ରାଜ୍ୟ

ଜିଲ୍ଲା ଗଠନକୁ ୩୨ ବର୍ଷ: ‘ପଛୁଆ’ ଅପବାଦ ମୁଣ୍ଡାଇ ବୁଲୁଛି ନବରଙ୍ଗପୁର

ପ୍ରଦୀପ ପାଢ଼ୀ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଗଠନକୁ ପୂରିଲାଣି ୩୨ ବର୍ଷ। ଇତି ମଧ୍ୟରେ ଏହି ଜିଲ୍ଲା ଦେଖିଥିବା ବହୁ ଶାସକ ଓ ପ୍ରଶାସକ ଓ ନେତାଙ୍କ ଭାଗ୍ୟ ବଦଳି ସାରିଛି। ଅଥଚ ଜିଲ୍ଲାର ଭାଗ୍ୟ କୌଣସି ପ୍ରକାରେ ବଦଳି ପାରୁନି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଳ୍ପ, ଆର୍ଥିକ ସଶକ୍ତୀକରଣ ସବୁ କ୍ଷେତ୍ରରେ ପଛରେ ପଡିଛି ଜିଲ୍ଲା। ବାଲ୍ୟବିବାହ, ଡ୍ରପ୍‌ଆଉଟ, ନିଶା ସେବନ କ୍ଷେତ୍ରରେ ଅଲୋଡା ରେକର୍ଡ ଧରି ବସିଛି ଏ ଜିଲ୍ଲା। ଏଭଳି କିଛି କାରଣ ଜିଲ୍ଲା ପ୍ରଗତିରେ ଅନ୍ତରାୟ ସୃଷ୍ଟି କରିଛି, ଜିଲ୍ଲା ମୁଣ଼୍ଡରେ ଅପବାଦ ଲଦିଛି। ଯେ କୌଣସି ଜିଲ୍ଲାର ବିକାଶ କୃଷି, ଶିକ୍ଷା, ଅର୍ଥନୀତି, ଭିତ୍ତିଭୂମିର ବିକାଶ ଓ ଲୋକଙ୍କ ମୁଣ୍ଡପିଛା ଆୟ ଉପରେ ନିର୍ଭର କରିଥାଏ। ବିକାଶର ମାପକାଠିରେ ସବୁଥିରେ ପଛରେ ପଡ଼ିଥିବା ଜିଲ୍ଲା ହେଉଛି ନବରଙ୍ଗପୁର। ଜିଲ୍ଲାର ଜନସଂଖ୍ୟା ୧୩ ଲକ୍ଷ ୮୦ ହଜାର। ଜନସଂଖ୍ୟାର ୮୦% ଅର୍ଥାତ୍ ୧୧ ଲକ୍ଷ ୧୫ ହଜାର ଲୋକେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ। ଅଥଚ ଅନ୍ୟପଟରେ ଦେଖିଲେ ଜିଲ୍ଲାର ୯୦% ଲୋକେ ଚାଷ ଉପରେ ନିର୍ଭରଶୀଳ। ପ୍ରମୁଖ ଚାଷ ମଧ୍ୟରେ ରହିଛି ଧାନ, ମକା, ଆଖୁ ଓ ଡାଲିଜାତୀୟ ଫସଲ।

ଉଦ୍‌ବେଗର ବିଷୟ ହେଉଛି- ଜିଲ୍ଲା ଗଠନ ହେବା ପରଠାରୁ କୌଣସି ସ୍ଥାୟୀ ଜଳସେଚନ ପ୍ରକଳ୍ପ ହୋଇପାରିନାହିଁ। ଚାଷୀକୁ ବର୍ଷା ହିଁ ସାହା ଭରସା। ବାର୍ଷିକ ରାଜ୍ୟ ଭଣ୍ଡାରକୁ ଜିଲ୍ଲା ଦେଉଛି ୨୩ ଲକ୍ଷ ୬୦ ହଜାର କୁଇଣ୍ଟାଲ୍‌ ଧାନ। ୩ ଲକ୍ଷ ୭୫ ହଜାର ମେଟ୍ରିକ ଟନ୍ ମକା ଉତ୍ପାଦନ ହେଉଛି ନବରଙ୍ଗପୁରରୁ। କେବଳ ଧାନକୁ ଛାଡିଦେଲେ ଚାଷୀ ଆଉ କାହାର ପ୍ରକୃତ ମୂଲ୍ୟ ପାଏନି। ଏଇଥିପାଇଁ ଯେ ଅନ୍ୟ କୌଣସି କୃଷିଜାତ ଦ୍ରବ୍ୟ କିମ୍ବା ବନଜାତ ଦ୍ରବ୍ୟକୁ ଚାଷୀ କେବେ ବି ସରକାରୀ ଏମଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ)ରେ ବିକ୍ରି କରିପାରୁନି। ୨ ହେକ୍ଟର ମଧ୍ୟରେ ଜମି ଥିବା ନାମକୁ ମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ପ୍ରାୟ ୧. ୮୨ ଲକ୍ଷ। ୨ ହେକ୍ଟରୁ ଅଧିକ ବଡ ଚାଷୀଙ୍କ ସଂଖ୍ୟା ମାତ୍ର ୨୯ ହଜାର ୧୫୨। ନାମ ମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ନିକଟରେ ୧ ଲକ୍ଷ ୪୪ ହଜାର ହେକ୍ଟର ଜମି ଏବଂ ବଡ଼ ଚାଷୀଙ୍କ ନିକଟରେ ୧ ଲକ୍ଷ ୧୩ ହଜାର ହେକ୍ଟର ଚାଷ ଜମି ରହିଛି। ଏଣୁ ଜିଲ୍ଲାରେ ମୋଟ କୃଷି କ୍ଷେତ୍ରରୁ ଆୟ ଅଳ୍ପ ସଂଖ୍ୟକ ବଡ଼ ଚାଷୀଙ୍କ ମଧ୍ୟରେ ଅଟକିଯାଉଛି। କମ ଆୟ ଏକ ବିରାଟ ସଂଖ୍ୟାର ଚାଷୀଙ୍କ ମଧ୍ୟରେ ରହୁଛି। ଏହି ଆୟରେ ତାରତମ୍ୟ ହିଁ ଜିଲ୍ଲାର ଲୋକଙ୍କ ମୁଣ୍ଡପିଛା ଆୟକୁ ପ୍ରଭାବିତ କରୁଛି। ତଥ୍ୟ ଅନୁଯାୟୀ, ଜିଲ୍ଲାର ମୁଣ୍ଡପିଛା ଆୟ ପ୍ରାୟ ୧୫ ହଜାର ଟଙ୍କା; ଯାହାକି ରାଜ୍ୟ ଓ ଜାତୀୟ ହାରଠୁ ବହୁତ କମ୍।

ଏନଏଫ୍‌ଏଚ୍‌ଏସ୍-୫ ସର୍ଭେ ଅନୁଯାୟୀ ବାଲ୍ୟବିବାହରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ। ଏହି ହାର ୩୯%। ନିଶା ସେବନରେ ୧୫ ବର୍ଷରୁ ଅଧିକ ମହିଳାଙ୍କ ହାର ୩୪% ଏବଂ ପୁରୁଷଙ୍କ ସଂଖ୍ୟା ୬୧% ରହିଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଜିଲ୍ଲା ବହୁତ ପଛୁଆ। ୧୫ରୁ ୫୦ ବର୍ଷ ମଧ୍ୟରେ ମହିଳାଙ୍କ ଶିକ୍ଷା ହାର ୩୮% ରହିଛି। ୧୦ ବର୍ଷରୁ ଅଧିକ ସ୍କୁଲ ଯାଇଥିବା ମହିଳାଙ୍କ ସଂଖ୍ୟା ମାତ୍ର ୧୫%। ଜିଲ୍ଲାର ୫ଟି ବ୍ଲକ୍‌ରେ ଡିଗ୍ରି କଲେଜ ନାହିଁ। ସ୍ବାସ୍ଥ୍ୟ ସେବା ଚିତ୍ର ମଧ୍ୟ ସମାନ। ଜିଲ୍ଲାରେ ୨୬୫ ଡାକ୍ତରଙ୍କ ସ୍ଥାନରେ କାର୍ଯ୍ୟକରୁଛି ଅଧା, ଅର୍ଥାତ୍ ୫୦% ଡାକ୍ତରଙ୍କୁ ନେଇ ଚାଲିଛି ଚିକିତ୍ସା।
ଶିଳ୍ପ ବିହୀନ ଏହି ଜିଲ୍ଲାରେ କର୍ମସଂସ୍ଥାନର ଅଭାବ ଯୋଗୁଁ ଦାଦନ ଖଟିବାକୁ ଯୁବବର୍ଗ ବାହାର ରାଜ୍ୟମୁହାଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।