ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଶ୍ଚିହ୍ନ ହୋଇଯିବ ବାଉଁଶ ଜଙ୍ଗଲ: ବେଧଡ଼କ କଟା ହେଉଛି, ନିଆଁ ଲଗାଇ ଜାଳି ଦିଆଯାଉଛି

ଦଶପଲ୍ଲା: ବଣପାହାଡ଼ ଘେରା ଦଶପଲ୍ଲାର ଘଞ୍ଚ ଜଙ୍ଗଲ ରାଜ୍ୟର କୋଣ ଅନୁକୋଣରେ ପ୍ରସିଦ୍ଧି ଲାଭ କରିଥିବା ବେଳେ କାଠଭଳି ବାଉଁଶ ଜଙ୍ଗଲ ମଧ୍ୟ ବେଶ୍ ଜଣାଶୁଣା। ଜଙ୍ଗଲରୁ ପ୍ରତିବର୍ଷ ଶହଶହ ଟ୍ରିପ୍ ବାଉଁଶ ସଂଗ୍ରହ କରାଯାଏ। ପୂର୍ବରୁ ସରକାରୀ ସ୍ତରରେ ଏସବୁ ବାଉଁଶ ସଂଗ୍ରହ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା। ଦଶପଲ୍ଲା ଜଙ୍ଗଲରୁ କାଠ ଭଳି ବାଉଁଶରୁ ରାଜ୍ୟ ସରକାର ସିଂହଭାଗ ରାଜସ୍ବ ଆଦାୟ କରିଥାନ୍ତି। ଦଶପଲ୍ଲା ଜଙ୍ଗଲରେ ବହୁଳ ଭାବରେ ବାଉଁଶ ରହିଥିବାରୁ ଶିଳ୍ପବିହୀନ ଜିଲ୍ଲା ନୟାଗଡ଼ର ଦଶପଲ୍ଲାଠାରେ ଏକ କାଗଜ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଛି। ପ୍ରତିବର୍ଷ ବାଉଁଶର ରକ୍ଷଣାବେକ୍ଷଣ କ୍ଷେତ୍ରରେ ବନବିଭାଗ ପକ୍ଷରୁ କାମ୍ପା ଯୋଜନାରେ କୋଟିକୋଟି ଟଙ୍କା ବିନିଯୋଗ କରାଯାଉଥିବା ବେଳେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ହେତୁ ଏହା କ୍ରମେ ଧ୍ବଂସ ପାଇବାକୁ ବସିଛି।

ବିଶେଷକରି ବାଉଁଶ ଗଜା ସମୟରେ ମାଫିଆମାନେ ସେସବୁ ଗଜାକୁ କାଟି କରଡ଼ି ଭାବେ ବିଭିନ୍ନ ସହରକୁ ପଠାଇଥାନ୍ତି। ବନବିଭାଗ ପକ୍ଷରୁ ଏ ଦିଗରେ ଧରପଗଡ଼ ନହେବା ଫଳରେ ନୂତନ ବାଉଁଶ ଜଙ୍ଗଲ ସୃଷ୍ଟି ହେବାରେ ବାଧା ଉପୁଜୁଛି। ସେହିଭଳି ମାଫିଆମାନେ ଅନବରତ ବାଉଁଶ କାଟି ଲୁଟି ନେଉଛନ୍ତି। ଗ୍ରୀଷ୍ମଦିନେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ବହୁ ବାଉଁଶ ଜଙ୍ଗଲ ଜଳିପୋଡ଼ି ଛାର୍‌ଖାର୍‌ ହେଉଛି। ଏବେ ଦଶପଲ୍ଲା ବନାଞ୍ଚଳର ସାକେଣୀ, ପୋଖରୀଗୋଛା, ଚଡ଼େୟାପଲ୍ଲୀ ସେକ୍ସନ ଅଞ୍ଚଳରେ ବେଧଡ଼କ ଭାବେ ବାଉଁଶ କଟା ହେଉଥିବା ଦେଖିବାକୁ ମିଳିଛି। ଶହଶହ ସଂଖ୍ୟାରେ ବାଉଁଶକୁ କାଟି ଦିନ ଦ୍ବିପ୍ରହରରେ ଲୁଟ୍ କରାଯାଉଥିବା ବେଳେ ରାସ୍ତା ନିର୍ମାଣ ପାଇଁ ମଧ୍ୟ ବାଉଁଶ ବୁଦାଗୁଡ଼ିକୁ କାଟି ନଷ୍ଟ କରି ଦିଆଯାଉଛି। ଫଳରେ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ରାଜସ୍ବ ହାନି ହେଉଛି।

ଅନ୍ୟପକ୍ଷରେ ପ୍ରତିବର୍ଷ ବନଉନ୍ନୟନ ନିଗମ ପକ୍ଷରୁ ଏସବୁ ବାଉଁଶ ସଂଗ୍ରହ କରାଯାଇ ବିକ୍ରୟ କରାଯାଇଥାଏ। ଓଡ଼ିଶାର ବାଲିତୁଠ ଓ କୁଣ୍ଢେଇଘାଟ ସମେତ ଆନ୍ଧପ୍ରଦେଶକୁ ବାଉଁଶ ରପ୍ତାନି କରାଯାଉଥିଲା। ସେହିଭଳି ଏସବୁ ବାଉଁଶକୁ ଚିଙ୍ଗୁଡ଼ି ଘେରି ହେଉକି ପାନବରଜ ତଥା ଧୂପକାଠି କମ୍ପାନିକୁ ମଧ୍ୟ ପଠାଯାଏ। ମାତ୍ର ଗତ ୨ ବର୍ଷ ହେଲା ବନ ଉନ୍ନୟନ ନିଗମ ଏହି କାର୍ଯ୍ୟରୁ ନିବୃତ ରହୁଥିବା ବିଭାଗୀୟ ଏସ୍‌ଡିଏମ୍ ଶିବାଶିଷ ଦାଶ କହିଛନ୍ତି। ହେଡ୍ ଅଫିସ୍‌ରୁ ଏହାକୁ ଟେଣ୍ଡର ଦିଆଯାଉଛି। ଯାହାକି ଗତ ୨ ବର୍ଷ ହେଲା ରୁମି କେମିକାଲ୍ସ ନାମକ ଏକ ସଂସ୍ଥା ଏହାର ଟେଣ୍ଡର ନେଇ ବାଉଁଶ ସଂଗ୍ରହ କରି ବିଭିନ୍ନ ସ୍ଥାନକୁ ରପ୍ତାନି କରୁଥିବା ବେଳେ ଚଳିତବର୍ଷ ଏହା କାହାରିକୁ ଦିଆଯାଇନଥିବା କହିଛନ୍ତି। ମାତ୍ର ଦିନକୁ ଦିନ ବାଉଁଶ ଚୋରାଚାଲାଣ ହେବାସହ ବହୁ ଗଛକୁ କାଟି ନଷ୍ଟ କରି ଦିଆଯାଉଥିବା ବେଳେ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ହୋଇପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।