ରାଜ୍ୟ

ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରିଗଡ଼, ଖିଣ୍ଡା

ଭୁବନେଶ୍ୱର: ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରିଗଡ଼ ଅଭୟାରଣ୍ୟ ସମେତ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ହେବ। ଏହି ଦୁଇଟି ସ୍ଥାନକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସ୍ବଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ କରାଯାଇଛି। ଦେବ୍ରିଗଡ଼ ସମେତ ଖିଣ୍ଡା ଗ୍ରାମକୁ ବିଶେଷ ଆକର୍ଷଣୀୟ ସ୍ଥାନ ଭାବେ ସ୍ବଦେଶ ଦର୍ଶନ ୨.୦ରେ ସାମିଲ କରାଗଲା ବୋଲି ଗତ ଡିସେମ୍ବର ୨୮ତାରିଖରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପରେ କେନ୍ଦ୍ର ଦକ୍ଷତା ବିକାଶ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଭାଗୀୟ ମନ୍ତ୍ରୀ ଜି.କିଷନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗତବର୍ଷ ଅକ୍ଟୋବର ୨୩ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖିଣ୍ଡା ଗସ୍ତରେ ଯାଇଥିବାବେଳେ ଏହି ଗ୍ରାମର ସୌନ୍ଦର୍ଯ୍ୟୀକରଣ ସହ ଏହାକୁ ଏକ ଦର୍ଶନୀୟ ସ୍ଥାନରେ ପରିଣତ କରିବା ପାଇଁ ଉଦ୍ୟମ କରିବେ ବୋଲି ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଡିସେମ୍ବର ୧୧, ୨୦୨୩ରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଏନେଇ ପତ୍ର ଲେଖି ଦେବ୍ରିଗଡ଼ ଓ ଖିଣ୍ଡା ଗ୍ରାମରେ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ସୁବିଧାର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରିବା ପାଇଁ ଅନୁରୋଧ କରିଥିଲେ। ଏବେ ଏହା ପୂରଣ ହୋଇଛି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ଯେ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରିଗଡ଼ ଅଭୟାରଣ୍ୟ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ସେହିପରି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୮୫୭ ମସିହାରେ ବ୍ରିଟିସ ବିରୋଧୀ ଲଢ଼େଇରେ ସୁରେନ୍ଦ୍ର ସାଏ ନେତୃତ୍ୱ ନେଇଥିଲେ ଏବଂ ୪୦ ବର୍ଷରୁ ଅଧିକ ସମୟ ଜେଲ୍‌ରେ ବନ୍ଦୀ ହୋଇ ରହିଥିଲେ। ତାଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ନାମିତ କରି ଏହି ମହାନ ସଂଗ୍ରାମୀଙ୍କୁ ସମ୍ମାନ ଦେଇଛନ୍ତି। ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସେ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହି ଗ୍ରାମର ବିକାଶ ହେଲେ ତାଙ୍କ ଜନ୍ମସ୍ଥାନକୁ ଆସି ଲୋକମାନେ ଏହି ବୀର ସଂଗ୍ରାମୀଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ଜାଣିପାରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ସମଗ୍ର ଭାରତବର୍ଷରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ାଇବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ଉକ୍ତ ଦୁଇଟି ସ୍ଥାନ ଅପାର ସମ୍ଭାବନାର ଅଞ୍ଚଳ ହୋଇଥିବାବେଳେ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳଗୁଡ଼ିକରେ ହୀରାକୁଦ, ହୁମା ମନ୍ଦିର ଭଳି ପର୍ଯ୍ୟଟନ ସ୍ଥଳୀ ରହିଛି। ଯାହା ଦେଶ ଏବଂ ଦେଶ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଯଥାର୍ଥ ସମ୍ଭାବନା ରଖୁଛି। ତେଣୁ ଏହି ଦୁଇଟି ସ୍ଥାନର ବିକାଶ ସହ ପ୍ରଚାର ପ୍ରସାର ହେଲେ ସ୍ଥାନୀୟ ଅର୍ଥନୀତି ମଜବୁତ୍ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।