ଦେଶ ବିଦେଶ

ନିର୍ବାଚନ କମିସନର ଅରୁଣ ଗୋଏଲଙ୍କ ଅଚାନକ ଇସ୍ତଫା: ଅଡ଼ୁଆରେ ପଡ଼ିଲେ ସରକାର

ନୂଆଦିଲ୍ଲୀ: ଆଉ କିଛି ସପ୍ତାହ ପରେ ସାଧାରଣ ନିର୍ବାଚନ ହେବ। ଏଥିଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଭାରତର ନିର୍ବାଚନ କମିସନର ଅରୁଣ ଗୋଏଲ ଆଜି ତାଙ୍କ ପଦରୁ ହଠାତ୍‌ ଇସ୍ତଫା ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଆଉ ଦୁଇ ତିନି ଦିନ ପରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବା ବେଳେ ତାଙ୍କର ଇସ୍ତଫା ଏହି ଘୋଷଣାକୁ ବିଳମ୍ବିତ କରିପାରେ। କାରଣ ତିନି ଜଣିଆ ନିର୍ବାଚନ କମିସନ୍‌ରେ ପୂର୍ବରୁ ଗୋଟିଏ ପଦ ଖାଲି ପଡ଼ିଥିବା ବେଳେ ଆଜି ଗୋଏଲଙ୍କ ଇସ୍ତଫା ପରେ କମିସନ୍‌ରେ କେବଳ ରହିଯାଇଛନ୍ତି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର। ଗୋଏଲଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି। ତେବେ ସେ ଅଚାନକ କାହିଁକି ଇସ୍ତଫା ଦେଲେ ତାହା ଜଣାପଡ଼ି ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇଥାନ୍ତା। ଏବେ ଗୋଏଲ ଇସ୍ତଫା ଦେବାପରେ ନିର୍ବାଚନ ତାରିଖ ଘୋଷଣା ବିଳମ୍ବିତ ‌ହୋଇପାରେ ବୋଲି କୁହାଯାଉଛି। ୨୦୨୨ରେ ବିବାଦୀୟ ପରିସ୍ଥିତିରେ ନିର୍ବାଚନ କମିସନର ଭାବେ ଦାୟିତ୍ବ ଗ୍ରହଣ କରିଥିବା ଗୋଏଲଙ୍କ ଆଜିର ନିଷ୍ପତ୍ତି ସରକାରଙ୍କୁ ଅଡ଼ୁଆ‌ ପରିସ୍ଥିତିରେ ପକାଇ ଦେଇଛି। ତାଙ୍କ ଇସ୍ତଫା ପଛର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ଇସ୍ତଫା ନଦେବାଲାଗି ତାଙ୍କୁ ସରକାରଙ୍କ ପକ୍ଷରୁ ପ୍ରବର୍ତ୍ତା ଯାଇଥିଲା। କିନ୍ତୁ ସେ ତାଙ୍କ ନିଷ୍ପତ୍ତିରେ ଅଟଳ ରହିବାରୁ ରାଷ୍ଟ୍ରପତି ତାଙ୍କର ଇସ୍ତଫାକୁ ଗ୍ରହଣ କରିଛନ୍ତି। ନିର୍ବାଚନ ପୂର୍ବରୁ ବର୍ତ୍ତମାନ ସରକାରଙ୍କୁ ଦୁଇ ଜଣ କମିସନରଙ୍କୁ ନିଯୁକ୍ତ କରିବାକୁ ପଡ଼ିବ। କାରଣ ଗତ ଫେବୃଆରିରେ ଅନ୍ୟତମ କମିସନର ଅନୁପ ପାଣ୍ଡେ ଅବସର ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଯେ ୧୯୮୫ ବ୍ୟାଚ୍‌ର ଆଇଏଏସ୍ ଅଫିସର ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ ୧୮ ନଭେମ୍ବର ୨୦୨୨ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାର ପରଦିନ ଅର୍ଥାତ୍ ୧୯ ତାରିଖରେ କେନ୍ଦ୍ର ସରକାର ତାଙ୍କୁ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଥିଲେ। ୨୧ ତାରିଖରେ ‌ସେ କମିସନର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କର ଏଭଳି ତରବରିଆ ନିଯୁକ୍ତିକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସ୍ବେଚ୍ଛାକୃତ ଅବସର ନେବାର ଗୋଟିଏ ଦିନ ପରେ ତାଙ୍କର ଏଭଳି ନିୁଯୁକ୍ତିକୁ ନେଇ ସୁପ୍ରିମ କୋର୍ଟ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ କମିସନର ନିଯୁକ୍ତି ପାଇଁ ଆଇନ ବିଭାଗ ୪ ଜଣଙ୍କ ନାମ ସର୍ଟଲିଷ୍ଟ କରିଥିଲା। ଏହି ଫାଇଲ୍‌କୁ ନଭେମ୍ବର ୧୮ ତାରିଖରେ ଉପସ୍ଥାପିତ କରାଯାଇଥିଲା। ସେହିଦିନ ପ୍ରକ୍ରିୟା ଆରମ୍ଭ ହେଲା, ପ୍ରଧାନମନ୍ତ୍ରୀ ସେହି ଦିନ ସୁପାରିସ କଲେ ଏବଂ ସେହି ଦିନ ନିଯୁକ୍ତି ମିଳିଲା। ଆମେ ବିବାଦ ଚାହୁନୁ। କିନ୍ତୁ ଏତେ ତରବର କାହିଁକି? ବୋଲି ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ପ୍ରଶ୍ନ କରିଥିଲେ। ତେବେ ମାମଲାର ବିଚାର କରୁଥିବା ଦୁଇ ଜଣିଆ ବେଞ୍ଚ ଆବଦନକାରୀଙ୍କ ପିଟିସନକୁ ଗତବର୍ଷ ଖାରଜ କରିଦେଇଥିଲେ। କୋର୍ଟ କହିଥିଲେ ଯେ ସମ୍ବିଧାନ ବେଞ୍ଚ ଏହି ନିଯୁକ୍ତିର ଅନୁଧ୍ୟାନ କରିଛନ୍ତି। ତେଣୁ ଗୋଏଲଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ କୋର୍ଟ ମନା କରିଦେଇଥିଲେ। ଅରୁଣ ଗୋଏଲଙ୍କର କାର୍ଯ୍ୟକାଳ ୨୦୨୭ ଯାଏଁ ଥିଲା। ଆସନ୍ତାବର୍ଷ ରାଜୀବ କୁମାରଙ୍କ ଅବସର ପରେ ସେ ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ବ ଗ୍ରହଣ କରିଥାନ୍ତେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ