ରାଜ୍ୟ

ବିନା ନଗଦରେ ସେବା ଦେଉଛି ‘ବିଏସ୍‌କେୱାଇ’: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) କାର୍ଡ ବେଶ୍ ଆଦୃତି ଲାଭ କରିଛି। ଏଥିରେ ଲୋକମାନଙ୍କୁ ବିନା ନଗଦ ଟଙ୍କାରେ ସେବା ମିଳିପାରୁଛି। ମା’ମାନଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି। ଏହା କୌଣସି ବୀମା ଯୋଜନା ନୁହେଁ। ଏଥିପାଇଁ କୌଣସି ପ୍ରକାର ପ୍ରମାଣର ଆବଶ୍ୟକତା ନାହିଁ। ନିକଟରେ ଏହି ଯୋଜନା ପାଇଁ ୩୨୩୭ କୋଟି ବ୍ୟୟବରାଦ କରାଯାଇଛି। ୯୦% ଲୋକଙ୍କୁ ଏହି କାର୍ଡ ଜରିଆରେ ସେବା ଦିଆଯାଇଛି। ଏ ଦୃଷ୍ଟିରୁ ବିଏସ୍‌କେୱାଇ କାର୍ଡ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ଯୋଜନାଠାରୁ ଭଲ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

‘ସ୍ବାସ୍ଥ୍ୟ ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ମିଳିତ ଉଦ୍ୟମରେ ଆଜି ହୋଟେଲ୍‌ ସ୍ବସ୍ତି ପ୍ରମିୟମ୍‌ରେ ‘ଦି ହେଲ୍‌ଥ କନକ୍ଲେଭ୍‌-୨୦୨୪’ ଅନୁଷ୍ଠିତ ହୋଇଛି। ଏହାର ପ୍ରଥମ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ପ୍ରତିଟି ଜୀବନ ମୂଲ୍ୟବାନ’। ରାଜ୍ୟବାସୀ ଯଦି ଆୟୁଷ୍ମାନ ଯୋଜନା ଓ ବିଏସ୍‌କେୱାଇ କାର୍ଡକୁ ମିଶାଇ ଦୁଇଟି କାର୍ଡ ରଖିବେ ତାହାଲେ ଅସୁବିଧା କ’ଣ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଥିଲେ ଯେ ରାଜ୍ୟର ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି। ଏହାସହ ବିଏସ୍‌କେୱାଇ କାର୍ଡ ମଧ୍ୟ ରହିଛି। ଏପରିକି ବେସରକାରୀ ହସ୍ପିଟାଲ ଓ ରାଜ୍ୟର ସରକାରୀ ହସ୍ପିଟାଲ ଭିତରେ ସମାନତା ଆଣିବା ଲାଗି ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭ ହୋଇଛି। ଏସବୁ ଦୃଷ୍ଟିରୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ଓ ବିଏସ୍‌କେୱାଇ କାର୍ଡ ଲୋକମାନଙ୍କ ପାଇଁ ଯଥେଷ୍ଟ।

ମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ରାଜ୍ୟର ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଗତମାସରେ ଏହି ଯୋଜନାରେ ୨୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦୂରାରୋଗ୍ୟରେ ପଡ଼ି କୌଣସି ବ୍ୟକ୍ତି ଯେପରି ନିଜ ଜମି ବିକ୍ରି ନ କରୁ, ପୁଅର ପାଠପଢ଼ା ବନ୍ଦ ନ କରୁ କିମ୍ବା ସର୍ବସ୍ବାନ୍ତ ନ ହେଉ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଏସ୍‌କେୱାଇ ଯୋଜନା ଆଣିଛନ୍ତି। କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରର ପ୍ରାୟ ସାଢ଼େ ୭ଶହ ହସ୍ପିଟାଲ ବିଏସ୍‌କେୱାଇରେ ଅନୁବନ୍ଧିତ ହୋଇଛନ୍ତି। ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟକୁ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ।
ଶ୍ରୀ ପୂଜାରୀ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟରେ ଥିବା ଡାକ୍ତରଙ୍କ ଅଭାବକୁ ପୂରଣ କରିବା ପାଇଁ ଉଦ୍ୟମ କରାଯାଉଛି। ନିକଟରେ ୪ହଜାର ଡାକ୍ତର ଓ ୯ହଜାର ପାରାମେଡିକ୍ସଙ୍କୁ ନିଯୁକ୍ତି ଦିଆଯାଇଛି। ବାୟୁ ସ୍ବାସ୍ଥ୍ୟ ସେବା ଜରିଆରେ ବିଶେଷଜ୍ଞ ଡାକ୍ତରମାନେ ଜିଲ୍ଲାରେ ଯାଇ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଉପାନ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ବର୍ଦ୍ଧିତ ଆକାରରେ ଦରମା ଦିଆଯାଉଛି। ଫଳରେ ଡାକ୍ତରମାନେ ଉପାନ୍ତ ଅଞ୍ଚଳରେ ରହିବାକୁ ପସନ୍ଦ କରୁଛନ୍ତି। କନ୍ଧମାଳ ଭଳି ଜିଲ୍ଲାରେ ଏବେ ବହୁ ସଂଖ୍ୟାରେ ଡାକ୍ତର ରହିଥିବା ସେ କହିଥିଲେ। କନକ ନ୍ୟୁଜ୍‌ର ମାନସ ଦାଶ ଏହାକୁ ସଞ୍ଚାଳନ କରିଥିଲେ।

ପ୍ରାରମ୍ଭରେ ସମ୍ବାଦ ଓ କନକ ନ୍ୟୁଜ୍‌ର ସଂପାଦିକା ତନୟା ପଟ୍ଟନାୟକ କହିଥିଲେ, କର୍କଟ ରୋଗରେ ଏବେ ମୃତ୍ୟୁ ସୁନିଶ୍ଚିତ ନୁହେଁ, ଏହାର ଚିକିତ୍ସା ସମ୍ଭବ ହୋଇପାରୁଛି। ଠିକ୍ ସମୟରେ ରୋଗର ଚିହ୍ନଟ, ଠିକ୍‌ଭାବେ ଚିକିତ୍ସା ଓ ଏହାର ପରବର୍ତ୍ତୀ ଚିକିତ୍ସା ଏହାର ସମାଧାନ କରିପାରୁଛି। ରାଜ୍ୟରେ ରକ୍ତର ଅଭାବ ପାଇଁ ଯେପରି କାହାର ମୃତ୍ୟୁ ନ ହେବ ସେଥିପାଇଁ ୧୫-୨୦ବର୍ଷ ପୂର୍ବରୁ ‘ଆମ ଓଡ଼ିଶା’ ଜରିଆରେ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜ୍ୟରେ ସର୍ବାଧିକ ସ୍ବେଚ୍ଛାକୃତ ରକ୍ତଦାନ ‘ଆମ ଓଡ଼ିଶା’ ଦ୍ବାରା ସଂଗ୍ରହ ହୋଇପାରୁଛି। ରାଜ୍ୟରେ କର୍କଟ ରୋଗରେ ଯେପରି କାହାର ମୃତ୍ୟୁ ନ ହେବ ତାହାର ସଂକଳ୍ପ ନେବାର ସମୟ ଆସିଛି। ସରକାର, ଘରୋଇ ସଂସ୍ଥା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଏକାଠି ହେବା ସହ କେହି ଯେପରି ଏଥିରେ ପ୍ରାଣ ନ ହରାଇବେ ତାହାକୁ ସୁନିଶ୍ଚିତ କରିବା ପାଇଁ ଆଗେଇ ଆସିବା ଦରକାର। ଏହି ଅବସରରେ ଡା. ତୁଷାର ମହାପାତ୍ର, ଡା. ରଞ୍ଜିତ କର, ଡା. ସଞ୍ଜୟ ମିଶ୍ର, ଡା. ଶୋଭନ ରଥ, ଡା. ବି.ଏସ୍‌ ଚୌଧୁରୀ, ଡା. କାହ୍ନୁଚରଣ ପାତ୍ର, ଡା. ସଞ୍ଜୀବ ମିଶ୍ର ଓ ଡା. ସଞ୍ଜୀବ କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।