ରାଜ୍ୟ

ସିର୍ଲା ଜଙ୍ଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ: କମ୍ବିଂ ଅପରେସନ୍ ବେଳେ ବିସ୍ଫୋରଣ, ୨ ଯବାନ ଆହତ

ଫୁଲବାଣୀ/ତୁମୁଡ଼ିବନ୍ଧ: କିଛି ଦିନର ନିରବତା ପରେ କନ୍ଧମାଳ ଜିଲ୍ଲାରେ ପୁଣି ପୁଲିସ ବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ତୁମୁଡ଼ିବନ୍ଧ ଥାନା ସିର୍ଲା ପଞ୍ଚାୟତ କେହେଲିଗୁଡା ନିକଟସ୍ଥ କରୁଗାଡ଼େଙ୍ଗ ଜଙ୍ଗଲରେ ଆଜି ସକାଳୁ ଏସ୍‌ଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ମାଓବାଦୀଙ୍କ ଦ୍ବାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣରେ ଦୁଇଜଣ ଯବାନ ଆହତ ହୋଇଛନ୍ତି। ସେମାନେ ହେଲେ ଅମିୟ ରଞ୍ଜନ ଦାସ ଓ ପ୍ରଶାନ୍ତ କୁମାର ଜେନା। ଅମିୟଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିବାରୁ ବାଲିଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ସେହିପରି ପ୍ରଶାନ୍ତଙ୍କ ହାତ ଓ ଛାତିରେ ଆଘାତ ଲାଗିଛି। ତେବେଉଭୟ ସୁସ୍ଥ ଅଛନ୍ତି ବୋଲି କନ୍ଧମାଳ ଏସ୍‌.ପି.ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି।

ତୁମୁଡ଼ିବନ୍ଧ-ବାଲିଗୁଡ଼ା ଓ କଳାହାଣ୍ଡି ସୀମାନ୍ତ ସିର୍ଲା ଜଙ୍ଗଲରେ ମାଓବାଦୀମାନେ ଆଡ଼ା ଜମାଇଥିବା ସୂଚନା ମିଳିବା ପରେ ପୁଲିସ ଏବଂ ଏସ୍‌ଓଜି ଯବାନଙ୍କ ପକ୍ଷରୁ ଗତକାଲିଠୁ ମିଳିତ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା। ମାଓବାଦୀ ବିଛାଇଥିବା ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ଆହତ ହୋଇଥିଲେ। କନ୍ଧମାଳ ଏସ୍‌.ପି. ଶ୍ରୀ ପାତ୍ର କହିଛନ୍ତି, ସିର୍ଲା ଜଙ୍ଗଲରେ ମାଓବାଦୀଙ୍କ ଗୋଟିଏ ବଡ଼ ଦଳ ଅଛନ୍ତି। ସେମାନଙ୍କ ସଂଖ୍ୟା ୨୦ରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ତେବେ ମାଓବାଦୀ ଏବଂ ପୁଲିସ ବାହିନୀ କେହି ବି ପଛଘୁଞ୍ଚା ଦେଉ ନଥିବାରୁ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଜାରି ରହିଛି। ଆଜି ଠିକ୍‌ ସକାଳ ୯ଟା ସମୟରେ ଜଙ୍ଗଲରେ ଘନ କୁହୁଡ଼ି ହୋଇଥିବା ବେଳେ ଏହି ଆଇଇଡି ବିସ୍ଫୋରଣ ହୋଇଥିଲା। ଏହାପରେ କମ୍ବିଂ ଅପରେସନ୍‌କୁ ଆହୁରି ଜୋରଦାର୍ କରାଯାଇଛି।

ଅନ୍ୟପକ୍ଷରେ ତୁମୁଡ଼ିବନ୍ଧ ବ୍ଲକ୍‌ର ସିର୍ଲା ପଞ୍ଚାୟତର କରୁଗା‌ଡ଼େଙ୍ଗ ଜଙ୍ଗଲ ଘଞ୍ଚ ହୋଇଥିବାରୁ ଏଠାକୁ କେହି ଯିବା ସମ୍ଭବ ହୋଇ ନଥାଏ। ତେଣୁ ମାଓବାଦୀ ଏହି ସ୍ଥାନକୁ ନିରାପଦ ଓ ସୁରକ୍ଷିତ ମଣି କିଛି ଦିନ ହେଲା ଶିବିର କରି ସଂଗଠନକୁ ସକ୍ରିୟ କରିଛନ୍ତି। ଏହାସହ ହିଂସା ଓ ହମ୍‌ଲା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ପୋଷ୍ଟର୍ ଜରିଆରେ ବି ସ୍ଥିତି ଜାହିର୍ କରିଆସୁଛନ୍ତି। ଲାଲ୍‌ବାହିନୀ କନ୍ଧମାଳରେ ସେମାନଙ୍କ ସଂଗଠନକୁ ସକ୍ରିୟ କରିବାରେ ଲାଗିଛନ୍ତି। ଗତବର୍ଷ ମେ’ ମାସ ୧୧ ତାରିଖରେ ଫିରିଙ୍ଗିଆ ବ୍ଲକ୍‌ର ବିଏସ୍‌ଏଫ୍‌ କ୍ୟାମ୍ପ୍‌ ଠାରୁ ମାତ୍ର ୧ କ‌ିମି ଦୂରରେ ପୁଲିସ ଇନ୍‌ଫର୍ମର୍‌ ସନ୍ଦେହରେ ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ମାଓବାଦୀ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରଠୁ ଜିଲ୍ଲାରେ ସେମାନେ ସକ୍ରିୟ ନଥିଲେ।

ବର୍ତ୍ତମାନ କେକେବିଏନ୍‌ ମାଓ ଡିଭିଜନ୍ କନ୍ଧମାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ସକ୍ରିୟ ରହିଛି। ମାଓବାଦୀମାନେ ତୁମୁଡ଼ିବନ୍ଧ, କୋଟଗଡ଼, ବାଲିଗୁଡ଼ା ଓ ଫିରିଙ୍ଗିଆ ଆଦି ସୀମାନ୍ତ ବ୍ଲକ୍‌ର ଘଞ୍ଚ ଜଙ୍ଗଲରେ ଆଡ଼ା ଜମାଇଥିବା ନେଇ ପୁଲିସ ନିକଟରେ ସୂଚନା ରହିଛି। ନିକଟରେ ଗଞ୍ଜେଇ ଚାଷକୁ ସମର୍ଥନ କରି ମାଓବାଦୀମାନେ ଫିରିଙ୍ଗିଆ ବ୍ଲକ୍‌ର ଗୋଛାପଡ଼ା ଓ ବାଲନ୍ଦାପଡ଼ାରେ ପୋଷ୍ଟର୍ ଏବଂ ବ୍ୟାନର୍ ଲଗାଇଥିଲେ। ତେବେ ଆଜିର ଘଟଣା ପରେ ପୁଲିସ ଅଧିକ ତତ୍ପର‌ ହୋଇ ଉଠିଛି। ବିଭିନ୍ନ ସ୍ଥାନରେ ମାଓ ଅପରେସନ୍ କାର୍ଯ୍ୟକୁ ଜୋରଦାର୍ କରାଯାଇଛି।

ଅନ୍ୟପଟେ, ଗତ ସପ୍ତାହରେ ପୁଲିସ ଡିଜି ସୁନୀଲ ବଂଶଲ କନ୍ଧମାଳ ଜିଲ୍ଲା ଗସ୍ତ କରି ମାଓ ଗତିବିଧିର ସମୀକ୍ଷା କରିଥିଲେ। କନ୍ଧମାଳକୁ ସମ୍ପୂର୍ଣ୍ଣ ମାଓମୁକ୍ତ ଜିଲ୍ଲା କରିବାକୁ ଆହ୍ବାନ୍ ଦେଇଥିବା ବେଳେ ତାଙ୍କ ଉପସ୍ଥିତିରେ ଦୁଇଜଣ ହାର୍ଡ଼କୋର୍ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଲାଲବାହିନୀ ଆଜି ଏଭଳି ଆଇଇଡି ହମ୍‌ଲା କରିଥିବା କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।