ରାଜ୍ୟ ସ୍ପେଶାଲ ରିପୋର୍ଟ

ଖରିଫ୍‌ ଧାନ ସଂଗ୍ରହ: ଏସ୍‌ଏଚ୍‌ଜିଙ୍କ ସଂଖ୍ୟା ୫୪୭କୁ ଖସିଲା

ଭୁବନେଶ୍ବର: ଗତବର୍ଷ ୭୧୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଖରିଫ ଧାନ ସଂଗ୍ରହ କରିଥିଲେ। ଚଳିତ ବର୍ଷ ଏହି ସଂଖ୍ୟା ୫୪୭କୁ ହ୍ରାସ ପାଇଛି। ମୟୂରଭଞ୍ଜ, ରାୟଗଡ଼ା, ନୟାଗଡ଼, ଗଜପତି, କନ୍ଧମାଳ, ଖୋର୍ଧା, କେନ୍ଦ୍ରାପଡ଼ା, କେନ୍ଦୁଝରରେ ଧାନ ସଂଗ୍ରହ ବ୍ୟବସ୍ଥାରେ କୌଣସି ଏସ୍‌ଏଚ୍‌ଜିଙ୍କୁ ସାମିଲ କରାଯାଇନାହିଁ। ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ ସମବାୟ ବିଭାଗ। ରାଜ୍ୟରେ ଧାନ ସଂଗ୍ରହରେ ଅଧିକ ଏସ୍‌ଏଚ୍‌ଜିଙ୍କୁ ସାମିଲ ପାଇଁ ନୀତି ଗ୍ରହଣ କରାଯାଇଛି। ଏଣୁ ଅଧିକ ସଂଖ୍ୟକ ଏସ୍‌ଏଚ୍‌ଜିଙ୍କୁ ଚିହ୍ନଟ କରି ଧାନ କିଣାରେ ସାମିଲ ପାଇଁ ସମବାୟ ବିଭାଗ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି।

ସୂଚନା ଅନୁଯାୟୀ, ଗତବର୍ଷ ଗଞ୍ଜାମରେ ୧୦୪ ଏସ୍‌ଏଚ୍‌ଜି ଧାନ ସଂଗ୍ରହ କରିଥିଲେ। ଚଳିତବର୍ଷ ଏଠାରେ ଧାନ ସଂଗ୍ରହ ଆରମ୍ଭ ହୋଇ ନାହିଁ। କିନ୍ତୁ ପଞ୍ଜୀକୃତ ଗ୍ରୁପ ସଂଖ୍ୟା ୧୦୩ ରହିଛି। ବରଗଡ଼ରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ପଞ୍ଜୀକୃତ ଏସ୍‌ଏଚ୍‌ଜିଙ୍କ ସଂଖ୍ୟା ୬୮ରୁ ୩୪କୁ ହ୍ରାସ ପାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷର ହିସାବ ନେଲେ ସମ୍ବଲପୁରରେ ମଧ୍ୟ ଏହା ୨୫ରୁ ୧୫, ସୁବର୍ଣ୍ଣପୁରରେ ୭୫ରୁ ୪୦, ବାଲେଶ୍ବରରେ ୧୨ରୁ ୮, ବଲାଙ୍ଗୀରରେ ୨୭ରୁ ୧୭, ଯାଜପୁରରେ ୬୨ରୁ ୪୬, କଳାହାଣ୍ଡିରେ ୫୫ରୁ ୩୨, କୋରାପୁଟରେ ୪୨ରୁ ୨୨, ବୌଦ୍ଧରେ ୩ରୁ୨କୁ ଏସ୍‌ଏଚ୍‌ଜିଙ୍କ ସଂଖ୍ୟା କମିଛି। କଟକ ଭଳି ବଡ଼ ଏବଂ ଆଗୁଆ ଜିଲ୍ଲାରେ ଗତବର୍ଷ ମାତ୍ର ୩ଟି ଏସ୍‌ଏଚ୍‌ଜି ଧାନ ସଂଗ୍ରହ ପ୍ରକ୍ରିୟାରେ ଥିଲେ। ଚଳିତ ବର୍ଷ ଏହି ସଂଖ୍ୟାରେ ପରିବର୍ତ୍ତନ ହୋଇନାହିଁ। ୨୦୨୨ରେ ଗଜପତିରେ ୨୧ଟି ଏସ୍‌ଏଚ୍‌ଜି ଧାନ ସଂଗ୍ରହ କରିଥିଲେ। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା କେହି ମଧ୍ୟ ଧାନ ସଂଗ୍ରହ ପାଇଁ ପଞ୍ଜୀକୃତ ହୋଇ ନାହାନ୍ତି। ଏକମାତ୍ର ଜିଲ୍ଲା ନବରଙ୍ଗପୁରରେ ପଞ୍ଜୀକୃତ ଏସ୍‌ଏଚ୍‌ଜିଙ୍କ ସଂଖ୍ୟା ୨୬ରୁ ୪୫କୁ ବୃଦ୍ଧି ପାଇଛି।

୮ ଜିଲ୍ଲାରେ କେହି ନାହାନ୍ତି, ନବରଙ୍ଗପୁରରେ ପୂର୍ବାପେକ୍ଷା ଅଧିକ ଗୋଷ୍ଠୀ ସାମିଲ
ଅଧିକ ସଂଖ୍ୟକ ଏସ୍‌ଏଚ୍‌ଜିଙ୍କୁ ସାମିଲ ପାଇଁ ସମବାୟ ବିଭାଗର ଚିଠି
ଧାନ ସଂଗ୍ରହ ତାରିଖ ଶୀଘ୍ର ଘୋଷଣା କର, ୯୨ % ଚାଉଳ ସଂଗୃହିତ

ସମ୍ବଲପୁର ଜିଲ୍ଲା ପିଣ୍ଡାପଥରର ଏସ୍‌ଏଚ୍‌ଜି ସଦସ୍ୟା କୁମୁଦିନୀଙ୍କ କହିବା ଅନୁସାରେ, ଗତବର୍ଷ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ବୈଷୟିକ ତ୍ରୁଟି ଯୋଗୁଁ ଅନେକ ଏସ୍‌ଏଚ୍‌ଜି ଟାର୍ଗେଟରୁ ଅଧିକ ଧାନ ସଂଗ୍ରହ କରି କଳା ତାଲିକାଭୁକ୍ତ ହୋଇଥିଲେ। ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏହି କାରଣରୁ ଅନେକ ଏସ୍‌ଏଚ୍‌ଜି ବାଦ ପଡ଼ିଛନ୍ତି। ଏଥିଯୋଗୁଁ ସେମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହା ସତ୍ତ୍ବେ ଧାନ ସଂଗ୍ରହ ନେଇ ଏସ୍‌ଏଚ୍‌ଜିଙ୍କ ଆଗ୍ରହ କମି ନାହିଁ। ମୟୂରଭଞ୍ଜ ଜିଲ୍ଲାର ଏସ୍‌ଏଚ୍‌ଜି ସଦସ୍ୟା ମଧୁସ୍ମିତାଙ୍କ ମତ ହେଉଛି, ଧାନ ସଂଗ୍ରହ ସମ୍ପର୍କରେ ସେ ଜାଣନ୍ତି ନାହିଁ। ତେଣୁ ଏହି ଦିଗ ପ୍ରତି ଆଗ୍ରହ ରଖି ନାହାନ୍ତି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଏଜେନ୍ସି ଭାବରେ ପ୍ୟାକ୍ସ ଧାନ ସଂଗ୍ରହ କରିଥାଏ। ୨୦୧୮ ମସିହା ରବିରେ ପ୍ରଥମ କରି କଳାହାଣ୍ଡି ଜିଲ୍ଲାର ୧୭ଟି ଗ୍ରାମ ପଞ୍ଚାୟତରେ ୧୭ଟି ଏସ୍‌ଏଚ୍‌ଜି ଧାନ ସଂଗ୍ରହ କରିଥିଲେ। ଏହାପରେ ୨୦୧୯ ମସିହା ଖରିଫରେ ୧୧ଟି ଜିଲ୍ଲାରେ ୧୯୯ଟି ଏସ୍‌ଏଚ୍‌ଜି ରବିରେ ୮ଟି ଜିଲ୍ଲାର ୧୧୨ ଗ୍ରାମପଞ୍ଚାୟତରେ ୧୧୩ ଏସ୍‌ଏଚ୍‌ଜି ଧାନ ସଂଗ୍ରହ କରିଥିଲେ।

ଉଲ୍ଲେଖଥାଉକି, ରାଜ୍ୟର ଯେଉଁ ଜିଲ୍ଲାମାନଙ୍କରେ ଧାନ ସଂଗ୍ରହ କମିଟି ବୈଠକ ହୋଇ ନାହିଁ, ସେଠାରେ ଯଥାଶୀଘ୍ର ବୈଠକ କରାଯାଇ ଧାନ ସଂଗ୍ରହ ତାରିଖ ଘୋଷଣା ପାଇଁ ସମବାୟ ବିଭାଗ ପକ୍ଷରୁ ଡିଆରସିଏସଙ୍କୁ ନିର୍ଦେଶ ହୋଇଛି। ସୀମାନ୍ତବର୍ତ୍ତୀ ଜିଲ୍ଲାରେ ବାହାର ରାଜ୍ୟର ଧାନ ଯେମିତି ପ୍ରବେଶ କରିପାରିବ ନାହିଁ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା କଷ୍ଟମ ମିଲିଂରେ ଶତ ପ୍ରତିଶତ ଚାଉଳ ଆସି ନାହିଁ। ଆହୁରି ୮%ଆସିବାକୁ ବାକି ରହିଛି। ସର୍ବାଧିକ ଧାନ ସଂଗ୍ରହ କରୁଥିବା ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ୨୩ %, ବୌଦ୍ଧରେ ୧୮ %, ସମ୍ବଲପୁରରେ ୧୬ %, କୋରାପୁଟରେ ୧୫ % ଚାଉଳ ଆସି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।