ଡମପଡା: ବାଙ୍କୀର ରାଣୀ, ସ୍ୱର୍ଗତ ରାଜା ସାହେବ ସାମନ୍ତ ନାରାୟଣ ଶ୍ରୀଚନ୍ଦନଙ୍କ ଧର୍ମପତ୍ନୀ ରମା କୁମାରୀ ପାଟ୍ଟମହାଦେଈଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ସ୍ୱର୍ଗତ ରାଣୀ ଜଣେ ଧର୍ମପରାୟଣ ଓ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠପୁତ୍ର ତଥା ରାଜା ଦୁର୍ଗାମାଧବ ଶ୍ରୀଚନ୍ଦନ ମହାପାତ୍ର, ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ, ଜିତେନ୍ଦ୍ର ଦେଓ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ବାଙ୍କୀ ରାଜବାଟୀକୁ ଯାଇ ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ବାଙ୍କୀ ଗଡ଼ ପରିକ୍ରମା କରାଯିବା ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ପୁତ୍ର ଜିତେନ୍ଦ୍ର ଦେଓ ମୁଖାଗ୍ନି ପ୍ରଦାନ କରିଥିଲେ।