ରାଜ୍ୟ

ଶୀତରେ ଥରୁଛି ସାରା ଓଡ଼ିଶା: ୫ ଡିଗ୍ରିକୁ ଖସିଲା ପାରଦ

ଭୁବନେଶ୍ବର: ଶୀତର ଚାଦର ତଳେ ସାରା ଓଡ଼ିଶା। ଉତ୍ତରରୁ ଉପାନ୍ତ ଅଥବା ଉପକୂଳ, ସବୁଠି ପାରଦ ତଳ ମୁହାଁ ହୋଇଥିବାରୁ ଥଣ୍ଡାରେ ଥରୁଛି ଓଡ଼ିଶା। ରାତିର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରି ତଳକୁ ଖସି ଆସିଛି। ୧୪ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରହିଛି। ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଗତକାଲି ରାତିରେ ୫ ଡିଗ୍ରି ରେକର୍ଡ ‌କରାଯାଇଛି। ଯେତେବେଳେ କି ଫୁଲବାଣୀରେ ୭ ଡିଗ୍ରି, ସୁନ୍ଦରଗଡ଼ ଜିଲ୍ଲାର କି‌ରେଇରେ ୭.୫, ଅନୁଗୁଳ ଓ କୋରାପୁଟରେ ୮, ସେମିଳିଗୁଡ଼ାରେ ୮.୪, ଦାରିଙ୍ଗବାଡ଼ିରେ ୮.୫, କେନ୍ଦୁଝର ଓ ରାଉରକେଲାରେ ୮.୬, ସୁନ୍ଦରଗଡ଼ରେ ୮.୮, ଭବାନୀପାଟଣାରେ ୮.୯, ଭଦ୍ରକର ରାଣୀତାଲରେ ୯, ଝାରସୁଗୁଡ଼ାରେ ୯.୨ ଓ ସୋନପୁର ସହରରେ ୧୦ ଡିଗ୍ରି ରହିଥିଲା।

କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି, ଫୁଲବାଣୀ, ଦାରିଙ୍ଗିବାଡ଼‌ି ବ୍ୟତୀତ ରାଇକିଆ, ବ୍ରାହ୍ମଣୀଗାଁ, ଦାସିଂବାଡ଼ି, କୋଟଗଡ଼, ସୁବର୍ଣ୍ଣଗିରି, ବେଲଘର, ତୁମୁଡ଼ିବନ୍ଧ ଓ ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ଜଣାପଡ଼ିଛି। କନ୍ଧମାଳ, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳରେ ରାତିର ତାପମାତ୍ରା କମ୍‌ ରହୁଥିବା ବେଳେ ପାହାଡ଼ିଆ ଦୁର୍ଗମ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। କେତେକ ସ୍ଥାନରେ କୁହୁଡ଼ି ପାଇଁ ସକାଳ ୯ଟା ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ପଡୁ ନାହିଁ। କଟକ ଓ ଭୁବନେଶ୍ବରରେ ପାରଦ ସର୍ବନିମ୍ନ ସ୍ତର ୧୩ ଡିଗ୍ରିକୁ ଖସି ଆସିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟର ପାଗ ମୁଖ୍ୟତଃ ଖୁଖିଲା ରହିଥିଲା। କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର ଓ କୋରାପୁଟରେ କୁହୁଡ଼ି ପଡ଼ିଛି ଏବଂ ଆସନ୍ତା ୩ ଦିନ ଯାଏ ଜାରି ରହିବ। ସବୁଠି ପାରଦ ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରି କମ୍‌ ରହିଛି। ‌୨୩ ଓ ୨୪ ତାରିଖରେ ତାପମାତ୍ରାରେ ସାମାନ୍ୟ ଏପାଖ ସେପାଖ ହୋଇପାରେ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ‌ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ କିଛିଦିନ ହେଲା ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରହୁଛି। ତେବେ କେନ୍ଦ୍ରୀୟ ଉପକୂଳ, ମାଲକାନଗିରି, ଅାଭ୍ୟନ୍ତରୀଣ ଗଞ୍ଜାମ, ରାୟଗଡ଼ା ଓ ଗଜପତିର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଅପେକ୍ଷାକୃତ କମିଛି। ଏଠି ସ୍ବାଭାବିକଠାରୁ ୧.୫ ଡିଗ୍ରିରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। ଆସନ୍ତା ଗୁରୁବାର ଓ ଶୁକ୍ରବାର ରାତିରେ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ହେତୁ ଶୀତ କମିବ। ନବରଙ୍ଗପୁରଠାରୁ ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଗୁରୁବାର ଓ ଶୁକ୍ରବାରର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ବଢ଼ିପାରେ। ତେବେ ଶନିବାର ରାତିରେ ପୁଣିଥରେ ପ୍ରାୟ ୨ ଡିଗ୍ରି କମିବା ସହ ପରବର୍ତ୍ତୀ ୩ ଦିନ ଅପରିବର୍ତ୍ତିତ ରହିବ। ଭୁବନେଶ୍ବର, ପୁରୀ, କଟକରେ ଗୁରୁବାର ରାତିରୁ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇ ରବିବାର ସୁଦ୍ଧା ୨ ଡିଗ୍ରି ବଢ଼ିବ। ୨୪ରୁ ୨୬ ତାରିଖ ମଧ୍ୟରେ ଉପକୂଳରେ ହାଲୁକା କୁହୁଡ଼ି ହେବାର ସମ୍ଭାବନା ରହିଛି। ଉତ୍ତର-ପୂର୍ବ ଓଡ଼ିଶାରେ ଶୁକ୍ରବାର ଓ ଶନିବାର ମଧ୍ୟ କୁହୁଡ଼ି ହୋଇପାରେ। ବର୍ତ୍ତମାନ ପାଗରେ ଗେଣ୍ଡୁ, ମଟର, ସୋରିଷ ଆଦି ଫସଲରେ ପାଉଁସିଆ ରୋଗ ହେବାର ସମ୍ଭାବନା ରହିଥିବାରୁ ଏହାର ଦମନ ପାଇଁ ଅନୁମୋଦିତ ଔଷଧ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।