ରାଜ୍ୟ ସ୍ପେଶାଲ ରିପୋର୍ଟ

ସୁବର୍ଣ୍ଣରେଖାରେ ଝାଡ଼ଖଣ୍ଡୀ ବିଷ !

ବାଲେଶ୍ବର (ରୁଦ୍ରରଞ୍ଜନ ଶେଜପଡ଼ା) : ସୁନାର ନଦୀ ‘ସୁବର୍ଣ୍ଣରେଖା। ଯାହାକୁ ନେଇ କେତେ କାହାଣୀ ଓ କବିତା ଲେଖା ହୋଇଛି। ରିତିକ୍‌ ଘଟକଙ୍କ ନିର୍ଦ୍ଦେଶନାରେ ଏକ ବଙ୍ଗଳା ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। ତେବେ ଶହ ଶହ ବର୍ଷ ଧରି କୋଟି କୋଟି ଲୋକଙ୍କ ଜୀବନ ରାହା ପାଲଟିଥିବା ଏଇ ନଦୀ ଏବେ ମାତ୍ରାତିରିକ୍ତ ପ୍ରଦୂଷିତ। ଆଉ କେଉଁଠି ନୁହେଁ, ଉତ୍ପତ୍ତିସ୍ଥଳ ଝାଡ଼ଖଣ୍ଡରେ ହିଁ ମିଶୁଛି ଶହଶହ ଲିଟର ବର୍ଜ୍ୟ ଜହର। ଏହାର ପରିଣାମ ବି ଭୋଗିଲେଣି ସାଧାରଣ ଜନତା। ଆଗକୁ ସଚେତନ ଓ ତ୍ବରିତ ପ୍ରତିକାର କରାନଗଲେ ସୁବର୍ଣ୍ଣରେଖା ବିଷରେଖା ପାଲଟିବ ବୋଲି ପରିବେଶ ​ବିଶେଷଜ୍ଞମାନେ ଏବେଠୁ ସତର୍କ କରାଇ ଦେଇଛନ୍ତି।
ସୁବର୍ଣ୍ଣରେଖା ନଦୀ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ନିକଟ ‘ନାଗରୀ ଅଞ୍ଚଳରୁ ବାହାରିଛି। ଏହା ରାଞ୍ଚି, ଷଢ଼େଇକଳା, ଖରସୁଆଁ ଓ ସିଂହଭୂମି ଜିଲ୍ଲା ଦେଇ ପଶ୍ଚିବଙ୍ଗରେ ପ୍ରବେଶ କରିଛି। ସେଠାରେ ପ୍ରାୟ ୮୩ କିଲୋମିଟର ପ୍ରବାହିତ ହେଲା ପରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ୭୯ କିଲୋମିଟର ବୋହି ବଙ୍ଗୋପସାଗରରେ ମିଶିଛି। ନଦୀର ସମୁଦାୟ ଲମ୍ବ ୩୯୫ କିଲୋମିଟର। ସୁବର୍ଣ୍ଣରେଖା ୩ଟି ରାଜ୍ୟର କୋଟି କୋଟି ଲୋକଙ୍କ ଜୀବନରେଖା। ମତ୍ସ୍ୟଜୀବୀଙ୍କଠାରୁ ଆରମ୍ଭ କରି ଚାଷୀଙ୍କ ପର୍ଯ୍ୟନ୍ତ; ସମସ୍ତେ ଏହି ନଦୀରୁ ଉପକୃତ।

ଉପକୂଳ ଅଞ୍ଚଳର ଲୋକମାନେ ସୁବର୍ଣ୍ଣରେଖା ନଦୀରୁ ସୁନା କଣିକା ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ପ୍ରସଙ୍ଗ ଅନେକ ପୁସ୍ତକରେ ବର୍ଣ୍ଣିତ। ହେଲେ ଏହି ଐତିହାସିକ ନଦୀ ବିଷାକ୍ତ ହେବାରେ ଲାଗିଛି। ରାଞ୍ଚି ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଏମ୍‌କେ ଜାମୁଆର ଓ ଝାଡ଼ଖଣ୍ଡର ପରିବେଶବିତ୍‌ କେକେ ଶର୍ମାଙ୍କ ମତରେ, ସୁବର୍ଣ୍ଣରେଖାର ପ୍ରଦୂଷଣ ମାତ୍ରା ବର୍ତ୍ତମାନ ଚିନ୍ତାଜନକ। ବିଭିନ୍ନ କାରଣ ପାଇଁ ଏଭଳି ସ୍ଥିତି ଉପୁଜିଥିବା​ ସେମାନେ କହିଛନ୍ତି। ଝାଡ଼ଖଣ୍ଡର ଅଧିକାଂଶ ଖଣି ଓ ଶିଳ୍ପସଂସ୍ଥା ସୁବର୍ଣ୍ଣରେଖା କୂଳରେ ଗଢ଼ିଉଠିଛି। ସେଥିରୁ ନିର୍ଗତ ବର୍ଜ୍ୟ ସିଧାସଳଖ ନଦୀପାଣି​ରେ ମିଶୁଛି। ସେହିପରି ନଦୀତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଘରର ବର୍ଜ୍ୟ ସହ ମଳମୂତ୍ର ସିଧାସଳଖ ନଦୀକୁ ଛାଡୁଛନ୍ତି। ତାଛଡ଼ା ସହରାଞ୍ଚଳର ଅଳିଆ ଆବର୍ଜନା ନଦୀକୂଳରେ ପକାଯିବା ଫଳରେ ସୁବର୍ଣ୍ଣରେଖାରେ କ୍ଷତିକାରକ ରାସାୟନିକ ପଦାର୍ଥର ପରିମାଣ ବୃଦ୍ଧି ପାଉଛି। ଏମିତିକି ନଦୀପାଣି ବ୍ୟବହାର କରୁଥିବା ଲୋକଙ୍କ ଶରୀରରେ ନାନାଦି ରୋଗ ହେଉଛି। ସୂଚନାଥାଉକି, ଦୁଇବର୍ଷ ତଳେ ସୁବର୍ଣ୍ଣରେଖା ନଦୀ ପ୍ରବାହିତ ହେଉଥିବା ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ର କିଛି ବାସିନ୍ଦା ନଦୀପାଣି ଲାଗିଲେ ଶରୀର କୁଣ୍ଡାଇ ହେଉଥିବା ଅଭିଯୋଗ କରିଥିଲେ। ଅତ୍ୟଧିକ ପ୍ରଦୂଷଣ କାରଣରୁ ନଦୀରେ ଅମ୍ଳଜାନ ପରିମାଣ ମଧ୍ୟ କମିବାରେ ଲାଗିଛି। ବିଶେଷ କରି ଝାଡ଼ଖଣ୍ଡ ପଟ ସୁବର୍ଣ୍ଣରେଖା ପାଣିରେ ଏହାର ମାତ୍ରା କମ୍ ଦେଖାଯାଉଛି।

ପାଣିରେ ସାଧାରଣତଃ ପ୍ରତି ଲିଟରରେ ୫ ମିଲିଗ୍ରାମ୍‌ ଅମ୍ଳଜାନ ରହିବା କଥା। ହେଲେ ପ୍ରତି ଲିଟରରେ ରହୁଛି ୩.୦୭ରୁ ୪.୦୩ ମିଲିଗ୍ରାମ୍‌। ଯାହାଫଳରେ ମାଛ ଓ ଜଳଚର ଜୀବଗୁଡ଼ିକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଗତବର୍ଷ ଜୁଲାଇ ୧୧ ତାରିଖରେ ସୁବର୍ଣ୍ଣରେଖାରେ ବହୁ ମାଛ ମରି ଭାସିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଇଥିଲା। ଏମିତିକି ତତ୍କାଳୀନ ଷଢ଼େଇକଳା-ଖରସୁଆଁ ଡେପୁଟି କମିସନର ଆରଭା ରାଜକମଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ନଦୀପାଣିରେ ହାଇଡ୍ରୋଜେନ୍‌ ପରିମାଣ ୪ରୁ ୯ ପ୍ରତିଶତ ରହିବାସ୍ଥଳେ ରହୁଛି ୧୦ ପ୍ରତିଶତ ଉପରେ। କେବଳ ସେତିକ ନୁହେଁ, ମାରାତ୍ମକ ସୀସା ପରିମାଣ ମଧ୍ୟ ବୃଦ୍ଧି ପାଉଛି। ନଦୀପାଣିରେ ସୀସା ପରିମାଣ ପ୍ରତି ଲିଟରରେ ୦.୦୫ ମିଲିଗ୍ରାମ୍‌ ରହିବା କଥା। ହେଲେ ସୁବର୍ଣ୍ଣରେଖାରେ ଏହି ହାନିକାରକ ପଦାର୍ଥର ମାତ୍ରା ୦.୫୬ ମିଲିଗ୍ରାମ୍‌ରୁ ୨.୧୦ ମିଲିଗ୍ରାମ୍‌ ରହୁଛି। ମାତ୍ରାଧିକ ହାଇଡ୍ରୋଜେନ୍‌ ଓ ସୀସା ସମ୍ବଳିତ ପାଣି ମଣିଷ ଶରୀର ପକ୍ଷେ ଅତ୍ୟନ୍ତ କ୍ଷତିକାରକ।

ଏ ସଂପର୍କରେ ବାଲେଶ୍ବରର ବିଶିଷ୍ଟ ପରିବେଶବିତ୍‌ ଅଚିନ୍ତ୍ୟ ନାରାୟଣ ଜେନାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଥିଲେ, ବାଲେଶ୍ବରବାସୀଙ୍କ ପାଇଁ ସୁବର୍ଣ୍ଣରେଖାର ପାଣି ଚିନ୍ତାର କାରଣ ହୋଇଛି। ଏ ବାବଦରେ ଲୋକମାନଙ୍କୁ ସଚେତନ କରାଯିବ। ସେହିପରି ଝାଡ଼ଖଣ୍ଡରେ ବର୍ଜ୍ୟ ପରିଚାଳନାକୁ ବ୍ୟବସ୍ଥିତ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ତଥ୍ୟ ସମ୍ବଳିତ ଦାବି ଜଣାଯିବ। ଏହା ପରେ ବି ଯଦି କିଛି ଫଳ ନମିଳେ, ତେବେ ଜଳ ସତ୍ୟାଗ୍ରହ ଓ ଗଣ ଆନ୍ଦୋଳନ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।