ଭୁବନେଶ୍ବର: ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ସେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କିପରି ଚାଲିଛି, ତାହାକୁ ସେ ତଦାରଖ କରୁଛନ୍ତି। ଫୋନ୍ କରି ବିଭିନ୍ନ ଲୋକଙ୍କୁ କାମ ସମ୍ପର୍କରେ ପଚାରି ବୁଝୁଛନ୍ତି। ଏହି ୩୫ ସେକେଣ୍ଡ୍ର ଭିଡିଓଟି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ନବୀନ ଅସୀମିତ ପ୍ରେରଣାର ଉତ୍ସ ବୋଲି ସେ ଏଥିରେ ଦର୍ଶାଇଛନ୍ତି।
ନିର୍ବାଚନୀ ପ୍ରକ୍ରିୟା ବେଳେ ଯେପରି ବିକାଶମୂଳକ କାର୍ଯ୍ୟ ଅଧାରୁ ବନ୍ଦ ନହୁଏ, ତାହା ଉପରେ ନବୀନ ଗୁରୁତ୍ବାରୋପ କରୁଛନ୍ତି। ଭିଡିଓରେ ସ୍କୁଲ୍ ରୂପାନ୍ତରଣ, ମନ୍ଦିର, ପୋଲ ଆଦି ବିକାଶମୂଳକ କାର୍ଯ୍ୟ କିପରି ଚାଲିଛି ଓ ତାହା ସରିଲାଣି କି ନାହିଁ, ସେ ସମ୍ପର୍କରେ ଲୋକଙ୍କ ମତ ନେଉଥିବା ଦେଖିବାକୁ ମିଳୁଛି। ଏପରିକି ପିଲାମାନେ ଖୁସି ଅଛନ୍ତି କି ନାହିଁ, ତାହା ସେ ପଚାରୁଛନ୍ତି। ଏହି ଭିଡିଓଟି ଅପ୍ଲୋଡ୍ ହେଲା ପରେ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହୋଇଛି।