ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଳକା ନଦୀ ସଂସ୍କାର ପ୍ରତି କାହାରି ଆନ୍ତରିକତା ନାହିଁ: ପ୍ରତିବର୍ଷ ୫ ଥର ବନ୍ୟା ସହ ଯୁଝୁଛନ୍ତି ଲୋକେ

ରବିନାରାୟଣ ଶତପଥୀ
ବସ୍ତା-୨: ବର୍ଷରେ ଏକାଧିକ ଥର ଜଳକା ନଦୀ ଫୁଲେ। ବନ୍ୟାପାଣି ପଶି ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକ୍‌ ଓ ସଦର ବ୍ଲକ୍‌ର ଅନେକ ଗାଁ ସହ ହଜାର ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଥାଏ। ବନ୍ୟାଦାଉରୁ ସୁରକ୍ଷା ପାଇଁ ଦୀର୍ଘ ବର୍ଷ ହେଲା ଜଳକା ସଂସ୍କାର ଓ ଏହାର ଶାଖା କେନାଲ୍‌ଗୁଡ଼ିକର ପୁନରୁଦ୍ଧାର ପାଇଁ ଦାବି ହୋଇଆସୁଛି। ହେଲେ ଏଯାଏ କିଛି ସୁଫଳ ମିଳୁନି। ବସ୍ତା ବ୍ଲକ୍‌ର ଉତ୍ତର ପାର୍ଶ୍ବରେ ଚିରସ୍ରୋତା ସୁବର୍ଣ୍ଣରେଖା ରହିଥିବା ବେଳେ ଦକ୍ଷିଣ ପାର୍ଶ୍ବରେ ପ୍ରବାହିତ ହେଉଛି ଜଳକା। ପ୍ରତିବର୍ଷ ସୁବର୍ଣ୍ଣରେଖା ଓ ଜଳକାରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ହେଉଛି। ବିଶେଷ କରି ଜଳକା ନଦୀରେ ପ୍ରତିବର୍ଷ ୪ରୁ ୫ ଥର ବନ୍ୟା ଆସିବା ଫଳରେ ବସ୍ତା ବ୍ଲକ୍‌ ଅନ୍ତର୍ଗତ ପତ୍ରଝଡ଼ା, ସଦାନନ୍ଦପୁର, ବାହାର୍ଦ୍ଦା, ମଥାନୀ, କୁଡ଼ିଆ, ଚକୁରାଇ, ଦୁଧହଂସା, ଦରଡ଼ା ଓ ବାଲେଶ୍ବର ସଦର ବ୍ଲକ୍‌ର ରସଲପୁର, ଶ୍ରୀରାମପୁର ପଞ୍ଚାୟତର ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି।

ଧନଜୀବନ ନଷ୍ଟ ହେଉଛି। କେବଳ ସେତିକି ନୁହେଁ, ଉପରୋକ୍ତ ପଞ୍ଚାୟତଗୁଡ଼ିକର ବହୁ ଚାଷଜମି ମଧ୍ୟ ବନ୍ୟାପାଣିରେ ବୁଡ଼ି ନଷ୍ଟ ହୋଇଯାଉଛି। ଏମିତି ସମସ୍ୟା ଉପୁଜିବା ପଛରେ ଜଳକା ନଦୀ ଓ ତାର ଶାଖା କେନାଲ୍‌ଗୁଡ଼ିକ ପୋତିଯିବା ମୁଖ୍ୟ କାରଣ ବୋଲି କୁହାଯାଉଛି। ଅନ୍ୟପଟେ ମରାମତି ଅଭାବରୁ ଏକାଧିକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଅବସ୍ଥାରେ ରହିଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଓ ଚାଷୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। କିନ୍ତୁ ଜଳସଂପଦ ବିଭାଗ ଏ ଦିଗରେ ଆଦୌ ଧ୍ୟାନ ଦେଉନଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା​ ଜଳନ୍ଧର ଗିରି ଓ ପୂର୍ଣ୍ଣଚନ୍ଦ୍ର ଜେନା। ପ୍ରତିବର୍ଷ ନିର୍ବାଚନ ଆସିଲେ ଜଳକା ସଂସ୍କାରକୁ ପ୍ରସଙ୍ଗ କରି ଓ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର୍‌ ହୋଇଯାଆନ୍ତି ରାଜନେତା। ହେଲେ ଜଳକାର ଭାଗ୍ୟ ବଦଳେ ନାହିଁ। ତେବେ ଆଗାମୀ ଦିନରେ ଏ ନେଇ ବିହିତ ପଦକ୍ଷେପ ନିଆନଗଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଜଳସଂପଦ ବିଭାଗର କନିଷ୍ଠଯନ୍ତ୍ରୀ ମହେଶ୍ୱର ସିଂଙ୍କର ପ୍ରତିକ୍ରିୟା ନିଆଯାଇଥିଲା। ସେ ଜଳକା ସଂସ୍କାର ବାବଦରେ କିଛି କହି ନଥିବା ବେଳେ ଦୁର୍ବଳ ନଦୀବନ୍ଧର ତୁରନ୍ତ ମରାମତି ହେବ ବୋଲି କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।