ରାଜ୍ୟ

ନିର୍ବାଚନୀ ପ୍ରସଙ୍ଗ ହେବ ତ ମହାନଦୀ?

ଝାରସୁଗୁଡ଼ା: ଗତ ଦୁଇଦଶନ୍ଧି ହେବ ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ପ୍ରସଙ୍ଗର ସ୍ଥାନନେଇଛି ମହାନଦୀ। ଏବେ ମହାନଦୀ ସହିତ ହୋଇଥିବା ଅନ୍ୟାୟ ସମ୍ପର୍କରେ ବିରୋଧୀ ପଦୁଟିଏ କହୁ ନ ଥିବାବେଳେ ସରକାର ମଧ୍ୟ ଏହି ପ୍ରସଙ୍ଗରେ ଚୁପ୍‌ ରହିଛନ୍ତି। ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଶୁଖାସୋଢ଼ା ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ ହୋଇଥିବା ବେଳେ ଖରାଦିନ ପାଇଁ ଏଠାରେ ବି ଜଳଧାର ଶୁଖିବାକୁ ବସିଲାଣି। ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀର ତଣ୍ଟି ଚିପି ଦେଇଛି ଛତିଶଗଡ଼। ତଥାପି ବି ସମସ୍ତେ ଚୁପ୍‌। ତେବେ ଚଳିତ ନିର୍ବାଚନରେ ମହାନଦୀ ପୁଣିଥରେ ପ୍ରସଙ୍ଗ ହେବ ନା ପୂର୍ବବତ୍‌ ଥଣ୍ଡା ପଡ଼ିଯିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

୨୦୧୮ ମେ’ ୧୬ ତାରିଖରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହି ଶୁଖାସୋଢ଼ାରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏହିସ୍ଥାନରୁ ହିଁ ମହାନଦୀ ସୁରକ୍ଷା ଅଭିଯାନ ଘୋଷଣା କରିଥିଲେ। ଏହି ଅଭିଯାନ ଅନ୍ତର୍ଗତ ମହାନଦୀ ପ୍ରବାହିତ ହୋଇଥିବା ରାଜ୍ୟର ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀରେ ମହାନଦୀ ସୁରକ୍ଷା ନେଇ ସଭାସମିତି ହୋଇଥିଲା।  ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ବିବାଦ ଲାଗି ରହିବା ପରେ ୨୦୧୮ ମସିହା ମାର୍ଚ୍ଚ ୧୧ ତାରିଖରେ ଟ୍ରିବ୍ୟୁନାଲ୍‌ ଗଠନ ହୋଇଥିଲା। ଗତ ମେ’ ମାସରେ ଅର୍ଥାତ୍‌ ୫ ବର୍ଷ ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନ କରିଥିବା ବେଳେ ଗତ ନଭେମ୍ବରରୁ ମାମଲାର ଶୁଣାଣି ଆରମ୍ଭ ହୋଇଛି। ଉଭୟ ରାଜ୍ୟ ସାନି ସାକ୍ଷୀ ତାଲିକା ବି ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରିବାପରେ ଶୁଣାଣି ଆରମ୍ଭ ହୋଇଛି। ଇତିମଧ୍ୟରେ ଛତିଶଗଡ଼ ସରକାର ଜଳସେଚନ ପ୍ରକଳ୍ପ ପାଇଁ ମହାନଦୀରେ ବିଭିନ୍ନ ବ୍ୟାରେଜ୍‌ ନିର୍ମାଣ ଶେଷ କରିଦେଇଥିବାରୁ  ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟ କମିବାରେ ଲାଗିଛି। ବିଶେଷକରି ଅଣମୌସୁମି ଋତୁରେ ମହାନଦୀରେ ଜଳପ୍ରବାହ ହ୍ରାସ ପାଉଛି। ମହାନଦୀ ଅବବାହିକାରେ ଓଡ଼ିଶା ତୁଳନାରେ ଛତିଶଗଡ଼ର ଜଳଧାରଣା କ୍ଷମତା ୧୦ ପ୍ରତିଶତ ଅଧିକ ରହିଥିବାରୁ ଛତିଶଗଡ଼ ସରକାର ଗୋଟିଏ ପରେ ଗୋଟିଏ ବ୍ୟାରେଜ୍‌ ନିର୍ମାଣ କରିଚାଲିଛନ୍ତି। ସେପଟେ, ରାଜ୍ୟ ସରକାର ମଧ୍ୟ ଘୋଷଣା ପରେ ଘୋଷଣା କରି ଚାଲିଥିବା ସତ୍ତ୍ବେ ବିଗତ ୫ ବର୍ଷରେ ହୀରାକୁଦ ତଳ ମୁଣ୍ଡରେ ଗୋଟିଏ ବି ବ୍ୟାରେଜ୍‌ ନିର୍ମାଣ କରି ପାରିନାହାନ୍ତି। ଫଳରେ ମହାନଦୀ ଉପରେ ନିର୍ଭରଶୀଳ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବିକା ଏବେ ବିପଦରେ ପଡ଼ିଛି।

କେବଳ ଯେ, ମହାନଦୀ ନୁହେଁ ବରଂ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ କେଲୋ ନଦୀ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା। ବିଗତ ୨ ବର୍ଷରେ ଛତିଶଗଡ଼ ସରକାର କେଲୋ ନଦୀର ନେତନାଗରଠାରେ ମଧ୍ୟ ୨ଟି ଡ୍ୟାମ୍‌ ତିଆରି କରିସାରିଲେଣି। ଫଳରେ କେଲୋ ନଦୀ ବି ଏବେ ଶୁଖିଲା ପଡ଼ିଛି। ଛତିଶଗଡ଼ କଲ୍‌ମା ବ୍ୟାରେଜ୍‌ ନିର୍ମାଣ କରିବା ପୂର୍ବରୁ ଶୁଖାସୋଢ଼ାରେ ପ୍ରାୟ ୩୦ ଫୁଟ୍‌ ଗଭୀରତାର ଜଳସ୍ରୋତ ବର୍ଷତମାମ୍‌ ରହୁଥିଲା। କିନ୍ତୁ ରାୟଗଡ଼ରେ କଲ୍‌ମା ବ୍ୟାରେଜର ନିର୍ମାଣ ପରେ ମହାନଦୀର ଜଳପ୍ରବାହରେ ରୋକ୍‌ ଲାଗିଯାଇଛି। କଲ୍‌ମା ଏହାର ୬୬ଟି ଗେଟ୍‌ ବନ୍ଦ କରିଦେବା ପରେ ଶୁଖା‌ସୋଢ଼ାର ସ୍ଥିତି ବଦଳିଯାଉଛି। ଗୋଟିଏପଟେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଆଉ ଗୋଟିଏ ପଟେ ଲୋକେ ପାଣି ପାଇଁ ହାହାକାର ହେଉଛନ୍ତି। ମହାନଦୀ ଉପରେ ସିଧାସଖଳ ନିର୍ଭର କରୁଥିବା ଲୋକେ ପିଇବା ପାଣି ପାଇପାରୁ ନ ଥିବା ବେଳେ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଦୁଃଖ କହିଲେ ନସରେ। ତେଣୁ ଲୋକମାନଙ୍କ ଜୀବନଜୀବିକା ସହିତ ଯୋଡ଼ିହୋଇଥିବା ଏହି ପ୍ରସଙ୍ଗ ଚଳିତ ନିର୍ବାଚନରେ ସ୍ଥାନ ପାଇବ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।