ରାଜ୍ୟ

ସଂପତ୍ତି ଲୁଟ୍‌ ତଦନ୍ତରେ ଡିଏନ୍‌ଏ ପ୍ରୋଫାଇଲିଂ

କଟକ: ସଂପତ୍ତି ଲୁଟ୍‌ ଅପରାଧର ସମାଧାନ କ୍ଷେତ୍ରରେ ଦେଶରେ ଓଡ଼ିଶା ପୁଲିସର ରେକର୍ଡ ଅତ୍ୟନ୍ତ ଉଦ୍‌ବେଗଜନକ। ଜାତୀୟସ୍ତରରେ ଏହା ନିମ୍ନରୁ ୮ମ ସ୍ଥାନରେ ରହିବା ଘଟଣା ଏବେ ପୁଲିସକୁ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଏକରକମ ବାଧ୍ୟ କରିଛି। ଗଲା ୪ ବର୍ଷ ଭିତରେ ଓଡ଼ିଶା ପୁଲିସର ଲୁଟ୍ ସମ୍ପତ୍ତି ଜବତ ୪୦ ପ୍ରତିଶତ ବି ଛୁଇଁପାରି ନାହିଁ। ଫଳରେ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ସମ୍ପତ୍ତି ଜନିତ ଅପରାଧିକ ମାମଲାରେ ଘଟଣା ସ୍ଥଳରୁ ଅଭିଯୁକ୍ତଙ୍କ ଡିଏନ୍‌ଏ ପ୍ରୋଫାଇଲିଂ କୌଶଳ ବ୍ୟବହାର କରି ଏହାକୁ ସନ୍ଦିଗ୍ଧଙ୍କ ସହିତ ମେଳ କରାଯିବା କସରତ ଆରମ୍ଭ ହୋଇଛି। ଏହାଦ୍ବାରା ସମ୍ପତ୍ତି ଜନିତ ମାମଲାରେ ଲୁଟେରା ଆଉ ଖସିପାରିବେ ନାହିଁ ବୋଲି କୁହାଯାଉଥିବା ବେଳେ କୋର୍ଟରେ ବି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କ୍ଷେତ୍ରରେ ଏହା ଅଧିକ ସହାୟକ ହେବ।

ଓଡ଼ିଶା ପୁଲିସର ତଥ୍ୟ ଅନୁଯାୟୀ ରାଜ୍ୟରେ ଚୋରି, ଡକାୟତି, ଲୁଟ୍, ସିନ୍ଧିଚୋରି, ଛିନତାଇ ଇତ୍ୟାଦି ଭଳି ସମ୍ପତ୍ତି ଜନିତ ଅପରାଧିକ ମାମଲାରେ ୨୦୧୯ରେ ୧୨୯.୭ କୋଟି ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଥିବା ବେଳେ ୪୦.୫ କୋଟି ଟଙ୍କା ଜବତ ହୋଇଥିଲା। ମୋଟ୍‌ ଲୁଟ ସମ୍ପତ୍ତିର ମାତ୍ର ୩୧.୨ ପ୍ରତିଶତ ଜବତ ହୋଇଥିଲା। ୨୦୨୦ରେ ୧୩୭.୩ କୋଟି ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଥିଲା। ଏଥିରୁ ୪୦.୩ କୋଟିର ସଂପତ୍ତି ଜବତ ହୋଇଥିଲା। ମୋଟ ଲୁଟ୍‌ ସମ୍ପତ୍ତିର ମାତ୍ର ୨୯.୩ ପ୍ରତିଶତ ସମ୍ପତ୍ତି ପୁଲିସ ଜବତ କରିବାରେ ସଫଳ ହୋଇଥିଲା। ୨୦୨୧ରେ ୮୪୭.୫ କୋଟି ଟଙ୍କାର ଲୁଟ୍ ହୋଇଥିଲା। ଏଥିରୁ ୪୩.୧ କୋଟି ଟଙ୍କାର ସଂପତ୍ତି ଜବତ ହୋଇଥିଲା। ମାତ୍ର ୫.୧ ପ୍ରତିଶତ ସମ୍ପତ୍ତି ଜବତ ହୋଇଥିଲା। ୨୦୨୨ରେ ୨୭୧.୪ କୋଟି ଟଙ୍କାର ଲୁଟ ସଂପତ୍ତିରୁ ୪୮.୧ କୋଟି ଟଙ୍କା ଜବତ ହୋଇଥିଲା। ଯାହାକି ମାତ୍ର ୧୭.୭ ପ୍ରତିଶତ। ଲୁଟ ସମ୍ପତ୍ତି ଜବତ କ୍ଷେତ୍ରରେ ଓଡ଼ିଶା ପୁଲିସର ରେକର୍ଡ ୨୦୨୧ରେ ସର୍ବନିମ୍ନ ଅର୍ଥାତ ନିମ୍ନରୁ ଏକ ନମ୍ବର ସ୍ଥାନରେ ଥିଲା। ସେହିଭଳି ୨୦୨୦ରେ ନିମ୍ନରୁ ୧୬ ନମ୍ବର, ୨୦୧୯ରେ ନିମ୍ନରୁ ୧୯ ନମ୍ବର ସ୍ଥାନରେ ଥିଲା ବେଳେ ୨୦୨୨ରେ ଏହା ନିମ୍ନରୁ ୮ ନମ୍ବର ସ୍ଥାନରେ ରହିଛି।

ପୂର୍ବରୁ ସମ୍ପତ୍ତି ଜନତି ଠକେଇ ମାମଲାରେ ଡିଏନ୍‌ଏ ପ୍ରୋଫାଇଲିଂ କରାଯାଉ ନଥିଲା। ଡିଏନ୍‌ଏ ପ୍ରୋଫାଇଲିଂ କେବଳ ଅଚିହ୍ନା ଶବର ପ୍ରକୃତ ଦାବିଦାର ଚିହ୍ନଟ, ଶିଶୁ ସନ୍ତାନର ପ୍ରକୃତ ଅଭିଭାବକଙ୍କୁ ଠାବ କ୍ଷେତ୍ରରେ କରାଯାଉଥିଲା। ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ପୋଷାକରୁ ସଂଗ୍ରହ ଅଭିଯୁକ୍ତଙ୍କ ଶୁକ୍ରାଣୁକୁ ସନ୍ଦିଗ୍ଧ ଅଭିଯୁକ୍ତର ଶୁକ୍ରାଣୁ ସହିତ ମେଳ କରାଯାଏ। ପୀଡ଼ିତାର ଶରୀରରେ ଥିବା ଅଭିଯୁକ୍ତର କାମୁଡ଼ା ଦାଗରୁ ମଧ୍ୟ ଡିଏନଏ ପ୍ରୋଫାଇଲିଂ ପାଇଁ ପଠାଯାଇପାରିବ। କିନ୍ତୁ ଏବେ ସମ୍ପତ୍ତି ଜନତି ଅପରାଧ କ୍ଷେତ୍ରରେ ଡିଏନ୍‌ଏ ପ୍ରୋଫାଇଲିଂ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ଓଡ଼ିଶା ପୁଲିସ ରାଜ୍ୟ ସମସ୍ତ ଇନସ୍ପେକ୍ଟରଙ୍କୁ ପ୍ରଶିକ୍ଷଣ ଦେଇଛି। ସମ୍ପତ୍ତି ଜନିତ ଅପରାଧିକ ମାମଲାରେ ଘରେ ଦୁର୍ବୃତ୍ତ ଛାଡ଼ିଯାଇଥିବା ସିଗାରେଟ୍ ଖଣ୍ଡ, ଛାଡ଼ିଯାଇଥିବା କୌଣସି ଖାଦ୍ୟ ଟୁକୁଡ଼ା, ପାଣି ପିଇଥିବା ଗ୍ଲାସରୁ ଲାଳ, ପରିସ୍ରା ଇତ୍ୟାଦିରୁ ନମୁନା ସଂଗ୍ରହ କରି ଡିଏନ୍‌ଏ ପ୍ରୋଫାଇଲିଂ ପାଇଁ ପଠାଯିବ।

ଏହାଛଡ଼ା ଘଟଣା ସ୍ଥଳରେ ପଡ଼ିଥିବା ଦୁର୍ବତ୍ତଙ୍କ ଝାଳ ଟୋପା, ଚୁଟି ଇତ୍ୟାଦି ସଂଗ୍ରହ କରି ଏହାର ନମୁନା ଡିଏନ୍‌ଏ ପ୍ରୋଫାଇଲ୍ ପାଇଁ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଯିବ। ଜିଲ୍ଲା ଫରେନସିକ୍ ସାଇନ୍ସ ଲାବରେଟୋରି ଟିମ୍ ଏହି ନମୁନା ସଂଗ୍ରହ କରିବେ। ଏହାଦ୍ବାରା ଘଟଣା ସ୍ଥଳରୁ ମିଳିଥିବା ନମୁନାକୁ ସନ୍ଦିଗ୍ଧଙ୍କ ସହିତ ମେଳ କରି ପ୍ରକୃତ ଅଭିଯୁକ୍ତକୁ ଠାବ କରିବା ସହିତ ଅଦାଲତରେ ଦୋଷୀ ସାବ୍ୟସ୍ତ କ୍ଷେତ୍ରରେ ଅଧିକ ସହାୟକ ହେବ ବୋଲି କୁହାଯାଉଛି। ପ୍ରତ୍ୟେକ ସମ୍ପତ୍ତି ଜନିତ ମାମଲାରେ କମିସନରେଟ୍ ପୁଲିସରେ ଥାନା ସ୍ତରରେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ପ୍ରତ୍ୟେକ ଥାନାରେ ଜଣେ ଲେଖାଏ ଓଏପିଏଫ୍(ଓଡ଼ିଶା ଅକଜିଲାରି ପୁଲିସ ଫୋର୍ସ)ଙ୍କୁ ଫରେନସିକ ଅଫିସର ଦାୟିତ୍ବ ଦିଆଯାଇଛି। ଫରେନସିକ୍ ଅଫିସରଙ୍କ ଭଳି ଏମାନେ ବି ନମୁନା ସଂଗ୍ରହ, ଜବତ ଓ ଯାଞ୍ଚ ପାଇଁ ଲାବୋରେଟୋରିକୁ ପଠାଇବା କ୍ଷେତ୍ରରେ ସହଯୋଗ କରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।