ରାଜ୍ୟ

ପିଡିଏସ୍‌ରେ ଡାଲି, ମଧ୍ୟାହ୍ନଭୋଜନରେ ମିଲେଟ୍‌ ଦିଆଯିବା ଉଚିତ: ଡ୍ରେଜ

ଭୁବନେଶ୍ବର: ୬ ବର୍ଷ ପୂର୍ବରୁ ରାସ୍ତାକଡ଼ରେ ତଳେ ବସି ଖାଉଥିବା ଅର୍ଥଶାସ୍ତ୍ରୀ ଜେ. ଡ୍ରେଜଙ୍କ ଫଟୋ ଖୁବ ଭାଇରାଲ୍‌ ହୋଇଥିଲା। ବେଲଜିୟମ୍‌ରେ ଜନ୍ମ, କିନ୍ତୁ ଭାରତର ନାଗରିକ। ଗରିବ ଏବଂ ଶ୍ରମିକଙ୍କ ଉନ୍ନତି ପାଇଁ ତାଙ୍କ ଅର୍ଥଶାସ୍ତ୍ର ସର୍ବଦା ମୁଖର। ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ଯାଇ ଲୋକଙ୍କ ସ୍ଥିତି ଅନୁଧ୍ୟାନ କରି ସେହି ଅନୁଯାୟୀ ବିକାଶର ମଡେଲ ପ୍ରସ୍ତୁତ କରନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଓଡ଼ିଶାର ଅନେକ ଗାଁ ମଧ୍ୟ ବୁଲିଛନ୍ତି। ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କ ସହିତ ୬ଟି ବହି ରଚନା କରିଛନ୍ତି। କିଛି ଦିନ ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ସ୍ବାସ୍ଥ୍ୟର ଅଧିକାର ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଭୁବନେଶ୍ବର ଆସିଥିଲେ। ଏହି ଅବସରରେ ‘ସମ୍ବାଦ’ ପକ୍ଷରୁ ତାଙ୍କ ସହିତ ଆଲୋଚନା କରିଛନ୍ତି ‘ଗାର୍ଗୀ ଶତପଥୀ’।

 ଓଡ଼ିଶା ପିଡିଏସ୍‌ରେ ଚାଉଳ ଯଥେଷ୍ଟ କି? ଆଉ କ’ଣ ଦିଆଯିବା ଉଚିତ?

ଯେଉଁଭଳି ଭାବରେ ଅପପୁଷ୍ଟି ବଢ଼ୁଛି ଏହାର ନିୟନ୍ତ୍ରଣ ପାଇଁ ଡାଲି ନିଶ୍ଚିତ ଦିଆଯିବା ଉଚିତ। ଖାଇବା ତେଲ ଏବଂ ସ୍ଥାନୀୟ ଉତ୍ପାଦିତ ମିଲେଟ ଜାତୀୟ ଖାଦ୍ୟ ଦିଆଯାଇ ପାରିଲେ ଭଲ। ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଲେଟ୍ ଦିଆଯାଉ।

 ଫ୍ରିବିଜକୁ ନେଇ ବର୍ତ୍ତମାନ ଅନେକ ଆଲୋଚନା ହେଉଛି। ତାକୁ ନେଇ କ’ଣ କହିବେ?

ଫ୍ରିବିଜ୍‌ କର୍ପୋରେଟ ଶକ୍ତିଙ୍କ ଏକ ପ୍ରୋପାଗେଣ୍ଡା ଏହି ଶବ୍ଦର ବ୍ୟବହାର ହେବା ଉଚିତ ନୁହେଁ। କର୍ପୋରେଟ୍‌ ଶକ୍ତିମାନେ ସର୍ବଦା ସାମାଜିକ ସୁରକ୍ଷାରେ ଖର୍ଚକୁ ବିରୋଧ କରନ୍ତି। କାରଣ ସେମାନଙ୍କୁ ଲାଗେ ସାମାଜିକ ସୁରକ୍ଷାରେ ଯେତେ ଖର୍ଚ ହେବ ଏହା ସେମାନଙ୍କ ସ୍ବାର୍ଥ ପାଇଁ ପରିପନ୍ଥୀ। ସାମାଜିକ ସୁରକ୍ଷା ପାଇଁ କରାଯାଉଥିବା ପ୍ରତ୍ୟେକ ଖର୍ଚକୁ ଫ୍ରିବିଜ୍‌ କହନ୍ତି। କିନ୍ତୁ ଏହା ମଧ୍ୟ କହୁ ନାହିଁ ଯେ ସବୁ କିଛି ମାଗଣାରେ ଦିଆଯାଉ। ସ୍ବାସ୍ଥ୍ୟ ସେବା, ଶିକ୍ଷା, ସାମାଜିକ ସୁରକ୍ଷା ଯଥା ଖାଦ୍ୟ, ରାସନ, ପେନସନ୍‌ ଭଳି ସର୍ବନିମ୍ନ ସେବା ନିଶ୍ଚିତ ମାଗଣା ମିଳିବ ଉଚିତ। ଏହା ସମ୍ପୂର୍ଣ୍ଣ ଭୁଲ ଯେ ଫ୍ରିବିଜ୍‌ରେ କେହି ଲାଭାନ୍ବିତ ହେଉ ନାହାନ୍ତି। ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଗରିବଙ୍କୁ ଦିଆଯାଉଥିବା ମାଗଣା ସେବାକୁ ସମାଲୋଚନା ପୂର୍ବରୁ କର୍ପୋରେଟ ଶକ୍ତିଙ୍କୁ ଦିଆଯାଉଥିବା ସବ୍‌ସିଡି ବିଷୟରେ ଆଲୋଚନା ହେଉ। ଉଦାହରଣ ସ୍ବରୂପ କେବଳ ରସାୟନିକ ସାର ପାଇଁ କମ୍ପାନିମାନଙ୍କୁ ବାର୍ଷିକ ୨ ଲକ୍ଷ କୋଟି ଟଙ୍କାର ସବ୍‌ସିଡି ଦିଆଯାଉଛି। ଭାରତ ଭଳି ଦେଶରେ ସାମାଜିକ ସୁରକ୍ଷାରେ ଯେତେ ଅଧିକ ଖର୍ଚ ହେବ ସେତେ ଭଲ ହେବ। ଆବଶ୍ୟକ ପଡ଼ିଲେ ଧନୀମାନଙ୍କୁ ଦିଆଯାଉଥିବା ସବ୍‌ସିଡିକୁ କମ କରାଯାଇ ଟିକସ ବଢ଼େଇ ଦିଆଯାଇ ପାରିଲେ ମଧ୍ୟ କିଛି ଅସୁବିଧା ନାହିଁ।

 ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ନେଇ କ’ଣ କହିବେ?

ଶ୍ରମିକ ପଳାୟନକୁ ରୋକିବା ପାଇଁ ଏହା କାର୍ଯ୍ୟ କରେ। ଏହାକୁ ଚିରାଚରିତ ସମାନ ବ୍ୟବସ୍ଥାରେ ନରଖି ଶ୍ରମିକଙ୍କ ଦକ୍ଷତା ବୃଦ୍ଧି ବ୍ୟବସ୍ଥା ଗ୍ରହଣ କରିବା ଉଚିତ। ଅର୍ଥାତ ଭଲ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ସୁପରଭାଇଜର, ସୁପରଭାଇଜରଙ୍କୁ ଜିଆର୍‌ଏସ୍‌, ପ୍ରୋଗ୍ରାମ ଅଫିସର କାର୍ଯ୍ୟ କରିବାର ସୁଯୋଗ ରହିବା ଉଚିତ। ଏଥିରେ ସେମାନେ ନୂତନ କାମ ଶିଖିପାରିବେ। କାର୍ଯ୍ୟରେ ଆଗ୍ରହ ରହିବ।

 ଓଡ଼ିଶାର ଅର୍ଥନୀତିକୁ କେଉଁ ଭାବରେ ଦେଖୁଛନ୍ତି?

ଓଡ଼ିଶା ଏବେବି ଗରିବ। କିନ୍ତୁ ୨୦-୨୫ ବର୍ଷ ତୁଳନାରେ ସ୍ଥିତିର ଉନ୍ନତି ହେଉଛି। ଝାଡ଼ଖଣ୍ଡ ତୁଳନାରେ ଅଙ୍ଗନବାଡ଼ି, ଆଇସିଡିଏସ୍‌, ପିଡିଏସ୍‌, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଓଡ଼ିଶା ଭଲ କରୁଛି। କିନ୍ତୁ ତାମିଲନାଡ଼ୁ, ହିମାଚଳପ୍ରଦେଶ ସହିତ ତୁଳନା କଲେ ନିରାଶ ହେବାକୁ ପଡ଼ିବ। ଗୋଟିଏ ସମୟରେ ଏଠାରେ ଭୋକରେ ମୃତ୍ୟୁ ହେଉଥିଲା। କିନ୍ତୁ ପିଡିଏସ୍‌ ଯୋଗୁଁ ସେ ସ୍ଥିତି ନାହିଁ। ଦରବୃଦ୍ଧି ତୁଳନାରେ ମଜୁରି ବଢ଼ିନି। ଏହାର କାରଣ ହେଲା କମ୍ପାନି ନିବେଶକୁ ଗୁରୁତ୍ବ ଦିଆଯାଇଛି। ଶ୍ରମ ଭିତ୍ତିକ ନିବେଶ ଗୌଣ ହୋଇ ରହିଯାଇଛି। ଗୁଣାତ୍ମକ ଶିକ୍ଷା ଏବଂ ସ୍ବାସ୍ଥ୍ୟରେ ଅଧିକ ନିବେଶ ହେବା ଉଚିତ। ବଜାରର ଚାହିଦା ଅନୁସାରେ, ଶ୍ରମିକଙ୍କ ଦକ୍ଷତା ବୃଦ୍ଧି କରାଯିବା ଉଚିତ।

 ରୋଜଗାର ପାଇଁ ବାହାରକୁ ପଳାୟନ ଏକ ସମସ୍ୟା କି?

ଭଲ ବେତନ ପାଇଁ ବାହାରକୁ ଯିବାରେ ଅସୁବିଧା ନାହିଁ। କିନ୍ତୁ ମୂଲ୍ୟବାନ ମାନବ ସମ୍ବଳ ସହିତ ଜଙ୍ଗଲ, ବାଉଁଶ, ମହୁ, ପଶୁପାଳନ ଭଳି ପ୍ରାକୃତିକ ସମ୍ପଦର ଉପଯୋଗ କରାନଯିବାରୁ ଝାଡ଼ଖଣ୍ଡର ଲୋକ ଯେଉଁଭଳି ଭାବରେ ତାମିଲନାଡ଼ୁ, ଗୁଜରାଟ ଏବଂ କେରଳ ଯାଉଛନ୍ତି ଏହା ଠିକ ନୁହେଁ। ଝାଡ଼ଖଣ୍ଡରେ ଅର୍ଥନୀତି ଏହିଭଳି ଯେ ସେଠାରେ ସାମୂହିକ ପଳାୟନ ଚାଲିଛି। କମ୍ପାନି ଏବଂ ଖଣି ସହିତ ଏମ୍‌ଓୟୁ ସ୍ବାକ୍ଷରକୁ ଗୁରୁତ୍ବ ଦିଆଯାଉଛି। ଏହା ବଦଳରେ ସ୍ଥାନୀୟ ଅର୍ଥନୀତିକୁ ବିକଶିତ କରାଯିବା ଉଚିତ। ଏହା ନୁହେଁ ଯେ ସବୁ ବଡ଼ କମ୍ପାନି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି। କିନ୍ତୁ ଅନେକ କରୁଛନ୍ତି।

 ରାଇଟ୍ ଟୁ ହେଲ୍‌ଥ କାର୍ଯ୍ୟକ୍ରମ ପାଇଁ ଆସିଛନ୍ତି। ସ୍ବାସ୍ଥ୍ୟ ସେବା ନେଇ କଣ କହିବେ?

ସରକାରୀ ସ୍ବାସ୍ଥ୍ୟ ସେବା ଏବଂ ସରକାରୀ ସ୍ବାସ୍ଥ୍ୟ ବୀମାକୁ ଆହୁରି ବିକଶିତ କରାଯିବା ଉଚିତ। ଘରୋଇ ସ୍ବାସ୍ଥ୍ୟ ସଂସ୍ଥା, ବୀମା କେବଳ ଲୋକଙ୍କୁ ଶୋଷଣ କରିବ। ଏହାର ରେଗୁଲେସନ ମଧ୍ୟ କଷ୍ଟକର। ଓଡ଼ିଶାରେ ପବ୍ଲିକ କେୟାର ସିଷ୍ଟମ ବିକାଶ କରୁଛି। କିନ୍ତୁ ଆହୁରି ବିକଶିତ ହେବାର ସୁଯୋଗ ରହିଛି। ପିଏଚ୍‌ସି, ସିଏଚ୍‌ସିରେ ଇକ୍ୟୁମେଣ୍ଟ ଏବଂ କର୍ମଚାରୀ ନଥିବାରୁ ଭୁବନେଶ୍ବରସ୍ଥିତ ଡାକ୍ତରଖାନାରେ ଭିଡ଼ ହେଉଛି। ଓଡ଼ିଶାରେ ସ୍ବାସ୍ଥ୍ୟ ଅଧିକାରକୁ ଆଇନଗତ ମାନ୍ୟତା ମିଳିବା ଉଚିତ। ଯେପରି ଲୋକେ ମାଗଣା ସହିତ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପାଇ ପାରିବେ।

 ଅପପୁଷ୍ଟିର ନିୟନ୍ତ୍ରଣ କିଭଳି ସମ୍ଭବ

ଭାରତରେ ଅପପୁଷ୍ଟି ବିଶେଷକରି ରକ୍ତହୀନତା ବଡ଼ ସମସ୍ୟା ହେଲାଣି। କମ ଓଜନ, ସ୍ବଳ୍ପ ଅଭିବୃଦ୍ଧି ଶିଶୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୧୦ ବର୍ଷରେ ଭାରତ ସରକାରଙ୍କ ପକ୍ଷରୁ ଆଇସିଡିଏସ୍‌ ଅନୁଦାନ ହ୍ରାସ ପାଇଛି। ଶିଶୁ ପୁଷ୍ଟିହୀନତା ଦୂର ପାଇଁ ଅଧିକ ଖର୍ଚ ସହିତ କାର୍ଯ୍ୟ କରିବାକୁ ପଡ଼ିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।