ରାଜ୍ୟ

ସୀମାନ୍ତରେ ‘ସମ୍ବାଦ’: ଓଡ଼ିଆ ଏବେ ଛତିଶଗଡ଼ିଆ ଭୋଟର୍‌

ବିଶ୍ୱଜିତ ଦାଶ/ଜୟସିଂ ପ୍ରଧାନ
ବରଗଡ଼: ଓଡ଼ିଶା ଲୋକ ଏଥର ଛତିଶଗଡ଼ରେ ନେତା ବାଛିବେ। କାରଣ ଓଡ଼ିଆ ଏବେ ଛତିଶଗଡ଼ ଭୋଟର। ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଇଲାକାରେ ସ୍ଥିତି ପରଖିବା ପରେ ଜଣାପଡ଼ିଛି ଏଭଳି କିଛି କଥା। ଯାହା ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ କାନକୁ ବି ଯାଇନି। ଆନ୍ଧ୍ର ଯେଭଳି କୋଟିଆକୁ ମାଡ଼ିବାକୁ ଯୋଜନା କରୁଛି, ଠିକ୍‌ ସେଭଳି ସୀମାନ୍ତରେ ଓଡ଼ିଶା ଲୋକଙ୍କୁ ଛତିଶଗଡ଼ ସରକାର ନିଜ ରାଜ୍ୟରେ ମିଶାଇବାକୁ ଷଡ଼୍‌ଯନ୍ତ୍ର ରଚୁଥିବା ଜଣାପଡ଼ିଲାଣି। ମିଠା କଥା ଓ ଯୋଜନାର ଲୋଭ ଦେଖାଇ ଲୋକଙ୍କୁ ପାଠ ପଢ଼ାଯାଉଛି। କେବଳ ଏତିକି ନୁହଁ, ମାଗଣାରେ ଜମି ଦେଇ ଲୋକଙ୍କୁ ଆବାସ ଘର ଦିଆଗଲାଣି। ଲୋକେ ବି ବର୍ଷ ବର୍ଷ ରହିବା ସହ ଛତିଶଗଡ଼ ସରକାରଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି।

ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ସୀମାନ୍ତକୁ ଲାଗିରହିଛି ଛତିଶଗଡ଼। ଗ୍ରାଉଣ୍ଡ ଜିରୋରେ ‘ସମ୍ବାଦ’ ସ୍ଥିତି ପରଖିବା ପରେ ଜଣାପଡ଼ିଛି, ଅମ୍ବାଭୋନା ବ୍ଲକ୍‌ କଣ୍ଡପଲା ପଞ୍ଚାୟତରେ ରହିଛି ବିର୍ଜୁପାଲି ଗାଁ। ଗାଁକୁ ଲାଗି ବହି ଯାଇଛି କେଙ୍କରାଡ଼ି ନାଳ। ନାଳ ଆରପଟେ ଛତିଶଗଡ଼। ରାୟଗଡ଼ ଜିଲ୍ଲା ସାରନଗଡ଼ ବ୍ଲକ୍‌ ବଡ଼େନୱାପରା ପଞ୍ଚାୟତ ଅଧୀନରେ ସେହି ଅଂଚଳ ଆସୁଛି। ଆଉ ବର୍ତ୍ତମାନ ଗତ କିଛିବର୍ଷ ହେଲା ନାଳ ଆରପଟରେ ଗଢ଼ି ଉଠିଲାଣି ମଧୁଡିପା ବସ୍ତି। ବଡ଼େନୱାପରାର ଏକ ୱାର୍ଡ ହେଉଛି ମଧୁଡିପା ଗାଁ। ପ୍ରାୟ ୫୦ ପରିବାର ଓଡ଼ିଶାର ବିର୍ଜୁପାଲି ଗାଁରୁ ଯାଇ ସେଠାରେ ରହୁଛନ୍ତି। ଆଦିବାସୀ, ଦଳିତମାନଙ୍କ ସହ ସାଧାରଣ ବର୍ଗର ଲୋକ ବସବାସ କରୁଛନ୍ତି। ଗାଁର ଜନସଂଖ୍ୟା ପ୍ରାୟ ୧୫୦ ହେବ। ସେମାନେ ସବୁ ଓଡ଼ିଶା ଉପରେ ନିର୍ଭରଶୀଳ ନୁହନ୍ତି।

ବଡ଼େନୱାପରାର ସରପଞ୍ଚ ମହେଶ ଦେହେରୀଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, ପ୍ରାୟ ୧୦ରୁ ୧୫ ବର୍ଷ ହେଲା ଲୋକମାନେ ଛତିଶଗଡ଼ ସରକାରଙ୍କ ବିକାଶ କାର୍ଯ୍ୟ ଦେଖି ଓଡ଼ିଶାରୁ ଆମ ଅଂଚଳକୁ ଆସୁଛନ୍ତି। କଂଗ୍ରେସ ସରକାର ଥିବାସମୟରେ ସେମାନେ ସବୁ ପ୍ରଥମେ ଆସିଥିଲେ। ଏବେବି କିଛି ଲୋକ ଆସିବାକୁ ଇଚ୍ଛାପ୍ରକଟ କରୁଛନ୍ତି ବୋଲି କହିଥିଲେ। ସେହିପରି ମଧୁଡିପା ଗାଁର ବୃନ୍ଦାବନ ପଟେଲ, ସୁବାସ ଭୁଏ, ରଘୁନାଥ ପଟେଲ, ଚନ୍ଦ୍ରସେନ ଭୁଏ ପ୍ରମୁଖ କହୁଛନ୍ତି, ବିଦ୍ୟୁତ୍‌ ବିଲ୍‌ ୧୦୦ ଟଙ୍କା ଭିତରେ ଆସୁଛି। ଚାଷ କରିବାକୁ ପାଣି ମଟର ଲଗାଇଲେ ବି କମ୍‌ ବିଦ୍ୟୁତ୍‌ ବିଲ୍‌ ଆସୁଛି। ଅନ୍ୟ ସୁବିଧାସୁଯୋଗ ସବୁ ମିଳୁଥିବାରୁ ଛତିଶଗଡ଼ମୁହାଁ ହୋଇ ମଧୁଡିପାରେ ସେମାନେ ରହୁଥିବା କହିଛନ୍ତି। ଯେତେ ପରିବାର ଏବେ ରହୁଛନ୍ତି ସମସ୍ତେ ବିର୍ଜୁପାଲି ଗାଁର।

ବିର୍ଜୁପାଲି ଗାଁର ୱାର୍ଡମେମ୍ବର ରାଜକୁମାର ଭୋଇ କହିଛନ୍ତି, ଗାଁରେ ଗୋଟିଏ ୱାର୍ଡ ରହିଛି। ଓଡ଼ିଶାରେ ଆମ ଜାଗା ନାହିଁ। ନାଳଆରପଟକୁ ଜାଗା ଥିବାରୁ ସେମାନେ ଚାଲି ଯାଉଛନ୍ତି। ଓଡ଼ିଶା ସରକାର ଚାଷୀଙ୍କୁ ବୋନସ୍‌ ଦେଉ ନାହାନ୍ତି। ଧାନର ମୂଲ୍ୟ ପାଉ ନାହାନ୍ତି। ଯୋଜନା ଉଭୟ ରାଜ୍ୟର ଅଲଗା ଅଲଗା ଅଛି। ଛତିଶଗଡ଼ ସରକାରଙ୍କୁ ଯେଉଁମାନେ ଠିକ୍‌ ଭାବୁଛନ୍ତି ସେମାନେ ଚାଲି ଯାଉଛନ୍ତି। ବିର୍ଜୁପାଲି ଗାଁର ପ୍ରମିଳା ପଟେଲ, ଚନ୍ଦ୍ରସେନ ଭୁଏ କହିଛନ୍ତି, ଜମି ଅଭାବ ଏବଂ ସେଠାରେ ଜମି ଯୋଗାଇ ଦେଉଥିବାରୁ ଗାଁର ଗୋଟିଏ ପରେ ଗୋଟିଏ ପରିବାର ମଧୁଡିପା ଚାଲିଯାଉଥିବା କହିଛନ୍ତି। ଏ ନେଇ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ପଚରାଯିବାରୁ ସୀମାନ୍ତ ଅଂଚଳରେ ଏଭଳି କିଛି ବିବାଦ ରହିଥାଏ। ସେମାନେ ଆମକୁ ତାଙ୍କ ସମସ୍ୟା ଜଣାଇଲେ ନିଶ୍ଚିତ ସମାଧାନ କରାଯିବ। କେମିତି ଓଡ଼ିଶା ଛାଡ଼ି ଛତିଶଗଡ଼କୁ ଯିବେ ନାହିଁ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।