ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଟିଳ ହେଉଛି ଜଟଣୀ ରାଜନୀତି, ସୁରଙ୍କ ପରେ କିଏ?

ଜଟଣୀ (ଦେବବ୍ରତ ଷେଣ୍ଢ) : ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ଜଟଣୀ ରାଜନୀତି ସେତିକି ଜଟିଳ ହେଉଛି। କଂଗ୍ରେସ ଦଳର ପ୍ରାର୍ଥୀକୁ ନେଇ କର୍ମୀମାନେ ଦ୍ୱନ୍ଦ୍ବରେ ଥିବା ବେଳେ ଆଗକୁ ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି। ଜଟଣୀରେ ବିଧାୟକ ତଥା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବାରମ୍ୱାର ଗଣମାଧ୍ୟମକୁ ମତଦେଇ ଆସୁଛନ୍ତି। ଆଗାମୀ ନିର୍ବାଚନରେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ଦଳରୁ ପ୍ରାର୍ଥୀ ହେବା ନେଇ ଶ୍ରୀ ରାଉତରାୟ ସ୍ପଷ୍ଟ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ମନ୍ମଥ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବେ ନାହିଁ ବୋଲି ସିଧାସଳଖ ଗଣମାଧ୍ୟମକୁ କହିଥିଲେ। ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିଲେ ଜିତିବା ଆଶଙ୍କା କମ ଥିବା କାରଣରୁ ଦଳରୁ ପ୍ରାର୍ଥୀ ହେବାକୁ ରାଜି ନଥିବା ଆଲୋଚନା ହେଉଛି। ମନ୍ମଥ ଜିତିବା ଆଶା ନେଇ ବିଜେଡିରୁ ଟିକେଟ ପାଇ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି।

ଅନ୍ୟପଟେ ଜଟଣୀକୁ କଂଗ୍ରେସ ଗଡ଼ କୁହାଯାଉଥିବା ବେଳେ ବିଧାୟକ ସୁରେଶ କୁମାର ରାଉତରାୟ ୧୯୮୦-୨୦୧୪ ମସିହା ମଧ୍ୟରେ ୬ଥର ନିର୍ବାଚନ ଜିତି ବିଧାୟକ ହୋଇଛନ୍ତି। ଜଟଣୀ ନିର୍ବାଚନମଣ୍ଡଳୀର ପୂର୍ବ ରାଜନୈତିକ ସ୍ଥିତି ଦେଖିଲେ ଜଣାଯାଏ, ୨୦୧୯ ନିର୍ବାଚନରେ ସୁର ୪.୭ ପ୍ରତିଶତ ଅର୍ଥାତ୍ ୭ ହଜାର ୫୨୨ ଖଣ୍ଡ ଅଧିକ ଭୋଟରେ ଜିତିଥିଲେ। ୧୯୭୭ ମସିହାରେ ଶ୍ରୀ ରାଉତରାୟ ଜନତା ପାର୍ଟିରୁ ପ୍ରଥମେ ନିର୍ବାଚନ ଲଢ଼ି ଜିତିଥିବା ବେଳେ ୧୯୮୦ ମସିହା ଓ ୧୯୮୫ ମସିହାରେ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ି ଜିତିଥିଲେ। ପରେ ତଥା ୧୯୯୦ ମସିହାରେ ଜନତା ଦଳରୁ ଶରତ ଚନ୍ଦ୍ର ପାଇକରାୟ ନିର୍ବାଚନ ଜିତିଥିଲେ। ପୁଣି ୧୯୯୫ ଓ ୨୦୦୦ ମସିହାରେ ସୁରେଶ ରାଉତରାୟ କଂଗ୍ରେସରୁ ନିର୍ବାଚନ ଜିତିଥିଲେ। ୨୦୦୪ ମସିହାରେ ପୁଣି ବିଜେଡି ଦଳରୁ ଶରତ ପାଇକରାୟ ନିର୍ବାଚନ ଜିତିଥିଲେ। ୨୦୦୯ ମସିହାରୁ ବିଜେଡି ଦଳରୁ ବିଭୂତି ବଳବନ୍ତରାୟ ୧୪ ହଜାର ୯୨୫ ଖଣ୍ଡ ଭୋଟରେ ଜିତିଥିଲେ। ତାଙ୍କ ପ୍ରତିଦ୍ବନ୍ଦ୍ବୀ ସୁରେଶ ରାଉତରାୟ ୪୦ ହଜାର ୬୪୮ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଶରତ ପାଇକରାୟ ୮ ହଜାର ୭୫୬ଖଣ୍ଡ ଭୋଟ ପାଇଥିଲେ। ୨୦୧୪ରେ ବିଜେଡିରୁ ଭାଗୀରଥି ବଡ଼ଜେନା ୬୦ ହଜାର ଭୋଟ ପାଇଥିବା ବେଳେ ଶ୍ରୀ ରାଉତରାୟ ୫୫ ହଜାର ୨୨୯ ଭୋଟ ଏବଂ ପ୍ରଥମ କରି ବିଜେପି ଦଳରୁ ଲଢ଼ି ସୁଦୀପ୍ତ ରାୟ ୧୭ ହଜାର ୮୫ ଖଣ୍ଡ ଭୋଟ ପାଇଥିଲେ। ୫ ହଜାର ୭୪୭ ଖଣ୍ଡ ଅଧିକ ଭୋଟରେ ବିଜେଡି ବାଜିମାତ କରିଥିଲା। ୨୦୧୯ରେ କଂଗ୍ରେସରୁ ସୁରେଶ ରାଉତରାୟ ପୂର୍ବ ନିର୍ବାଚନ ତୁଳନାରେ ୭ ହଜାର ୫୨୨ ଖଣ୍ଡ ଅଧିକ ଭୋଟ ପାଇ ୬ଷ୍ଠ ଥର ପାଇଁ ବିଧାୟକ ହୋଇଥିଲେ।

ଜଟଣୀରେ ତାଙ୍କର ପ୍ରଭାବ ଥିବାବେଳେ ସେହି ତୁଳନାରେ ତାଙ୍କ ଦଳ କଂଗ୍ରେସର ପ୍ରଭାବ ଧୀରେଧୀରେ କମିବାକୁ ବସିଲାଣି। ତେଣୁ ସୁର ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେଉଥିବା ବେଳେ ପୁଅକୁ ବିଧାୟକ ଭାବେ ଦେଖିବାକୁ ଚାହୁଛନ୍ତି। ମନ୍ମଥଙ୍କୁ କଂଗ୍ରେସ କର୍ମୀ ତଥା ସୁରପ୍ରେମୀ ମାନେ କଂଗ୍ରେସରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ନ୍ତୁ ବୋଲି ମଧ୍ୟ ଚାହୁଁଛନ୍ତି। ଏଥିପାଇଁ ଦଳୀୟ କର୍ମୀ ଓ ଭୋଟରଙ୍କୁ ନେଇ ଅନେକ ସମୟରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବନ୍ଧୁମିଳନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହିସବୁ କାର୍ଯ୍ୟକ୍ରମରେ ଉଭୟ ବାପ ଓ ପୁଅ ଉପସ୍ଥିତ ରହି ଆଗାମୀ ନିର୍ବାଚନ ରଣାଙ୍ଗନ ପ୍ରସ୍ତୁତି ପ୍ରସଙ୍ଗରେ ସେମାନଙ୍କଠାରୁ ମତାମତ ନେଇ ବିଚାରବିମର୍ଷ କରୁଥିବା ଜଣାପଡ଼ିଛି। ତେବେ ଜଟଣୀରେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଆଗକୁ ଯଦି ମନ୍ମଥଙ୍କୁ ଅନ୍ୟ କେଉଁ ଦଳରୁ ଟିକଟ ନ ମିଳେ, ତା’ହେଲେ ସେ ବାଧ୍ୟ ହୋଇ କଂଗ୍ରେସରୁ ଲଢ଼ିପାରନ୍ତି! ଯଦି କଂଗ୍ରେସରୁ ନ ଲଢ଼ନ୍ତି ତେବେ କର୍ମକ୍ଷେତ୍ରକୁ ଫେରିଯିବେ ବୋଲି ମଧ୍ୟ କୁହାଯାଉଛି।

ସେ ଭୁବନେଶ୍ବର ଲୋକସଭା ପ୍ରାର୍ଥୀଭାବେ ଛିଡ଼ା ହେବା ମଧ୍ୟ ଅସମ୍ଭବ ନୁ‌େହଁ ବୋଲି ଚର୍ଚ୍ଚା ହେଉଛି। ଯଦି ଏ ସବୁ କିଛି ନ ହେଲା, ଶ୍ରୀ ରାଉତରାୟ ନିଜେ ନିର୍ବାଚନ ଲଢ଼ିପାରନ୍ତି। ଅନ୍ୟପଟେ ପାଣ୍ଡବ ଜେନା ଫାଉଣ୍ଡେସନର ଅଧ୍ୟକ୍ଷ ସନ୍ତୋଷ ଜେନାଙ୍କୁ ସୁର ରାଉତରାୟଙ୍କ ସମର୍ଥନକୁ ନେଇ ମଧ୍ୟ ଜଟଣୀରେ ରାଜନୈତିକ ଚର୍ଚ୍ଚା ହେଉଛି। ସେପଟେ କଂଗ୍ରେସରେ ଦୀର୍ଘ ବର୍ଷ ରହିଥିବା କିଛି ପୁରୁଖା ନେତା ଓ ନୂତନ କର୍ମୀ ନିର୍ବାଚନ ଲଢ଼ିବା ନେଇ ଗୋଟି ଚାଳନା କରୁଛନ୍ତି। ଜଟଣୀ କଂଗ୍ରେସରୁ ସୁରଙ୍କ ପରେ ମନ୍ମଥ ନା ଆଉ କିଏ ଟିକଟ ପାଉଛନ୍ତି, ଦେଖିବାକୁ ବାକି ରହିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।