ରାଜ୍ୟ

ବଦଳୁଛି ଶ୍ରୀକ୍ଷେତ୍ର : ନୂଆ ବର୍ଷରେ ନୂଆ ରୂପ, ନୂଆ ରଙ୍ଗ ଓ ନୂଆ ନିୟମ

୨୦୨୪ ପାଇଁ ୨୦୧୯ରୁ ସ୍ବପ୍ନ ଦେଖିଥିଲେ ସରକାର। ଯୋଜନା ହୋଇଥିଲା ଶ୍ରୀକ୍ଷେତ୍ରକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସେବେ ପ୍ରସ୍ତୁତ କରାଯାଇଥିବା ନକ୍ସା ଅନ୍ତର୍ଗତ ପ୍ରମୁଖ କିଛି ପ୍ରକଳ୍ପ ଏବେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି। ଏଥିସହିତ ଧୀରେ ଧୀରେ ବଦଳିବାରେ ଲାଗିଛି ଶ୍ରୀକ୍ଷେତ୍ର। ରାସ୍ତା,ବ୍ୟାବସାୟିକ ପେଣ୍ଠସ୍ଥଳୀ, ପାର୍କିଂ ଆଦିର ନବକଳେବର କରାଯାଉଛି। ଏପରିକି ବଡ଼ଦାଣ୍ଡର ସମାନ୍ତରାଳ ଏକ ରାସ୍ତା ‘ଶ୍ରୀଦାଣ୍ଡ’ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘରକୁ ମଧ୍ୟ ସରକାର ଗୋଟିଏ ରଙ୍ଗ କରିବା ଲାଗି ଚାହିଛନ୍ତି।

ଅବଢ଼ା ଯୋଜନାରେ ୨୨ଟି ପ୍ରକଳ୍ପ ପାଇଁ ୩୨ଶହ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଥିଲା। ୨୦୧୯ ଅକ୍ଟୋବର ୧୯ରେ ରାଜ୍ୟ କ୍ୟାବିନେଟ୍‌ ଏଥିରେ ମୋହର ମାରିଥିଲେ। ପ୍ରମୁଖ ଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ନୂଆବର୍ଷରେ ଅର୍ଥାତ୍ ଜାନୁଆରି ୧୭ ତାରିଖରେ ଏହାର ଲୋକାର୍ପଣ ହେବ। ୨୦୨୩ରେ ବଦଳୁଥିବା ଶ୍ରୀକ୍ଷେତ୍ରକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

ପ୍ରସ୍ତୁତି: ସୁମନ୍ତ, ସତ୍ୟରଂଜନ, ଫଟୋ: ସନ୍ତୋଷ

ନୂଆବର୍ଷରୁ ଶାଳୀନତା ପୋଷାକ

ନୂଆବର୍ଷରୁ ବଦଳିବ ଶ୍ରୀମନ୍ଦିର ପୋଷାକ ପରିଧାନ ବ୍ୟବସ୍ଥା। ଆଉ ଚଳିବନି ହାପ୍‌ପ୍ୟାଣ୍ଟ୍‌, ଚିରାଫଟା, ସ୍ଲିଭ୍‌ଲେସ, ଦେହ ଦିଶିବା ଭଳି ପାଶ୍ଚାତ୍ୟ ପୋଷାକ। ଯେଉଁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିବେ, ଶାଳୀନତା ରକ୍ଷା ପୂର୍ବକ ସଂପୂର୍ଣ୍ଣ ପାରମ୍ପରିକ, ଭାରତୀୟ ସଂସ୍କୃତି ଆଧାରିତ ପୋଷାକ ପରିଧାନ କଲେ, ମିଳିବ ପ୍ରବେଶ ଅନୁମତି ଓ ଦର୍ଶନ ସୁଯୋଗ। ଜାନୁଆରି ୧ ତାରିଖରୁ ଏହି ନିୟମକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା, ପଲିଥିନ୍‌ ପ୍ରବେଶ ଉପରେ ବି ଜାନୁଆରି ୧ରୁ କଟକଣା କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି।

ଚୂଡ଼ାନ୍ତ ରୂପ ନେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚୂଡ଼ାନ୍ତ ରୂପ ନେଉଛି। ଜାନୁଆରି ୧୭ ତାରିଖରେ ଏହା ଲୋକାର୍ପିତ ହେବ। ୨୦୨୩ ବର୍ଷ ଶେଷରେ ପ୍ରକଳ୍ପର ଉଦ୍‌ଘାଟନ ନକ୍ସା ଚୂଡ଼ାନ୍ତ ରୂପ ନେଇଛି। ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଲୋକାର୍ପଣ କରିବେ। ଶଙ୍କରାଚାର୍ଯ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ଅତିଥି ଏଥିରେ ସାମିଲ୍‌ ହେବେ। ଏଥିପାଇଁ ଜାନୁଆରି ୧୨ରୁ ୧୭ ତାରିଖ, ୬ ଦିନବ୍ୟାପୀ ଚାରିଦ୍ବାରରେ ବେଦପାଠ, ନାମ ସଂକୀର୍ତ୍ତନ ସହ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ମହାଯଜ୍ଞର ଆୟୋଜନ କରାଯାଇଛି। ୧୦୮ଜଣ ବେଦଜ୍ଞ ପୁରୋହିତ ଯୋଗଦେଇ ପୂଜାର୍ଚ୍ଚନା କରିବେ। ଅବଢ଼ା ଯୋଜନା ଅନ୍ତର୍ଗତ ପ୍ରାୟ ୩୩୦ କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧି ଅର୍ଥାତ୍ ୧୫.୬୫ ଏକର ଜାଗାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉଛି। ଏଥିରେ ବଫର୍‌ ଜୋନ୍‌, ଲ୍ୟାଣ୍ଡସ୍କେପିଂ ଜୋନ୍‌, ଭିତର ଓ ବାହ୍ୟ ପରିକ୍ରମା ମାର୍ଗ, ବିଶ୍ରାମ ଗୃହ, ପାନୀୟ ଜଳ, ଦାନଗ୍ରହଣ କେନ୍ଦ୍ର, ସୂଚନା କେନ୍ଦ୍ର, ଜରୁରୀକାଳୀନ ସେବା, ଟ୍ରାଫିକ ଲେନ୍‌ ଆଦି କରାଯାଉଛି। ସଂପୂର୍ଣ୍ଣ ପ୍ରକଳ୍ପରେ କଳିଙ୍ଗ କଳା ଓ ସ୍ଥାପତ୍ୟର ଛାପ ଦିଆଯାଉଛି।

ନୂଆବର୍ଷରେ ଶ୍ରୀସେତୁ ଲୋକାର୍ପଣ

ରାଜ୍ୟର ସର୍ବପ୍ରଥମ ‘ଟ୍ରମ୍ପେଟ୍‌’ ବ୍ରିଜ୍‌ ବା ‘ଶ୍ରୀସେତୁ’ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ୩୧୬ ନମ୍ବର ଜାତୀୟ ରାଜପଥର ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ବାଇପାସ୍‌ ଉପରେ ତୂରୀ(ଟ୍ରମ୍ପେଟ୍‌) ଆକୃତିର ଏକ ଓଭରବ୍ରିଜ୍‌ ତିଆରି ହୋଇଛି। ୩୧୬(ଏ) ନମ୍ବର ଜାତୀୟ ରାଜପଥ ପୁରୀ-ବ୍ରହ୍ମଗିରି ରାସ୍ତା ଉପର ଦେଇ ଆଉ ଏକ ଓଭରବ୍ରିଜ ମାଟିତୋଟା ଦେଇ ଜଗନ୍ନାଥ ବଲ୍ଲଭକୁ ସଂଯୋଗ କରିଛି। ଭୁବନେଶ୍ବର ସହ ବ୍ରହ୍ମଗିରି, କୋଣାର୍କ ପାର୍ଶ୍ବରୁ ଆସୁଥିବା ଭକ୍ତ ସୁବିଧାରେ ଏହି ବ୍ରିଜ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିପାରିବେ ଓ ଫେରିପାରିବେ। ଶ୍ରୀସେତୁ ପାଇଁ ପୁରୀ ସଦର ବ୍ଲକ୍‌ର ସମଙ୍ଗ, ମାଟିତୋଟା, ମାର୍କଣ୍ତେଶ୍ବର ସାହି-୧ ମୌଜାର ୩୭.୯୮୪ ଏକର ଜମି ଅଧିଗ୍ରହଣ କରାଯାଇଛି। ପ୍ରକଳ୍ପ ବାବଦରେ ୧୬୧.୪୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

ଖୋଲିଲା ଜେଲ୍‌ ରୋଡ୍‌ ପାର୍କିଂ, ଅପେକ୍ଷାରେ ଆଉ ୩

ଜେଲ୍ ରୋଡ୍ର୍‌ ୬୭.୬୩ କୋଟି ଟଙ୍କା ବ୍ୟୟରେ ବହୁତଳ ବିଶିଷ୍ଟ ପାର୍କିଂ ଓ ସୌଧ ନିର୍ମାଣ ସମ୍ପନ୍ନ ହୋଇ କାର୍ଯ୍ୟକାରୀ ହୋଇଛି। ଏଠାରେ ୫ଶହ ଚାରିଚକିଆ ଓ ୫ଶହ ଦୁଇଚକିଆ ଯାନ ପାର୍କିଂ ବ୍ୟବସ୍ଥା ହୋଇଛି। ସେହିଭଳି ୦.୯ ଏକର ଜମିର ୧୦ହଜାର ୫୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମାଣାଧୀନ ମହୋଦଧି ମାର୍କେଟର ତଳ ଫ୍ଲୋର୍‌ରେ ପାର୍କିଂ ବ୍ୟବସ୍ଥା ରହିଛି। ଏହା ମଧ୍ୟରେ ଅନ୍ୟୂନ ୯୦ଟି କାର୍ ରହିବା ଭଳି ବନ୍ଦୋବସ୍ତ ରହିଛି। ବଡ଼ଦାଣ୍ଡ ମାର୍କେଟ୍‌ କମ୍ପ୍ଲେକ୍ସରେ ୧୦୦ଟି ଚାରିଚକିଆ ଯାନ ରହିବା ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ନିର୍ମାଣାଧୀନ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ପାଇଁ ୨୩୦ କୋଟି ୬୨ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ୫ ମହଲା ବିଶିଷ୍ଟ ବହୁତଳ ବିଶିଷ୍ଟ ପାର୍କିଂରେ ଏକକାଳୀନ ୧୪୨୦ କାର୍ ପାର୍କିଂ ଏବଂ ୨ଶହ ଦୁଇଚକିଆ ଯାନ ପାର୍କିଂର ବ୍ୟବସ୍ଥା କରାଯାଉଛି।

ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ

ଚଳିତବର୍ଷ ମେ’ ମାସ ୨ ତାରିଖରୁ ଶ୍ରୀମନ୍ଦିରର ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ଭାବେ ରଂଜନ କୁମାର ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ଦାସ ଇତିମଧ୍ୟରେ ଶ୍ରୀମନ୍ଦିରକୁ ଅଶାଳୀନ ପୋଷାକ ବାରଣ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶ୍ରୀ ଦାସଙ୍କ କାର୍ଯ୍ୟକାଳ ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବି ପୂର୍ଣ୍ଣ ରୂପ ନେବାକୁ ଯାଉଛି ଓ ଲୋକାର୍ପିତ ହେବାକୁ ଯାଉଛି।

ଗୋଟିଏ ରଙ୍ଗରେ ଝଲସୁଛି

ବଡ଼ଦାଣ୍ଡରେ ସମାନତା ଆଣିବା ପାଇଁ ଆରମ୍ଭ ହୋଇଛି ରଙ୍ଗ କାମ। ଓବିସିସି ପକ୍ଷରୁ ବଡ଼ଦାଣ୍ଡ ଦୁଇପାର୍ଶ୍ବରେ ଥିବା କୋଠାରେ ଫିକା ଗୋଲାପି ରଙ୍ଗ ଦିଆଯାଉଛି। ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ପୂର୍ବରୁ ବଡ଼ଦାଣ୍ଡ ସବୁ କୋଠାକୁ ଫିକା ଗୋଲାପି ରଙ୍ଗରେ ସଜେଇବାକୁ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ସିଂହଦ୍ବାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ସମସ୍ତ କୋଠାର ସମ୍ମୁଖ ଭାଗ ରଙ୍ଗ ଏକପ୍ରକାର ରହିବ।
ଅବରୋଧମୁକ୍ତ ହେଲା

ଦୀର୍ଘ ବର୍ଷର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ମେଡିକାଲ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଅବରୋଧମୁକ୍ତ କରାଯାଇଛି। ଏହାର ଦୁଇପାର୍ଶ୍ବରେ ବସିଥିବା ଉଠାଦୋକାନୀଙ୍କୁ ହଟାଇ ଦିଆଯାଇଛି। ଉଠା ଦୋକାନୀଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟ ଭେଣ୍ଡିଂ ଜୋନ୍‌ରେ ଥଇଥାନ କରିବାକୁ ଯୋଜନା କରିଛନ୍ତି ସରକାର। ଫଳରେ ଶହେ ଫୁଟିଆ ବଡ଼ଦାଣ୍ଡ ଏବେ ମୁକ୍ତ ଦିଶିବା ସହ ଯା’ଆସ ପାଇଁ ସୁଗମ ହୋଇଛି।

୧୪ କୋଟିର ‘ଶ୍ରୀଦାଣ୍ଡ’

ଭିଡ଼ ଚାପକୁ କମାଇବା ପାଇଁ ବଡ଼ଦାଣ୍ଡ ଭଳି ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରୁ ଦୋଳଦେବି କୋଣକୁ ଫିଟୁଛି ନୂଆ ରାସ୍ତା- ନାଁ ‘ଶ୍ରୀଦାଣ୍ଡ’। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ‘ଶ୍ରୀଦାଣ୍ଡ’ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରାସ୍ତାର ଲମ୍ବ ୭୫୦ ମିଟର ଓ ଚଉଡ଼ା ୪୦ ଫୁଟ ରହିବ। ଆଲୋକୀକରଣ ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ କାମ କରାଯିବ। ଫୁଟପାଥ, ଛୋଟ ସେଡ୍‌, ଜୋତା ଓ ମୋବାଇଲ୍‌ ଷ୍ଟାଣ୍ଡ୍‌, ବ୍ୟାଟେରି ଅଟୋ ଚଳାଚଳ ସୁବିଧା ବ୍ୟବସ୍ଥା କରାଯିବ। ଏଥିପାଇଁ ୧୪ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର। ରାସ୍ତା ପାଇଁ ମୋଟ୍‌ ୧.୪୪୮ ଏକର ବେସରକାରୀ ଘରୋଇ ଜମି ଅଧିଗ୍ରହଣ ହେଉଛି। ସ୍ଥାନୀୟ ଚୁଡ଼ଙ୍ଗସାହିର ୬୬ ପରିବାର ଓ ଦାଣ୍ଡିମାଳସାହିର ୧୮ ପରିବାର, ମୋଟ୍‌ ୮୪ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି। ୪ ପରିବାର ସମ୍ପୂର୍ଣ୍ଣ ବିସ୍ଥାପିତ ହେବେ।

ପ୍ରଥମ ଥର ଶୀତତାପ ନିୟନ୍ତ୍ରିତ ସେଡ୍‌

ପ୍ରଥମ ଥର ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ସେଡ୍‌ ନିର୍ମାଣ କରାଯାଉଛି। ବଡ଼ଦାଣ୍ଡରେ ମରିଚିକୋଟ ଛକରୁ ନୂଆ ଶୀତତାପ ନିୟନ୍ତ୍ରିତ ସେଡ୍‌ ନିର୍ମାଣ କରାଯାଉଛି। ଫ୍ୟାବ୍ରିକ୍‌ ଷ୍ଟ୍ରକଚର୍‌ର ଏହି ସେଡ୍‌ରେ ଭିତରପାର୍ଶ୍ବରେ ଭକ୍ତଙ୍କ ପାଇଁ ୧୨ଟି ଧାଡ଼ି ଓ ସେଡ୍‌ରୁ ବାହାରିବା ବେଳକୁ ଭକ୍ତମାନେ ୬ଟି ଧାଡ଼ିରେ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରକୁ ଯିବେ। ଅପରପାର୍ଶ୍ବରେ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରୁ ଆସୁଥିବା ଭକ୍ତଙ୍କ ପାଇଁ ‘ଶ୍ରୀଦାଣ୍ଡ’ରୁ ବି ନୂଆ ଶୀତତାପ ନିୟନ୍ତ୍ରିତ ସେଡ୍‌ ନିର୍ମାଣ ହେଉଛି। ଏଠାରୁ ଅଭ୍ୟର୍ଥନା କେନ୍ଦ୍ରକୁ ଭକ୍ତଙ୍କ ପ୍ରବେଶ ପାଇଁ ୪ଟି ଧାଡ଼ି ରହିବ। ଦୁଇ ସେଡ୍‌ ଦେଇ ସର୍ବମୋଟ୍‌ ୧୦ଟି ଧାଡ଼ିରେ ଭକ୍ତମାନେ ଅଭ୍ୟର୍ଥନା କେନ୍ଦ୍ରରେ ପଶିବେ। ସେଠାରୁ ସାନଛତା ମଠ ଦେଇ ମେଘନାଦ ପାଚେରି କଡ଼ରେ ଏକ ଛୋଟ ସେଡ୍‌ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଯେଉଁମାନେ ଗାଣ୍ଡୁଆ ଚଉରା, ଗଡ଼ନ୍ତି ଛକ ପାର୍ଶ୍ବରୁ ଆସିବେ, ସେମାନେ ଦୋଳବେଦି କୋଣ ଦେଇ ଆସିବା ପରେ ଗ୍ରାଣ୍ଡ ସେଣ୍ଟରଠାରୁ ଅଭ୍ୟର୍ଥନା କେନ୍ଦ୍ରରେ ପଶିବେ। ଦୋଳମଣ୍ଡପସାହି, କାକୁଡ଼ିଖାଇ ପାର୍ଶ୍ବରୁ ଆସୁଥିବା ଭକ୍ତ ସିଂହଦ୍ବାର ଦେଇ ଗ୍ରାଣ୍ଡ ସେଣ୍ଟରଠାରୁ ଅଭ୍ୟର୍ଥନା କେନ୍ଦ୍ରରେ ପଶିବାକୁ ଯୋଜନା କରାଯାଇଛି। ଭିଡ଼ ବେଳେ ‘ଶ୍ରୀଦାଣ୍ଡ’ ରାସ୍ତା ବନ୍ଦ କରି କେବଳ ବଡ଼ଦାଣ୍ଡ ସେଡ୍‌ ଦେଇ ଭକ୍ତଙ୍କୁ ଛାଡ଼ିବାକୁ ଯୋଜନା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।