ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାନସଭାରେ ଆଦିବାସୀ ଜମି ତାତି: ସକାଳେ ଚାଲିପାରିଲାନି ଗୃହ

ଭୁବନେଶ୍ୱର: ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ କ୍ୟାବିନେଟ୍‌ ନିଷ୍ପତ୍ତିର ପ୍ରତିବାଦ ଜାରି ରଖିଛନ୍ତି ବିରୋଧୀ ଦଳ। ଗତକାଲି ଏହି ପ୍ରସଙ୍ଗରେ ବିଧାନସଭା ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା। ଆଜି ବି ସମାନ ସ୍ଥିତି ଲାଗି ରହିଥିଲା। ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆଦୌ ହୋଇପାରି ନଥିଲା। ଅପରାହ୍ନରେ ଗୃହରେ ବିରୋଧୀ ଦଳ ସଭ୍ୟମାନେ ସରକାରଙ୍କୁ ସମାଲୋଚନା କରିଥିଲେ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗକୁ ମାଡ଼ି ଆସିଥିଲେ। କିଛି ବିଜେପି ବିଧାୟକ ପାରମ୍ପରିକ ପୋଷାକ ପିନ୍ଧି ଗୃହକୁ ଆସିଥିଲେ। ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ସରକାରଙ୍କୁ ଆଦିବାସୀ ବିରୋଧୀ ବୋଲି ଆଖ୍ୟା ଦେଇଥିଲେ। କ୍ୟାବିନେଟ୍‌ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ସେମାନଙ୍କ ହୋହଲ୍ଲାରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ। ଏହି ସମୟରେ ବିଜେପି ବିଧାୟକମାନେ ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର‌ ଦେଇଥିଲେ। ଅପରାହ୍ନରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ପଏଣ୍ଟ୍‌ ଅଫ୍‌ ଅର୍ଡର୍‌ ଜରିଆରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟ ଆଦିବାସୀଙ୍କ ବିକ୍ରି ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, କ୍ୟାବିନେଟ୍‌ ନିଷ୍ପତ୍ତି ପରିପକ୍ବ ନୁହେଁ ବୋଲି ରାଜସ୍ବ ମନ୍ତ୍ରୀ ଗଣମାଧ୍ୟମକୁ ବିବୃତି ଦେଇଛନ୍ତି। ଏହାର ଅର୍ଥ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ମନ୍ତ୍ରୀ ପରିପକ୍ବ ନୁହନ୍ତି। ମନ୍ତ୍ରୀ ଗୃହରେ ସ୍ପଷ୍ଟ କରିବା ଉଚିତ ଯେ ଏହା ଅପରିପକ୍ବ ନିଷ୍ପତ୍ତି ଥିଲା ନା ଆଉ କିଛି? ଏହି ଆଇନ୍ ଯିଏ ଆଣିଛି ସେ ଆଦିବାସୀ ବିରୋଧୀ। ଆଦିବାସୀଙ୍କ ଜମି ହଡ଼ପ ପାଇଁ ଏହା ଏକ ଷଡ଼୍‌ଯନ୍ତ୍ର। ଗୃହରେ ଆଇନ ତିଆରି ପାଇଁ ଆମେ ବିଧାୟକମାନେ ନିର୍ବାଚିତ ହୋଇଆସିଛୁ। ଆଇନ ତିଆରି ବେଳେ ଆମେ ସତର୍କ ରହିବା ଦରକାର। ତେବେ କ୍ୟାବିନେଟ୍‌ ଗୋଟିଏ ନିଷ୍ପତ୍ତି ନେବା ପୂର୍ବରୁ ବିଭିନ୍ନ ସ୍ତର ଦେଇ ଆସିବାର ନିୟମ ରହିଛି। ଭିନ୍ନ ଭିନ୍ନ ସ୍ତରରେ ତାହାର ତର୍ଜମା

ସକାଳେ ଚାଲିପାରିଲାନି ଗୃହ
ଆଦିବାସୀଙ୍କ ଜମି ହଡ଼ପ ପାଇଁ ଷଡ଼୍‌ଯନ୍ତ୍ର: ନରସିଂହ
ରାଜସ୍ବ ମନ୍ତ୍ରୀ କ’ଣ କ୍ୟାବିନେଟ୍‌ ଉପରେ: ମୋହନ

କରାଯାଇଥାଏ। ପୁଣି କ୍ୟାବିନେଟ୍‌ର ନିଷ୍ପତ୍ତିକୁ ଜଣେ ମନ୍ତ୍ରୀ କିଭଳି ଟ୍ବିଟ୍‌ରେ ସ୍ଥଗିତ ବୋଲି ଲେଖି ଅଟକାଇପାରିବେ। ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ। କ୍ୟାବିନେଟ୍‌ରେ କୌଣସି ନିଷ୍ପତ୍ତି ପାରିତ ହେବା ପୂର୍ବରୁ ତାହାକୁ ବିସ୍ତୃତ ଭାବେ ତର୍ଜମା କରାଯାଉ। ବିଶେଷ କରି ଆଦିବାସୀ ଜମିର ସୁରକ୍ଷା ପାଇଁ ସରକାର ଚିନ୍ତା କରନ୍ତୁ। ପେସା ଆଇନ ଲାଗୁ କରନ୍ତୁ। ତାହା ନ କରି ଆଦିବାସୀ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବାକୁ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଦେଖାଦେବ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକରେ କାହିଁକି ଆଲୋଚନା କରାଗଲା ନାହିଁ? ଗୃହର ବହୁମୂଲ୍ୟ ସମୟ କାହିଁକି ନଷ୍ଟ କରାଯାଉଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ଓଡ଼ିଶା ସରକାର ଆଦିବାସୀଙ୍କ ପାଇଁ କାମ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଥିଲା ବେଳେ ସେମାନଙ୍କ ଜମିକୁ ବିକ୍ରି କରିବାକୁ ବ୍ୟବସ୍ଥା କରିବା ଦୁର୍ଭାଗ୍ୟଜନକ। ଓଡ଼ିଶାର ଆଦିବାସୀ ଲୋକ ଓ ଅନ୍ୟମାନେ ଏହାକୁ ବିରୋଧ କରିବାରୁ ୪୮ ଘଣ୍ଟା ଭିତରେ ମନ୍ତ୍ରୀ ଟ୍ବିଟ୍‌ କରି ଏହା ସ୍ଥଗିତ ରଖାଗଲା ବୋଲି କହିଲେ। ରାଜସ୍ବ ମନ୍ତ୍ରୀ କ’ଣ କ୍ୟାବିନେଟ୍‌ ଉପରେ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଦିବାସୀମାନଙ୍କ ଜମି ଅଣଆଦିବାସୀମାନଙ୍କୁ ହସ୍ତାନ୍ତର କରାଯିବା ଦ୍ବାରା ଦଲାଲମାନେ ଚକ୍ରାନ୍ତ କରି ସବୁ ଜମି ନେଇଯିବେ। ସେମାନଙ୍କୁ ସର୍ବସ୍ବାନ୍ତ କରିଦେବେ। ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକରେ ଏହା ସୁପାରିସ୍‌ କରିବା କଥା ମିଛ। କ୍ୟାବିନେଟ୍‌ ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରନ୍ତୁ। କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ଆଗରୁ ଘଣ୍ଟା ଘଣ୍ଟା ଆଲୋଚନା ପରେ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଉଥିଲା। ମାତ୍ର ଏବେ ଠିକ୍ ଭାବେ ଆଲୋଚନା ହେଉନି। କ୍ୟ‌ାବିନେଟ୍‌ ନିଷ୍ପତ୍ତିକୁ ମନ୍ତ୍ରୀ ଟ୍ବିଟ୍‌ କରି ସ୍ଥଗିତ ରଖାଗଲା ବୋଲି କହିବା ଦୁର୍ଭାଗ୍ୟଜନକ। ସିପିଆଇ(ଏମ୍‌) ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଲେ, ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ବିକିବା ନିୟମ ବନ୍ଦ ହେଉ। ସରକାର ଏହି ଆଇନ ପ୍ରତ୍ୟାହାର କରନ୍ତୁ। ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ଚଳିତବର୍ଷ ଜୁଲାଇ ୧୧ ତାରିଖରେ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକ ହୋଇଥିଲା। ସେହି କମିଟିରେ ମୁଁ ସଦସ୍ୟ ଅଛି। ହେଲେ ଏହି ବୈଠକରେ ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ନେଇ କୌଣସି ଆଲୋଚନା ହୋଇ ନଥିଲା। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା‌, ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ସନାତନ ବିଜୁଳି, କୁସୁମ ଟେଟେ ପ୍ରମୁଖ ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବାକୁ ବିରୋଧ କରିବା ସହିତ ରାଜ୍ୟରେ ପେସା ଆଇନ ଲାଗୁ କରିବାକୁ ଦାବି କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।