ରାଜ୍ୟ ସ୍ପେଶାଲ ରିପୋର୍ଟ

ସାହସୀ ଆଦିବାସୀ ଯୁବତୀ ମାନସୀଙ୍କ କରୁଣ କାହାଣୀ: ୧୨ ବର୍ଷରୁ ଦାଦନ ଖଟୁଥିଲେ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖ୍ରପାଖୋଲ ବ୍ଲକ ମାଟିଆଭଟା ଗ୍ରାମର ମାନସୀ ବରିହା (୨୫) ଏକଦା ସାହସୀ ଯୁବତୀ ଭାବରେ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ଖବରକାଗଜର ପୃଷ୍ଠା ମଣ୍ଡନ କରିଥିଲେ। ୨୦୨୦ ମସିହା କରୋନା କାଳରେ ତାମିଲନାଡ଼ୁ ରାଜ୍ୟର ପୁଡ଼ୁକପମଠାରେ ଏକ ଇଟା ଭାଟିରେ ମାନସୀ, ତାଙ୍କ ବାପା ଟିକୁନୁ ବରିହା (୬୫) ଓ ସାନ ଭଉଣୀ ଦହନା (୧୪) ଦାଦନ ଶ୍ରମିକ ଭାବରେ କାମ କରୁଥିଲେ। ଏହି ସମୟରେ ଇଟାଭାଟିର ମାଲିକ ମୁଡ୍ଡୁ ସ୍ବାମୀ ଓ ତାଙ୍କ ସହଯୋଗୀ ଗୁଣ୍ଡା ଲଗାଇ ଶ୍ରମିକଙ୍କୁ ପ୍ରବଳ ମାଡ଼ ମାରି ରକ୍ତାକ୍ତ କରି ଦେଇଥିଲେ। ମାଲିକ ପାରିଶ୍ରମିକ ତ ଦେଇନଥିଲା, ଗାଁକୁ ଫେରିଯିବାକୁ ମଧ୍ୟ ଛାଡ଼ିନଥିଲା। ତାଙ୍କ ପରିବାର ସମେତ ଶତାଧିକ ଓଡ଼ିଆ ଶ୍ରମିକ ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ। ଇଟାଭାଟି ମାଲିକର ଏଭଳି ଅମାନୁଷିକ କାର୍ଯ୍ୟକୁ ନିଜ ମୋବାଇଲରେ ରେକର୍ଡ କରି ମାନସୀ ସାହସର ସହ ତାକୁ ଖପ୍ରାଖୋଲ ଥାନା ସମେତ ବିଭିନ୍ନ ସ୍ଥାନକୁ ପଠାଇ ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ସହାୟତା ମାଗିଥିଲେ। ପରେ ଏକ ସ୍ବେଚ୍ଛାସେବୀ ସଂଗଠନର ଉଦ୍ୟମରେ ପ୍ରଶାସନର ସହଯୋଗରେ ତାମିଲନାଡ଼ୁ ପୁଲିସ ସଂପୃକ୍ତ ଇଟାଭାଟି ସମେତ ବିଭିନ୍ନ ଇଟାଭାଟିରେ କାମ କରୁଥିବା ୬ ହଜାର ୭ ଶହ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ।

ମାତ୍ର ୧୨ ବର୍ଷ ବୟସରେ ରୋଗକ୍ରାନ୍ତ ମାକୁ ହରାଇଥିଲେ ମା​ନସୀ। ମାଙ୍କ ଚିକିତ୍ସା ପାଇଁ ବାପା ଆଣିଥିବା କରଜ ସୁଝି ନପାରିବାରୁ ବାପାଙ୍କ ସହ ମାନସୀ ୧୨ ବର୍ଷ ବୟସରୁ ଇଟାଭାଟିକୁ ଦାଦନ ଖଟି ଯାଇଥିଲେ। ତେବେ, ଭିଡିଓରେ ତାଙ୍କ ଗୁହାରି ଯୋଗୁଁ ଏତେ ସଂଖ୍ୟାରେ ନିର୍ଯାତିତ ଶ୍ରମିକ ଉଦ୍ଧାର ହେବା ଘଟଣାକୁ ନେଇ ମାନସୀ ବରିହା ଜିଲ୍ଲା ଓ ରାଜ୍ୟରେ ବେଶ ପରିଚିତ ହୋଇ ଯାଇଥିଲେ। ରାଜ୍ୟ ତଥା ବାହାରେ ଅନେକ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏବେ ମଧ୍ୟ ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରୁଥିବା ବେଳେ ଏହି ଘଟଣାକୁ ନେଇ ଏକ ଚଳଚ୍ଚିତ୍ର କରିବାକୁ ମଧ୍ୟ ଅନେକ ପ୍ରଯୋଜକ ପ୍ରସ୍ତାବ ଦେଇଛନ୍ତି। ମାତ୍ର ମାନସୀଙ୍କ ପରିବାରର ଦୁଃସ୍ଥିତି ବଦଳି ନାହିଁ। ସେଦିନରୁ ଭୟରେ ସେ ଆଉ ଦାଦନ ଖଟିବାକୁ ଯାଉନାହାନ୍ତି। ଘରେ ବୁଢ଼ା ବାପା ଆଉ କାମ କରି ପାରୁନାହାନ୍ତି। ଭଉଣୀ ଦହନା ଏବେ ନବମ ଶ୍ରେଣୀରେ ପଢ଼ୁଛି। ପରଘରେ ମୂଲମଜୁରି ଲାଗି ମାନସୀ କୌଣସି ପ୍ରକାରେ ଘର ଚଳାଇ ନେଉଛନ୍ତି।

ସେତେବେଳେ ପ୍ରଶଂସା ଓ ପ୍ରତିଶ୍ରୁତି ଅଜାଡ଼ି ଦେଇଥିବା ପ୍ରଶାସନ ଏବଂ ଅନୁଷ୍ଠାନ କିନ୍ତୁ ପରବର୍ତ୍ତୀ କାଳରେ ମାନସୀଙ୍କୁ ଭୁଲି ଯାଇଛନ୍ତି। ସାହସ ଦେଖାଇ ଶ୍ରମିକଙ୍କୁ ଉଦ୍ଧାର କରିଥିବା ମାନସୀଙ୍କୁ କୌଣସି ଏକ ସ୍ଥାନରେ ଥଇଥାନ କରିବା ପାଇଁ ବିଭିନ୍ନ ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ତାହା ଭୁଲି ଯାଇଛନ୍ତି। ଚାଳ ଛପର ଘର ଭାଙ୍ଗି ଆଁ କରିଥିବାରୁ ଘର ଖଣ୍ଡେ ପାଇଁ ଆବାସ ଯୋଜନାରେ ବାରମ୍ବାର ଆବେଦନ କରି ଅସଫଳ ହୋଇଛନ୍ତି ମାନସୀ। ବାପା ୬୫ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବି ଯୋଗାଇ ଦିଆଯାଇ ନାହିଁ। ଶେଷରେ ସବୁ ଦିଗରୁ ନିରାଶ ହୋଇ ମାନସୀ ଏବେ ଭାଗ୍ୟକୁ ଆଦରି ଘରେ ପଡ଼ି ରହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।