ରାଜ୍ୟ

କୃଷି ବିଭାଗର ୫ ବର୍ଷର ରିପୋର୍ଟ: କ୍ବିଣ୍ଟାଲ୍‌ ୧୫୨ ଟଙ୍କା କ୍ଷତିରେ ମାଣ୍ଡିଆ ବିକିବେ ଚାଷୀ

ଭୁବନେଶ୍ବର: ନୂଆ ବର୍ଷ ମଣ୍ଡିରେ କ୍ବିଣ୍ଟାଲ୍‌ ପିଛା ୧୫୨ ଟଙ୍କା କ୍ଷତିରେ ମାଣ୍ଡିଆ ବିକ୍ରି କରିବ ଚାଷୀ। କୌଣସି ଚାଷୀ କିମ୍ବା ସଙ୍ଗଠନ ଏହି ଅଭିଯୋଗ କରୁ ନାହାନ୍ତି। ସ୍ବୟଂ ନିଜେ ରାଜ୍ୟ ସରକାରଙ୍କ ହିସାବରୁ ଏଭଳି ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସୁଛି। କୃଷି ବିଭାଗର ସୂଚନା ଅନୁଯାୟୀ, ୨୦୨୨ ମସିହାରେ ୧ କ୍ବିଣ୍ଟାଲ୍‌ ମାଣ୍ଡିଆ ଉତ୍ପାଦନ ପାଇଁ ଚାଷୀଙ୍କୁ ୩,୯୯୮ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏବର୍ଷର ଖର୍ଚ୍ଚ ଗତବର୍ଷ ଠାରୁ ୩୧.୭୭% ଅଧିକ ରହିଛି। କିନ୍ତୁ ମଣ୍ଡିରେ ମାଣ୍ଡିଆର ଏମ୍‌ଏସ୍‌ପି ୩,୮୪୬ ଟଙ୍କା ନିର୍ଧାରଣ କରାଯାଇଛି। ଅତଏବ ଚାଷୀ କ୍ଷତିରେ ବିକ୍ରି କରିବାକୁ ବାଧ୍ୟ। ଗୋଟିଏ ପଟେ ମିଲେଟ୍ ମିସନ ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରଚାର କରୁଥିବା ବେଳେ ଖର୍ଚ୍ଚ ଏବଂ ବିକ୍ରିର ଏହି ତାରତମ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

କୃଷି ବିଭାଗର ତଥ୍ୟ କହୁଛି, ବିରି ଚାଷୀ କ୍ବିଣ୍ଟାଲ ପିଛା ୪୧୫ ଏବଂ ଚିନାବାଦାମ ଚାଷୀ ୧୦ ଟଙ୍କା କ୍ଷତି ସହୁଛନ୍ତି। କେନ୍ଦ୍ର ସରକାରଙ୍କର ଏମ୍‌ଏସ୍‌ପି ଏବଂ ରାଜ୍ୟ ସରକାରଙ୍କ ଚାଷ ଖର୍ଚ୍ଚକୁ ହିସାବ କଲେ ଅନ୍ୟ ଚାଷୀମାନେ ମଧ୍ୟ ଯେଉଁ ଲାଭ ପାଇବେ ତାହା ନାମମାତ୍ର ଅଟେ। ଅର୍ଥାତ ଚାଷ ଖର୍ଚ୍ଚ ପ୍ରତିବର୍ଷ କାହିଁରେ କେତେ ବଢ଼ୁଛି କିନ୍ତୁ ଏମ୍‌ଏସ୍‌ପି ନାମମାତ୍ର ହୋଇ ରହିଛି। ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ପ୍ରବକ୍ତା ସରୋଜଙ୍କ ଅନୁସାରେ, ଚାଷ ଖର୍ଚ୍ଚ ଦ୍ରୁତ ବଢ଼ୁୂଥିବା ପରିଲକ୍ଷିତ ହେଉଛି। ଚାଷୀଙ୍କ ଲାଭ ପାଇଁ ସ୍ବାମୀନାଥନ୍‌ କମିସନଙ୍କ ସୁପାରିସ କାର୍ଯ୍ୟକାରୀ ପାଇଁ ୨୦୧୫ ମସିହାରୁ କୁହାଯାଉଛି। ହେଲେ ଏହା ଏଯାଏ କାର୍ଯ୍ୟକାରୀ ହେଉନାହିଁ। ଏହି ଦାବି ଆହୁରି ଜୋରଦାର ହେବା ଉଚିତ। କୌତୂହଳ କଥା ହେଉଛି, ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଓଡ଼ିଶା ସରକାର ସହଯୋଗୀ ଭଳି ଛିଡ଼ା ହୋଇଛନ୍ତି। ହେଲେ ଏମଏସ୍‌ପି ବୃଦ୍ଧି ସଂକ୍ରାନ୍ତ ଦାବିକୁ ଦିଲ୍ଲୀ ଦରବାରରେ ଜୋରଦାର କରିପାରି ନାହାନ୍ତି। ନିଜେ ଗୃହମନ୍ତ୍ରୀ ଅମିତ ଶାହା ସ୍ବାମୀନାଥନ୍‌ କମିସନ ସୁପାରିସରେ ଏମ୍‌ଏସ୍‌ପି ବୃଦ୍ଧି ପ୍ରତିଶ୍ରୁତି ନିର୍ବାଚନ ଜୁମଲା କହିଛନ୍ତି। ଏହା ସତ୍ତ୍ବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସ୍ବର ଶାଣିତ କରିବା ଦେଖାଯାଉନାହିଁ।

ଚାଷ ଖର୍ଚ୍ଚ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରିପୋର୍ଟରେ ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି। କେବଳ ପଞ୍ଜାବ, ହରିୟାଣା ନୁହେଁ ଓଡ଼ିଶାର ଚାଷ ମଧ୍ୟ ବ୍ୟୟବହୁଳ ହୋଇସାରିଲେଣି, ଏକଥା ଏହି ରିପୋର୍ଟରୁ ସୁସ୍ପଷ୍ଟ। ସେଥିରେ ପୁଣି ୫ ବର୍ଷ ମଧ୍ୟରେ ୨୦୨୨ ମସିହାରେ ଖର୍ଚ୍ଚ ସର୍ବାଧିକ ପ୍ରତିଶତ ବଢିଛି। ପ୍ରତିବର୍ଷ ଧାନରେ କେବଳ ୧୦% ଖର୍ଚ୍ଚ ବଢୁଥିଲା। ୨୦୨୨ରେ ଏହା ୨୭.୧୩ %କୁ ବୃଦ୍ଧି ପାଇଛି। ମାଣ୍ଡିଆ ୩୧.୭୭%, ହରଡ଼ ୩୩.୧୬%, ମୁଗ ୩୭.୨୦%, ବିରି ୩୬.୦୩%, ଚିନାବାଦାମ ସର୍ବାଧିକ ୪୪.୦୫% ଏବଂ କପା ଚାଷ ଖର୍ଚ୍ଚ ୩୦.୦୨% ବଢିଛି।

ଅର୍ଥନୀତି ବିଶେଷଜ୍ଞଙ୍କ କହିବା କଥା, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଫସଲ ଖର୍ଚ୍ଚର ହିସାବ ଭିନ୍ନ ଭାବରେ ନିଆଯାଏ। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷରେ ଚାଷୀଙ୍କ ପକେଟ ଖର୍ଚ୍ଚ (ଅର୍ଥାତ ସାର, ବିହନ, କୀଟନାଶକ, କୃଷି ଶ୍ରମିକ ସମେତ ଅନ୍ୟାନ୍ୟ), ଚାଷୀଙ୍କ ଜମିର ମୂଲ୍ୟାୟନ ଏବଂ ନିଜ ଏବଂ ପରିବାରର ଶ୍ରମ ଖର୍ଚ୍ଚକୁ ମିଶାଇ ଚାଷରେ ଖର୍ଚ୍ଚ ହିସାବ କରାଯାଏ। କେନ୍ଦ୍ର ପକ୍ଷରୁ ଚାଷୀଙ୍କ ନିଜସ୍ବ ଜମି ମୂଲ୍ୟାୟନକୁ ସାମିଲ କରାଯାଉନଥିବାରୁ କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ଚାଷ ଖର୍ଚ୍ଚ କମ୍‌ ରହିଥାଏ। ସେଥିପାଇଁ କେନ୍ଦ୍ର ପକ୍ଷରୁ ଏମଏସ୍‌ପି ନିର୍ଧାରଣ କମ୍‌ ରହିଥାଏ। ଏହାକୁ ଚାଷୀ ସଙ୍ଗଠନଗୁଡ଼ିକ ଦୀର୍ଘବର୍ଷ ହେଲା ବିରୋଧ କରି ଆସୁଛନ୍ତି। ଖର୍ଚ୍ଚ ରିପୋର୍ଟ ଅନୁଯାୟୀ, ଧାନ ସବୁଠାରୁ ଶସ୍ତା ଏବଂ ବିରି ଚାଷ ବ୍ୟୟବହୁଳ ବୋଲି ଜଣାପଡ଼ୁଛି। ଏହାକୁ ନେଇ ଓୟୁଏଟି ପ୍ରାଧ୍ୟାପକ ସର୍ବନାରାୟଣ ମିଶ୍ର କହନ୍ତି, ଧାନରେ ହେକ୍ଟର ପିଛା ୧୨ରୁ ୧୪ କ୍ବିଣ୍ଟାଲ ଉତ୍ପାଦିତ ହୁଏ। କିନ୍ତୁ ବିରି, ମୁଗରେ ଉତ୍ପାଦନ ବହୁତ କମ୍‌। ତେଣୁ ଧାନର ଖର୍ଚ୍ଚ କମ୍‌ ଜଣାପଡ଼େ। ପଞ୍ଜାବ, ହରିୟାଣା ଭଳି ରାଜ୍ୟ ଯେଉଁଠି ହେକ୍ଟର୍‌ ପିଛା ଉତ୍ପାଦନ ଯେତେ ଅଧିକ ସେଠାରେ ଚାଷ ଖର୍ଚ୍ଚ ସେତେ କମ୍‌ ହୁଏ। କିନ୍ତୁ କେରଳରେ କମ୍‌ ଉତ୍ପାଦନ ହେଉଥିବାରୁ ଖର୍ଚ୍ଚ ଅଧିକ ଦେଖାଯାଏ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।