ରାଜ୍ୟ

କଂଗ୍ରେସ ନେତାଙ୍କୁ ଉତ୍ସାହିତ କଲେ ଖଡ଼ଗେ ଓ ରାହୁଲ: ଦୁର୍ନୀତିକୁ ପ୍ରସଙ୍ଗ କରିବେ, ବିଜେଡି ଓ ବିଜେପିକୁ ଘେରିବେ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ଓ ଏକସଙ୍ଗେ ହେଉଥିବା ଓଡ଼ିଶାର ବିଧାନସଭା ନିର୍ବାଚନ ପାଇଁ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଛନ୍ତି ଓଡ଼ିଶାର କଂଗ୍ରେସ ନେତା। ଆଜି ୨୪ ଆକବର ରୋଡ୍‌ରେ ଥିବା ଏଆଇସିସି ମୁଖ୍ୟାଳୟରେ ଓଡ଼ିଶାର ୨୭ ନେତା ପହଞ୍ଚିଥିଲେ। ଦଳର ଅଧ୍ୟକ୍ଷ ଶ୍ରୀ ଖଡଗେ, ରାହୁଲ ଗାନ୍ଧୀ ସମେତ ଅନ୍ୟ ଜାତୀୟସ୍ତରର ନେତାଙ୍କୁ ଭେଟି ପ୍ରାୟ ୩ ଘଣ୍ଟା ଆଲୋଚନା କରିଥିଲେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାରେ, ଏହି ସାକ୍ଷାତରେ ଆଗାମୀ ନିର୍ବାଚନ, ଓଡ଼ିଶାରେ କଂଗ୍ରେସର ସ୍ଥିତି, ଦଳର ପ୍ରସ୍ତୁତି ସମ୍ପର୍କରେ ଖଡଗେ ଓ ରାହୁଲ ପଚାରି ବୁଝିଥିଲେ। ତେବେ ଓଡ଼ିଶାର ନେତାମାନେ ରାଜ୍ୟରେ ସାଂଗଠନିକ କାର୍ଯ୍ୟରେ ଅସନ୍ତୋଷ ପ୍ରକଟ କରିଥିଲେ। ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ଦଳ ସାଂଗଠନିକ ଭାବେ ସେଭଳି ସୁଦୃଢ଼ ହୋଇପାରିନାହିଁ ବୋଲି ଶ୍ରୀଖଡ୍‌ଗେ ଓ ରାହୁଲ ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସହ ନିର୍ବାଚନ ଯାଏଁ ଦଳର ବଡ଼ନେତା ରାଜ୍ୟଗସ୍ତ କରିବାକୁ ଅନୁରୋଧ କରିଥିବା ଜଣାଯାଇଛି। ଦଳର ନେତାଙ୍କ ଏଭଳି ହତୋତ୍ସାହ ଦେଖି ଶ୍ରୀଖଡ୍‌ଗେ ସେମା‌ନଙ୍କୁ ଉତ୍ସାହ ଦେଇଥିଲେ। ରାଜ୍ୟରେ ଦଳ ପ୍ରାୟ ୨୫ ବର୍ଷ ଧରି କ୍ଷମତା ନଥିବାରୁ ରାଜ୍ୟରେ ସରକାରୀ ବିରୋଧୀ ହାଵା ରହିଛି ଓ ଏକ ବିକଳ୍ପ ଦଳ ଭାବେ କଂଗ୍ରେସ ଏଥିରୁ ଲାଭାନ୍ବିତ ହେବ ବୋଲି କହିଥିଲେ। ଦଳ କାହିଁକି ଦୁର୍ବଳ ହୋଇଛି ତା’ର କାରଣ ଖୋଜି ମିଳିମିଶି ଏକ ମିସନ ଆଭିମୁଖ‌୍ୟରେ କାମ କରିବାକୁ ପରାମର୍ଶ ଦେଇଥିଲେ।

ରାହୁଲ ଗାନ୍ଧୀ ରାଜ୍ୟରେ ଦଳର ଭୋଟ ପ୍ରତିଶତ ହାର କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଗଭୀର ଚିନ୍ତା ବ୍ୟକ୍ତ କରିଥିବା ଜଣାଯାଇଛି। ୨୦୨୪ ନିର୍ବାଚନରେ ଦଳ ନିଜର ଭୋଟ ହାର ୧୬ ପ୍ରତିଶତ ଠାରୁ ବଢ଼ାଇବାକୁ ଆବଶ୍ୟକ ପ୍ରସ୍ତୁତି ଓ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବିଜେପି-ବିଜେଡିର ଭିତିରିଆ ସମ୍ପର୍କ, ଦୁର୍ନୀତି, ଦରବୃଦ୍ଧି, ବେକାରୀ, ଦାଦନ ପ୍ରସଙ୍ଗରେ ରାଜ୍ୟରେ ରାଜନୈତିକ ଅଭିଯାନ ଚଳାଇବାକୁ ସେ ପରାମର୍ଶ ଦେଇଥିଲେ। ତେଲେଙ୍ଗାନାରେ କଂଗ୍ରେସର ବିଜୟକୁ ନମୁନା ଭାବେ ନେଇ ଓଡ଼ିଶାରେ ଅନୁରୂପ ପ୍ରସ୍ତୁତି କରିବାକୁ ରାହୁଲ କହିଥିଲେ। ଦଳର ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଳ ନିଜ ପ୍ରତିକ୍ରିୟାରେ ବ୍ୟକ୍ତି ଅପେକ୍ଷା ସଂଗଠନକୁ ଅଧିକ ଗୁରୁତ୍ବ ଦେଇ କାମ କରିବାକୁ ପରାମର୍ଶ ଦେଇଥିଲେ। ବୈଠକ ପରେ ରାଜ୍ୟ ପ୍ରଭାରୀ ଏ ଚେଲ୍ଲାକୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ନିକଟରେ ଦଳ ବିଜୁଳି ବିଭାଗର ୨୦ ହଜାର କୋଟି ଟଙ୍କାର ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିଲା। ଏଭଳି ଏକାଧିକ ଦୁର୍ନୀତି ପ୍ରସଙ୍ଗକୁ ଲୋକଲୋଚନକୁ ଆଣି ରାଜ୍ୟର ଶାସକ ଦଳକୁ ଘେରିବାକୁ ଚେଷ୍ଟା କରିବ। ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରି କିଭଳି ସରକାର ଗଠନ କରିବ ସେନେଇ ଆଲୋଚନା ହୋଇଛି। ରାଜ୍ୟର ଦୁର୍ନୀତିକୁ ପ୍ରସଙ୍ଗ କରାଯାଇ ଉଭୟ ବିଜେଡି ଓ ବିଜେପି ବିରୋଧରେ ଅଭିଯାନ ଆରମ୍ଭ କରିବ। ଆଜିର ଏହି ସାକ୍ଷାତ ଆଲୋଚନାରେ ଦଳର ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତ ଚରଣ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ‌ଦଳ ନେତା ନରସିଂହ ମିଶ୍ର, ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପ୍ରଦେଶ କିଶାନ କମିଟି ସଭାପତି ଅମୀୟ ପଟ୍ଟନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଅପରପକ୍ଷରେ, ବିଜେପି ର ରାଜ୍ୟ ସଭାପତି ମନମୋହନ ସାମଲ ତଥା ବିଜେପିର ବିଧାୟକମାନେ ବର୍ତମାନ ଦିଲ୍ଲୀରେ ଡେରା ପକାଇଛନ୍ତି। ସୂତ୍ରରୁ ଜଣାଯାଇଛି ଯେ ଓଡିଶାର ବିଜେପି ସାଂସଦ ଓ ବିଧାୟକମାନଙ୍କର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ, ବିଜେପରି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାକ୍ଷାତ ପାଇଁ ସମୟ ମାଗିଥିଲେ। ହେଲେ ବର୍ତ୍ତମାନ ସଂସଦର ଶୀତକାଳୀନ ଅଧି‌ବେଶନ ଜାରି ରହିଥିବାରୁ ସାକ୍ଷାତ ପାଇଁ ସମୟ ମିଳିପାରିନାହିଁ। ଆଜି ବିଜେପିର ବିଧାୟକ ସାଂସଦ ପ୍ରତାପ ଷଢଙ୍ଗୀଙ୍କ ବାସଭବନରେ ମଧ୍ୟାହ୍‌ଣ ଭୋଜନ କରିଥିଲେ। ସାଂସଦ ଜୁଏଲ ଓରାମଙ୍କ ବାସଭବନରେ ରାତ୍ରିଭୋଜନ କରିବେ ବୋଲି ଜଣାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।