ରାଜ୍ୟ ସ୍ପେଶାଲ ରିପୋର୍ଟ

ଢେଙ୍କାନାଳ ଲୋକସଭା ଆସନରୁ ଧର୍ମେନ୍ଦ୍ର ନ ଲଢ଼ିଲେ କିଏ?

ଅନୁଗୁଳ (ପତିତପାବନ ସାହୁ) : ଢେଙ୍କାନାଳ ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଲଢ଼ିବେ ବୋଲି ପାଖାପାଖି ବର୍ଷେ ହେଲା ଚର୍ଚ୍ଚା ଚାଲିଛି। ହେଲେ ଧର୍ମେନ୍ଦ୍ର ସମ୍ବଲପୁରମୁହାଁ ହେବା ପରେ ଏବେ ଏହି ଲୋକସଭା ଆସନକୁ ନେଇ ପୁଣି ଆରମ୍ଭ ହୋଇଛି ଅଙ୍କକଷା। ଏଠାରୁ ଧର୍ମେନ୍ଦ୍ର ନ ଲଢ଼ିଲେ ବିଜେପି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏହି ଲୋକସଭା କ୍ଷେତ୍ର ଲାଗି ଗ୍ରହଣୀୟ ହୋଇପାରୁଥିବା ଜଣେ ଚେହେରା ସନ୍ଧାନରେ ରହିଛି ବିଜେପି। ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କ ଉପରେ ଦଳ ପୁଣି ଭରସା କରିବ, ନା  ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ମୃଦଳା ଠାକୁର ପ୍ରଧାନ ମଇଦାନକୁ ଓହ୍ଲାଇବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏମାନଙ୍କ ବ୍ୟତୀତ ଦଳ ନୂଆ ଚେହେରା ସାମ୍ନାକୁ ଆଣିବାର ସମ୍ଭାବନାକୁ ଏଡ଼ାଇ ହେଉନି।

ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ବିଜେପିର ଚେହେରା ସାଜିଥିବା ରୁଦ୍ର ନାରାୟଣ ପାଣି ବିଜେଡିକୁ କଡ଼ା ମୁକାବିଲା କରିବା ସହ ସରକାରଙ୍କୁ ଶାଣିତ ସମାଲୋଚନା କରୁଥିବାରୁ ଦଳ ୨୦୨୪ରେ ପୁଣି ଥରେ ତାଙ୍କ ଉପରେ ଭରସା କରିବ ବୋଲି କୁହା ଯାଉଥିଲା। କିନ୍ତୁ ଦେଢ଼ ବର୍ଷ ହେଲାଣି ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଧର୍ମେନ୍ଦ୍ର ସକ୍ରିୟ ହେଲା ପରେ ବିଜେପି ସମୀକରଣ ବଦଳିଥିଲା। ଧର୍ମେନ୍ଦ୍ର ବାରମ୍ବାର ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଆସିବା ଓ ଲୋକଙ୍କୁ ଭେଟିବା ପରେ ସେ ଏଠାରୁ ପ୍ରାର୍ଥୀ ହେବା ନେଇ ବିଜେପି ନେତାମାନେ ନିଶ୍ଚିତ ହୋଇଯାଇଥିଲେ। ନିଜେ ରୁଦ୍ର ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ ଆଉ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିବା ସହ ଧର୍ମେନ୍ଦ୍ର ହିଁ ଏଠାରୁ ପ୍ରାର୍ଥୀ ହେବେ ବୋଲି ଅନୌପଚାରିକ ଭାବେ ଦଳୀୟ କର୍ମୀ ଓ ସମର୍ଥକଙ୍କୁ କହୁଥିଲେ। କିନ୍ତୁ କିଛି ଦିନ ହେଲା ପଶ୍ଚିମ ଓଡ଼ିଶାର ବିଜେପି ନେତାମାନେ ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ଇଙ୍ଗିତ ଦେଲେଣି। ଏହା ପରେ ଢେଙ୍କାନାଳରେ ପୁଣି ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଛି।

ଢେଙ୍କାନାଳ ଜିଲ୍ଲ‌ାର ୪ଟି ବିଧାନସଭା କ୍ଷେତ୍ର ଓ ଅନୁଗୁଳ ଜିଲ୍ଲାର ୩ଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ଢେଙ୍କାନାଳ ଲୋକସଭା ଆସନରେ ୨୦୦୪ରୁ ବିଜେଡି ଜିତି ଆସୁଛି। ଏଠାରୁ ବିଜେଡି ପ୍ରାର୍ଥୀ ତଗାଗତ ସତପଥୀ ହାଟ୍ରିକ୍‌ ବିଜୟ ‌ଲାଭ କରିବା ପରେ ୨୦୧୯ରେ ଲଢ଼ିବାକୁ ମନା କରି ଦେଇଥିଲେ। ପରେ ପାଳଲହଡ଼ା ବିଧାୟକ ମହେଶ ସାହୁଙ୍କୁ ଆଣି ବିଜେଡି ଟିକେଟ ଦେଇଥିଲା। ସେ ମଧ୍ୟ ସଫଳ ହୋଇଥିଲେ। ଏପଟେ ମେଣ୍ଟ ଭାଙ୍ଗିବା ପରେ ୨୦୦୯ରୁ ଏଠାରେ ବିଜେପି ରୁଦ୍ର ନାରାୟଣ ପାଣିଙ୍କ ଉପ‌ରେ ଭରସା କରିଛି। ସେ ବିଜୟୀ ହୋଇ ନଥିଲେ ମଧ୍ୟ ପ୍ରତି ନିର୍ବାଚନରେ ବିଜେପିର ଭୋଟ୍‌ ହାର ବଢ଼ାଇ ଚାଲିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ସେ ୧,୩୭,୩୪୦ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲାବେଳେ ଗତ ୨୦୧୯ ନିର୍ବାଚନରେ ମାତ୍ର ୩୫,୪୧୩ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ। ତେଣୁ ଧର୍ମେନ୍ଦ୍ର ପ୍ରାର୍ଥୀ ନ ହେଲେ ରୁଦ୍ରଙ୍କ ଆଡ଼କୁ ଯାଇପାରେ ଦଳ। ଏପଟେ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦଳା ଠାକୁର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ସେ ପ୍ରାର୍ଥୀ ହେବା ସମ୍ଭାବନାକୁ ଏଡ଼ାଇ ହେଉନି। ଏହାବାଦ୍‌ ଅନ୍ୟ କୌଣସି ନାଁ ସାମ୍‌ନାକୁ ଆସି ନଥିଲେ ମଧ୍ୟ ପୂର୍ବତନ ବିଧାୟକ ରବି ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ବରି‌ଷ୍ଠ ନେତା କାଳନ୍ଦୀ ସାମଲଙ୍କ ନାମକୁ ନେଇ ଦଳ ଭିତରେ ଆଲୋଚନା ହେଉଛି। ଏପରିକି ବାହାର ଦଳରୁ କୌଣସି ନେତାଙ୍କୁ ଆଣି ଲୋକସଭା ଆସନ ଦିଆଯାଇପାରେ। ଏଥିପାଇଁ ଅସନ୍ତୁଷ୍ଟ ବିଜେଡି ନେତାଙ୍କ ଗତିବିଧି ଉପରେ ବିଜେପି ନଜର ରଖିଛି। ଏଠାରେ ତିନି ପ୍ରମୁଖ ଦଳରେ ପ୍ରାର୍ଥୀ ଚୟନ ନେଇ ଦ୍ବନ୍ଦ୍ବ ରହିଥିବାରୁ ଲଢ଼େଇ ଗୋଳମାଳିଆ ହେବା ନିଶ୍ଚିତ। ଅପରପକ୍ଷରେ ରୁଦ୍ର ପାଣି କହିଛନ୍ତି ଯେ, ଢେଙ୍କାନାଳରୁ ଧର୍ମେନ୍ଦ୍ର ଲଢ଼ିବା ଏକ ପ୍ରକାର ନିଶ୍ଚିତ। ଏଣୁ ଅନ୍ୟ କାହାର ପ୍ରାର୍ଥିତ୍ବ ନେଇ ଆଲୋଚନା କରିବା ଠିକ୍ ନୁହଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।