ରାଜ୍ୟ

ବାପା କାଖରୁ ଶିଶୁପୁତ୍ରକୁ ଛଡ଼ାଇନେବା ଘଟଣା: ବାପା ରଚିଥିଲା ପୁଅ ଅପହରଣ ନାଟକ

ଚନ୍ଦ୍ରଶେଖରପୁର: ଗତକାଲି ପଟିଆ ଷ୍ଟେସନ ବଜାରରୁ ନାଟକୀୟ ଢଙ୍ଗରେ ବାପା କାଖରୁ ବର୍ଷକର ଶିଶୁପୁତ୍ରକୁ ଅପହରଣ ମାମଲାର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ। ନାଟକର ନାୟକ ଖୋଦ ବାପା ତଥା ଅପହରଣ ମାମଲାର ଅଭିଯୋଗକାରୀ ସୁବ୍ରତ ସେଠୀ(୨୩)ର ସୁଚିନ୍ତିତ ଯୋଜନା ଶେଷରେ ଭଣ୍ଡୁର ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନା ପୁଲିସ କଟକ ମଧୁପାଟଣା ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଅପହରଣରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଶିଶୁପୁତ୍ରର ବାପା ସୁବ୍ରତ ସେଠୀ(୨୩), ଶିଶୁପୁତ୍ରଟିର ମା’ଙ୍କ ପ୍ରଥମ ସ୍ବାମୀ ବିଷ୍ଣୁଚରଣ ପୃଷ୍ଟି(୪୨), ଶିଶୁକୁ ସବୁଦିନ ପାଇଁ ରଖିବାକୁ ଯୋଜନା କରିଥିବା ସରୋଜ କୁମାର ମହାନ୍ତି(୫୫) ଓ ଅପହରଣ ପାଇଁ କାର୍‌ ଯୋଗାଡ଼ କରିଥିବା ଓ ଶିଶୁପୁତ୍ର ଦେଣନେଣରେ ମଧ୍ୟସ୍ଥତା କରିଥିବା ବ୍ରଜକିଶୋର ନାଥ(୪୮)। ୪ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ଉଭୟ ଶିଶୁପୁତ୍ର ଓ ତା’ ମା’ଠାରୁ ମୁକୁଳିବାକୁ ଯୋଜନା କରି ସୁବ୍ରତ ଏଭଳି ନାଟକ ରଚନା କରିଥିଲା ବୋଲି ପୁଲିସ ନିକଟରେ ସ୍ବୀକାର କରିଛି। ସେହିଭଳି ସ୍ତ୍ରୀକୁ ଫେରି ପାଇବା ଆଶାରେ ପ୍ରଥମ ସ୍ବାମୀ ବିଷ୍ଣୁ ଏହି ଷଡ଼୍‌ଯନ୍ତ୍ରରେ ସୁବ୍ରତ ସହ ହାତ ମିଳାଇଥିବା ମଧ୍ୟ ମାନିଯାଇଛି। ଆଜି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅପହରଣ ନାଟକ ବାବଦରେ ସୂଚନା ଦେଇଛନ୍ତି। ଘଟଣାର ଅନ୍ତରାଳେ: ସୁବ୍ରତ, ବିଷ୍ଣୁ ଓ ବ୍ରଜ ଢେଙ୍କାନାଳ ଭୁବନ ଅଞ୍ଚଳରେ ବନ ବିଭାଗ ପରିଚାଳିତ ଏକ କରତକଳରେ ଶ୍ରମିକ ଓ ମିସ୍ତ୍ରି ଭାବେ କାମ କରୁଥିଲେ। ବିଷ୍ଣୁ ୨୦୦୯ ମସିହାରୁ ଚନ୍ଦକା ଅନ୍ଧାରୁଆ ଅଞ୍ଚଳରେ ଶାନ୍ତିଲତା ମହାରଣାଙ୍କୁ ବିବାହ କରିଥିଲା ଏବଂ ସେମାନଙ୍କର ଏକ ପୁଅ ମଧ୍ୟ ଥିଲା। କିନ୍ତୁ ପରେ ଶାନ୍ତିଲତା ଓ ସୁବ୍ରତ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଏବଂ ଦୁଇ ବର୍ଷ ତଳେ ଶାନ୍ତିଲତାଙ୍କୁ ଧରି ସୁବ୍ରତ ଭୁବନେଶ୍ବର ଚାଲିଆସିଥିଲା। ବିଧିବଦ୍ଧ ଭାବେ ସେମାନଙ୍କ ବିବାହ ହୋଇନଥିଲେ ମଧ୍ୟ ବର୍ଷକ ତଳେ ଶାନ୍ତିଲତା ପୁଣି ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। କିନ୍ତୁ ଏହା ଭିତରେ ସୁବ୍ରତ ଓ ଶାନ୍ତିଲତାଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା।

ଶାନ୍ତିଲତାଙ୍କୁ ଛାଡ଼ି ସୁବ୍ରତ ନିଜ ପରିବାର ସହମତିରେ ଅନ୍ୟତ୍ର ବିବାହ କରି ଘରସଂସାର କରିବ ବୋଲି ଚିନ୍ତା କରିଥିଲା। ମାତ୍ର ଶିଶୁପୁତ୍ରଟି ଥିଲା ବାଧକ। ବଡ଼ କଥା ହେଉଛି ସୁବ୍ରତ ମନରେ ଥିବା ଏଭଳି କୁତ୍ସିତ କଥା ବାବଦରେ ଶାନ୍ତିଲତାକୁ ତିଳେ ମାତ୍ର ଜଣାନଥିଲା। ଏହା ଭିତରେ ଶାନ୍ତିଲତାଙ୍କ ପ୍ରଥମ ସ୍ବାମୀ ବିଷ୍ଣୁ ଓ ସୁବ୍ରତ ମଧ୍ୟରେ ପୁଣି ସମ୍ପର୍କ ଯୋଡ଼ିହେଲା। ଶାନ୍ତିଲତାଙ୍କୁ ଫେରାଇ ନେବାକୁ ବ୍ୟାକୁଳ ଥିବା ବିଷ୍ଣୁ କିନ୍ତୁ ଶିଶୁପୁତ୍ରକୁ ନେବାକୁ ଅମଙ୍ଗ ହୋଇଥିଲା। ତେଣୁ ସେମାନେ ଶିଶୁପୁତ୍ରକୁ ଅନ୍ୟ କାହା ହାତରେ ଟେକିଦେବାକୁ ମସୁଧା କରିଥିଲେ। ଏଥିରେ ମଧ୍ୟସ୍ଥତା କରିଥିଲା ବ୍ରଜ। କଟକ ମଧୁପାଟଣାର ସରୋଜ ଛୁଆଟିଏ ଖୋଜୁଥିବା ବ୍ରଜ ଜାଣିଥିଲା। ତେଣୁ ସେମାନେ ସରୋଜଙ୍କ ସହ ଯୋଗାଯୋଗ କରିଥିଲେ। ଶାନ୍ତିଲତାଙ୍କ ଜାଣତରେ ଏସବୁ ଅସମ୍ଭବ ଥିଲା। ତେଣୁ ସୁବ୍ରତ ନାଟକ ରଚନା କରିଥିଲା ଏବଂ ସମସ୍ତେ ରାଜି ହୋଇଥିଲେ। ଯୋଜନାନୁସାରେ ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ସୁବ୍ରତ ପୁଅକୁ ଧରି ପଟିଆ ଷ୍ଟେସନ ବଜାରକୁ ଆସିଥିଲା ଏବଂ ପୂର୍ବ ପ୍ରସ୍ତୁତି ଅନୁସାରେ ସରୋଜ, ବିଷ୍ଣୁ ଓ ବ୍ରଜ କାର୍‌ରେ ସେଠାରେ ପହଞ୍ଚି ଶିଶୁପୁତ୍ରକୁ ନେଇ ପଳାଇଥିଲେ।
ନାଟକର ଯବନିକା ପଡ଼ିଲା କେମିତି?

ପୁଅକୁ ସେମାନଙ୍କ ହାତରେ ଟେକି ଦେଇ ସୁବ୍ରତ ଘରକୁ ଧାଇଁ ଧାଇଁ ଆସିଥିଲା। ଶାନ୍ତିଲତାଙ୍କୁ ଅପହରଣ କଥା କହିଥିଲା। କାର୍‌ ନମ୍ବର କେମିତି ମନେରଖିଲ ନାହିଁ ବୋଲି ଶାନ୍ତିଲତା ପଚାରିବାରୁ ସୁବ୍ରତ ଏଣୁତେଣୁ କହି ଭୁଆଁ ବୁଲାଇଥିଲା। ସେମାନେ ମଞ୍ଚେଶ୍ବର ଥାନାକୁ ଯାଇ ଅଭିଯୋଗ କରିବା ପରେ ପୁଲିସ ମଧ୍ୟ ସୁବ୍ରତର କଥାକୁ ନେଇ ସନ୍ଦେହ କରିଥିଲା। ଗୋଟିଏ ପଟେ ପୁଲିସ ଟିମ୍‌ କାର୍‌କୁ ଠାବ କରିବାକୁ ଲାଗିପଡ଼ିଥିବା ବେଳେ ଅନ୍ୟ ଏକ ଟିମ୍‌ ସୁବ୍ରତର ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କରିବା ଜାରି ରଖିଥିଲା। ଅପହରଣକାରୀମାନଙ୍କ ପକ୍ଷରୁ କୌଣସି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିବା ସମ୍ଭାବନା ଥିବାରୁ ପୁଲିସ ସୁବ୍ରତର ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କରୁଥିଲା। ଏହା ଭିତରେ ସୁବ୍ରତ ବାରମ୍ବାର କଥା ହୋଇଥିବା ବିଷ୍ଣୁ, ବ୍ରଜ ଓ ସରୋଜଙ୍କ ନମ୍ବରକୁ ନେଇ ପୁଲିସର ସନ୍ଦେହ ହୋଇଥିଲା। ତେଣୁ ପୁଲିସ ଟିମ୍‌ ସେସବୁ ନମ୍ବରକୁ ମଧ୍ୟ ଟ୍ରାକ୍‌ କରିବା ଆରମ୍ଭ କରିଥିଲା। ବିଷ୍ଣୁ, ବ୍ରଜ ଓ ସରୋଜଙ୍କ ନମ୍ବର ମଧୁପାଟଣା‌ ଅଞ୍ଚଳରେ ଗୋଟିଏ ସ୍ଥାନରେ ସକ୍ରିୟ ଥିବା ଜଣାପଡ଼ିବା ପରେ ବିଳମ୍ବିତ ରାତିରେ ମଞ୍ଚେଶ୍ବର ଓ ଚନ୍ଦ୍ରଶେଖରପୁର ଥାନାର ପୁଲିସ ଟିମ୍‌ ସେଠାରେ ସନ୍ଦେହରେ ଚଢ଼ଉ କରିଥିଲା। ସେପଟେ କଟକ ମଧୁପାଟଣାରେ ଚଢ଼ଉ ହେବା ଠିକ୍‌ ପୂର୍ବରୁ ମଞ୍ଚେଶ୍ବର ଥାନାରେ ଅଟକ ଥିବା ସୁବ୍ରତ ପୁଲିସକୁ ସବୁ ସତ କହିପକାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।