ରାଜ୍ୟ ସ୍ପେଶାଲ ରିପୋର୍ଟ

‘ବାଘ-ବାଘୁଣୀ’ ବୟାନକୁ ନେଇ ରାଜନୀତି ତେଜିଲା; ଶିମିଳିପାଳର ମହାବଳ ନୁହେଁ, ପିଞ୍ଜରା ବାଘ: ବିଜେପି

ବାରିପଦା: ନିର୍ବାଚନୀ ପ୍ରଚାର ସଭାରେ ନିଜକୁ ବାଘ ଓ ପତ୍ନୀଙ୍କୁ ବାଘୁଣୀ ସମ୍ବୋଧନ କରିଥିବା ବିଜେଡିର ବରିଷ୍ଠ ନେତା ତଥା ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କ ବୟାନକୁ ନେଇ ରାଜନୀତି ତେଜିବାରେ ଲାଗିଛି। ସୁଦାମଙ୍କର ଏହି ମନ୍ତବ୍ୟରୁ ତାଙ୍କର ଅହଙ୍କାର ବାରି ହେଉଛି ବୋଲି ଅଭିଯୋଗ କରି ବିରୋଧୀ ବିଜେପି ଓ କଂଗ୍ରେସ ତାଙ୍କୁ କଟାକ୍ଷ କରିଥିବା ବେଳେ ସେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଏହି ବୟାନ ଦେଇନଥିଲେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁଦାମ। ଗତ ୨୬ ତାରିଖରେ ବାଙ୍ଗିରିପୋଷି ଷ୍ଟେସନ୍‌ ପଡ଼ିଆ ଶାଳ ଜଙ୍ଗଲରେ ବିଜେଡିର ବିଶାଳ ପ୍ରଚାର ସମାବେଶରେ ସୁଦାମ ନିଜ ପତ୍ନୀଙ୍କୁ ଜଣେ ସାହସୀ ମହିଳା ବୋଲି ଦର୍ଶାଇ ‘ସେ ବାଘ ହେଲେ ତାଙ୍କ ପତ୍ନୀ ବାଘୁଣୀ’ ବୋଲି କହିଥିଲେ। ଏମିତିକି ସେ ଜେଲ୍‌ରେ ଥିବାବେଳେ ପତ୍ନୀ ଏକୁଟିଆ ସନ୍ତାନ ପ୍ରସବ କରିବା ସହ ଧୈର୍ଯ୍ୟହରା ନହୋଇ ଓଲଟା ତାଙ୍କୁ ଲୋକଙ୍କ ହକ୍‌ ପାଇଁ ଲଢ଼ିବାକୁ ସାହସ ଦେଇଥିବା କହିଥିଲେ ସୁଦାମ।

ଶିମିଳିପାଳର ମହାବଳ ନୁହେଁ, ପିଞ୍ଜରା ବାଘ: ବିଜେପି
କାମୁଡ଼ା କାମୁଡ଼ି କରି କାହାର କ୍ଷତି ନ କରନ୍ତୁ: କଂଗ୍ରେସ
କୌଣସି ମନ୍ଦ ଉଦ୍ଦେଶ୍ୟ ରଖି କହିନଥିଲି: ସୁଦାମ

ତେବେ ଏହି ବୟାନ ପାଇଁ ବିଜେପି ଓ କଂଗ୍ରେସ ସୁଦାମଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୁଦାମ ନିଜକୁ ବାଘ ବୋଲି ଭାବିବାରେ କିଛି ଅସୁବିଧା ନାହିଁ। ହେଲେ ସେ ଶିମିଳିପାଳର ମହାବଳ ନୁହନ୍ତି, ବରଂ ନଖ ନଥିବା ଦନ୍ତହୀନ ପିଞ୍ଜରା ବାଘ। ସେ ଅତୀତରେ ଆଦିବାସୀଙ୍କ ଜମି ବିକ୍ରି ପାଇଁ ମସୁଧା ଚଳାଇଥିଲେ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବାରିପଦା ବିଧାୟକ ପ୍ରକାଶ କୁମାର ସୋରେନ। ରାଜସ୍ବ ଓ ଗଣଶିକ୍ଷା ମନ୍ତ୍ରୀ ଥିବା ସୁଦାମ ଜିଲ୍ଲା ପାଇଁ କ’ଣ ସବୁ କାମ କରିଛନ୍ତି, ତାର ହିସାବ ଜନସାଧାରଣଙ୍କୁ ଦିଅନ୍ତୁ। ନିଜର ଦୋଷ ଓ ଅପାରଗତାକୁ ଲୁଚାଇବାକୁ ଯାଇ ସେ ନିଜକୁ ବାଘ ଓ ପତ୍ନୀଙ୍କୁ ବାଘୁଣୀ ବୋଲି କହିବା ହାସ୍ୟାସ୍ପଦ। ତାଙ୍କର ଏହି ବାହାସ୍ଫୋଟ ପାଇଁ ଚଳିତ ନିର୍ବାଚନରେ ମୟୂରଭଞ୍ଜବାସୀ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି। ସେହିପରି, କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ସାଂସଦ ସୁଶିଳା ତିରିଆ ମଧ୍ୟ ସୁଦାମଙ୍କ ଏହି ବୟାନକୁ ନାପସନ୍ଦ କରିଛନ୍ତି। ଜନସାଧାରଣ ଭୋଟ୍‌ ଦେଇ ନେତା ନିର୍ବାଚିତ କରୁଛନ୍ତି। ଜିତିଗଲା ପରେ ସେହି ନେତା ନିଜକୁ ବାଘ ବୋଲି କହିବା କେତେ ଦୂର ସମୀଚିନ ବୋଲି ସେ ପ୍ରଶ୍ନ କରିଛନ୍ତି। ନିଜକୁ ବାଘ ଓ ପତ୍ନୀଙ୍କୁ ବାଘୁଣୀ ବୋଲି କହି ଉଭୟ ଖୁସି ହୁଅନ୍ତୁ। ହେଲେ, ଭବିଷ୍ୟତରେ ଏହି ବାଘ-ବାଘୁଣୀ ଲୋକଙ୍କର କିଛି କ୍ଷତି ନ କରନ୍ତୁ ବୋଲି କଟାକ୍ଷ କରିଛନ୍ତି ସୁଶିଳା।

ଅନ୍ୟପକ୍ଷରେ, ନିଜ ବୟାନକୁ ନେଇ ବିବାଦ ଉପୁଜିବା ପରେ ପକ୍ଷ ରଖିଛନ୍ତି ସୁଦାମ। ସେ କହିଛନ୍ତ, ‘ମୁଁ ୧୯୯୦ରୁ ମୟୂରଭଞ୍ଜ ଜନତାଙ୍କ ସହ ରହିଛି ଓ ଆଗକୁ ମଧ୍ୟ ରହିବି। ମୋର ରାଜନୈତିକ ଜୀବନରେ ପତ୍ନୀ ରଞ୍ଜିତା ସବୁବେଳେ ବାଟ ଦେଖାଇଛନ୍ତି। ମୁଁ ବାଘ ଓ ମୋ ସ୍ତ୍ରୀ ବାଘୁଣୀ ହୋଇ ଜନତାଙ୍କ ସେବା କରିବୁ ବୋଲି କହିଥିଲି। ଏଥି‌ରେ ଗର୍ବ, ଅହଙ୍କାର‌ କିମ୍ବା କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା।’ ବିରୋଧୀ ଏହାକୁ ନେଇ ତୁଚ୍ଛାକୁ ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।