ରାଜ୍ୟ ସ୍ପେଶାଲ ରିପୋର୍ଟ

ମାମଲା ଗଡ଼ୁଛି, ଫାଇଦା ନେଉଛନ୍ତି ଅଧିକାରୀ: ବିଡିଏରେ ୩ ହଜାର, ବିଏମ୍‌ସିରେ ହଜାରେରୁ ବେଶି

ଭୁବନେଶ୍ୱର: ଆଇନକୁ ଢାଲ କରିଛନ୍ତି ଜବରଦଖଲକାରୀ। ପ୍ରଥମେ ଜବରଦଖଲ କରିବା ଓ ପରେ ମାମଲା କୋର୍ଟରେ ଗଡ଼ିବା ଏକ ଅଭ୍ୟାସ ହୋଇଛି। କେବଳ ଜବରଦଖଲକାରୀ ନୁହନ୍ତି ବରଂ ବିଭିନ୍ନ ବେଆଇନ କାମରେ ଆଇନ ଢାଲ ହୋଇଛି। କେତେକ ଅଧିକାରୀଙ୍କର ମଧ୍ୟ ଏଥିରେ ସମ୍ପୃକ୍ତି ରହିଛି। କେମିତି ବା କେଉଁଠି ମାମଲା ରୁଜୁ କଲେ ବର୍ଷ ବର୍ଷ ଧରି ସମୟ ଗଡ଼ିବ ସେ ଜ୍ଞାନ ଅଧିକାରୀମାନେ ଦେଉଛନ୍ତି। ଗୋଟିଏ ସମାନ ଅଭିଯୋଗ ଆଧାରରେ ୩ଟି କୋର୍ଟ‌ରେ ମାମଲା ରୁଜୁ ହେଉଛି। ଗୋଟିକରେ ଫଏସଲା ହେଲେ ଆଉ ଗୋଟିଏ କୋର୍ଟରେ ଶୁଣାଣି ଆରମ୍ଭ ହେଉଛି। ସେତିକିବେଳେ ଆଉ ଗୋଟିଏ କୋର୍ଟର ନୂଆ ମାମଲା ରୁଜୁ ହେଉଛି। ଏଭଳି ସମୟ ଗଡ଼ି ଗଡ଼ି ଚାଲୁଛି। ଥରେ ସ୍ଥିତାବସ୍ଥା ଜାରି ହୋଇଗଲେ ବିଏମ୍‌ସି କିମ୍ବା ବିଡିଏ ଆଉ ହାତ ମାରି ପାରୁ ନାହାନ୍ତି। ଗୋଟିଏ ପଟେ ଜବରଦଖଲକାରୀ ବା ବେଆଇନ କାରବାର କରୁଥିବା ଲୋକ ସୁରକ୍ଷା ପାଉଥିବା‌ ବେଳେ କେତେକ ଅସାଧୁ ଅଧିକାରୀ ମଧ୍ୟ ଫାଇଦା ନେଉଛନ୍ତି। ବିଏମ୍‌ସି, ବିଡିଏ ଓ ଜିଏ ବିଭାଗର ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ପ୍ରାୟ ୧୯ କୋର୍ଟରେ ବିଡିଏର ୩ ହଜାର ମାମଲା ଗଡ଼ିୁଥିବା ବେଳେ ବିଏମ୍‌ସିର ୧ ହଜାରରୁ ଊର୍ଦ୍ଧ୍ବ ମାମଲା ପଡ଼ି ରହିଛି। ଜିଏ ଅବସ୍ଥା ମଧ୍ୟ ତଦ୍ରୂପ। ଏଠାରେ ବି ୧ ହଜାର ମାମଲା ଗଡ଼ୁଛି। ଅଧିକାଂଶ ସରକାରୀ ଜମି ଜିଏ ମାଲିକାନାରେ ସ୍ବତ୍ବରେ ଥିବାରୁ ସବୁଠାରୁ ଅଧିକ କେଳେଙ୍କାରୀ ଏହି ବିଭାଗରେ ଥିବା ଅଭିଯୋଗ ହୋଇଛି।

ବିଏମ୍‌ସିରେ ୧୪ ବର୍ଷ ତଳର ମାମଲା ଗଡ଼ୁଛି। ମାମଲା ପରିଚାଳନା ବାବଦରେ ବିଏମ୍‌ସି ପାଣ୍ଠିରୁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ମାମଲା ବଢ଼ିବାରେ ଲାଗିଛି। ମାମଲା ପରିଚାଳନା କରିବା ପାଇଁ ୩୧ରୁ ଅଧିକ ଓକିଲ ଅଛନ୍ତି। ନିକଟ ଅତୀତରେ କେତେକ ହାଇକୋର୍ଟ ଓକିଲଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ବିଡିଏରେ ମଧ୍ୟ ଅନୁରୂପ ସ୍ଥିତି। ୧୯ କୋର୍ଟରେ ୩୦୮୮ ମାମଲା ଗଡ଼ୁଛି। ଏଯାବତ୍‌ ରୁଜୁ ହୋଇଥିବା ୩୪୧୮ ମାମଲାରୁ ମାତ୍ର ୩୩୩ଟି ଫଏସଲା ହୋଇଛି। ଏଠାରେ ହାଇକୋର୍ଟରେ ସର୍ବାଧିକ ୧୭୭୪ ମାମଲା ବିଚାରାଧୀନ ଥିବା ବେଳେ ଭୁବନେଶ୍ବର ନିମ୍ନ ଅଦାଲତରେ ୧୧୫୮ ମାମଲା ବିଚାର ପାଇଁ ରହିଛି। ଏହି ଲିଗାଲ୍‌ ସେକ୍ସନ ବିଡିଏ ସେକ୍ରେଟାରିଙ୍କ ସିଧାସଳଖ ତତ୍ତ୍ବାବଧାନରେ ରହିଛି। ଏହାଛଡ଼ା ଜଣେ ଓଏସ୍‌ଡି, ଜଣେ ସହକାରୀ ଲ’ ଅଫିସର, ତିନିଜଣ କର୍ମଚାରୀ, ଦୁଇଜଣ ଡାଟା ଏଣ୍ଟ୍ରି ଅପରେଟର ଅଛନ୍ତି। ଏହା ଛଡ଼ା ପ୍ୟାନେଲ୍‌ ଓକିଲ ଓ ରିଟେନରଙ୍କ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସେହିଭଳି ଜିଏ ବିଭାଗରେ ସବୁଠାରୁ ଅଧିକ କେଳେଙ୍କାରୀ ରହିଛି। ପୁରୁଣା ବିଏମ୍‌ସି ଅଫିସ୍‌ ସାମ୍ନା ଗୌତମ ନଗର ମୌଜାର ଏକ ପ୍ଲଟ୍‌ (ନମ୍ବର ୨୦୮୪) ଜବରଦଖଲ ରହିଛି। ୮ ବର୍ଷ ହେବ ମାମଲା କୋର୍ଟରେ ଗଡ଼ୁଛି। ଏହାର ବର୍ତ୍ତମାନ ମୂଲ୍ୟ ୫ କୋଟିରୁ ବେଶି ହେବ। ତ୍ବରିତ ଫଏସଲା ପାଇଁ ଜିଏ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ। ବରଂ କେତେକ ଅଧିକାରୀ ଏହାର ଫାଇଦା ନେଇ ବେଶ୍‌ ମୋଟା ଅଙ୍କର ହାତଗୁଞ୍ଜା ପାଉଥିବା ଅଭିଯୋଗ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।