ରାଜ୍ୟ

ଭୁବନେଶ୍ବର: ‌ରାତିରେ ରୋଗ ନ ହେଉ

ଭୁବନେଶ୍ବର: ରାଜଧାନୀରେ କେହି ରାତିରେ ଅସୁସ୍ଥ ନ ହୁଅନ୍ତୁ। ରୋଗୀଙ୍କ ଅବସ୍ଥା ରାତିରେ ଗୁରୁତର ନ ହେଉ। କାରଣ ଏଠି ରାତିରେ ଚିକିତ୍ସା ସେବା ଯୋଗାଇବାକୁ ଡାକ୍ତର ଅଭାବ। କ୍ୟାପିଟାଲ୍‌ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଡାକ୍ତର ସଙ୍କଟ। ରାଜଧାନୀର ବିଭିନ୍ନ ଘରୋଇ ଡାକ୍ତରଖାନାରେ ମଧ୍ୟ ଅନୁରୂପ ଅବସ୍ଥା। ଆଜିର ଘଟଣାରୁ ଏହା ସ୍ପଷ୍ଟ। ଆଜି ଭୋର୍‌ ସମୟରେ ବାଣୀବିହାର ଓଭରବ୍ରିଜ୍ ଉପରେ ଦୁଇ ବସ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏକାଧିକ ଯାତ୍ରୀ ଆହତ ହୋଇ କ୍ୟାପିଟାଲ୍‌ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି ହୋଇଥି‌ଲେ। କିନ୍ତୁ ଆହତମାନଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା‌ ଯୋଗାଇବାକୁ ଡାକ୍ତର ନଥିଲେ। ୩ଜଣଙ୍କ ସ୍ଥାନରେ ୨ଜଣ ଡାକ୍ତର ଥି‌ଲେ। ତେଣୁ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ଯୋଗାଇବାରେ ବିଳମ୍ବ ହୋଇଥିଲା। ଏଥିପାଇଁ ପୂର୍ବରୁ ଅପେକ୍ଷାରେ ଥିବା‌ ରୋଗୀମାନଙ୍କ ଚିକିତ୍ସାରେ ମଧ୍ୟ ବିଳମ୍ବ ହୋଇଥିଲା। ତେଣୁ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ରାତିରେ ରାଜଧାନୀର ରୋଗୀ କୁଆଡ଼େ ଯିବେ ବୋଲି ପ୍ରଶ୍ନ କରି ଲୋକେ ପାଟିତୁଣ୍ଡ କରିଥିଲେ। ରାତିରେ କ’ଣ ରୋଗ ମନା ବୋଲି ସେମାନେ କଟାକ୍ଷ କରି ହୋ-ହଲ୍ଲା କରିଥିଲେ।
କ୍ୟାପିଟାଲ ସିଟି ଭୁବନେଶ୍ବରରେ ୟୁନିଟ୍‌-୬ ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲ ହେଉଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ଡାକ୍ତରଖାନା।

ରାଜଧାନୀ ଚିକିତ୍ସାଳୟର ଜରୁରୀକାଳୀନ ବିଭାଗରେ ଡାକ୍ତର ଅଭାବ, ୩୫ ସ୍ଥାନରେ ମାତ୍ର ୭
ସ୍ବାସ୍ଥ୍ୟ ବିଭାଗରେ ୨୪୦୦ ନୂଆ ଡାକ୍ତର ନିଯୁକ୍ତ, ରାଜଧାନୀ ଚିକିତ୍ସାଳୟକୁ ଶୂନ

ଏହି ଡାକ୍ତରଖାନା ଉପରେ ଭୁବନେଶ୍ବରର ୧୫ ଲକ୍ଷରୁ ଅଧିକ ଜନସାଧାରଣଙ୍କ ସହିତ ପୁରୀ, ନୟାଗଡ଼, ଖୋର୍ଦ୍ଧା ଆଦି ଜିଲ୍ଲାର ଲୋକମାନେ ନିର୍ଭର କରନ୍ତି। ଦୈନିକ ୩୦୦ରୁ ଅଧିକ ରୋଗୀ ଜରୁରୀକାଳୀନ ବିଭାଗରେ ଭର୍ତ୍ତି ହେଉଛନ୍ତି। ଏବେ ଜରୁରୀକାଳୀନ ବିଭାଗରେ ମାତ୍ର ୭ ଜଣ ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ସ୍ଥାୟୀ ଓ ୩ ଜଣ ଠିକା ଡାକ୍ତର। ନିୟମାନୁସାରେ ଏଠାରେ ଜରୁରୀକାଳୀନ ବିଭାଗ ପାଇଁ ୩୫ ଡାକ୍ତର ଆବଶ୍ୟକ। ନିକଟରେ ରାଜ୍ୟ ସରକାର ୨୪୦୦ ଡାକ୍ତରଙ୍କୁ ନିଯୁକ୍ତି ଦେଲେ। କିନ୍ତୁ ଏହି ବିଭାଗ ପାଇଁ ଜଣେ ହେଲେ ନିଯୁକ୍ତି ପାଇଲେ ନାହିଁ। ଯେଉଁ ୭ ଜଣଙ୍କୁ ଏଠାରେ ନିଯୁକ୍ତି ମିଳିଛି, ସେମାନେ ଜେନେରାଲ୍‌ ଓପିଡିରେ କାମ କରୁଛନ୍ତି। ସେହିଭଳି ସେମାନେ ଭିଭିଆଇପି ଡ୍ୟୁଟି ସାଙ୍ଗକୁ ବିଧାନସଭା, ପୁଲିସ, ଲୋୟର ପିଏମ୍‌ଜି ଧାରଣାସ୍ଥଳ, ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିରରେ ମଧ୍ୟ କାମ କରୁଛନ୍ତି। ଡାକ୍ତରଖାନାର ଅନ୍ୟ ସ୍ପେସାଲିଷ୍ଟ ଓ ପିଜିଆଇ ଡାକ୍ତରମାନେ ଏତେ ଚାପରେ କାର୍ଯ୍ୟ କରିବାକୁ ଅମଙ୍ଗ ହେଉଛନ୍ତି। ପିଜିଆଇ ବରିଷ୍ଠ ଶିକ୍ଷାନବିସ ଡାକ୍ତରମାନେ କେବଳ ୱାର୍ଡରେ ରହୁଛନ୍ତି। ସେମ‌ାନେ ଜରୁରୀକାଳୀନ ବିଭାଗକୁ ଆସିବା ପାଇଁ ଅମଙ୍ଗ ହେଉଛନ୍ତି। ଓପିଡିରେ ଚିକିତ୍ସା ଯୋଗାଉଥିବା ଡାକ୍ତରମାନେ ଜରୁରୀକାଳୀନ ବିଭାଗକୁ ଆସିବାକୁ ରାଜି ହେଉ ନାହାନ୍ତି। ଜରୁରୀକାଳୀନ ବିଭାଗର ଡାକ୍ତର ଅଭାବକୁ ଅସ୍ଥାୟୀ ଭାବେ ପୂରଣ କରିବାକୁ ବିଭିନ୍ନ ବିଭାଗରୁ ଡାକ୍ତରମାନଙ୍କୁ ଡ୍ୟୁଟି ଦିଆଯାଉଛି। ପିଜି ଛାତ୍ରମାନେ ଚିକିତ୍ସା କରୁଛନ୍ତି। କିନ୍ତୁ ରାତିରେ ଏହି ଡାକ୍ତରମାନେ ରହିବାକୁ ଅମଙ୍ଗ ହେଉଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ଚିକିତ୍ସାର ମାନ ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ରୋଗୀମାନଙ୍କର ଠିକ କାଉନ୍‌ସେଲିଂ କରାଯାଉନଥିବା ଅଭିଯୋଗ ହେଉଛି। ବାରମ୍ବାର ଡାକ୍ତରଙ୍କ ପାଖକୁ ଗଲେ ସେମାନେ ଚିଡ଼ିଚିଡ଼ି ହେଉଥିବା ସେମାନେ ଅଭିଯୋଗ କରୁଛନ୍ତି। ଏବାବଦରେ ରାଜଧାନୀ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସ୍ବାଭାବିକ ଭାବେ ଡାକ୍ତର ଅଭାବ ବୋଲି ସ୍ବୀକାର କରିଥିଲେ। ଖୁବ୍‌ଶୀଘ୍ର ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।