ଭୁବନେଶ୍ବର: କର୍କଟ ହେଉଛି ଏକ ସୁନ୍ଦର ରୋଗ। ଏହା ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ଭଳି। କର୍କଟ ରୋଗରେ ସବୁକିଛି ଜଲ୍ଦି ଜଲ୍ଦି ହୋଇଥାଏ। ତେଣୁ କର୍କଟ ରୋଗକୁ ଡରିବାର ଆବଶ୍ୟକତା ନାହିଁ। କାରଣ ଜଣେ ବ୍ୟକ୍ତିଙ୍କୁ କର୍କଟ ରୋଗ ହେଲେ ତାଙ୍କର ଆରୋଗ୍ୟ ହାର ୫୦% ବୋଲି କହିଛନ୍ତି ଏମ୍ସ ନୂଆଦିଲ୍ଲୀର କ୍ୟାନ୍ସର ସେଣ୍ଟରର ମୁଖ୍ୟ ପ୍ରଫେସର ଡା. ଜି.କେ ରଥ।
କ୍ୟାନ୍ସରକୁ ଡରିବା କାହିଁକି? ପ୍ରସଙ୍ଗରେ କନକ ନ୍ୟୁଜ୍ର ମାନସ ଦାଶଙ୍କ ସହ ଆଲୋଚନାରେ ପ୍ରଫେସର ରଥ କହିଥିଲେ, ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗ ଠିକ୍ ହୋଇପାରିବ ନାହିଁ। ୧୦ ପ୍ରକାର କର୍କଟର ଅାରୋଗ୍ୟ ହାର ୯୦%। ଓଡ଼ିଶାରେ ମୁଖଗହ୍ବର କର୍କଟ ସର୍ବାଧିକ। ହେଲେ ପଞ୍ଜାବରେ ମୁଖଗହ୍ବର କର୍କଟ ଦେଖିବାକୁ ମିଳେନାହିଁ। ଉତ୍ତର-ପୂର୍ବ ରାଜ୍ୟରେ କର୍କଟ ରୋଗ ସର୍ବାଧିକ। ଗୁଆହାଟୀରେ ଗୁଆ ଓ ମିଜୋରାମରେ ତମାଖୁ ଖାଇବା ପାଇଁ କର୍କଟ ରୋଗ ହେଉଛି। ଧୂମପାନ, ତମାଖୁ ସେବନ ନ କଲେ ୪୦% କର୍କଟ ରୋଗ ହେବାର ଆଶଙ୍କା କମ୍। ଏହାସହ ୯-୨୬ବର୍ଷ ଭିତରେ ବାଳିକାମାନେ ଟିକା ନେଲେ ଜରାୟୁ କର୍କଟକୁ ନିୟନ୍ତ୍ରଣ କରାଯାଇପାରିବ। ପୂର୍ବରୁ ୧ଲକ୍ଷ ଜନସଂଖ୍ୟାରେ ୫୫ଜଣ ଜରାୟୁ କର୍କଟ ହେଉଥିବା ବେଳେ ଏବେ ତାହା ୧୦କୁ ଖସିଆସିଛି। କେରଳରେ ଏହା ୭ ରହିଛି। ଅଷ୍ଟ୍ରେଲିଆ ଓ କାନାଡ଼ାରେ ଜରାୟୁ କର୍କଟର ଅନ୍ତ ହେବାକୁ ଯାଉଛି। ଭାରତରେ ୨୦% ଲୋକଙ୍କ ଆଗୁଆ କର୍କଟ ରୋଗର ଚିହ୍ନଟ ହେବା କାରଣରୁ ୮୦% ଲୋକ ସୁସ୍ଥ ହୋଇପାରୁଛନ୍ତି। ଅଧିକାଂଶ କର୍କଟ ରୋଗର ଆଗୁଆ ଚିହ୍ନଟ ହୋଇପାରୁଛି। ଭାରତରେ ୩ପ୍ରକାରର କର୍କଟ ରୋଗ ସାଧାରଣ। ହେଡ୍ ଏଣ୍ଡ ନେକ୍, ସ୍ତନ ଓ ଜରାୟୁ କର୍କଟ। ତେବେ ଅଗ୍ନ୍ୟାଶୟ କର୍କଟର ସୁସ୍ଥତା ହାର ୬% ରହିଛି। କଳାଜାଇରେ ପରିବର୍ତ୍ତନ, ଶରୀରର କୌଣସି ଅଙ୍ଗ ଫୁଲିବା ଓ ରକ୍ତସ୍ରାବ ହେବା କର୍କଟର ପ୍ରମୁଖ ଲକ୍ଷଣ।
ଡା. ରଥ ଆହୁରି କହିଥିଲେ, ଧୂମପାନ କିମ୍ବା ତମାଖୁ ଖାଉ ନ ଥିବା ବ୍ୟକ୍ତିଙ୍କୁ ମଧ୍ୟ କର୍କଟ ହୋଇପାରେ। ପ୍ରଦୂଷଣ ଓ କୀଟନାଶକ ଆଦିର ସେବନ ମଧ୍ୟ କର୍କଟ ରୋଗର କାରଣ। କର୍କଟରେ ଆକ୍ରାନ୍ତ ଅନେକ ଲୋକ ଅସହାୟ ହୋଇ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସା ଆପଣାଉଥିବା ସଂପର୍କରେ ପ୍ରଫେସର ରଥ କହିଥିଲେ ଯେ ଠିକ୍ ଆୟୁର୍ବେଦିକ ଚିକିତ୍ସକଙ୍କ ପାଖକୁ ଚିକିତ୍ସା ପାଇଁ ଗଲେ ଭଲ। ମାତ୍ର ଲୋକମାନେ ରାସ୍ତାକଡ଼ରେ ବସୁଥିବା ଲୋକଙ୍କ ପାଖକୁ ଯାଉଛନ୍ତି। ତେବେ କର୍କଟ ରୋଗରୁ ସୁସ୍ଥ ହେବା ପରେ ପୁନର୍ବାର ତାଙ୍କୁ କର୍କଟ ହେବାର ଆଶଙ୍କା ୧୦%ରୁ କମ୍। ମାତ୍ର ଯେଉଁ କାରଣ ପାଇଁ ସେମାନଙ୍କୁ କର୍କଟ ହୋଇଥିଲା ସେହି କାର୍ଯ୍ୟକୁ ପୁନର୍ବାର ଆପଣାଇଲେ କର୍କଟ ହୋଇପାରେ ବୋଲି ଡା. ରଥ କହିଥିଲେ। ତୃତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା କ୍ୟାନସର ଚିକିତ୍ସାର ନୂଆ ପଦ୍ଧତି। ଏଥିରେ ଡା. ତୁଷାର ମହାପାତ୍ର ଓ ଡା. ରଣଜିତ କର ସାମିଲ ହୋଇ ବକ୍ତବ୍ୟ ରଖିଥିଲେ। ସେହିପରି କ୍ୟାନସର କଷ୍ଟ: ଚିକିତ୍ସା ବିଜ୍ଞାନ ପାଇଁ ଆହ୍ବାନ ପ୍ରସଙ୍ଗରେ ଡା. ସଞ୍ଜୟ ମିଶ୍ର ଓ ଡା. ଶୋଭନ ରଥ ଅତିଥିଭାବେ ଯୋଗ ଦେଇଥିଲେ। ପେଟ କ୍ୟାନସରକୁ ଚିହ୍ନିବା କିପରି? ପ୍ରସଙ୍ଗରେ ଡା. ସଞ୍ଜୀବ କୁମାର କର ଓ ଡା.ସଞ୍ଜୀବ ମିଶ୍ର ସାମିଲ ହୋଇ ମତ ଦେଇଥିଲେ। ବ୍ଲଡ୍ କ୍ୟାନସରକୁ ବଞ୍ଚିବେ କେମିତି? ପ୍ରସଙ୍ଗରେ ଡା. ବିଏସ୍ ଚୌଧୁରୀ ଓ ଡା. କାହ୍ନୁଚରଣ ପାତ୍ର ସାମିଲ ହୋଇ ମତ ରଖିଥିଲେ। ଶେଷ ଅଧିବେଶନର ବିଷୟବସ୍ତୁ ରହିଥିଲା ମୁଁ ହରାଇଛି କ୍ୟାନସରକୁ। ଏଥିରେ ସାତ୍ତ୍ବିକୀ ମିଶ୍ର ଓ ସ୍ବାଗତିକା ଆଚାର୍ଯ୍ୟ ସାମିଲ ହୋଇଥିଲେ। ସ୍ବସ୍ତିକା ପଣ୍ଡା, ମୁକେଶ ସାହୁ ଓ ଅନୁଜ ଦାସ ବିଭିନ୍ନ ଅଧିବେଶନକୁ ସଞ୍ଚାଳନ କରିଥିଲେ। ଏହି ଅବସରରେ ମହାତ୍ମା ଗାନ୍ଧୀ କ୍ୟାନ୍ସର ହସ୍ପିଟାଲ, ଏଚ୍ସିଜି ପଣ୍ଡା କ୍ୟାନସର ହସ୍ପିଟାଲ, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଏଣ୍ଡ ହେପାଟୋଲୋଜି ହସ୍ପିଟାଲ, ତ୍ରୟମ୍ବକମ୍ ହେଲ୍ଥ କେୟାର ଓ ଆପୋଲୋ ହସ୍ପିଟାଲକୁ ସମ୍ବର୍ଦ୍ଧିତ କରାଯାଇଥିଲା।