରି ଆସନ୍ତା ୨୦ ତାରିଖରେ ୨ୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଲୋକସଭା କ୍ଷେତ୍ରଗୁଡ଼ିକରେ ୯ ତାରିଖରୁ ଲାଗିରହିବାକୁ ଥିବା କାଳବୈଶାଖୀ ପ୍ରଭାବରେ ୧୫ରୁ ୧୬ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିବ। ତେଣୁ ସେହି ପର୍ଯ୍ୟାୟ ନିର୍ବାଚନ ପା‌ଇଁ ପାଗ ସୁହାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୬ରୁ ୩୯ ଡିଗ୍ରି ମଧ୍ୟରେ ରହିବ। ‌ଏଣୁ ତାତି ଓ ଗୁଳୁଗୁଳିର କମ୍‌ ଆଶଙ୍କା ଅଛି। ସେହିଭଳି ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ରହିପାରେ। ଏଠାରେ ତାପମାତ୍ରା ୩୮ରୁ ୪୧ ଡିଗ୍ରି ମଧ୍ୟରେ ରହିପାରେ।

ଏ ‌ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦ‌ାସ କହିଛନ୍ତି, ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। କିନ୍ତୁ ଏହାପରେ ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବ। ଗୋଟିଏ କାଳବୈଶାଖୀ ହେଲେ ସ୍ଥାନୀୟ ଅଞ୍ଚଳରେ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସପାଏ ଓ ସ୍ବାଭାବିକ ସ୍ଥିତିକୁ ଫେରିବା ପାଇଁ ୨ରୁ ୩ ଦିନ ଲାଗେ। ଏଣୁ ୭ ତାରିଖରୁ ସମ୍ପୂର୍ଣ୍ଣ ରାଜ୍ୟରେ ସକ୍ରିୟ କାଳବୈଶାଖୀ ଓ ଭାରିବର୍ଷା ହେବାକୁ ଥିବାରୁ ଏହା ପରେ ତାତିରେ ଆଖିଦୃଶିଆ‌ ପରିବର୍ତ୍ତନ ଦେଖାଦେବ। ନିର୍ବାଚନ ପାଇଁ ଏହା ଅନୁକୂଳ ହେବ ବୋଲି ଶ୍ରୀ ଦାସ ଆକଳନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।