ରାଜ୍ୟ

ମିଳିଲାନି ବିହନ, କମିଲା ଉତ୍ପାଦନ: ସମସ୍ୟାରେ ହରଡ଼ ଚାଷୀ

ପାଇକସାହି (ଅନୁଗୁଳ): ସମୟ ଥିଲା ସମସ୍ତଙ୍କ ବାଡ଼ିବଗିଚାରେ ହରଡ଼ ବୁଣା ହେଉଥିଲା। ଯେକୌଣସି ଫସଲ ଲାଗିଲେ ବି ହିଡ଼ରେ ହରଡ଼ ଲଗାଉଥିଲା ଚାଷୀ। କାଳକ‌୍ରମେ ଏହି ପାରମ୍ପାରିକ ଶୈଳୀରେ ପରିବର୍ତ୍ତନ ଆଣି ହରଡ଼ ଚାଷକୁ ପ୍ରୋତ୍ସାହନ ଦେବାକୁ ସରକାର ଅଣ୍ଟା ଭିଡ଼ିଲେ। ସଘନ କୃଷି ଯୋଜନାରେ ହରଡ଼ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୧ ଏବଂ ୨୦୨୨ ମସିହାରେ ୧୯ ଜିଲ୍ଲାରେ ମାଗଣାରେ ହରଡ଼ ବିହନ ଯୋଗାଇ ଦିଆଯାଇଥିଲା। ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଏବଂ ସଚେତନତା ଶିବିର ଆୟୋଜିତ ହେଉଛି। ୨୦୨୨ ମସିହାରେ ୧ ଲକ୍ଷ ହେକ୍ଟର ଜମିରେ ଧାନ ପରବର୍ତ୍ତୀ ପଡ଼ିଆ ଜମିରେ ଡାଲି ଚାଷ ହେଉଛି। ଡାଲି ଉତ୍ପାଦନ ବୃଦ୍ଧି ପାଇଁ ୪୦୦୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କିନ୍ତୁ ହରଡ଼ ଚାଷକୁ ଆପାଣାଇବାକୁ ଚାହୁଁଥିବା ଆଠମଲ୍ଲିକ ବ୍ଲକ୍‌ର ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ସେମାନେ ହରଡ଼ ଚାଷରୁ ମୁହଁ ଫେରାଇ ନେଉଥିବା ଜଣାପଡ଼ିଛି।

ଏହି ବ୍ଲକ୍‌ର ପାଇକସାହି, ଟାପଢୋଲ, କନ୍ତପଡ଼ା, ମଇମୁରା, ସାପଘରା, ପେଡ଼ିପଥର ଆଦି ପଞ୍ଚାୟତରେ ବହୁଳ ଭାବରେ ହରଡ଼ ଚାଷ ହୋଇଥାଏ। ନିଗିଡ଼ା ଢିପ ଜମିରେ ହରଡ଼ ଭଲ ହୋଇଥାଏ। ତେଣୁ ଆଠମଲ୍ଲିକ ଘାଟି ଅଞ୍ଚଳ ସହିତ ଏସବୁ ଅଞ୍ଚଳର ଚାଷୀ ଚଳିତ ଖରିଫ୍‌ରେ ହରଡ଼ ଚାଷ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ପାରମ୍ପାରିକ ‌ପ୍ରଣାଳୀ ଛାଡ଼ି ଚାଷୀ ବୈଜ୍ଞାନିକ ପଦ୍ଧତିରେ ହରଡ଼ ଚାଷ କରିବାକୁ ଚାହିଁଲା ବେଳକୁ ସରକାରୀ ବିହନ ମିଳିଲା ନାହିଁ। ଗୋଟିଏ ଏନ୍‌ଜିଓ ମାଧ୍ୟମରେ ବିହନ ବଣ୍ଟନ ହେଉଥିବା ବେଳେ ଚାଷୀ ଖରିଫ୍‌ ବିହନ ପାଇଲେ ନାହିଁ। କୃଷି ବିଭାଗର ତଥ୍ୟ ଅନୁସାରେ, ଚଳିତବର୍ଷ ପାଇକସାହିରେ ୧୨ ଏକର, ଟାପଢୋଲ‌ରେ ୧୪ ଏକର, କନ୍ତପଡ଼ାରେ ୯ ଏକର, ମଇମୁରାରେ ୨୧ ଏକର, ସାପଘରାରେ ୧୧ ଏକର, ପେଡ଼ିପଥରରେ ୧୨ ଏକର ଜମିରେ ହରଡ଼ ଚାଷ ହୋଇଛି। ଜଳସେଚନଠାରୁ ନେଇ ‌ବିହନ, ଔଷଧ ଓ ଅନ୍ୟ ପ୍ରୋତ୍ସାହନ କୃଷି ବିଭାଗ ଯୋଗାଇବା କଥା। କିନ୍ତୁ ସରକାରୀ ପ୍ରୋତ୍ସାହନ କାହାକୁ ମିଳୁଛି ହରଡ଼ ଚାଷୀ ଜାଣି ପାରୁନାହାନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ହରଡ଼ ଚାଷ ଜମିର ପରିମାଣ ପ୍ରାୟ ଅଧା କମି ଯାଇଥିବା ଜଣାପଡ଼ିଛି। ସେହି ଅନୁସାରେ ଅମଳ ମଧ୍ୟ କମିଯିବାର ସମ୍ଭାବନା ଦେଖା ଦେଇଛି। କୃଷି ବିଭାଗର ଦୂରଦୃଷ୍ଟି ଅଭାବ ଯୋଗୁଁ ଅନୁଗୁଳ ଜିଲ୍ଲାର ସର୍ବାଧିକ ହରଡ଼ ଚାଷ ହେଉଥିବା ଆଠମଲ୍ଲିକ ବ୍ଲକ୍‌ର ଏହି ସବୁ ପଞ୍ଚା‌ୟତରେ ଚଳିତବର୍ଷ ହରଡ଼ ଉତ୍ପାଦନ ଅଧା କମିଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଯାହାଫଳରେ ବଜାର ଚାହିଦା ମେଣ୍ଟାଇବା ସମ୍ଭବ ହେବନାହିଁ।

ସେପଟେ ହରଡ଼ ଡାଲିର ଚାହିଦା ଦିନକୁ ଦିନ ବଢ଼ୁଛି। ଦର ମଧ୍ୟ ହୁ ହୁ ହୋଇ ବଢ଼ୁଛି। ଅନୁଗୁଳର ଗାଁ ଗହଳିରେ ଏବେ ନନ୍ ପଲିସ୍‌ ହରଡ଼ କିଲୋ ପ୍ରତି ୧୩୦ ଟଙ୍କା ଓ ପଲିସ୍‌ ହରଡ଼ କିଲୋପ୍ରତି ୧୬୦ରୁ ୧୭୦ ଟଙ୍କାରେ ବିକ୍ରି ହେଉଛି। ଡାଲିର ଦାମ୍‌ ବଢ଼ୁଥିବାରୁ ଚାଷୀ ହରଡ଼ ଚାଷ ପ୍ରତି ମନ ବଳାଉଛି। ଅବଶ୍ୟ ହରଡ଼ର ଏମ୍‌ଏସ୍‌ପି ୭ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି ସରକାର। ତେଣେ ଖୋଲା ବଜାରରେ ଦର ଅଧିକ ଥିବାରୁ ଦଲାଲ୍‌ ଓ ବେପାରୀ ଚାଷୀ ପାଖରୁ ଏମ୍‌ଏସ୍‌ପିଠାରୁ ଅଧିକ ଦାମ୍‌ରେ କିଣୁଥିବା ଜଣାପଡ଼ିଛି। ଗୋଟିଏ ପଟେ ବିଭାଗୀୟ ଅବହେଳା ଓ ଦୂରଦୃଷ୍ଟିର ଅଭାବ ପାଇଁ ହରଡ଼ ଚାଷ କମିଛି। ଅନ୍ୟପଟେ ସରକାରୀ ଧାର୍ଯ୍ୟ ଦରରେ ଚାଷୀ ନିଜ ଉତ୍ପାଦକୁ ବିକ୍ରି କରିବାକୁ ଚାହୁଁନାହିଁ। ଏଭଳି ସ୍ଥିତିରେ ଆଗକୁ ଅନୁଗୁ‌ଳରେ ଚାଷୀ ଆଉ ହରଡ଼ କରିବେ କି ନାହିଁ, ସେଇ ଚିନ୍ତାରେ ପଡ଼ିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।