ରାଜ୍ୟ ସ୍ପେଶାଲ ରିପୋର୍ଟ

ନବନିର୍ମାଣ ଯୋଗୁ ଦୋଳବେଦି ସଂକୁଚିତ: ପ୍ରଶସ୍ତ ପାହାଚ ବି ତାଡ଼ିଦେଲେ, ଦୋଳ ପରିକ୍ରମାରେ ବିଘ୍ନ ଆଶଙ୍କା

ପୁରୀ: ସଂକୁଚିତ କରିଦେଲେ ମହାପ୍ରଭୁଙ୍କ ଦୋଳବେଦି। ଯେଉଁ ପ୍ରଶସ୍ତ ପାଚେରି ଥିଲା, ତାକୁ ଭାଙ୍ଗି ମାଟିରେ ମିଶାଇ ଦେବା ପରେ ଦୋଳବେଦି ପାଚେରିକୁ ଏଭଳି ନିର୍ମାଣ କରାଯାଇଛି ଯେ ଦୋଳବେଦିଟି ପୂର୍ବାପେକ୍ଷା ସଂକୁଚିତ ହୋଇଯାଇଛି। ଦୋଳପୂର୍ଣ୍ଣିମା ସମୟରେ ଦୋଳଗୋବିନ୍ଦଙ୍କ ସହ ଶ୍ରୀଦେବୀ ଓ ଭୂଦେବୀ ବିମାନରେ ବିଜେ ହୋଇ ଦୋଳବେଦି ପରିକ୍ରମା କରିବା ବେଳେ ବିଘ୍ନ ଘଟିବା ଆଶଙ୍କା ଦେଖାଦେଇଛି। ବିମାନ ପରିକ୍ରମା ବେଳେ ପାଚେରିରେ ମାଡ଼ ହେବା ଆଶଙ୍କା ଦେଖାଦେଇଛି। ଏବେଠୁ ଏହାକୁ ବ୍ୟବସ୍ଥିତ ନ କଲେ, ଭବିଷ୍ୟତରେ ଏହା ମହାପ୍ରଭୁଙ୍କ ନୀତିକାନ୍ତିକୁ ପ୍ରଭାବିତ କରିବ ବୋଲି ଭକ୍ତ, ସେବାୟତମାନେ ଆଶଙ୍କା ବ୍ୟକ୍ତ କଲେଣି।

ଶ୍ରୀମନ୍ଦିର ଉତ୍ତର-ପୂର୍ବ କୋଣରେ ରହିଛି ମହାପ୍ରଭୁଙ୍କ ଦୋଳବେଦି। ପ୍ରତିବର୍ଷ ଦୋଳପୂର୍ଣ୍ଣିମାରେ ଦୋଳବେଦି ଉପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଆସି ଦୋଳି ଖେଳିଥାନ୍ତି। ହଜାର ହଜାର ଭକ୍ତଙ୍କ ମେଳରେ ଫଗୁ ଖେଳିଥାନ୍ତି। ଏଥିପାଇଁ ହୋଲି ଓ ଦୋଳପୂର୍ଣ୍ଣିମାରେ ଦୋଳବେଦି ପରିସର ଓ ବାହାର ଭକ୍ତଙ୍କ ଗହଳିରେ ଲୋକାରଣ୍ୟ ହୋଇପଡ଼େ। ପୂର୍ବରୁ ଦୋଳବେଦିର ପାଚେରି ପ୍ରଶସ୍ତ ଥିଲା। ବିମାନ ବିଜେ ଠାକୁର ଭକ୍ତଙ୍କ ଗହଣରେ ସୁବିଧାରେ ଦୋଳବେଦି ପରିକ୍ରମା କରୁଥିଲେ। କିନ୍ତୁ ଦୋଳବେଦିର ପୁରୁଣା ପାଚେରିକୁ ଭାଙ୍ଗି ଏବେ ନୂଆ ପାଚେରି ଗଢ଼ାଯାଉଛି। ଯେଉଁ ମୂର୍ତ୍ତି ଓ କାରୁକାର୍ଯ୍ୟ ଥିଲା, ତାକୁ ବି ହଟାଇ ଦିଆଯାଇଛି। ପ୍ରଶସ୍ତ ପାଚେରିକୁ ସଂକୁଚିତ କରି ମାଟି ତଳେ ଡ୍ରେନେଜ୍‌ ବ୍ୟବସ୍ଥା କରାଯାଇଛି। ପାଚେରିରେ ମନ ବୁଝିଲାନି ଯେ ଏବେ ଦୋଳବେଦି ପାହାଚକୁ ବି ତାଡ଼ିଦେଲେଣି। ଯାହା ଦୋଳବେଦିକୁ ଅସୁରକ୍ଷିତ ଅବସ୍ଥା ଠେଲିଦେଲାଣି।

ସେପଟେ ପାହାଚକୁ ତାଡ଼ି ଦିଆଯାଉଥିବାରୁ ଠାକୁର ଦୋଳବେଦି ଚଢ଼ିବାବେଳେ ବି ସମସ୍ୟା ଦେଖାଦେବା ନେଇ ଆଶଙ୍କା ଦେଖାଦେଇଛି। ଶ୍ରୀମନ୍ଦିର ବିମାନବଡ଼ୁ ନିଯୋଗ ସଂପାଦକ ଫକୀର କୁମାର ପଣ୍ଡା କହିଛନ୍ତି, ଦୋଳବେଦି ପାଚେରିକୁ ଭାଙ୍ଗିବା ବେଳେ ଆମ ସହ ପରାମର୍ଶ କରାଗଲାନି। କୌଣସି ଅଧିକାରୀ ଆମର ମତାମତ ବି ନେଲେନି। ମନଇଛା ପାଚେରି ଭାଙ୍ଗିଲେ। ଗଢ଼ିବା ବେଳେ ବି ଆମର କୌଣସି ପରାମର୍ଶ ନିଆଯାଇନି କି କେହି ଆମ ସହ ଆଲୋଚନା କରିନାହାନ୍ତି। ପାଚେରି ଭାଙ୍ଗିବା ସମୟରେ ଦୋଳବେଦି ପରିକ୍ରମାରେ ଯେଭଳି ଅସୁବିଧା ନ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ନିଯୋଗ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ କହି ଆସିଛି। ତଥାପି ଦୋଳପୂର୍ଣ୍ଣିମାରେ ଯଦି କୌଣସି ବିଘ୍ନ ଘଟେ, ନିଶ୍ଚିତ ବିଶୃଙ୍ଖଳା ଉପୁଜିବ। ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଦୋଳବେଦିର ଗଠନ ଶୈଳୀ
ଶ୍ରୀମନ୍ଦିର ଉତ୍ତର-ପୂର୍ବ କୋଣରେ ଥିବା ମହାପ୍ରଭୁଙ୍କ ଦୋଳବେଦି ପ୍ରାୟ ୩ଶହ ବର୍ଷ ପୁରୁଣା। ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ଡ. ଭାସ୍କର ଚନ୍ଦ୍ର ମିଶ୍ରଙ୍କ ମତରେ, ଶ୍ରୀମନ୍ଦିର ସମସାମୟିକ ଦୋଳବେଦି ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆ ଛକରେ ରହିଛି। ତ୍ରୟୋଦଶ ଖ୍ରୀଷ୍ଟାଦ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ସମୟରେ ଏହି ଦୋଳବେଦି ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ରାଜା ବୀରକିଶୋର ଦେବଙ୍କ ରାଜାମାତାଙ୍କ ଦ୍ବାରା ୧୭୩୭ରୁ ୧୭୯୩ ଖ୍ରୀଷ୍ଟାଦ୍ଦ ମଧ୍ୟରେ ଶ୍ରୀମନ୍ଦିର ଉତ୍ତର-ପୂର୍ବ କୋଣରେ ନୂଆ ଦୋଳବେଦି(ବର୍ତ୍ତମାନର ଦୋଳବେଦି) ନିର୍ମାଣ କରାଯାଇଥିଲା। ଏହାର ଓସାର ପ୍ରାୟ ୮୦ ଫୁଟ ଓ ଲମ୍ବ ପ୍ରାୟ ୮୦ ଫୁଟ। ଏହାର ୪ଟି କୋଣ ରହିଛି। ଦୋଳବେଦି ଉପରେ ଚାନ୍ଦୁଆ ବାନ୍ଧିବା ପାଇଁ ୩୭ଟି ଜିଆଇ ପାଇପ୍‌ ଲଗାଇବାର ବ୍ୟବସ୍ଥା କରାଯାଇଛି। ଦୋଳବେଦି ଉପରେ ଆଉ ଏକ ୪ ଇଞ୍ଚ ଉଚ୍ଚତାର ମଣ୍ଡପ ରହିଛି। ଯାହାର ଲମ୍ବ ୩୫ ଫୁଟ ଓ ଓସାର ୩୦ ଫୁଟ।

ଏହି ମଣ୍ଡପ ଉପରେ ଆଉ ଏକ ୫ ଇଞ୍ଚ ଉଚ୍ଚତାରେ କଳାମୁଗୁନି ପଥରର ମଣ୍ଡପ ରହିଛି। ଦୁଇଟି କଳାମୁଗୁନିର ଖିଲଣ ରହିଛି। ଖିଲଣରେ ଦୁଇଟି କମନୀୟ ମୂର୍ତ୍ତି ରହିଛି, ଜଣେ ଗଙ୍ଗା ଓ ଜଣେ ଯମୁନା। ଖିଲଣ ଉପରେଶିବ ଓ ବ୍ରହ୍ମାଙ୍କ ମୂର୍ତ୍ତି ରହିଛି। ୧ ଫୁଟ ଉଚ୍ଚତାର ଲକ୍ଷ୍ମୀନୃସିଂହ ମୂର୍ତ୍ତି ରହିଛି। ଦୋଳବେଦିର ଦଧିନଉତି ୨୦ ଫୁଟ ଉଚ୍ଚରେ ରହିଛି। ଦୁଇ ଖିଲଣରେ ଦୁଇଟି ମଗରମୁଣ୍ଡ ରହିଛି, ଯାହା କଳାମୁଗୁନି ପଥରରେ ନିର୍ମାଣ କରାଯାଇଛି। ଦୋଳବେଦିର ଦକ୍ଷିଣପାର୍ଶ୍ବରେ ୧୨ଟି ପାହାଚ ରହିଛି। ପ୍ରତି ପାହାଚର ଲମ୍ବ ୧୮ ଫୁଟ ଓ ଓସାର ୭ ଫୁଟ। ପୂର୍ବ ପାର୍ଶ୍ବରେ ୧୩ଟି ପାହାଚ ରହିଛି। ପ୍ରତି ପାହାଚର ଲମ୍ବ ୧୫ ଫୁଟ ଓ ଓସାର ୨ ଫୁଟ ବୋଲି ଡ. ଦାସ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।