ରାଜ୍ୟ ସ୍ପେଶାଲ ରିପୋର୍ଟ

ଝିଅମାନେ ଖେଳିବା ଦରକାର ନାହିଁ! ପଡ଼ିଆ ନଥିବାରୁ ରମାଦେବୀ ବିଶ୍ବବିଦ୍ୟାଳୟରେ କ୍ରୀଡ଼ାର ଶୋଚନୀୟ ସ୍ଥିତି

ଭୁବନେଶ୍ବର: ମାସେ କି ବର୍ଷେ ନୁହେଁ, ଦୀର୍ଘ ୮ ବର୍ଷ ବିତିଗଲାଣି। ଜଣେ କୁଳପତି ଯାଇ ଆଉ ଜଣଙ୍କ କାର୍ଯ୍ୟକାଳ ଶେଷ ହେବାକୁ ବସିଲାଣି। ମାତ୍ର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମ୍ପ୍ରସାରଣ ହୋଇପାରୁ ନାହିଁ। ସେହି ଗୋଟିଏ କ୍ୟାମ୍ପସ‌ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨) ଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଛି। କ୍ୟାମ୍ପସ ସମ୍ପ୍ରସାରଣ ତଥା ଦ୍ବିତୀୟ କ୍ୟାମ୍ପସ କଥା କେହି ବି ନିଷ୍ଠାର ସହିତ ଚିନ୍ତା କରୁନାହାନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚିଠି ପରେ ଚିଠି ଲେଖୁଛନ୍ତି ଅବଶ୍ୟ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ପ୍ରକାର ତତ୍ପରତା ଦେଖିବାକୁ ମିଳୁନାହିଁ। ଉଚ୍ଚଶିକ୍ଷା କିମ୍ବା ସାଧାରଣ ପ୍ରଶାସନ ବିଭାଗ ଏଦିଗରେ ଆଦୌ ଗୁରୁତ୍ବ ଦେଉ ନ ଥିବାରୁ ଏବେ ହଜାର ହଜାର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପ୍ରଭାବିତ ହେବାକୁ ବସିଥିଲା। ଗୋଟିଏ ବଡ଼ ଆଶ୍ଚର୍ଯ୍ୟ ହେଉଛି, ଏକ ପକ୍ଷରେ ଭୁବନେଶ୍ବରକୁ ଦେଶର କ୍ରୀଡ଼ା ରାଜଧାନୀ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଅହରହ ପ୍ରୟାସ କରୁଛନ୍ତି। କିନ୍ତୁ ଅନ୍ୟପଟେ ସହର ମଧ୍ୟରେ ଥିବା ରାଜ୍ୟର ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କ ପାଇଁ ଖେଳ ପଡ଼ିଆଟିଏ ମଧ୍ୟ ନାହିଁ। ଫଳରେ ବିଭିନ୍ନ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଛାତ୍ରୀମାନେ ବାହାରେ ଥିବା ଅନ୍ୟ ପଡ଼ିଆକୁ ଧାଇଁବାକୁ ବାଧ୍ୟ ହେଉଛନ୍ତି। ଏମିତିକି ବିଶ୍ବବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ କର୍ତ୍ତୃପକ୍ଷଙ୍କୁ ବାଣୀବିହାର କ୍ୟାମ୍ପସ ଉପରେ ନିର୍ଭର କରିବାକୁ ପଡ଼ୁଛି।

ଗୋଟିଏ କ୍ୟାମ୍ପସରେ ଯୁକ୍ତ୨ରୁ ପିଏଚ୍‌ଡି ପର୍ଯ୍ୟନ୍ତ ଛାତ୍ରୀ ପଢ଼ିବା ସମ୍ଭବପର ହେଉ ନ ଥିବାରୁ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଚୟନ ପାଇଁ ୨୦୧୭ରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ସହର ଉପକଣ୍ଠ ଗୋଠପାଟଣାରେ ଜମି ଚିହ୍ନଟ ହୋଇଥିଲା। ହେ‌ଲେ ତାହା ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ପସନ୍ଦ ଆସିଲା ନାହିଁ। ଏତେ ବାଟରେ ରହି ଝିଅମାନେ କେମିତି ପଢ଼ିବେ ବୋଲି ପ୍ରଶ୍ନ ଉଠାଇଲେ ଏବଂ ବିଶ୍ବବିଦ୍ୟାଳୟ ଆଖପାଖ‌ରେ ଜାଗା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ଏମିତି କି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ରମାଦେବୀର ଦ୍ବିତୀୟ କ୍ୟାମ୍ପସ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ପଠାଇଲେ ଏବଂ ବିଭାଗ ବି ତତ୍ପରତା ଦେଖାଇ ଜାଗା ଅନୁଧ୍ୟାନ ପାଇଁ କମିଟି ଗଠନ କଲା। ତେବେ ଏ ପ୍ରସ୍ତାବକୁ ଚାରିଆଡ଼ୁ ପ୍ରବଳ ବିରୋଧ ହେବାପରେ ଉଭୟ ଉଚ୍ଚଶିକ୍ଷା ବିଭାଗ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚୁପ୍‌ ରହିଲେ। ତା’ପରେ ସବୁ କିଛି ଅଟକି ଯାଇଛି। ଦ୍ବିତୀୟ କ୍ୟାମ୍ପସ ଚୟନ ଲାଗି ୮ ବର୍ଷ‌ରେ ୩ରୁ ଅଧିକ କମିଟି ଗଠନ ହୋଇଛି। କେତେବେଳେ କୁଳପତି ତ ଆଉ କେତେବେଳେ ‌ଖୋର୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜାଗା ଖୋଜା ଯାଇଛି। ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ଜାଗା ଦେଖି ଆସିଛନ୍ତି। ମାତ୍ର ଜାଗା ସ୍ଥିର ହୋଇପାରି ନାହିଁ। ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ଜାଗା ମିଳିବା ତ ଦୂରର କଥା, କ୍ୟାମ୍ପସ ସମ୍ପ୍ରସାରଣ ଉପରେ ଆଉ କେହି ଗୁରୁତ୍ବ ଦେଉ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ଖେଳପଡ଼ିଆ କଥା ଆଉ କିଏ ପଚାରେ!

ଛାତ୍ରୀମାନଙ୍କ ଅଭିଯୋଗ ହେଉଛି, ନିଜସ୍ବ ଖେଳ ପଡ଼ିଆ ନ ଥିବାରୁ ନିକଟରେ ଥିବା ଏକ ସ୍କୁଲର ଖେଳପଡ଼ିଆ ଉପରେ ନିର୍ଭର କରିବାକୁ ପଡ଼ୁଛି। କ୍ରୀଡ଼ା ପ୍ରତି ଅନେକ ଛାତ୍ରୀଙ୍କର ଆଗ୍ରହ ରହିଥିଲେ ମଧ୍ୟ ନିୟମିତ ଅଭ୍ୟାସ କରିବାକୁ ସୁଯୋଗ ମିଳୁ ନ ଥିବାରୁ ସେମାନେ ଆଗକୁ ବଢ଼ିପାରୁ ନାହାନ୍ତି। ଏହି ଛୋଟିଆ କ୍ୟାମ୍ପସ ମଧ୍ୟରେ କେବଳ ବାସ୍କେଟ୍‌ ବଲ୍‌ ପାଇଁ କୋର୍ଟଟିଏ ରହିଛି। ବଡ଼ ପଡ଼ିଆ ଦରକାର କରୁଥିବା ଖେଳ ତ ଦୂରର କଥା, ଦୌଡ଼ କିମ୍ବା ଅନ୍ୟ କୌଣସି ଇନ୍‌ଡୋର୍‌ କ୍ରୀଡ଼ାର ଅଭ୍ୟାସ କରିବାର ସୁବିଧା ମଧ୍ୟ ନ ଥିବାରୁ ପିଲାମାନଙ୍କ ମନୋବଳ ଭାଙ୍ଗି ଯାଉଛି। ପୂର୍ବରୁ ବାରମ୍ବାର ଏନେଇ ଅଭିଯୋଗ କରାଯିବା ସହ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଅବଗତ କରାଯାଇଛି। ଦ୍ବିତୀୟ କ୍ୟାମ୍ପସ ପାଇଁ ଜମି ଯୋଗାଇବାକୁ ପୂର୍ବତନ ମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଆସନ୍ତା ବର୍ଷ ନାକ୍‌ ଟିମ୍‌ ଆସିବାର ଥିବାରୁ ଏହି କାରଣରୁ ଗ୍ରେଡ୍‌ ପ୍ରଭାବିତ ହେବାର ସବୁ ଆଶଙ୍କା ରହିଛି। ଏ ପ୍ରସଙ୍ଗରେ ବିଶ୍ବବିଦ୍ୟାଳୟର ଜଣେ ଅଧ୍ୟାପିକା, ଯିଏ ଏକଦା ସେଠାକାର ଛାତ୍ରୀ ମଧ୍ୟ ଥିଲେ; କହିଲେ, ‘‘ଏତେବଡ଼ ବିଶ୍ବବିଦ୍ୟାଳୟରେ ଖେଳ ପଡ଼ିଆଟିଏ ନଥିବା କଥାକୁ ସମସ୍ତେ ଆଶ୍ଚର୍ଯ୍ୟଜନକ ଭାବେ ଅତି ସହଜରେ ଗ୍ରହଣ କରି ନେଉଛନ୍ତି। ଯେମିତି ଏହା ମୂଳରୁ ଗୋଟିଏ ସମସ୍ୟା ନୁହେଁ! ଏଥିରୁ ପ୍ରମାଣିତ ହେଉଛି ଯେ ଝିଅମାନେ ଖେଳିବା ଦରକାର ନାହିଁ ବୋଲି ଆଜିମଧ୍ୟ ଅନେକ ଲୋକ ଭାବୁଛନ୍ତି। ଏକ ସଭ୍ୟ ଓ ଆଧୁନିକ ସମାଜରେ ଏହା ଅତି ଦୁର୍ଭାଗ୍ୟଜନକ।’’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।