ରାଜ୍ୟ

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଧୋଇଗଲା ବେଳାଭୂମି, ଗଣ-ଅଣ୍ଡାଦାନରେ ବିଳମ୍ବ

ବ୍ରହ୍ମପୁର: ସମୁଦ୍ର କୂଳରୁ ଅନତିଦୂରରେ ରହିଛନ୍ତି ଲକ୍ଷାଧିକ ଅଲିଭ୍‌ରିଡ୍‌ଲେ କଇଁଛ। ହେଲେ ବେଳାଭୂମିକୁ ଅଣ୍ଡାଦାନ କରିବାକୁ ଆସୁନାହାନ୍ତି। ଅଣ୍ଡାଦାନ ପାଇଁ ଆବଶ୍ୟକ ତାପମାତ୍ରା ଉପଲବ୍ଧ ହେଉ ନଥିବାରୁ ଏଭଳି ସମସ୍ୟା ହେଉଥିବା ବିଶେଷଜ୍ଞମାନେ କହୁଛନ୍ତି। ଏଭଳି ସ୍ଥିତିରେ ଜଳବାୟୁ ପରିବର୍ତ୍ତନ କଇଁଛଙ୍କ ପାଇଁ କାଳ ସାଜିଛି। ସମୁଦ୍ର ଲଂଘିବାରୁ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମି ଅବକ୍ଷୟ ହୋଇଗଲାଣି। କଇଁଛଙ୍କ ଅଣ୍ଡାଦାନ ପାଇଁ ସୃଷ୍ଟି ହୋଇଥିବା ‘ଡାଇନାମିକ୍‌ ବିଚ୍‌’ ଧୋଇ ହୋଇଯାଇଛି। ଏପରିକି ସମୁଦ୍ର ପତନରୁ ବେଳାଭୂମି ପ୍ରାୟ ଦୁଇରୁ ଅଢ଼େଇ ଫୁଟ ଉଚ୍ଚତାରେ ରହିଛି। ଏଭଳି ପରିସ୍ଥିତରେ କଇଁଛ ବାଲୁକା ଶଯ୍ୟାକୁ ଆସି ପାରିବେ ନାହିଁ। ଏଣୁ ଚଳିତ ବର୍ଷ ଗଣଅଣ୍ଡାଦାନ ହେବା ନେଇ ଅନିଶ୍ଚିତା ଦେଖାଦେଇଛି।

ଋଷିକୁଲ୍ୟା ମୁହାଣ ବାଲୁକା ଶଯ୍ୟାରେ କିଛିଦିନ ଧରି କାଁଭାଁ ଅଣ୍ଡାଦାନ ଚାଲିଛି। ବିଭିନ୍ନ ସମୟରେ ୮ରୁ ୧୦ କଇଁଛ ଆସି ବିକ୍ଷିପ୍ତ ଅଣ୍ଡାଦାନ କରିଛନ୍ତି। କିନ୍ତୁ ଗଣଅଣ୍ଡାଦାନ ଆରମ୍ଭ ହୋଇ ନାହିଁ। ଗତବର୍ଷ (୨୦୨୨-୨୩) ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟାରୁ ବଟେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକା ଶଯ୍ୟାରେ ୬ଲକ୍ଷ ୩୭ ହଜାର କଇଁଛ ଗଣଅଣ୍ଡାଦାନ କରିଥିଲେ, ଯାହାକି ସର୍ବକାଳୀନ ରେକର୍ଡ ଥିଲା। ସେହିପରି ୨୦୨୧-୨୨ରେ ପ୍ରାୟ ସାଢ଼େ ୫ ଲକ୍ଷରୁ ଅଧିକ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। କେନ୍ଦ୍ରାପଡ଼ା ଉପକୂଳ ଗହୀରମଥାରେ ଅଲିଭ୍‌ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। କିନ୍ତୁ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ‌ଗଣଅଣ୍ଡାଦାନ ଆରମ୍ଭ ହୋଇନାହିଁ। ଯାହାକୁ ନେଇ ପରିବେଶବିତ୍‌ ଚିନ୍ତା ପ୍ରକଟ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକା ଶଯ୍ୟାକୁ ଅଲିଭ୍‌ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ ପାଇଁ ସୁରକ୍ଷିତ ସ୍ଥାନ ଭାବେ ବାଛିଛନ୍ତି। ପ୍ରତିବର୍ଷ ମାର୍ଚ୍ଚରେ ଏଠାରେ ଲକ୍ଷାଧିକ କଇଁଛ ଅଣ୍ଡାଦାନ କରିଥାନ୍ତି। ଏଥର ଅଣ୍ଡାଦାନ ପ୍ରକ୍ରିୟା ପ୍ରାୟ ୧ମାସରୁ ଅଧିକ ବିଳମ୍ବ ହେଲାଣି। ଏଭଳି ସ୍ଥିତିରେ ବେଳାଭୂମି ଅବକ୍ଷୟ ଆଦୌ ଶୁଭ ସଂକେତ ନୁହେଁ ବୋଲି ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି।

ସମୁଦ୍ର ଲଂଘିବାରୁ ପୁରୁଣା ପୋଡ଼ମପେଟା, ନୂଆପୋଡ଼ମପେଟା ଓ ବଟେଶ୍ବରରେ ସୃଷ୍ଟି ହୋଇଥିବା ବେଳାଭୂମି ନଷ୍ଟ ହୋଇଯାଇଛି। ଆସନ୍ତା ୮ରେ ଅମାବାସ୍ୟା ରହିଛି। ଏଣୁ ଧୀରେ ଧୀରେ ସମୁଦ୍ର ଅଶାନ୍ତ ହୋଇ ଜୁଆର ସୃଷ୍ଟି ହେଉଛି। ଆଗକୁ ଆହୁରି ବଡ଼ ବଡ଼ ଜୁଆର ଆସିବ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ ପ୍ରତିଶତ ବେଳାଭୂମି ‌ଧୋଇ ହୋଇଯାଇଛି। ଅମାବାସ୍ୟା ସରିବା ପରେ ଯଦି ପୁଣିଥରେ ନୂଆ ବେଳାଭୂମି ସୃଷ୍ଟି ହେବ, ତା’ ହେଲେ ଅଣ୍ଡାଦାନ ହୋଇପାରେ ବୋଲି ସେ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଅଣ୍ଡାଦାନ ପ୍ରଭାବିତ ହୋଇଥିବା କୁହାଯାଉଛି। ଅଣ୍ଡାଦାନରେ ବିଳମ୍ବ ପରେ ବେଳାଭୂମି ଧୋଇ ହେବା ଏବେ ଚିନ୍ତା ସୃଷ୍ଟି କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।