ରାଜ୍ୟ

ସଙ୍କଟରେ ପକ୍ଷୀ ବଂଶ: ଦେଶର ୧୭୮, ଓଡ଼ିଶା‌ର ୧୯ ପ୍ରଜାତି ପ୍ରତି ବିପଦ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ହେଉ ଅଥବା ସହରୀକରଣର ପ୍ରଭାବ। ପକ୍ଷୀଙ୍କ ପାଇଁ ବିପଦ ବଢ଼ି ବଢ଼ି ଚାଲିଛି। ଦିନେ ସକାଳ ହେବା କ୍ଷଣି ପକ୍ଷୀଙ୍କ କଳରବରେ ଉଛୁଳି ପଡ଼ୁଥିବା ପରିବେଶ ଆଉ ନାହିଁ। ସହରରୁ ଗୋଟିଏ ପରେ ଗୋଟିଏ ପ୍ରଜାତିର ପକ୍ଷୀ ବିଲୁପ୍ତ ହେଲେଣି। ଶାଣୁଣା ବଂଶ ଲୋପ ପାଇବାକୁ ବସିଲାଣି। ବାଇ ଚଢ଼େଇ ଏବେ କାଁ ଭାଁ ଦେଖିବାକୁ ମିଳୁଛି। ଘଞ୍ଚ ଜଙ୍ଗଲ ସମେତ ଗାଁ ଗହଳିରେ ପକ୍ଷୀଙ୍କ ଉପସ୍ଥିତି କିଛିଟା ଆଶ୍ବସ୍ତି ଆଣିଦେଇଛି ସତ, ମାତ୍ର ତିନି ଦଶନ୍ଧି ମଧ୍ୟରେ ପ୍ରାୟ ୬୦% ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ହ୍ରାସ, ପକ୍ଷୀପ୍ରେମୀଙ୍କୁ ଚିନ୍ତାରେ ପକାଇଛି। ଦେଶର ପାଖାପାଖି ୧୭୮ ପ୍ରଜାତି ପକ୍ଷୀଙ୍କ ସଂରକ୍ଷଣ କରିବା ଆବଶ୍ୟକ ହୋଇପଡ଼ିଛି। ଏ ମଧ୍ୟରେ ଓଡ଼ିଶାର ୧୯ଟି ବିଲୁପ୍ତପ୍ରାୟ ପ୍ରଜାତି ଅଛନ୍ତି। ଚଳିତବର୍ଷ ପକ୍ଷୀଗଣନା ସମୟରେ ଓଡ଼ିଶାର ବିଭିନ୍ନ ଜଳାଶୟରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ଯେତିକି ଖୁସି ଦେଇଛି, ପରିବେଶ ପ୍ରଦୂଷଣ, ଜଙ୍ଗଲ କ୍ଷୟ, ବୈଦ୍ୟୁତିକ ଭିତ୍ତିଭୂମି ବିକାଶ, ସହରୀକରଣ ବହୁ ପ୍ରଜାତିଙ୍କ ପାଇଁ ବିପଦ ସୃଷ୍ଟି କରିଛି। ବର୍ଷର କ୍ୟାଲେଣ୍ଡର ବଦଳିବା ପରି ଓଡ଼ିଶାରୁ ଗୋଟିଏ ପରେ ଗୋଟିଏ ପ୍ରଜାତି ଉଭାନ ହେବା ଏବେ ଚିନ୍ତାର କାରଣ। ପିଙ୍କ୍‌ ହେଡେଡ୍‌ ଡକ୍‌ ଓ ଶାଗୁଣା ଓଡ଼ିଶାରୁ ଲୋପ ପାଇଯାଇଛନ୍ତି। ଘରଚଟିଆ, ବଣି ଚଢ଼େଇ, ଏରା ପରି ପକ୍ଷୀଙ୍କ ସଂଖ୍ୟା କମିବାରେ ଲାଗିଛି। ସହରାଞ୍ଚଳରେ କାଉଙ୍କ ସଂଖ୍ୟା ମଧ୍ୟ କମୁଛି। ଓଡ଼ିଶାରେ ବିଭିନ୍ନ ସମୟରେ ଦେଖାଯାଉଥିବା ସ୍କିମର୍‌ ଓ ଭାରତରେ ଦେଖାଯାଉଥିବା ଗ୍ରେଟର୍‌ ବୁଷ୍ଟାଡ୍‌, ବେଙ୍ଗଲ୍‌ ଫ୍ଲୋରିକାନ୍‌, ଗ୍ରେଟର୍‌ ଆଡ୍‌ଜୁଟାଣ୍ଟ୍‌ ପରି ପକ୍ଷୀଙ୍କ ସଂଖ୍ୟା ମଧ୍ୟ କମୁଛି। ଶୀତ ଋତୁରେ ଚିଲିକା, ଭିତରକନିକା, ଅଂଶୁପା, ହୀରାକୁଦ ପରି ଜଳାଶୟକୁ ଆସୁଥିବା କିଛି ପ୍ରଜାତିର ପକ୍ଷୀଙ୍କୁ ଏବେ ଆଉ ଦେଖିବାକୁ ମିଳୁନି। ନୂଆ ନୂଆ ପ୍ରଜାତିର ଆସୁଥିବା ପକ୍ଷୀଗଣନା ରିପୋର୍ଟ ପରେ ଜଣାପଡ଼ିଛି। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଦେଶର ୧୭୮ ପ୍ରଜାତିର ପକ୍ଷୀଙ୍କ ସଂରକ୍ଷଣ ଜରୁରି ହୋଇପଡ଼ିଛି। ସେଗୁଡ଼ିକୁ ଚିହ୍ନଟ କରାଯିବା ସହ କିଭଳି ଭାବେ ସଂରକ୍ଷଣ କରାଯାଇପାରିବ ସେ ଦିଗରେ ପଦକ୍ଷେପ ହାତକୁ ନିଆଯାଉଛି। ଓଡ଼ିଶାର ବିଭିନ୍ନ ଜଳାଶୟକୁ ଆସୁଥିବା ବିଦେଶାଗତ ପକ୍ଷୀ ଓ ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ, ପକ୍ଷୀ ସୁରକ୍ଷା ଟେଣ୍ଟ୍‌, ବୋଟ୍‌ ସ୍କ୍ବାଡ୍‌, ଶିକାର ନିରୋଧ ସ୍କ୍ବାଡ୍‌ ମୁତୟନ, ପକ୍ଷୀ ସୁରକ୍ଷା ସମିତିଗୁଡ଼ିକର ସହଯୋଗରେ ସଚେତନତା କାର୍ଯ୍ୟକ୍ରମ, ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଲାଇନ୍‌ରେ ଡିଫ୍ଲେକ୍ଟର ଲଗାଇବା ବ୍ୟବସ୍ଥା ହୋଇଛି। ବିଲୁପ୍ତ ପ୍ରାୟ ଶାଗୁଣା ପକ୍ଷୀଙ୍କ କୃତିମ ପ୍ରଜନନ କରାଯାଉଛି। ଏହାବ୍ୟତୀତ ପଶ୍ଚିମ ଘାଟରେ ଦେଖାଯାଉଥିବା ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା ଗତ କିଛି ଦଶନ୍ଧିରେ ହ୍ରାସ ପାଉଛି। ତେବେ ମୟୂର ଓ କପୋତ ଭଳି ପ୍ରଜାତିଙ୍କ ବୃଦ୍ଧି ଦେଖିବାକୁ ମିଳିଛି।
ପକ୍ଷୀ ବିଶେଷଜ୍ଞ ଉମାଶଙ୍କର ବିଶ୍ବାଳଙ୍କ କହିବା କଥା‌ ହେଉଛି ଜଳବାୟୁ ପରିବର୍ତ୍ତନ ଏବେ ପକ୍ଷୀଙ୍କ ପାଇଁ ବଡ଼ ସଙ୍କଟ ସୃଷ୍ଟି ହୋଇଛି। ସେମାନଙ୍କ ପ୍ରାକୃତିକ ବାସସ୍ଥଳୀ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। ଗତ କିଛି ଦଶନ୍ଧି ମଧ୍ୟରେ ସହରୀକରଣ ବୃଦ୍ଧି, ଜଙ୍ଗଲ କ୍ଷୟ, ବିଦ୍ୟୁତ୍‌ ଭିତ୍ତିଭୂମି ବିକାଶ ଯୋଗୁଁ ସେମାନଙ୍କ ବାସସ୍ଥାନ ନଷ୍ଟ ହେଉଛି। ଖାଦ୍ୟ ଅଭାବ ପରିଲକ୍ଷିତ ହେଉଛି। ଉଦାହରଣ ଭାବେ ବଣି ଚଢ଼େଇ ଓ ଘରଚଟିଆଙ୍କୁ ନିଆଯାଇପାରେ। ବଣି ଚଢ଼େଇଙ୍କୁ ଆଉ ଗୋବର ପୋକ ଖାଇବାକୁ ମିଳୁନି। ଘରଚଟିଆଙ୍କୁ ଖାଦ୍ୟଶସ୍ୟର ଅଭାବ ହେଉଛି। ଯେଉଁଠି ଖାଦ୍ୟ ମିଳୁଛି ସେଠାରେ ସେମାନଙ୍କ ଉପସ୍ଥିତି ରହିଛି। ଯିଏ ଯେଉଁ ପରିବେଶରେ ରହିବା କଥା ତାହା ହୋଇପାରୁ ନ ଥିବାରୁ ଏବେ ପକ୍ଷୀଙ୍କ ପାଇଁ ସଙ୍କଟ ଦେଖାଦେଇଛି। ଏଦିଗରେ ମିଳିତ ଭାବେ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଦେଶର ୧୩ଟି ସରକାରୀ ଓ ଅଣ-ସରକାରୀ ସଂସ୍ଥାଙ୍କ ଦ୍ବାରା କିଛି ମାସ ତଳେ ୩୩୮ ପ୍ରଜାତି ପକ୍ଷୀଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ୨୦୪ ପ୍ରଜାତି ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଉଛି। ୯୮ ପ୍ରଜାତିର ପକ୍ଷୀ ସଂଖ୍ୟା ସ୍ଥିର ଓ ଅନ୍ୟ ୩୬ ପ୍ରଜାତିର ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି। ନର୍ଦନ ସୋଭ୍‌ଲର, ନର୍ଦନ ପିନ୍‌ଟେଲ୍‌, କମନ୍‌ ଟିଲ୍‌, ଟଫ୍ଟେଡ ଡକ୍‌, ଗ୍ରେଟର ଫ୍ଲାମିଂଗୋ, ସାରସ୍‌ କ୍ରେନ୍‌, ଇଣ୍ଡିଆନ୍‌ କର୍ସର ପରି ପ୍ରଜାତିଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି ହୋଇଛି। ସେମାନଙ୍କ ସଂରକ୍ଷଣ ଅତ୍ୟନ୍ତ ଜରୁରି ହୋଇପଡ଼ିଛି। ଦେଶରେ ଗୁରୁତର ବିଲୁପ୍ତପ୍ରାୟ ପ୍ରଜାତିର ପକ୍ଷୀଙ୍କ ସଂରକ୍ଷଣ କରିବାକୁ ଜରୁରିକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଥିବା ସମ୍ପୃକ୍ତ ସଂସ୍ଥା ପରାମର୍ଶ ଦେଇଛି। ତୃଣଭୂମି ତଥା ଅନ୍ୟାନ୍ୟ ଖୋଲା ବାସସ୍ଥାନ, ଆର୍ଦ୍ରଭୂମି ଓ ଜଙ୍ଗଲରେ ବସବାସ କରୁଥିବା ପକ୍ଷୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଏଥିସହ ବିଷାକ୍ତ ରାସାୟନିକ ପଦାର୍ଥ ଯୋଗୁଁ ଚିଲ ପ୍ରଜାତି ଓ ଅନ୍ୟ କୀଟ ପତଙ୍ଗ ଖାଉଥିବା ପକ୍ଷୀଙ୍କ ସଂଖ୍ୟା ହ୍ରାସ ହେଉଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।