ରାଜ୍ୟ

ଭିଡ଼ ଭିତରେ ଅଙ୍କକଷା: ଏପ୍ରିଲ୍‌ରେ ସରିବ ପ୍ରଶାନ୍ତ, ଅମର, ଅଶ୍ବିନୀଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ନୂଆବର୍ଷ ଅବସରରେ ନବୀନ ନିବାସ ଲୋକାରଣ୍ୟ ହୋଇପଡ଼ିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେବା ଲାଗି ଦଳୀୟ ନେତା ଏକରକମ ପ୍ରତିଯୋଗିତା ଚଳାଇଥିଲେ। କିଏ କିଏ ପ୍ରଥମେ ଜୁହାର କରି ସାର୍, ‘ହାପି ନିୟୁ ଇୟର୍’ କହୁଥିଲେ ଓ ତା’ ପରେ ଫୁଲତୋଡା ବଢ଼ାଇ ଦେଉଥିଲେ, ଆଉ କିଏ ଭିଡ଼ ଭିତରେ ଫୁଲତୋଡ଼ା ଦେବା ବେଳକୁ ପଛରେ ଥିବା ନେତା ତାଙ୍କୁ ହଟାଇ ଆଗକୁ ଚାଲି ଆସୁଥିଲେ। ମୁଖ୍ୟମନ୍ତ୍ରୀ ଅଧିକାଂଶଙ୍କୁ ପ୍ରତିଜବାବରେ ଥ୍ୟାଙ୍କ୍‌ ୟୁ, ‘ହାପି ନିୟୁ ଇୟର୍‌’ କହିବାକୁ ଭୁଲିନଥିଲେ। ଏତେ ଭିଡ଼ କିନ୍ତୁ ବିଜେପି କିମ୍ବା କଂଗ୍ରେସ କ୍ୟାମ୍ପରେ ଦେଖିବାକୁ ମିଳିନଥିଲା।

ନୂଆବର୍ଷରେ ନବୀନ ନିବାସର ଏହି ଭିଡ଼ ଓଡ଼ିଶା ରାଜନୀତିରେ ଭିନ୍ନ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା- ଶୁଭେଚ୍ଛା ଜଣାଇବା ଆଳରେ କର୍ମୀ ଓ ନେତା ଦଳର ମୁଖିଆ ଏବଂ କ୍ଷମତା େକନ୍ଦ୍ରର ନିକଟତର ହେବାକୁ ଚେଷ୍ଟା କରିଛନ୍ତି। ଏଇଥିପାଇଁ ଯେ ଆସନ୍ତା ଏପ୍ରିଲ୍‌ରେ ଖାଲି ହେଉଥିବା ତିନି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ମାସରେ ନିର୍ବାଚନ ହେବ। କେବଳ ସେତିକି ନୁହେଁ, ବିଜେଡିରେ ଜିତିବା ସମ୍ଭାବନା ଅଧିକ ଉଜ୍ଜ୍ବଳ ଥିବା ପରିପ୍ରେକ୍ଷୀରେ ୨୦୨୪ ସାଧାରଣ ନିର୍ବାଚନରେ ବିଧାନସଭା କିମ୍ବା ଲୋକସଭା ଟିକେଟ୍‌ ହାସଲ ଉଦ୍ଦେଶ୍ୟ ବି ଆଉ ଏକ କାରଣ ବୋଲି କୁହାଯାଇପାରେ।

ହଁ, ଏକଥା ସତ ଯେ ଯେଉଁମାନଙ୍କର ବିଜୟ ସମ୍ଭାବନା ଅଧିକ, ବିଜେଡି ତାଙ୍କୁ ହିଁ ଟିକେଟ୍‌ ଦେବାର ନଜିର୍‌ ରହିଛି। ଏହା ସତ୍ତ୍ବେ ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳର ନେତା ରାଜଧାନୀରେ ଡେରା ପକାଇ ନିଜ ସପକ୍ଷରେ ବାତାବରଣ ସୃଷ୍ଟି ଲାଗି ଉଦ୍ୟମ ଚଳାଇଛନ୍ତି। ଗଣମାଧ୍ୟମରେ ନିଜ ସପକ୍ଷରେ ଖବର କରାଇବା ଠାରୁ ଆରମ୍ଭ କରି ସମର୍ଥକଙ୍କ ଜରିଆରେ ବିଜେଡିର ଶୀର୍ଷ ନେତୃତ୍ବର ନଜରକୁ ଆସିବା ଲାଗି କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି। କିଏ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିକୁ ମୁକାବିଲା କରିବେ ବୋଲି ଠାରରେ ସୂଚାଉଛନ୍ତି ତ ଆଉ କିଏ ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ଦଳ ସପକ୍ଷରେ ଗୋଟିଏ ସକାରାତ୍ମକ ପ୍ରଭାବ ରଖିବାର ସାମର୍ଥ୍ୟ ରଖନ୍ତି ବୋଲି ଧାରଣା ସୃଷ୍ଟି କରୁଛନ୍ତି। ଆଉ କିଛି ନେତା ବିଜୁ ବାବୁଙ୍କ ଅମଳରୁ ଅଣକଂଗ୍ରେସ ଗଡ଼ ସମ୍ଭାଳିଥିବା କଥା କହୁଛନ୍ତି ଓ କିଛି ନେତା ନବୀନଙ୍କ ଶୃଙ୍ଖଳିତ କର୍ମୀ ବୋଲି ପରିଚୟ ଦେଇ ନିଜ ସପକ୍ଷରେ ଲବିକୁ ବଳ ଦେଉଛନ୍ତି।
ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ପାଇଁ ଦଳ ମଇଦାନ ପ୍ରସ୍ତୁତ କରୁଥିଲେ ହେଁ କିଏ କେଉଁଠି ଟିକେଟ୍ ପାଇବେ, ସେ ସଂକ୍ରାନ୍ତରେ କିଛି ବି ନିଷ୍ପତ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ଟିକେଟ୍‌ ଦେବେ,ତାହା ଚୂଡ଼ାନ୍ତ। ସେହିଭଳି ରାଜ୍ୟସଭା ନିର୍ବାଚନ ପାଇଁ ମଧ୍ୟ ଏଯାଏ ବିଧିବଦ୍ଧ କସରତ ଆରମ୍ଭ ହୋଇନାହିଁ। କିନ୍ତୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ଅଙ୍କ କହୁଛି ଯେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ମୁଖିଆ ଖାଲି ପଡ଼ିବାକୁ ଥିବା ତିନି ରାଜ୍ୟସଭା ଆସନକୁ ଲକ୍ଷ୍ୟ ରଖି ଗୋଟିଚାଳନା ଆରମ୍ଭ କରିଛନ୍ତି।

ଏପ୍ରିଲ୍‌ରେ ସରିବ ପ୍ରଶାନ୍ତ, ଅମର, ଅଶ୍ବିନୀଙ୍କ କାର୍ଯ୍ୟକାଳ
କସରତ ଆରମ୍ଭ ହୋଇନି, ଲବି ଜୋରଦାର
ସାଧାରଣ ନିର୍ବାଚନ ପାଇଁ ନେତା ରାଜଧାନୀମୁହାଁ
ଆଶାୟୀ ଅନେକ; ମୁଖିଆ, କ୍ଷମତାକେନ୍ଦ୍ର ଚୁପ୍

ଉଲ୍ଲେଖଯୋଗ୍ୟ, ଆସନ୍ତା ଏପ୍ରିଲ ୩ ତାରିଖରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ ବିଜେଡି ସହଯୋଗରେ ନିର୍ବାଚନ ଜିତିଥିବା ବିଜେପି ସାଂସଦ ତଥା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କର କାର୍ଯ୍ୟକାଳ ଶେଷ ହେବ। ଏହି ତିନି ଆସନ ପାଇଁ ଆସନ୍ତା ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନିର୍ବାଚନ ହେବ। ବିଜେଡିର ଗୋଟିଏ ମହଲର ମତ ହେଉଛି, ଏହି ତିନିଜଣଙ୍କ ମଧ୍ୟରୁ କୌଣସି ନେତାଙ୍କୁ ରାଜ୍ୟସଭାକୁ ଆଉଥରେ ପଠାଯିବା ସମ୍ଭାବନା କ୍ଷୀଣ। ବିଜେପିକୁ ସମର୍ଥନ ଦେଇ ଯେଭଳି ଅଶ୍ବିନୀଙ୍କୁ ପଠାଯାଇଥିଲା, ତାହାର ମଧ୍ୟ ପୁନରାବୃତ୍ତି ନ ହୋଇପାରେ। ବର୍ତ୍ତମାନ ଓଡ଼ିଶାର ୧୦ ରାଜ୍ୟସଭା ଆସନ ମଧ୍ୟରୁ ୯ଜଣ ବିଜେଡିର ଅଛନ୍ତି। ନବୀନ କେନ୍ଦ୍ରରେ ତାଙ୍କ ମତକୁ ଅଧିକ ଦୃଢ଼ କରିବା ପାଇଁ ସମସ୍ତ ୧୦ ଆସନକୁ ହାତରେ ରଖିବାକୁ ଚାହିଁବେ। ରାଜନୈତିକ ଗଣିତକୁ ଦେଖିଲେ, ଏବେ ସୁଲତା ଦେଓ ଓ ମମତା ମହାନ୍ତ ଦୁଇଜଣ ମହିଳା ରାଜ୍ୟସଭାରେ ସଦସ୍ୟ ଅଛନ୍ତି। ୩୩% ସଂରକ୍ଷଣ ରାଜ୍ୟସଭାରେ ଲାଗୁ ହେବନାହିଁ। ତଥାପି ନବୀନ ଯଦି ଏ କ୍ଷେତ୍ରରେ ଆଗୁଆ ରହିବାକୁ ଚାହାନ୍ତି, ତେବେ ଆଉ ଜଣେ ମହିଳାଙ୍କୁ ସୁଯୋଗ ଦେଇପାରନ୍ତି। ଅନ୍ୟପଟରେ ପଶ୍ଚିମ ଓଡ଼ିଶାର ଦୁଇ ନେତା ସୁଜିତ୍ କୁମାର ଓ ନିରଞ୍ଜନ ବିଶି ଏବେ ରାଜ୍ୟସଭାରେ। ଦୁଇଟି ଭିନ୍ନ ସଂପ୍ରଦାୟରୁ ମୁନ୍ନା ଖାଁ ଓ ସସ୍ମିତ ପାତ୍ର ମଧ୍ୟ ବିଜେଡିକୁ ପ୍ରତିନିଧିତ୍ବ କରୁଛନ୍ତି। ସେହିଭଳି ଉତ୍ତର ଓଡ଼ିଶାରୁ ମମତା ମହାନ୍ତ (କୁଡ଼ୁମୀ ଜାତି) ଏବଂ ଅନୁସୂଚିତ ଜନଜାତି ବର୍ଗକୁ ନିରଞ୍ଜନ ପ୍ରତିନିଧିତ୍ବ କରୁଛନ୍ତି।ଏଣୁ ପ୍ରାର୍ଥିତ୍ବ ନେଇ ବିଜେଡି ପାଖରେ ସେଭଳି କୌଣସି ଚାପ ଆଉ ନାହିଁ। ଅତଏବ ଭାରସାମ୍ୟ ରକ୍ଷା ପାଇଁ ଅବିଭକ୍ତ ଗଞ୍ଜାମ ଜିଲ୍ଲାରୁ ଜଣେ କେହି ପ୍ରାର୍ଥୀ ହେଲେ ଆଶ୍ଚର୍ଯ୍ୟ ହେବାର ନାହିଁ। ଏମିତି ବି ହୋଇପାରେ ଯେ ଦଳକୁ ଷଷ୍ଠଥର କ୍ଷମତାକୁ ଆଣିବା ଲାଗି ଯେଉଁ ବର୍ଗ ବା ବ୍ୟକ୍ତି ବା ସମୁଦାୟର ବଡ଼ ଭୂମିକା ରହିବ, ସେମାନଙ୍କୁ ନବୀନ ପ୍ରାଥମିକତା ଦେଇପାରନ୍ତି।

ଆଉ ଗୋଟିଏ ମହଲର ଯୁକ୍ତି ହେଲା- ଅନେକ ନେତାଙ୍କୁ ପୂର୍ବରୁ ନବୀନ ରାଜ୍ୟସଭା ମୁଆଁ ଦେଇଥିଲେ। କୌଣସି କାରଣରୁ ଏହା ପ୍ରତିଶ୍ରୁତିରେ ଅଟକିଛି। ଏଣୁ ସେମାନଙ୍କ ମଧ୍ୟରୁ କାହାକୁ ପଠାଗଲେ ବି କେହି ଆଶ୍ଚର୍ଯ୍ୟ ହେବେ ନାହିଁ। ଅନ୍ୟପଟରେ ଏଥର ଖାଲିହେଉଥିବା ୩ଟି ଆସନ ଲାଗି ଗଣିତ ହେଉଛି ଏମିତି- ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ଏବେ ବିଜେଡିର ୧୧୩ ବିଧାୟକ ଅଛନ୍ତି। ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିଜେଡି ବହିଷ୍କାର କରିଛି। ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ଆସନଟି ଖାଲି ପଡ଼ିଛି। ବିଜେପିର ୨୨ ଓ କଂଗ୍ରେସର ୯ଟି ସଦସ୍ୟ ଅଛନ୍ତି।ଏମାନଙ୍କ ଛଡ଼ା ଜଣେ ବାମଦଳ ଏବଂ ଅନ୍ୟ ଜଣ ସ୍ବାଧୀନ ସଭ୍ୟ ଅଛନ୍ତି।

ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଥମ ପସନ୍ଦର ୩୭ଟି ଭୋଟ ବା ୩୭ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ସୁତରାଂ ଦୁଇ ବହିଷ୍କୃତ ବିଧାୟକଙ୍କୁ ବାଦ୍‌ ଦେଲେ ଓ ଜଣେ ବିଧାୟକଙ୍କୁ ହରାଇଥିବାରୁ ଆଉ ମାତ୍ର ଜଣକର ସମର୍ଥନ ନେଲେ ଅକ୍ଳେଶରେ ତିନିଟି ଯାକ ଆସନ ବିଜେଡି ଅକ୍ତିଆର କରିପାରିବ। ଏ ପରିପ୍ରେକ୍ଷୀରେ ସ୍ବାଧୀନ ବିଧାୟକଙ୍କ ଭୋଟ ବିଜେଡି ସପକ୍ଷରେ ଯିବାର ସମ୍ଭାବନା ଯଥେଷ୍ଟ ଅଧିକ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।