ରାଜ୍ୟ

ସୁନ୍ଦରଗଡ଼ ପର୍ଯ୍ୟଟନସ୍ଥଳ: ବିଦେଶୀ ପର୍ଯ୍ୟଟକଙ୍କ ପାଦ ପଡୁନି

ରାଉରକେଲା: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସୁନ୍ଦରଗଡ଼ରେ ସ୍ଥାନ ପାଇଛି ୧୩ଟି ପର୍ଯ୍ୟଟନସ୍ଥଳ। ଏଗୁଡ଼ିକ ମଧ୍ୟରେ ରହିଛି ତ୍ରିବେଣୀ ସଙ୍ଗମ ପ୍ରସିଦ୍ଧ ବେଦବ୍ୟାସ ଶୈବପୀଠ, ହେମଗିରି ବ୍ଲକ୍‌ର ଜୁନାଗଡ଼ ଗୁମ୍ଫା, ଲେଫ୍ରିପଡ଼ା ବ୍ଲକର ଉଷାକୋଠୀ, ରାଜଗାଙ୍ଗପୁର ବ୍ଲକର ମନ୍ଦିରା ଡ୍ୟାମ୍‌ ଓ ଘୋଘର ଧାମ, ବଣାଇ ବ୍ଲକର ଖଣ୍ଡାଧାର ଜଳପ୍ରପାତ, ଲହୁଣିପଡା ବ୍ଲକର ଦେଓଧର। ଲାଠିକଟା ବ୍ଲକର ଦର୍ଜିଂ, କୋଇଡ଼ା ବ୍ଲକର ମିରିଗଲୋଟା, କୁଆରମୁଣ୍ଡା ବ୍ଲକର ଆମ୍‌କୋ ସିମ୍‌କୋ ସହିଦ ପୀଠ। ପର୍ଯ୍ୟଟକ ଆଗମନ ସଂଖ୍ୟା ଆଧାରରେ ସରକାର ପର୍ଯ୍ୟଟନସ୍ଥଳଗୁଡ଼ିକୁ ଏ, ବି ଓ ସି, ଏମିତି ତିନିଟି ବର୍ଗ କରିଛନ୍ତି। ଖଣ୍ଡାଧାର ଜଳପ୍ରପାତ ଓ ବେଦବ୍ୟାସ ଶୈବପୀଠକୁ ‘ଏ’, ପିତାମହଲ, ମନ୍ଦିରା ଡ୍ୟାମ୍‌, କୋଇଡାର ମିରିଗଲୋଟା ଓ ଅକ୍ଷୟଶିଳାକୁ ‘ବି’ ବର୍ଗରେ ରଖାଯାଇଛି। ଅନ୍ୟଗୁଡ଼ିକୁ ‘ସି’ ବର୍ଗରେ ରଖାଯାଇଛି। ତେବେ ଅଦ୍ୟାବଧି ମାତ୍ର ୩ଟି ପର୍ଯ୍ୟଟନସ୍ଥଳକୁ ବାଦ୍‌ ଦେଲେ ଅନ୍ୟଗୁଡ଼ିକ ବିକାଶ ଦେଖୁନି। ଆଗାମୀ ଦିନରେ ଦେଖିବ କି ନାହିଁ ସନ୍ଦେହ।

ବର୍ଷ ବର୍ଷ ଧରି ବିକାଶ ହେଉ ନଥିବାରୁ ପର୍ଯ୍ୟଟକ ମୁହଁ ମୋଡୁଛନ୍ତି। ଅନ୍ୟ ରାଜ୍ୟର ପର୍ଯ୍ୟଟକ ଆସିବା ତ ଦୂରର କଥା, ସୁନ୍ଦରଗଡ଼ର ପର୍ଯ୍ୟଟକ ମଧ୍ୟ ଯାଉନାହାନ୍ତି। ଏବେ ପୁଣି ବିଶ୍ରା ବ୍ଲକର ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତର ଅକ୍ଷୟଶୀଳା ଓ ଗୁରୁଣ୍ଡିଆ ବ୍ଲକର ବାଦଲଗିରି ଜଳପ୍ରପାତକୁ ସାମିଲ କରାଯାଇଛି। ବର୍ଷକୁ ବର୍ଷ ଜିଲ୍ଲାରେ ପର୍ଯ୍ୟଟନସ୍ଥଳ ତାଲିକା ଲମ୍ବୁଛି। ହେଲେ ସରକାର ସୌନ୍ଦର୍ଯ୍ୟକରଣକୁ ପାସୋରି ଯାଉଛନ୍ତି। ଫଳରେ ରାଉରକେଲା ଓ ସୁନ୍ଦରଗଡ଼କୁ ବାଦ୍‌ଦେଲେ ଅନ୍ୟ କୌଣସି ଗୋଟିଏ ହେଲେ ବି ପର୍ଯ୍ୟଟନସ୍ଥଳରେ ଜଣେ ହେଲେ ବି ବିଦେଶୀ ପର୍ଯ୍ୟଟକଙ୍କ ପାଦ ପଡ଼ିନି। କେବଳ ରାଉରକେଲାକୁ ଗତ ୨୦୨୦ରେ ୧୧୮, ୨୦୨୧ରେ ୨୨୫ ଓ ୨୦୨୨ରେ ୭୮୬ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ଏମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ଜିଲ୍ଳାର ଅନ୍ୟ ପର୍ଯ୍ୟଟନସ୍ଥଳକୁ ବୁଲିବାକୁ ଯାଇନାହାନ୍ତି। ସେପଟେ ବେଦବ୍ୟାସ ଶୈବପୀଠରେ ସୌନ୍ଦର୍ଯ୍ୟକରଣରେ ସ୍ମାର୍ଟସିଟି ୧୪ କୋଟି ୯୩ ଲକ୍ଷ, ଗତ ୨୦୧୯-୨୦ରେ ପର୍ଯ୍ୟଟନ ବିଭାଗ ୧ କୋଟି ୫୦ ଲକ୍ଷ ଖର୍ଚ୍ଚ କରାଯାଇଛି। ଏବେ ପୁଣି ରାଜ୍ୟ ସରକାର ୧୪ କୋଟି ୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ବେଦବ୍ୟାସ ପୀଠରେ ବିକାଶ ପାଇଁ ପାଣି ବୋହିଲା ପରି ଟଙ୍କା ଖର୍ଚ୍ଚ କରାଯାଉଛି।

ଆଜି ପର୍ଯ୍ୟନ୍ତ ମୁଖ୍ୟଶାଳା ସେମିତି ଅଧପରନ୍ତିଆ ‌ହୋଇରହିଛି। ଖଣ୍ଡାଧାର ଜଳପ୍ରପାତର ସୌନ୍ଦର୍ଯ୍ୟକରଣ ପାଇଁ ୨୦୧୯-୨୦ରେ ୫୦ ଲକ୍ଷ, ୨୦୨୦-୨୧ରେ ୪ କୋଟି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସେମିତି ପିତାମହଲ ଡ୍ୟାମ୍‌ର ସୌନ୍ଦର୍ଯ୍ୟକରଣ ଓ ବୋଟିଂ ବ୍ୟବସ୍ଥା ପାଇଁ ୪ କୋଟି ଖର୍ଚ୍ଚ ହେବ ବୋଲି କୁହାଯାଉଛି। କେବେ କାମ ଆରମ୍ଭ ହେବ, ବିଭାଗୀୟ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ। ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୨୨ରେ ଜୁନାଗଡକୁ ୨୧, ୧୮୫, ବେଦବ୍ୟାସକୁ ୨୭ ହଜାର ୨୦୬, ଉଷାକୋଠୀକୁ ୨୬, ୧୪୭, ମନ୍ଦିରା ଡ୍ୟାମ୍‌କୁ ୭୮,୫୦୮, ଖଣ୍ଡାଧାର ଜଳପ୍ରପାତକୁ ୧ ଲକ୍ଷ ୨ହଜାର ୪୭୫ ପର୍ଯ୍ୟଟକ ଆସିଛନ୍ତି। ଦେଓଧରକୁ ୩୧, ୭୦୪, ଘୋଘର ଧାମକୁ ୧ ଲକ୍ଷ ୮ ହଜାର ୪୩, ଦର୍ଜିଂକୁ ୩୫, ୯୨୩, ମିରିଗଲୋଟାକୁ ୨୩, ୧୦୭, ଛତ୍ରୀହିଲକୁ ୧୨, ୭୭୪, ଆମ୍‌କୋ ସିମ୍‌କୋକୁ ମାତ୍ର ୪, ୩୯୭ ପର୍ଯ୍ୟଟକ ଆସିଛନ୍ତି। ସରକାର ଜିଲ୍ଲାର କେବଳ ତିନିଟି ନୁହେଁ ଅନ୍ୟ ପର୍ଯ୍ୟଟନସ୍ଥଳର ବିକାଶ ନ କଲେ, ତା’ କେବଳ ମାନ୍ୟତାରେ ରହିଯିବ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନିରଞ୍ଜନ ମହାପାତ୍ର କହିଛନ୍ତି, ବର୍ଗ ଅନୁଯାୟୀ ସରକାର ବିକାଶ କରୁଛନ୍ତି। ବିଭାଗ ପକ୍ଷରୁ ସରକାରଙ୍କୁ ବିକାଶ କରିବାକୁ ପ୍ରସ୍ତାବ ଦିଆଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।