ରାଜ୍ୟ ସ୍ପେଶାଲ ରିପୋର୍ଟ

କଲେଜ ସ୍ତରରୁ ଆଇଏଏସ୍‌ କୋଚିଂ: ଖର୍ଚ୍ଚ ବହନ କରିବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ କଲେଜ ସ୍ତରରୁ ଆଇଏଏସ୍ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଯେପରି ଓଡ଼ିଆ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବ ତାହାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ଶିକ୍ଷାବର୍ଷଠାରୁ ଶିକ୍ଷାନୁଷ୍ଠାନରେ ମାଗଣା କୋଚିଂର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ପାଠପଢ଼ା ସହ ପିଲାମାନେ ୟୁପିଏସ୍‌ସି, ଓପିଏସ୍‌ସି ପରି ପ୍ରତିଯୋଗିତା ମୂଳକ ପରୀକ୍ଷା ଲାଗି ପ୍ରସ୍ତୁତି କରିବେ। ପ୍ରତିଦ୍ବନ୍ଦିତା ମୂଳକ ନିଯୁକ୍ତି ପରୀକ୍ଷାର ବିଷୟବସ୍ତୁକୁ ପାଠ୍ୟକ୍ରମରେ ସାମିଲ କରିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଛି। ଫଳରେ ବିଭିନ୍ନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତିର ସୁଯୋଗ ପାଇବା ସହ ଅଧିକ ଦକ୍ଷ ହୋଇପାରିବେ। ଏଥ‌ିପାଇଁ ହେବାକୁ ଥିବା ଖର୍ଚ୍ଚ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ବହନ କରିବେ ବୋଲି ଚଳିତ ମାସ ୨୦ ତାରିଖରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହାଦ୍ବାରା ରାଜ୍ୟର ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଆଶା ରଖିଛି। ତେବେ ଏହାର ସଫଳତା ନେଇ ଏବେଠାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅର୍ଥ ଖର୍ଚ୍ଚ କରାଯାଇ ବିଶ୍ବବିଦ୍ୟାଳୟଗୁଡ଼ିକରେ ମାଗଣା କୋଚିଂର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଫଳପ୍ରଦ ହୋଇପାରି ନ ଥିଲା। ଜଣେ ବି ହେଲେ ଛାତ୍ରଛାତ୍ରୀ କୋଚିଂ ନେବା ପରେ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରିପାରି ନ ଥିଲେ। ଫଳରେ ରାଜ୍ୟ ସରକାର ବାଧ୍ୟ ହୋଇ ମାଗଣା କୋଚିଂ ବ୍ୟବସ୍ଥାକୁ ବନ୍ଦ କରିଥିଲେ। ଚଳିତ ଶିକ୍ଷାବର୍ଷରେ ପ୍ରାୟ ୫ କୋଟି ଟଙ୍କା ବିନିମୟରେ ପୁଣିଥରେ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂର ବ୍ୟବସ୍ଥା ହୋଇଛି। କଲେଜ ସ୍ତରରୁ କୋଚିଂ ସୁବିଧା ପାଇଲେ ପିଲାମାନେ ଭବିଷ୍ୟତରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅଧିକ ସଫଳ ହୋଇପାରିବେ ବୋଲି ବିଭାଗ ଆଶା ରଖିଥିବା ବେଳେ ସବୁଥର ପରି ଏଥର ବି ମାଗଣା କୋଚିଂ ଫେଲ୍ ମାରିବନି ତ ବୋଲି ଆଶାୟୀମାନେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କରିବାକୁ ପ୍ରଥମ ଥର ଅନଲାଇନ୍ ମାଧ୍ୟମରେ ‘ଟାଲି’, ‘ଜିଏସ୍‌ଟି ରିଟର୍ଣ୍ଣ ଫାଇଲ’ ପରି ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ। ଏଥିପାଇଁ ନାସ୍‌କମ୍ ସହ ରାଜିନାମା ହୋଇଛି। ସେହିପରି ନାକ୍ ମାନ୍ୟତାରେ ଉତ୍ତମ ପ୍ରଦର୍ଶନ କରୁଥ‌ିବା ଉଚ୍ଚ ଶିକ୍ଷାନୁଷ୍ଠାନକୁ ସାମସ୍ ପାଣ୍ଠିରୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ମାନ୍ୟତାରେ ଉନ୍ନତି ପାଇଁ ଉଚ୍ଚଶିକ୍ଷା ପରିଷଦ କାର୍ଯ୍ୟ କରିବ। କ୍ୟାରିଅର କାଉନ୍‌ସେଲିଂ ମାର୍ଗଦର୍ଶିକା ନେଇ ଓଏସ୍ଏଚ୍ଇସି ସହ ଉଚ୍ଚଶିକ୍ଷା ବିଭାଗର ପିଟିସି ଆଲୋଚନା କରିବ। ଏହାସହ ପରିଚାଳନା କମିଟି ସଦସ୍ୟଙ୍କୁ ତାଲିମ, ସଭିସ୍ ରୁଲ୍ ସମ୍ପର୍କରେ ସଚେତନତା, ଏସ୍ଏଲ୍‌ଆର୍ ସେକ୍ସନ୍ ସ୍କଲାର୍‌ସିପ୍ କାଉନସିଲ୍ ପ୍ରତିଷ୍ଠା ପାଇଁ ଫାଇଲ୍ ଦାଖଲ ଆଦି କାର୍ଯ୍ୟ କରିବ। ଶିକ୍ଷାନୁଷ୍ଠାନରେ ଶିକ୍ଷକଙ୍କ ୭ ଘଣ୍ଟା ବାଓମାଟ୍ରିକ୍ ଉପସ୍ଥାନକୁ ବାଧ୍ୟତାମୂଳକ, ଛାତ୍ରଛାତ୍ରୀଙ୍କ ୭୫% ଉପସ୍ଥାନକୁ ସାମ୍‌ ପୁନଃନାମଲେଖା ସହ ଯୋଡ଼ିବା ନେଇ ଆଲୋଚନା ହୋଇଛି।

ବ୍ଲକ ସ୍ତରରେ ଲାପଟପ ବଣ୍ଟନ ଯୋଜନାର ନାୟମାବଳୀ ପ୍ରଚାର ପ୍ରସାର ପାଇଁ ସୋସିଆଲ ମିଡିଆର ବ୍ୟବହାର କରାଯିବ। ନିରାଶୟ ତଥା ଗୋଟିଏ ମା’ ଶିଶୁ, ତୃତୀୟ ଲିଙ୍ଗୀ ବିଦ୍ୟାର୍ଥୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କାର ବୃତ୍ତି ପ୍ରଦାନ କରିବା ପାଇଁ ମାର୍ଗଦର୍ଶିକା ଜାରି ହେବ। ଏବେ ସୁଦ୍ଧା ‘ମୋ ସରକାର’ ଅଧୀନରେ ଉଚ୍ଚଶିକ୍ଷା ବିଭାଗକୁ ୨୮୧ଟି ଫୋନ କଲ ଆସିଛି ଏବଂ ସମସ୍ତ କଲ୍‌ର ବିବରଣୀ ସାଙ୍ଗକୁ ବହୁ ପ୍ରସଙ୍ଗ ଉପରେ ଗତ ୨୦ ତାରିଖ ବୈଠକରେ ଆଲୋଚନା ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।