ରାଜ୍ୟ

ବିଷାକ୍ତ ଅନୁଗୁଳ ଆକାଶ: ମୁହଁ ଫେରାଇଲେଣି ପକ୍ଷୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନୁଗୁଳ ଓ ସାତକୋଶିଆ ବନଖଣ୍ଡରେ ପକ୍ଷୀ ଗଣନା ଶେଷ ହୋଇ ରିପୋର୍ଟ ଆସି ସାରିଛି। ପୂର୍ବରୁ ସାତକୋଶିଆ ବନଖଣ୍ଡରେ ପକ୍ଷୀ ସଂଖ୍ୟା କମିଥିବା ସାମ୍ନାକୁ ଆସିଥିବା ବେଳେ ଏବେ ଅନୁଗୁଳ ବନଖଣ୍ଡରେ ବି ପକ୍ଷୀ ସଂଖ୍ୟ‌ା କମିଛି। ଗତବର୍ଷ ତୁଳନାରେ କମ୍ ପ୍ରଜାତିର ଓ କମ୍‌ ସଂଖ୍ୟକ ପକ୍ଷୀ ଆସିଥିବା ରିପୋର୍ଟରୁ ଜଣାପଡ଼ିଛି। ସେପଟେ କେଉଁ ପରିସ୍ଥିତିରେ ଅନୁଗୁଳ ଜିଲ୍ଲାର ଦୁଇ ଦୁଇଟି ବନଖଣ୍ଡରେ ପକ୍ଷୀ ସଂଖ୍ୟା ଗତବର୍ଷ ତୁଳନାରେ କମିଲା, ସେନେଇ କେହି ମୁହଁ ‌ଖୋଲୁନାହାନ୍ତି। ଜଳବାୟୁ ପରିବର୍ତ୍ତନଠାରୁ ନେଇ ପକ୍ଷୀ ଗଣନା ପର୍ଯ୍ୟନ୍ତ କେଉଁଥିରେ ତ୍ରୁଟି ଯୋଗୁଁ ପକ୍ଷୀ ଆଉ ଅନୁଗୁଳ ଜିଲ୍ଲା ମୁହ‌ାଁ ହେଉନାହାନ୍ତି ତା’କୁ ନେଇ ପକ୍ଷୀପ୍ରେମୀ ଚିନ୍ତାପ୍ରକଟ କରିଛନ୍ତି।

ସୂଚନା ମୁତାବକ ଅନୁଗୁଳ ବନଖଣ୍ଡର ବନ୍ତଳା ବନାଞ୍ଚଳ, ଜରପଡ଼ା, ଛେଣ୍ଡିପଦା, କଣିହାଁ, ତାଳଚେର ଓ ଅନୁଗୁଳ ବନାଞ୍ଚଳରେ ଗତ ୧୦ ତାରିଖ ଦିନ ପକ୍ଷୀଗଣନା କରାଯାଇଥିଲା। ସମସ୍ତ ବନାଞ୍ଚଳର ମୋଟ୍‌ ୧୯ଟି ଜଳାଶୟରେ ଏହି ପକ୍ଷୀଗଣନା କରାଯାଇଥିବା ବନବିଭାଗ କହିଛି। ସେଗୁଡ଼ିକ ଭିତରେ ଥିଲା ଡେରେଜାଙ୍ଗ ଡ୍ୟାମ୍‌, ନାଲ୍‌କୋ ଆସ୍‌ପଣ୍ଡ, ପୋକତୁଙ୍ଗା ପୋଖରୀ, ବଡ଼ଜୁରା ଡ୍ୟାମ୍‌, କୁକୁରପେଟା ଏମ୍‌ଆଇପି, ଗଉଡ଼ୁଣି ଏମ୍‌ଆଇପି, ନୂଆଗାଁ ପୋଖରୀ, ଭାଲିଆଡିହ ପୋଖରୀ, ରାଇଝରଣ ଏମ୍‌ଆଇପି, ଗାଡ଼ରଖାଇ, ସମାକୋଇ ନାଳ, ଜିନ୍ଦଲ୍‌ ପମ୍ପ୍‌ ହାଉସ୍‌, ଏନ୍‌ଟିପିସି ପମ୍ପ୍‌ ହାଉସ୍‌। ହେଲେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅନୁଗୁଳ ବନଖଣ୍ଡକୁ ୧୪୧ଟି ପକ୍ଷୀ କମ୍‌ ଆସିଥିବା ଜଣାପଡ଼ିଛି। ଯଦିଓ ବନବିଭାଗ ପାଇଁ ଏହି ସଂଖ୍ୟା ବିରାଟ ନୁହେଁ କିନ୍ତୁ ଏହି ସାମାନ୍ୟ ସଂଖ୍ୟା ଏକ ଚିନ୍ତାଜନକ ବିଷୟ ସଂପର୍କରେ ସୂଚନା ଦେଉଛି। ଦର୍ଶାଉଛି, ଆଉ ଅନୁଗୁଳ ଜିଲ୍ଲାକୁ ବିଦେଶାଗତ ପକ୍ଷୀ ଆସିବାକୁ ଚାହୁଁ ନାହାନ୍ତି। ପୂର୍ବରୁ ସାତ‌କୋଶିଆକୁ ଚଳିତବର୍ଷ ଗତବର୍ଷ ତୁଳନାରେ ୫୪୮ କମ୍‌ ପକ୍ଷୀ ଆସିଥିବା ରିପୋର୍ଟରୁ ଜଣାପଡ଼ିଥିଲା। ଏବେ ଅନୁଗୁଳ ବନଖଣ୍ଡରେ ୧୪୧ କମ୍‌ ପକ୍ଷୀ ଆସିଲେ। ମୋଟାମୋଟି ଭାବେ ପୂରା ଜିଲ୍ଲାର ୨ଟି ବନଖଣ୍ଡରେ ୬୮୯ ପକ୍ଷୀ ଆସିଛନ୍ତି। ଯଦିଓ ଆଠମଲ୍ଲିକ ବନଖଣ୍ଡର ପକ୍ଷୀଗଣନା ରିପୋର୍ଟ ହସ୍ତଗତ ହୋଇନାହିଁ କିନ୍ତୁ ୨ଟି ବଡ଼ ବନଖଣ୍ଡକୁ ପକ୍ଷୀ କମ୍‌ ଆସିବା ଚିନ୍ତାଜନକ ବୋଲି କୁହାଯାଉଛି।

ପକ୍ଷୀ ବିଶେଷଜ୍ଞଙ୍କ କହିବା କଥା ଯେ ସମ୍ଭବତଃ ୩ଟି କାରଣ ପାଇଁ ପକ୍ଷୀ ଆସିବା କମିଥାଏ। ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେମାନଙ୍କ ପାଇଁ ଖାଦ୍ୟ କମିଗଲେ ପକ୍ଷୀ ରୁହନ୍ତିନି। ଏହାର ପ୍ରମୁଖ କାରଣ ଗାଁ ଗହଳିରେ ଥିବା ଜଳାଶୟଗୁଡ଼ିକରେ ଦଳ ଓ ଘାସ ନ ରହିଲେ ସେମାନଙ୍କୁ ଖାଦ୍ୟ ମିଳେନି। ତେଣୁ ଖାଲି ପାଣି ଥିଲେ ପକ୍ଷୀ ଆସି ସେଠାରୁ ପୁଣି ପଳାଇ ଯାଆନ୍ତି। ସେହିପରି ପକ୍ଷୀ ଶିକାର ପକ୍ଷୀ ସଂଖ୍ୟ‌ା କମିବାର ଅନ୍ୟତମ ବଡ଼ କାରଣ। ପକ୍ଷୀମାନେ ଶିକାର ହେଉଥିବା ଅଞ୍ଚଳ ବାବଦରେ ଜାଣିପାରନ୍ତି ଓ ସେଠାରେ ରହିବାକୁ ପସନ୍ଦ କରନ୍ତିନି। ତେବେ ପରିବେଶ ପ୍ରଦୂଷଣ ପକ୍ଷୀ ସଂଖ୍ୟା କମାଇବାର ସବୁଠାରୁ ପ୍ରମୁଖ କାରଣ ବୋଲି ପକ୍ଷୀ ବିଶେଷଜ୍ଞଙ୍କର ମତ। ପକ୍ଷୀମାନେ ହେଉଛନ୍ତି ଇକୋଲୋଜିକାଲ୍‌ ଇଣ୍ଡିକେଟର୍‌। ପରିବେଶରେ ପ୍ରାକୃତିକ ଓ ମନୁଷ୍ୟକୃତ ପରିବର୍ତ୍ତନକୁ ସେମାନେ ଭଲଭାବେ ଅନୁଭବ କରିପାରନ୍ତି। ପରିବେଶ ନ ସୁହାଇଲେ ସେମାନେ ସେହି ଅଞ୍ଚଳକୁ ଆସିନ୍ତିନି, ନଚେତ୍ ଆସିକି ଅନ୍ୟ ଅଞ୍ଚଳକୁ ଉଡ଼ି ଯାଆନ୍ତି। ଅନୁଗୁଳ ଜିଲ୍ଲାସାରା ପରିବେଶ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ରହିଛି। ହୁଏତ ସେଥିପାଇଁ ପକ୍ଷୀ ସଂଖ୍ୟା କମିଥାଇପାରେ ବୋଲି ପକ୍ଷୀ ବିଶେଷଜ୍ଞ କହିଛନ୍ତି।
ସୂଚନାଯୋଗ୍ୟ ଯେ ଅନୁଗୁଳ ବନଖଣ୍ଡକୁ ଗତବର୍ଷ ମୋଟ‌୍ ୬୦୦୭ଟି ପକ୍ଷୀ ଆସିଥିଲେ। ଏଥି ମଧ୍ୟରେ ୨୦ ପ୍ରଜାତିର ବିଦେଶୀ ପକ୍ଷୀ ରହିଥିବା ବେଳେ ୨୫ ପ୍ରଜାତିର ସ୍ଥାନୀୟ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ମୋଟ୍‌ ୫୮୬୬ଟି ପକ୍ଷୀ ବିଭିନ୍ନ ଜଳାଶୟକୁ ଆସିଥିବା ଜଣାପଡ଼ିଛି। ଯେଉଁଥିରେ ୧୫ପ୍ରଜାତିର ବହିରାଗତ ପକ୍ଷୀ ରହିଥିବା ବେଳେ ୪୬ ପ୍ରକାରର ସ୍ଥାନୀୟ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।