ମାଲକାନଗିରି: ମାଲକାନଗିରିରୁ ଉଡ଼ିବ ବିମାନ। ମାଲକାନଗିରି ସହର ଉପକଣ୍ଠରେ ଥିବା ବିମାନ ବନ୍ଦର ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ। ବିମାନବନ୍ଦର ରନୱେ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଟର୍ମିନାଲ ଠାରୁ ଆରମ୍ଭ କରି ଯାତ୍ରୀ ବିଶ୍ରାମାଗାର କାମ ମଧ୍ୟ ଏକ ପ୍ରକାର ଶେଷ ହେବାକୁ ଯାଉଛି। ଖୁବଶୀଘ୍ର ରନୱେରେ ଟ୍ରାଏଲ ରନ କରିବା ଲାଗି ସ୍ଥିର ହୋଇଥିବା ବେଳେ ସମୟ ସୀମା ମଧ୍ୟରେ କାମ ସାରିବାକୁ ଦିନ ରାତି ଏକ କରି ଦେଇଛି ପ୍ରଶାସନ। ଦୂରତମ ଜିଲ୍ଲାକୁ ଶୀଘ୍ର ନିର୍ଦ୍ଧାରିତ ବିମାନ ଯୋଗେ ସଂଯୋଗ କରାଯାଉଛି। ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରରେ ଅବତରଣ କରିବେ ଏବଂ ଜାନୁଆରୀ ଆରମ୍ଭରେ ଏହାର ଉଦଘାଟନ କରିବା ନେଇ ସ୍ବତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି।
ମାଲାକାନଗିରି ସହର ଉପକଣ୍ଠ କୋଟଲିଗୁଡା ଠାରେ ବିମାନବନ୍ଦର ନିର୍ମାଣଧୀନ ଚାଲୁ ରହିଛି। ବିମାନ ବନ୍ଦରର ରନୱେ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଏବେ କେବଳ ରନୱେରେ ହ୍ୱାଇଟ୍ ମାର୍କିଂ ବା ଲାଇନିଂ ଓ ଜିପିଏସ୍ ପୋଜିସନିଂ କାମ ଜାରି ରହିଛି । ଏୟାରପୋର୍ଟର ଟର୍ମିନାଲ ଏବଂ ଯାତ୍ରୀ ବିଶ୍ରାମାଗାରରେ ଏବେ କିଏ ସିଲିଂ କାମରେ ବ୍ୟସ୍ତ ତ ଆଉ କିଏ ଟାଇଲ୍ସ ଲଗାଇ ଫ୍ଲୋରିଙ୍ଗ କାମ ସାରିବାକୁ ବ୍ୟସ୍ତ । ସେପଟେ ରନୱେ ଓ ଏୟାରପୋର୍ଟକୁ ସଂଯୋଗ କରୁଥିବା ଆପ୍ରୋଚ୍ ରୋଡ୍ ନିର୍ମାଣ ଖୁବ୍ ଜୋରସୋରରେ ଚାଲିଛି ।
ନୂଆବର୍ଷରୁ ମାଲାକାନଗିରି ବିମାନବନ୍ଦରରୁ ବିମାନ ଉଡ଼ିବା ନେଇ ୫ଟି ଅଧ୍ୟକ୍ଷ ପୂର୍ବରୁ ଘୋଷଣା କରି ସାରିଥିବା ବେଳେ ଏବେ ଡିସେମ୍ବର ଶେଷ ସୁଦ୍ଧା ରନୱେରେ ଟ୍ରାଏଲ ରନ୍ ସାରିବା ଲାଗି ଲକ୍ଷ୍ୟ ରଖାଯାଇଛି। ତେଣୁ ନିର୍ଧାରିତ ସମୟ ସୀମା ମଧ୍ୟରେ କାମ ସାରିବାକୁ ଦିନ ରାତି ଏକ କରି ଦେଇଛନ୍ତି, ଠିକାଦର, ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ। ଜୟପୁର ବିମାନ ବନ୍ଦର ତୁଳନାରେ ମାଲକାନଗିରି ବିମାନ ବନ୍ଦରର ଲମ୍ବ ଓ ଓସାର ଅଧିକ । ମାଲାକାନଗିରି ବିମାନ ବନ୍ଦରର ରନୱେର ଲମ୍ବ ୧୬ଶହ ୨୦ ମିଟର ହୋଇଥିବା ବେଳେ ଓସାର ୩୦ ମିଟର। ଆବଶ୍ୟକସ୍ଥଳେ ଏହାକୁ ୩ ହଜାର ମିଟର ବା ୩ କିଲୋମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରେ ବୋଲି ଜଣାପଡ଼ିଛି। ଆଗାମୀ ଦିନ କେଇଟା ମଧ୍ୟରେ ଏଠାରେ ଡିଜିସିଏ ପକ୍ଷରୁ ଟ୍ରାଏଲ ରନ କରାଯିବ ବୋଲି ଜଣାପଡ଼ିଛି। ଜାନୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲାକାନଗିରି ବିମାନ ବନ୍ଦରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।