ରାଜ୍ୟ ସ୍ପେଶାଲ ରିପୋର୍ଟ

୫ କୋଟି ଟଙ୍କା ହରିଲୁଟ୍‌! ଦୁର୍ନୀତି, ଅନିୟମିତତା, ଅବ୍ୟବସ୍ଥାରେ ବୁଡ଼ିଗଲା ବାଲିଯାତ୍ରା ରାଜ୍ୟ ଉତ୍ସବ

କଟକ: ୨୦୨୩ ରାଜ୍ୟସ୍ତରୀୟ ବାଲିଯାତ୍ରା କଟକ ଉତ୍ସବ ଆୟୋଜନରେ ପାଖାପାଖି ୧୦ କୋଟି ଟଙ୍କା ପ୍ରଶାସନ ‌ବ୍ୟୟ କରିଛି। କିନ୍ତୁ ବାସ୍ତବ ସ୍ଥିତି ଯାହା ସେଥିରୁ ଅଧାରୁ ଅଧିକ ଟଙ୍କା ହରିଲୁଟ୍‌ ହୋଇଥିବାର ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି। ଏମିତିକି ନିଜେ କର୍ତ୍ତୃପକ୍ଷ ବି ଏକଥା ପରୋକ୍ଷରେ ସ୍ବୀକାର କରୁଛନ୍ତି। ଚଳିତ ବର୍ଷ ସ୍ଥିତି ଏମିତି ହୋଇଛି ଯେ ବାଲିଯାତ୍ରା ସମୟରେ ଜିଲ୍ଲା ପ୍ରଶାସନ ୧ ହଜାର ସ୍ମରଣିକା ବି ଛାପି ପାରିନାହିଁ। ଏଥିପାଇଁ କିନ୍ତୁ ବଜେଟ ହୋଇଛି ସାଢେ ୩ ଲକ୍ଷ ଟଙ୍କା। କଟକ ପୌର ନିଗମ ପକ୍ଷରୁ ୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମହାନଦୀ ଜଳରାଶିରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଲେଜର୍‌ ସୋ ଯୋଜନା ହେଲା ଯେ ତାହା ମାତ୍ର ୩ ଦିନରେ ବନ୍ଦ ହେଇଗଲା। ୨ କୋଟି ୧୦ ଲକ୍ଷ ୧୩ ହଜାର ୨୧୫ ଟଙ୍କା ବ୍ୟୟରେ ବାଲିଯାତ୍ରା ପଡ଼ିଆରେ ଏମିତି ମୋରମ୍ ପୂର୍ତ୍ତ ବିଭାଗ ପକ୍ଷରୁ ବିଛା ଗଲା ଯେ ପାଣି ପଡ଼ି କାଦୁଅ ପଚ୍‌ପଚ୍ ପରିବେଶ ସୃଷ୍ଟି ହେଲା।

ଲୋକେ ଯାତ୍ରା ବୁଲିବାକୁ ଆସି କାଦୁଅରେ ପଡ଼ି ନାଲି ସରସର ହେଇ ଘରକୁ ଫେରିଲେ। ବାଲିଯାତ୍ରା ପଡ଼ିଆରେ ଧୂଳି ନିୟନ୍ତ୍ରଣ ପାଇଁ ପୌର ନିଗମ ୩୫ ଲକ୍ଷ ଟଙ୍କା ବ୍ୟୟବରାଦ କଲା। କିନ୍ତୁ ପଡ଼ିଆରେ ବିନା ମାସ୍କରେ ବୁଲିବା ତ କଷ୍ଟ ହେଲା, ପଡ଼ିଆରେ ଖୋଲି ଥିବା ବିଭିନ୍ନ ଷ୍ଟଲ ଓ ସାମଗ୍ରୀ ଉପରେ ନାଲି ମାଟିର ମୋଟା ଆସ୍ତରଣ, ଧୂଳି ନିୟନ୍ତ୍ରଣର ସଫଳତା ବର୍ଣ୍ଣନା କଲା। ସବୁଜ ବାଣ ଫୁଟାଇବା ପାଇଁ ୨୭ ଲକ୍ଷ ଟଙ୍କା ବରାଦ କଲା ପୌର ନିଗମ। ଦୁଇ ଦିନରେ ମାତ୍ର ଏକ ଘଣ୍ଟା ଭିତରେ ଏମିତି କି ବାଣ ଫୁଟିଲା, ତାହାକୁ ନେଇ ଏବେ ଦେଖଣାହାରୀଙ୍କ ମନରେ ଅନେକ ପ୍ରଶ୍ନ। ପଡ଼ିଆ ସଫେଇ ପାଇଁ ୩୪ ଲକ୍ଷ ଟଙ୍କା ବରାଦ କରିଥିଲା ପୌର ନିଗମ। କିନ୍ତୁ ପଡ଼ିଆରେ, ରାସ୍ତାଘାଟରେ କୁଢକୁଢ ଆବର୍ଜନା ପରିମଳ ବ୍ୟବସ୍ଥାର ଦୟନୀୟ ସ୍ଥିତି ବର୍ଣ୍ଣନା କଲା। ବାଲିଯାତ୍ରାକୁ ସ୍ବାଗତ କରିବା ପାଇଁ ପୌର ନିଗମ ନେତାଜୀ ସେତୁ ଓ କଟକ-ଭୁବନେଶ୍ବର ରାସ୍ତାର ଫୁଲନଖରା ଠାରେ ତିଆରି କରିଥିବା ତୋରଣରେ ଏମିତି କି ସାମଗ୍ରୀ ବ୍ୟବହାର କଲା ଯେ ସେଥିପାଇଁ ୩୨ ଲକ୍ଷ ୪୫ ହଜାର ଟଙ୍କା ଖର୍ଚ୍ଚ ହେଇଗଲା? ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥାରେ ୧୯ ଲକ୍ଷରୁ ଅଧିକ ଟଙ୍କା ବରାଦ ହେଲା। କିନ୍ତୁ କେତେବେଳେ ଶୌଚାଳୟରେ ପାଣି ନଥିଲା ତ ‌କେତେବେଳେ ପରିମଳ ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ପଡୁଥିଲା। କଟକ ପୌର ନିଗର ଶୀତତାପ ନିୟନ୍ତ୍ରିତ ହ୍ୟାଙ୍ଗର ନିର୍ମାଣ ପାଇଁ ୧ କୋଟି ୮୧ ଲକ୍ଷ ଟଙ୍କା କେଉଁ କାରଣରୁ ଆଉ କେମିତି ବ୍ୟୟ ହେଲା, ତାହା ଦେଖିଥିବା ଲୋକଙ୍କ ବୁଝିବା ବାହାରେ ଥିଲା।

ଜାତୀୟ ଅଥବା ଅନ୍ତର୍ଜାତୀୟ ମାନ୍ୟତା ପାଇ ନଥିବା ଚଳିତ ବର୍ଷ ରାଜ୍ୟସ୍ତରୀୟ କଟକ ବାଲିଯାତ୍ରା ଉତ୍ସବ ପରିଚାଳନାରେ ଇଏ ହେଉଛି ପ୍ରଶାସନିକ ଦକ୍ଷତାର ରିପୋର୍ଟ କାର୍ଡ। କଟକ ପୌର ନିଗମ, କଟକ ଜିଲ୍ଲା ପ୍ରଶାସନ ଓ କଟକ କମିସନରେଟ୍ ପୁଲିସ ବାଲିଯାତ୍ରା ଆୟାଜନର ବିଭିନ୍ନ ବ୍ୟବସ୍ଥା ସହିତ ସଂପୃକ୍ତ। ଗୋଟିଏ ପଟେ ବାଲିଯାତ୍ରା ଆୟୋଜନ ଭିତ୍ତିଭୂମି ପ୍ରସ୍ତୁତିରେ ଉଭୟ ପୌର ନିଗମ ଓ ଜିଲ୍ଲା ପ୍ରଶାସନ ଦ୍ବାରା ହୋଇଥିବା ବ୍ୟୟ ଅଟକଳରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ୍‌ ଅଭିଯୋଗ ଏବଂ ଅନ୍ୟପଟେ ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ପାଇଁ ଗାଡ଼ି ପାର୍କିଂ ଷ୍ଟାଣ୍ଡ ପ୍ରସ୍ତୁତି ଓ ସେଥିରେ ମନଇଚ୍ଛା ବେଆଇନ କାରବାର ସଂପୂର୍ଣ୍ଣ ପ୍ରକ୍ରିୟା ଓ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ମହାଦୁର୍ନୀତି ସାଙ୍ଗକୁ ଆୟୋଜନରେ ସଂପୂର୍ଣ୍ଣ ଅବ୍ୟବସ୍ଥା ଏବେ ଜାତୀୟ ଆଉ ଅନ୍ତର୍ଜାତୀୟ ସ୍ବପ୍ନ ଦେଖାଉଥିବା ବ୍ୟକ୍ତିବିଶେ‌ଷଙ୍କ ଦକ୍ଷତା ଓ ଉଦ୍ଦେଶ୍ୟକୁ କାଠଗଡ଼ାରେ ଛିଡା କରାଇଛି। ଏଭଳି ଆଭିମୁଖ୍ୟ ଆଉ ଦକ୍ଷତାରେ କଟକ ପ୍ରଶାସନ ବାଲିଯାତ୍ରା ଜାତୀୟ ଉତ୍ସବ ଅଥବା ବାଲିଯାତ୍ରା ଅନ୍ତର୍ଜାତୀୟ ଉତ୍ସବ ଆୟୋଜନରେ କେତେ ସଫଳ ଆଉ ସକ୍ଷମ ହୋଇ ପାରିବ, ତାହାକୁ ନେଇ ଏବେ ସବୁ ‌ମହଲରେ ପ୍ରଶ୍ନ ଉଠୁଛି। ଏଭଳି ସ୍ଥିତିରେ କଟକ ପୌର ନିଗମ କର୍ତ୍ତୃପକ୍ଷ ବାଲିଯାତ୍ରା ଚାଲିଥିବା ସମୟରେ କାର୍ଯ୍ୟର ସମୀକ୍ଷା କରିବା ପାଇଁ ହଠାତ ଏକ ୫ ଜଣିଆ କମିଟି ଗଠନ କରିବା ବି ଅତ୍ୟନ୍ତ ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି କରିଛି। କମିଟିରେ ସେହିମାନଙ୍କୁ କର୍ତ୍ତୃପକ୍ଷ ରଖିଛନ୍ତି, ଯେଉଁମାନେ ଦୁର୍ନୀତି ଅଭିଯୋଗ ହେଉଥିବା କାମର ବ୍ୟୟ ଅଟକଳ ପ୍ରସ୍ତୁତ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।