ରାଜ୍ୟ

ଜୁଏଲ୍‌ଙ୍କୁ ଟକ୍କର ଦେବ କିଏ?

ସୁନ୍ଦରଗଡ଼: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଲାଣି। କେଉଁ ଦଳରେ କିଏ ପ୍ରାର୍ଥୀ ହେବ, କାହାର ପଲା ଭାରି ରହିବ, କାହାକୁ ବାଛିବେ ଭୋଟର। କିଏ ଯିବ ପଲ୍ଲୀରୁ ଦିଲ୍ଲୀ। ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଦିବାସୀଙ୍କ ପାଇଁ ସଂରକ୍ଷିତ ଏହି ଆସନ ରାଜ୍ୟର ଅନ୍ୟତମ ବଡ଼ ଲୋକସଭା କ୍ଷେତ୍ର ଭାବେ ଗଣାଯାଏ। ୭ଟି ବିଧାନସଭା ସୁନ୍ଦରଗଡ଼, ତଳସରା, ରାଜଗାଙ୍ଗପୁର, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ବଣାଇ ବିଧାନସଭାକୁ ନେଇ ଗଠିତ ଏହି ଲୋକସଭାରେ ପ୍ରତି ନିର୍ବାଚନରେ କଡ଼ା ଟକ୍କର ହୁଏ। ସ୍ବାଧୀନତା ପରେ ୧୯୫୧ରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ କଂଗ୍ରେସର ଶିବ ନାରାୟଣ ସିଂ ମହାପାତ୍ର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରଠାରୁ ଆସନଟି କଂଗ୍ରେସ ଖାତାରେ ହିଁ ରହିଥିଲା। ୧୯୯୮ରୁ ଏହାକୁ କଂଗ୍ରେସ ହାତରୁ ଛଡ଼ାଇ ନେଇଥିଲା ବିଜେପି। ବିଜେପିର ଟାଣୁଆ ଆଦିବାସୀ ଚେହେରା ଜୁଏଲ ଓରାମ ନିର୍ବାଚିତ ‌ହୋଇ ବହୁବାର କେନ୍ଦ୍ରରେ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। କେବଳ ୨୦୦୯ରେ ଥରେ ମାତ୍ର ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଜୁଏଲଙ୍କୁ ପରାଜୟର ମୁହଁ ଦେଖାଇଥିଲେ। ତା ପରଠାରୁ ଜୁଏଲଙ୍କୁ ସୁନ୍ଦରଗଡ଼ ଭୋଟର ପ୍ରଥମ ପସନ୍ଦ ଭାବେ ନିର୍ବାଚିତ କରି ଆସୁଛନ୍ତି। ୨୦୧୪ରେ ଜୁଏଲଙ୍କୁ କଡ଼ା ଟକ୍କର ଦେଇଥିଲେ ହକି ମହାନାୟକ ବିଜେଡି ପ୍ରାର୍ଥୀ ଦିଲୀପ ତିର୍କୀ। ଏହି ନିର୍ବାଚନରେ ମାତ୍ର ୧୪ ହଜାର ଭୋଟରେ ଜୁଏଲ ବିଜୟୀ ହୋଇଥିଲେ। ଦିଲୀପଙ୍କ ଲୋକପ୍ରିୟତା ସତ୍ତ୍ବେ ଦଳ ତାଙ୍କୁ ୨୦୧୯ରେ ପ୍ରାର୍ଥୀ ନକରି ହେମାନନ୍ଦ ବିଶ୍ବାଳଙ୍କ ବଡ଼ ଝିଅ ସୁନିତା ବିଶ୍ବାଳଙ୍କ ଉପ‌ରେ ଭରସା କରିଥିଲା। ହେଲେ ଦୁର୍ବଳ ରଣନୀତି ଓ ହଠାତ ବିଜେଡିରେ ସାମିଲ ହୋଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ସୁନିତାଙ୍କୁ ଗ୍ରହଣ କରି ନଥିଲେ ସୁନ୍ଦରଗଡ଼ର ଭୋଟର୍‌। ଯାହାର ଫାଇଦା ଯାଇଥିଲା ଜୁଏଲଙ୍କ ପାଖକୁ। ଏହା ସହ ମୋଦୀ ଲହର ତାଙ୍କୁ ରେକର୍ଡ ସଂଖ୍ୟକ ଭୋଟ୍‌ ୨ ଲକ୍ଷ ୨୩ ହଜାର ବ୍ୟବଧାନରେ ବିଜୟୀ କରାଇଥିଲା। ଏବେ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ସବୁ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରି ଦେଇଛନ୍ତି।

ବିଜେପି ସିରିଜ ବିଜୟୀ ଓ ୨୦୧୯ର ରେକର୍ଡ ଭୋଟରେ ଜିତିଥିବା ଜୁଏଲଙ୍କୁ ପୁଣି ଥରେ ପ୍ରାର୍ଥୀ କରିବା ପ୍ରାୟତଃ ନିଶ୍ଚିତ ମନେ ହୁଏ। ହେଲେ ଚର୍ଚ୍ଚାରେ ଥିବା ଜଣେ ଆଦିବାସୀ ନେତ୍ରୀ ଲୋକସଭା ଯିବାକୁ ମନ ବଳାଇଥିବା ଓ ଏ ନେଇ ଲବି ଲଗାଇଥିବା ଶୁଣିବାକୁ ମିଳୁଛି। ସେହିପରି ବିଜୁ ଜନତା ଦଳ ପୁଣିଥରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି। କାରଣ ଦିଲୀପଙ୍କ ବ୍ୟତୀତ ଜୁଏଲ୍‌ଙ୍କୁ ଟକ୍କର ଦେବା ଭଳି ଆଉ କୌଣସି ଚେହେରା ବିଜେଡି ଶିବିରରେ ଦେଖାଯାଉ ନାହିଁ। ଅନ୍ୟପଟେ କଂଗ୍ରେସ ବଣାଇଁର ପୂର୍ବତନ ବିଧାୟକ ତଥା ଏବେକାର ଜିଲ୍ଲା ସଭାପତି ଜନାର୍ଦ୍ଦନ ଦେହୁରୀଙ୍କୁ ପ୍ରାର୍ଥୀ କରିପା‌ରେ। ଜୁଏଲଙ୍କ ଘର ବଣାଇରେ ହୋଇଥିବାରୁ ଜନାର୍ଦ୍ଦନ ହିଁ ତାଙ୍କୁ ରୋକିବାରେ ସଫଳ ହେବେ ବୋଲି ଦଳ ଆଶା ରଖିଛି। ସୁନ୍ଦରଗଡ଼ ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ସୁନ୍ଦରଗଡ଼, ତଳସରା ଓ ବୀରମିତ୍ରପୁର ଆଦି ୩ଟି ଆସନ ବିଜେପି ହାତରେ ଥିବାବେଳେ ବିଜେଡି ହାତରେ ରଘୁନାଥପାଲି ଓ ରାଉରକେଲା, କଂଗ୍ରେସ ପାଖରେ ରାଜଗାଙ୍ଗପୁର, ସିପିଆଇ ଖାତାରେ ବଣାଇ ରହିଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ଚର୍ଚ୍ଚାରେ ଥିବା ଜୁଏଲ, ଦିଲୀପ ଓ ଜନାର୍ଦ୍ଦନ ଯଦି ସତକୁସତ ଲୋକସଭା ପ୍ରାର୍ଥୀ ହୁଅନ୍ତି, ତାହେଲେ ସୁନ୍ଦରଗଡ଼ରେ ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।