ଭୁବନେଶ୍ବର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଏହି ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ମଧ୍ୟ ହେଉଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୧୧ ତାରିଖ ବେଳକୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।
ଏବେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିବା ବେଳେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ନ ହେଲେ କିଛି ସ୍ଥାନରେ ସାମାନ୍ୟ ଅଧିକ ରହୁଛି। ୫ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି। ଆଜି ଦିନ ସମୟରେ ରାଜ୍ୟର ୧୧ଟି ସହରର ତାପମାତ୍ରା ୩୬ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଥିବା ବେଳେ ବଲାଙ୍ଗୀରରେ ୩୬.୯, ଝାରସୁଗୁଡ଼ାରେ ୩୬.୮, ମାଲକାନଗିରି ୩୬.୭, ଟିଟିଲାଗଡ଼ରେ ୩୬.୫, ସୋନପୁର, ରାୟଗଡ଼ା ଓ ଭବାନୀପାଟଣାରେ ୩୬.୨, ନୟାଗଡ଼, ବୌଦ୍ଧ ଓ ତାଳଚେରରେ ୩୬ ଡିଗ୍ରି ରହିଥିଲା।