ରାଜ୍ୟ

ପଦଚିହ୍ନ ୨୦୨୩: ଅର୍ଡର…ଅର୍ଡର…

କିଛି ଗୁରୁତ୍ବପୂର୍ଣ୍ଣ ମାମଲାରେ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାୟ ପ୍ରକାଶ ପରେ ଅନେକ ମାମଲାର ମୋଡ଼ ବଦଳି ଯାଇଛି। ୨୦୨୩ ବର୍ଷରେ କିଛି ଚର୍ଚ୍ଚିତ ମାମଲାର ଏଭଳି ଫଏସଲା ପାଇଁ ଓ଼ଡ଼ିଶା ହାଇକୋର୍ଟଙ୍କ ସ୍ବତନ୍ତ୍ରତା ବାରି ହୋଇପଡ଼ିଛି। ଏମିତିରେ ବି ଏହି ବର୍ଷ ଓଡ଼ିଶା ହାଇକୋର୍ଟ ୭୫ ବର୍ଷ ପୂରଣ କରିଛି। ସ୍ବୟଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହାଇକୋର୍ଟଙ୍କ ତ୍ବରିତ ନ୍ୟାୟ ପ୍ରଦାନ ଓ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ହଁ, ଏବର୍ଷ ହାଇକୋର୍ଟର ଦୁଇ ଜଣ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ଶୁଭାଶିଷ ତାଳପତ୍ର ଅବସର ଗ୍ରହଣ କରିଛନ୍ତି। ଓଡ଼ିଆ ଭାଷ‌ାରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ରାୟର ଅନୁବାଦ ପ୍ରକ୍ରିୟା ଆରମ୍ଭ ହୋଇଛି। କାଗଜବିହୀନ କୋର୍ଟ ସ୍ଥାପନରେ ଓଡ଼ିଶା ହାଇକୋର୍ଟ ଦେଶରେ ରେକର୍ଡ କରିଛନ୍ତି…..। ପ୍ରସ୍ତୁତି: ଚୌଧୁରୀ ଅଶ୍ବିନୀ କୁମାର ଦାସ

ଓପିଏସ୍‌ସି ଜିତିଲା

ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ନିଯୁକ୍ତି ମାମଲା ବର୍ଷ ସାରା ଚର୍ଚ୍ଚାରେ ରହିଥିଲା। ଏଏସ୍‌ଓ ନିଯୁକ୍ତି ପରୀକ୍ଷାରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରି ୨୦୨୩, ମେ’ ୧୯ରେ ଜଣକିଆ ବିଚାରପତିଙ୍କ ପୀଠ ରାୟ ପ୍ରଦାନ କରିଥିଲେ। ୨୦୧୬ର ନିୟମ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ କହିଥିଲେ। ଏହି ରାୟର ପୁନର୍ବିଚାର ଆବେଦନକୁ ଜଣକିଆ ବିଚାରପତିଙ୍କ ପୀଠ ଖାରଜ କରିଥିଲେ। ଏହା ବିରୋଧରେ ଦୁଇ ଜଣିଆ ଖଣ୍ଡପୀଠରେ କେତେକ ପ୍ରାର୍ଥୀ ଓ ଓପିଏସ୍‌ସି ତି‌ନୋଟି ରିଟ୍ ଅପିଲ ଦାୟର କରିଥିଲେ। ଡିସେମ୍ବର ୨୨ରେ ଦୁଇ ଜଣିଆ ଖଣ୍ଡପୀଠ ଜଣକିଆ ବିଚାରପତିଙ୍କ ରାୟକୁ ରଦ୍ଦ କରିଥିଲେ। ଓପିଏସ୍‌ସି ପ୍ରକାଶିତ ମେଧା ତାଲିକା କାଏମ୍‌ ରହିଲା; ପରୀକ୍ଷା ପରିଚାଳନାରେ ଓପିଏସ୍‌ସିଙ୍କ ସ୍ବଚ୍ଛତା ବି
ବଜାୟ ରହିଲା।

ଶ୍ରୀମନ୍ଦିର ମାମଲା: ହାଇକୋର୍ଟ କ୍ଷୁବ୍ଧ

ପୁରୀ ଶ୍ରୀମନ୍ଦିରର ବିଭିନ୍ନ ମାମଲାରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। କାର୍ଯ୍ୟ ଠିକ୍‌ରେ ନ ହେବା, ସତ୍ୟପାଠ ଦାଖଲ ନହେବା ଭଳି ପ୍ରସଙ୍ଗରେ ହାଇକୋର୍ଟ ‌କ୍ଷୋଭ ପ୍ରକାଶ କରିଥିଲେ। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କରି ଜଷ୍ଟିସ ରଘୁବୀର ଦାଶ କମିସନ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ଜୁଲାଇ ୧ ସୁଦ୍ଧା ଅବଗତ କରିବାକୁ ଏପ୍ରିଲ ୨୫ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ନେଇ ଅବଗତ କରିବାକୁ ସରକାରଙ୍କ ତରଫରୁ ଏକାଧିକ ଥର ସମୟ ଲୋଡ଼ାଯାଇଥିଲା। ଡିସେମ୍ବର ୧୫ରେ ଶୀତ ଅବକାଶ ପରେ ମାମଲାର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଏହା ପୂର୍ବରୁ ଏପ୍ରିଲ ୨୫ର ଆଦେଶ ଅନୁସାରେ ସତ୍ୟପାଠ ଦାଖଲ ପାଇଁ କହିଥିଲେ। ସେହିଭଳି ଶ୍ରୀମନ୍ଦିର ନାଟମଣ୍ଡପର ସ୍ଥିତି ବିପଦପୂର୍ଣ୍ଣ ରହିଛି। ତୁରନ୍ତ ମରାମତି ଆବଶ୍ୟକ ବୋଲି ଅଭିଷେକ ଦାସଙ୍କ ଜନସ୍ବାର୍ଥ ମାମଲାରେ ଆମିକସ୍ କ୍ୟୁରି ରିପୋର୍ଟ ଦାଖଲ କରିଥିଲେ। ୨୦୨୪, ଜାନୁଆରି ୨୦ରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଏଏସ୍‌ଆଇ କହିଥିଲା। ଏ ନେଇ ହାଇକୋର୍ଟ ଅସ‌ନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏଏସ୍‌ଆଇକୁ ନଭେମ୍ବର ୧୫ରେ ନିର୍ଦ୍ଦେଶ ଦେଇଥିଲେ।

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜ‌ଷ୍ଟିସ ଡକ୍ଟର ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ

ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ରହିଛନ୍ତି। ୨୦୨୧, ଜାନୁଆରି ୪ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିବା ଡକ୍ଟର ଜ‌ଷ୍ଟିସ ଏସ୍‌. ମୁରଲୀଧର ୨୦୨୩, ଅଗଷ୍ଟରେ ଅବସର ଗ୍ରହଣ କରିଥିଲେ। ଏହାପରେ ଅଗଷ୍ଟ ୮ରେ ଜଷ୍ଟିସ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଅକ୍ଟୋବର ୩ରେ ସେ ଅବସର ଗ୍ରହଣ କରିଥିଲେ। ଏହାପରେ ଜଷ୍ଟିସ ଡକ୍ଟର ବିଦ୍ୟୁତ ରଂଜନ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ୨୦୨୩, ସେପ୍ଟେମ୍ବର ୬ରେ ବରିଷ୍ଠ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥ ଅବସର ଗ୍ରହଣ କରିଛନ୍ତି। ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି।

ହାଇକୋର୍ଟ ଯୋଡ଼ିଲା ନୂଆ ଅଧ୍ୟାୟ

୨୦୨୩ରେ ସାରା ରାଜ୍ୟରେ କାଗଜବିହୀନ କୋର୍ଟ ସଂଖ୍ୟା ଦୁଇ ଶହରୁ ଅଧିକ ହେବା ସହିତ ଓଡ଼ିଶାର ନ୍ୟାୟ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଥିଲା। ସମଗ୍ର ବିଚାରବିଭାଗ କାଗଜବିହୀନ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ପ୍ରତି ମାସରେ ଅଧିକରୁ ଅଧିକ କୋର୍ଟ କାଗଜବିହୀନ ହେବ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ଘୋଷଣା କରିଥିଲେ। ୨୦୨୨, ସେପ୍ଟେମ୍ବର ୧୭ରେ ୩୦ଟି ଜିଲ୍ଲାରେ ୩୪ଟି କାଗଜବିହୀନ କୋର୍ଟ ଭାରତର ପ୍ରଧାନ ବିଚାରପତି ଉଦ୍‌ଘାଟନ କରିଥିଲେ। ୨୦୨୩, ମେ ୫ ଓ ୬ରେ କଟକରେ ଡିଜିଟାଇଜେସନ, ଇ-ଇନିସିଏଟିଭ୍ ଓ କାଗଜବିହୀନ କୋର୍ଟ ଉପରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ତିନି ମାସ ଭିତରେ ରାଜ୍ୟରେ ଆଉ ଶହେଟି କାଗଜବିହୀନ କୋର୍ଟ ଖୋଲିବ ବୋଲି ହାଇକୋର୍ଟ ପକ୍ଷରୁ ତତ୍କାଳୀନ ମୁଖ୍ୟ ବିଚାରପତି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ପୂରଣ ହୋଇଥିଲା। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ଶତାଧିକ କାଗଜବିହୀନ କୋର୍ଟ ଉଦ୍‌ଘାଟିତ ହୋଇଥିଲା। ‌

କଏଦୀଙ୍କର ଅଧିକାର ଅଛି

ରାଜ୍ୟର ଅଧିକାଂଶ ଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ବହୁ ଅଧିକ କଏଦୀ ରହୁଛନ୍ତି। ଫଳରେ ସେମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ସହିତ ସେମାନଙ୍କ ମାନବାଧିକାର ବି କ୍ଷୁଣ୍ଣ ହେଉଛି। ଏ ପ୍ରସଙ୍ଗରେ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଏଭଳି ସ୍ଥିତିକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। ବିଭିନ୍ନ ସ୍ଥାନରେ ଅଧିକ ସବ୍-ଜେଲ, ସ୍ପେଶାଲ ଜେଲ ଓ ଜିଲ୍ଲା ଜେଲ ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଙ୍ଗରେ ସରକାର ଯଥାଶୀଘ୍ର ନୀତିଗତ ନିଷ୍ପତ୍ତି (ପଲିସି ଡିସିସନ୍) ଗ୍ରହଣ କରିବା ଆବଶ୍ୟକ ବୋଲି ହାଇକୋର୍ଟ ପରାମର୍ଶ ଦେଇଥିଲେ।

ସିବିଆଇ ହାତରେ ତଦନ୍ତ

କେନ୍ଦୁଝର ଜିଲ୍ଲାରେ ୫ଟି ମୋଟର ଯାନ ଦୁର୍ଘଟଣାଜନିତ କ୍ଷତିପୂରଣ ରାଶି ହାସଲ ପାଇଁ ଜାଲ ମାମଲା ଦାୟର ଅଭିଯୋଗର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଜେଇଇ-୨୦୨୨ରେ ଜଣେ ଛାତ୍ରଙ୍କୁ ମିଳିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ସ୍କୋରରେ ହୋଇଥିବା ବିଭ୍ରାଟ ଘଟଣା ଏବଂ କଟକ ଚଣ୍ଡୀଛକସ୍ଥିତ ଏକ ଜାତୀୟକରଣ ବ୍ୟାଙ୍କ ଶାଖାରୁ ଜଣେ ବ୍ୟକ୍ତିଙ୍କ ସୁନା ଗହଣା, ନଥିପତ୍ର ସହିତ ଲକର ଗାଏବ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଜାଲ୍‌ ଡାକ୍ତରଙ୍କୁ ଧର
ରାଜ୍ୟରେ ଜାଲ୍‌ ଡାକ୍ତରଙ୍କୁ ଧରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସବୁ ଡାକ୍ତରଙ୍କ ପଞ୍ଜୀକରଣ ଯାଞ୍ଚ କରାଯିବ। ‌ଯିଏ ନିଜକୁ ନିର୍ଦ୍ଦିଷ୍ଟ ବିଭାଗର ବିଶେଷଜ୍ଞ ବୋଲି ଦର୍ଶାଇ ରୋଗୀ ଚିକିତ୍ସା କରୁଛନ୍ତି ତାଙ୍କର ସେଥି ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଅଛି କି ନାହିଁ, ତାହା ଯାଞ୍ଚ କରାଯିବ। ‌ଉପଯୁକ୍ତ ଡିଗ୍ରି ନଥାଇ ନିଜକୁ ଡାକ୍ତର ଭାବେ ଦର୍ଶାଇ ରୋଗୀ ଚିକିତ୍ସା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସବୁ ଡାକ୍ତରଙ୍କ ତଥ୍ୟ ଅନ୍‌ଲାଇନ୍‌ରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ।

ନୂଆ ମୋଡ଼ ନେଲା ବିଦ୍ୟୁତ୍‌ ବିଲ୍‌ ବିବାଦ

ବିଦ୍ୟୁତ୍‌ ବିଲ୍‌ ସଂପର୍କିତ ବିବାଦକୁ ନେଇ ଖାଉଟି ଅଦାଲତରେ ମାମଲା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ରାୟ ଦେଇଥିଲେ। ଏଭଳି ଅଭିଯୋଗର ସମାଧାନ ପାଇଁ ବିଦ୍ୟୁତ୍‌ ଉପଭୋକ୍ତା ଅଭିଯୋଗ ପ୍ରତିବିଧାନ ଫୋରମ (ଜିଆର୍‌ଏଫ୍‌)ଙ୍କ ଦ୍ବାରସ୍ଥ ହୋଇ ପାରିବେ ବୋଲି ହାଇକୋର୍ଟ କହିଥିଲେ। ଏଥି ସହିତ ବିଦ୍ୟୁତ୍‌ ବିଲ୍ ସଂପର୍କିତ ମାମଲାରେ ଖାଉଟି ଅଦାଲତ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଥିଲେ। ସାଉଥ୍‌କୋ ୟୁଟିଲିଟି ପାରଳାଖେମୁଣ୍ଡି ଡିଭିଜନ ନିର୍ବାହୀ ଯନ୍ତ୍ରୀ (ଇଳେକ୍ଟ୍ରିକାଲ୍‌) ଓ ଏସଡିଓଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିଲେ।

କାଠଗଡ଼ାରେ ସଚିବ

ଚଳିତ ବର୍ଷ ବିଭିନ୍ନ ପ୍ରସଙ୍ଗରେ ମାମଲାର ଶୁଣାଣି ସମୟରେ ପ୍ରଶାସନିକସ୍ତରରେ ନିଷ୍କ୍ରିୟତାକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରାୟ ୪ଟି ଘଟଣାରେ ବିଭାଗୀୟ ସଚିବମାନଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଥିଲେ। କଟକ ଶିଶୁଭବନ (ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନ) ସଂପର୍କିତ ଜନସ୍ବାର୍ଥ ମାମଲାରେ ହାଇକୋର୍ଟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ଦେଇଥିଲେ।
ସେହିଭଳି ସ୍ବଳ୍ପ ଦରମା ପାଉଥିବା ଗ୍ରାମୀଣ ରୋଜଗାର ସେବକଙ୍କ ବଦଳି ମାମଲାରେ ପଞ୍ଚାୟତିରାଜ ସଚିବଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। କେବଳ ଏତିକି ନୁହେଁ, ତମାଣ୍ଡୋ ମିନି ଷ୍ଟାଡିୟମ ଉପର ଦେଇ ରିଙ୍ଗରୋଡ୍ ନିର୍ମାଣ ପ୍ରସ୍ତାବ ବିରୋଧରେ ଦାୟର ଜନସ୍ବାର୍ଥ ମାମଲାରେ ପୂର୍ତ୍ତ ବିଭାଗର ଡିଜାଇନ, ପ୍ଲାନିଂ, ଇନଭେଷ୍ଟିଗେସନ ଅାଣ୍ଡ ରୋଡ୍ ୱିଙ୍ଗର ମୁଖ୍ୟ ଯନ୍ତ୍ରୀଙ୍କୁ, ଉପଭୋକ୍ତା ବିବାଦ ମାମଲାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ, କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନର ନିର୍ଦ୍ଦେଶକ ପଦ ପୂରଣ ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ମାମଲାରେ ସଚିବଙ୍କୁ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଥିଲା।

ଓଡ଼ିଆରେ ପଢ଼ିହେବ କୋର୍ଟ ରାୟ

୨୦୨୩ରେ ଓଡ଼ିଶା ହାଇକୋର୍ଟ ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଥିଲା। ଶତାଧିକ ସୁପ୍ରିମକୋର୍ଟ ରାୟ ଓଡ଼ିଆ ଭାଷାରେ ମିଳିବା ପାଇଁ ପଦକ୍ଷେପ ନିଆଯାଇଥିଲା। ଡିସେମ୍ବର ୨୫ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ସୁପ୍ରିମକୋର୍ଟଙ୍କ ୧୧୦ଟି ଓ ଓଡ଼ିଶା ହାଇକୋର୍ଟଙ୍କ ୩୨ଟି ରାୟ ଓଡ଼ିଆ ଭାଷାରେ ଏବେ ଉପଲବ୍ଧ। ହାଇକୋର୍ଟ ୱେବସାଇଟ୍‌ରୁ ଜଣେ ବ୍ୟକ୍ତି ଓଡ଼ିଆ ଭାଷାରେ ଅନୂଦିତ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ରାୟ ସବୁ ପଢି ପାରିବେ। ହାଇକୋର୍ଟ ୱେବସାଇଟ୍‌ର ‘ଜଜ୍‌ମେଣ୍ଟସ୍ ଇନ୍ ଭର୍ଣ୍ଣାକୁଲାର ଲାଙ୍ଗୁଏଜ୍'(ସ୍ଥାନୀୟ ଭାଷା‌ରେ ଅନୂଦିତ ରାୟସମୂହ) ଶୀର୍ଷକ ସ୍ଥାନରେ ଓଡ଼ିଆ ଭାଷାରେ ଅନୁଦିତ ସୁପ୍ରିମକୋର୍ଟଙ୍କ ରାୟ ସବୁ ଉପଲବ୍ଧ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।