ରାଜ୍ୟ ସ୍ପେଶାଲ ରିପୋର୍ଟ

ଡବଲ୍‌ ଇଞ୍ଜିନ ନୁହେଁ, ଯୋଡ଼ି ଶଙ୍ଖ ଦରକାର

ମାଲକାନଗିରି/କାଲିମେଳା/ମାଥିଲି/କୋଟପାଡ଼: ଓଡ଼ିଶା ପାଇଁ ଡବଲ ଇଞ୍ଜିନ୍‌ ନୁହେଁ, ଯୋଡ଼ି ଶଙ୍ଖ ଆବଶ୍ୟକ। ପଡ଼ୋଶୀ ଛତିଶଗଡ଼ର ଡବଲ ଇଞ୍ଜନ୍‌ ସରକାର ସହ ଓଡ଼ିଶାକୁ ତୁଳନା କଲେ ଫରକ ସ୍ପଷ୍ଟ ଜଣାପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ମାଲକାନଗିରି ଜିଲ୍ଲାର ବିକାଶ ସର୍ବାଗ୍ରେ। ତେଣୁ ସମସ୍ତ ନୂଆ ଯୋଜନା ଏହି ଜିଲ୍ଲାରୁ ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାର କାଲିମେଳା ଏବଂ ମାଥିଲିରେ ଆୟୋଜିତ ଜନସଭାରେ ଆଜି ଏମିତି ସମ୍ବୋଧନ କରି ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ସେହିପରି କୋଟପାଡରେ ସରକାରଙ୍କ ଉପଲବ୍ଧିର ହିସାବ ଦେଇ ବିଜେପିକୁ ଗଣି ଗଣି ସମାଲୋଚନା କରିଥିଲେ।

ସେ କହିଥିଲେ, ବିଜେପି କ୍ଷମତାକୁ ଆସିଲେ ମିସନ ଶକ୍ତି ବନ୍ଦ କରିଦେବ। ବିଏସ୍‌କେୱାଇ ବି ବନ୍ଦ କରିଦେବେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିନାହାନ୍ତି। କିନ୍ତୁ ମା’ ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ। କ୍ଷମତାକୁ ଆସିଲେ କ’ଣ କରିବେ ଏଥିରୁ ଆପଣମାନେ ବୁଝିଯାନ୍ତୁ। ନବୀନ ଇଞ୍ଜିନ କେବେ ଫେଲ୍‌ ମାରିନି କି ମାରିବ ନାହିଁ। ନବୀନ ଇଞ୍ଜିନ ବିଶ୍ବସ୍ତ ଏବଂ ଭରସାଯୋଗ୍ୟ, ଲୋକଙ୍କ ସମସ୍ୟା ସମାଧାନ କରିବ। ଯାହାର ଉଦାହରଣ ହେଲା ସ୍ବାଭିମାନ ଅଞ୍ଚଳର ରୂପାନ୍ତରୀକରଣ।
ଗତ ୫ବର୍ଷ ମଧ୍ୟରେ ମାଲକାନଗିରି ଜିଲ୍ଲାର ‌ବିକାଶ ଗତି, ପ୍ରଗତି ତଥା ଲୋକଙ୍କ ଜୀବିକାରେ ଆସିଥିବା ପରିବର୍ତ୍ତନ ସଂପର୍କରେ ପାଣ୍ଡିଆନ ହିସାବ ଦେଇଥିଲେ। ଶିକ୍ଷା ଓ ଯୋଗାଯୋଗ ଭିତ୍ତିଭୂମିର ପରିକଳ୍ପନା କରି ତାହାକୁ କିଭଳି ସାକାର କରାଗଲା ବର୍ଣ୍ଣନା କରିଥିଲେ। ମାଲକାନଗିରି ନିର୍ବାଚନମଣ୍ଡଳୀରେ ୧୨୭କୋଟି ଟଙ୍କାର କାମ ଚାଲିଛି। ସେହିପରି ଚିତ୍ରକୋଣ୍ଡା ଏବଂ କୋଟପାଡ ନିର୍ବାଚନ ମଣ୍ଡଳୀରେ ଶତାଧିକ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ଚାଲିଥିବା ପ୍ରକଳ୍ପର ତଥ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ନିଜ ହୃଦୟରେ ବଡ଼ ସ୍ଥାନ ଦେଇଛନ୍ତି। ଆପଣମାନଙ୍କ ଭଲ ପାଇଁ ଚିନ୍ତା କରି ୨୪ଘଣ୍ଟା କାମ କରୁଛନ୍ତି। ଜନଜାତିଙ୍କ ପାଇଁ ସବୁଠାରୁ ଅଧିକ ହଷ୍ଟେଲ ଓଡ଼ିଶାରେ ହିଁ ହୋଇଛି। ୫ ଲକ୍ଷରୁ ଅଧିକ ଜନଜାତି ଝିଅ ହଷ୍ଟେଲରେ ରହି ପାଠ ପଢୁଛନ୍ତି। ଜନଜାତିଙ୍କ ଭାଷା, ସଂସ୍କୃତି, ପୂଜାସ୍ଥଳୀ, ଜାହିରାର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଦିନେ ମାଲକାନଗିରି ଜିଲ୍ଲାରେ ସାଇକଲ ଗଡ଼ୁନଥିଲା, ବର୍ତ୍ତମାନ ଉଡ଼ାଜାହାଜ ଉଡ଼ୁଛି। ଏହାଠାରୁ ଆଉ ଅଧିକ କ’ଣ ରୂପାନ୍ତର ହୋଇପାରିବ, ବିରୋଧୀ ଆଖି ଖୋଲି ଦେଖନ୍ତୁ ବୋଲି ପାଣ୍ଡିଆନ କହିଥିଲେ।

ସମସ୍ତ ଜନସଭାରେ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ମଧ୍ୟ ଉଦ୍‌ବୋଧନ ଦେଇଥିଲେ। ସାର ଦାମ ବୃଦ୍ଧି ପାଇଁ ବିଜେପି ସରକାରକୁ ଦାୟୀ କରିଥିଲେ। ବିଜେଡି ଆଦିବାସୀଙ୍କ ଜଙ୍ଗଲ ଜମି ପଟ୍ଟା ଛଡାଇ ନେବ ଓ ବଙ୍ଗୀୟ ଗ୍ରାମକୁ ରାଜସ୍ବ ଗାଁ ନକରିବାକୁ ଚେଷ୍ଟା କରୁଛି ବୋଲି ବିରୋଧୀ ଅପପ୍ରଚାର କରୁଛନ୍ତି। ବରଂ ବିଜେପି ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣ ରଦ୍ଦ କରିବାକୁ ଚେଷ୍ଟା କରୁଛି। ଯଦି ସେହି ଦଳକୁ ଭୋଟ ଦେବା ତେବେ ଆମ ଅସ୍ତତ୍ବ ରହିବ ନାହିଁ ବୋଲି ପ୍ରଦୀପ ମାଝୀ କହିଥିଲେ। କାଲିମେଳାରେ ବିଧାୟକ ପ୍ରାର୍ଥୀ ମାନସ ମାଡ଼କାମୀ, ଚିତ୍ରକୋଣ୍ଡାରେ ଲକ୍ଷ୍ମୀପ୍ରିୟା ନାୟକ ଏବଂ କୋଟପାଡରେ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଗତଥରର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଖଗେଶ୍ୱର ପୂଜାରୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଶେଷରେ ୯୫ପ୍ରତିଶତ ମତଦାନ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ବାନ ଦିଆଯାଇଥିଲା। ଯୋଡ଼ି ଶଙ୍ଖରେ ଭୋଟ ଦେଇ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ମଧ୍ୟ ଅନୁରୋଧ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।