ରାଜ୍ୟ

ଫୋକସ୍‌-ଆସିକା ସଂସଦୀୟ କ୍ଷେତ୍ର: ବିଜେଡି ଦଖଲରେ ୨୫ ବର୍ଷ

ବ୍ରହ୍ମପୁର ( ସୁଦୀପ୍ତ ଷଡ଼ଙ୍ଗୀ) : ଗଞ୍ଜାମ ଜିଲ୍ଲାରେ ସଂସଦୀୟ କ୍ଷେତ୍ର ଦୁଇଟି, ବ୍ରହ୍ମପୁର ଏବଂ ଆସିକା। ରାଜନୈତିକ ଦୃଷ୍ଟିରୁ ଆସିକା ଲୋକସଭା କ୍ଷେତ୍ରର ଏକ ସ୍ବତନ୍ତ୍ର ପରିଚୟ ରହିଛି। କାରଣ ଏହି ଲୋକସଭା ଆସନରୁ ସ୍ବର୍ଗତ ବିଜୁ ପଟ୍ଟନାୟକ ସାଂସଦ ହୋଇଥିଲେ। ସେହିପରି ବିଜୁ ବାବୁଙ୍କ ଦେହାନ୍ତ ପରେ ତାଙ୍କର ପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆସନରୁ ଉପନିର୍ବାଚନରେ ଜିଣି ସାଂସଦ ହୋଇ ରାଜନୀତିରେ ଖଡ଼ି ଛୁଇଁ ଥିଲେ। ସେବେଠାରୁ ଏହି ଆସନ ବିଜେଡି ଦଖଲରେ। ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଆସିକା ଲୋକସଭା ଆସନ ନିମନ୍ତେ କେଉଁ ଦଳ ପାଇଁ କିଏ ପ୍ରାର୍ଥୀ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।

୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ହୋଇଥିବା ସୀମା ପୁନଃନିର୍ଦ୍ଧାରଣ ପରେ ଆସିକା ସଂସଦୀୟ କ୍ଷେତ୍ର ଅଧୀନରେ ଆସିକା, କବିସୂର୍ଯ୍ୟନଗର, ପୋଲସରା, ହିଂଜିଳିକାଟୁ, ସୋରଡ଼ା, ସାନଖେମୁଣ୍ଡି ଓ ଖଲ୍ଲିକୋଟ ବିଧାନସଭା ନିର୍ବାଚନମଣ୍ଡଳୀକୁ ସାମିଲ କରାଯାଇଛି। ୨୫ବର୍ଷ ହେଲା ବିଜେଡି ଏକତରଫା ଭାବେ ଏହି ଆସନରେ ବିଜୟୀ ହୋଇ ଆସୁଛି। ମୁଖ୍ୟମନ୍ତ୍ରୀ ନବୀନ ବାବୁ ଜନତା ଦଳରୁ ଥରେ ଓ ବିଜୁ ବାବୁଙ୍କ ନାଁରେ ନୂଆ ଦଳ ପ୍ରତିଷ୍ଠା ହେବା ପରେ ବିଜେଡିରୁ ଦୁଇଥର ଏଭଳି ଲଗାତାର ୩ ଥର ଆସିକା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡିରୁ କୁମୁଦିନୀ ପଟ୍ଟନାୟକ, ୨୦୦୪ରେ ହରିହର ସ୍ବାଇଁ, ୨୦୦୯ରେ ନିତ୍ୟାନନ୍ଦ ପ୍ରଧାନ, ୨୦୧୪ରେ ଲଡ଼ୁକିଶୋର ସ୍ବାଇଁ ଏବଂ ୨୦୧୯ରେ ବିଜେଡିରୁ ପ୍ରମିଳା ବିଷୋୟୀ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ସଂସଦୀୟ କ୍ଷେତ୍ର ଅଧୀନରେ ରହିଥିବା ହିଂଜିଳିକାଟୁ ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଛନ୍ତି। ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ବିଜେଡି ଏହି ସଂସଦୀୟ କ୍ଷେତ୍ରରେ ନୋ-ରିପିଟ୍‌ ଫର୍ମୁଲାରେ ପ୍ରତିଥର ନୂଆମୁହଁ ପ୍ରାର୍ଥୀ ଦେଇ ବିଜୟଧାରା ବଜାୟ ରଖିଛି। ସେହି ଧାରା ଅନୁସାରେ ବର୍ତ୍ତମାନର ସାଂସଦ ଶ୍ରୀମତୀ ବିଷୋୟୀଙ୍କୁ ପୁଣିଥରେ ସୁଯୋଗ ମିଳିବା ଆଶା କମ୍‌ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ସେହିପରି ଯୁବ ନେତୃତ୍ବକୁ ଗୁରୁତ୍ବ ଦେଉଥିବା ବିଜେଡି ପ୍ରମିଳାଙ୍କୁ ଆଉ ଥରେ ଟିକଟ ଦେବା ପୂର୍ବରୁ ଅନେକବାର ଚିନ୍ତା କରିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ତେବେ ବିଜେଡିରୁ ଆସିକା ସଂସଦୀୟ କ୍ଷେତ୍ରରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନାହିଁ।

ସେହିପରି ବିଜେପି ଓ କଂଗ୍ରେସ କଥା ବିଚାରକୁ ନେଲେ, ଉଭୟ ଦଳ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କର ପ୍ରାର୍ଥୀ ଚୂଡ଼ାନ୍ତ କରି ନାହାନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ତରଫରୁ ଅନୀତା ଶୁଭଦର୍ଶିନୀ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନଦେଇ ସିପିଆଇ ସହ ମେଣ୍ଟ କରିଥିଲା। ଏଣୁ ସିପିଆଇରୁ ରାମକୃଷ୍ଣ ପଣ୍ଡା ସାଂସଦ ପ୍ରାର୍ଥୀ ହୋଇଥିଲେ। ଏବେ କଂଗ୍ରେସ ତରଫରୁ ଗଞ୍ଜାମ ଜିଲ୍ଲାକୁ ଦୁଇ ସଂସଦୀୟ କ୍ଷେତ୍ର ଅନୁସାରେ ଦୁଇଟି ସାଂଗଠନିକ ଜିଲ୍ଲାରେ ବିଭକ୍ତ କରାଯାଇଛି। ଏଣୁ ଏଥର କଂଗ୍ରେସ ଆସିକା ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେବ ବୋଲି ଆକଳନ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।