ରାଜ୍ୟ ସ୍ପେଶାଲ ରିପୋର୍ଟ

ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର

ଭୁବନେଶ୍ବର: ରାଜ୍ୟରେ କୀଟଙ୍କୁ ନେଇ ଏବେ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨-୩ ମାସ ଧରି ମଶାକୁ ନେଇ ଲୋକମାନେ ଡେଙ୍ଗୁ ଜ୍ବରରେ ଥରୁଥିବା ବେଳେ ଏବେ ଆଉ ଏକ କୀଟ ଚିଗର୍ସ ପାଇଁ ଜ୍ବରରେ କମ୍ପୁଛନ୍ତି। ଚିଗର୍ସ ପାଇଁ ସ୍କ୍ରବ୍ ଟାଇଫସ୍‌ ରୋଗ ରାଜ୍ୟରେ ଆତଙ୍କ ଖେଳାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍‌ ମାଡ଼ିଗଲାଣି। ଏଥିରେ ଅନେକ ଜୀବନ ମଧ୍ୟ ଗଲାଣି। ଏସବୁ ଭିତରେ ଗତ କିଛି ଦିନ ଧରି ଭାଇରାଲ୍ ଜ୍ବର ଲୋକମାନଙ୍କ କଷ୍ଟ ବହୁଗୁଣିତ କରିଦେଇଛି। ଅଧିକାଂଶଙ୍କ ଠାରେ ଥଣ୍ଡାର ପ୍ରଭାବ କମୁନି, ଏବେ ଦୀର୍ଘ ଦିନ ଧରି କାଶ ଲାଗି ରହୁଛି। ତଥ୍ୟ ଅନୁସାରେ, ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ସଂପ୍ରତି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଦଳ ପଶ୍ଚିମ ଓଡ଼ିଶାରେ ଡେରା ପକାଇଛନ୍ତି। ଏହି ଦଳ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଗସ୍ତ କରିବା ସହିତ ସ୍କ୍ରବ୍ ଟାଇଫସ୍‌ର ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ପରିସ୍ଥିତିରେ ସ୍କ୍ରବ୍ ଟାଇଫସ୍‌ରେ ଲୋକଙ୍କ ମୃତ୍ୟୁ ହେଲା ସେସଂପର୍କରେ ପଚାରି ବୁଝିଛନ୍ତି। ଆସନ୍ତାକାଲି ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଦଳର ଆଲୋଚନା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

ସ୍କ୍ରବ୍ ଟାଇଫସ୍ ବୃଦ୍ଧି ପଛର କାରଣ ଖୋଜା ଚାଲିଛି
ଆଜି ରାଜ୍ୟ ସରକାର- କେନ୍ଦ୍ରୀୟ ଟିମ୍‌ର ଆଲୋଚନା
୪ ମାସ ହେଲା ଅଧିକାଂଶ ଜିଲ୍ଲାରେ ଡେଙ୍ଗୁ ପ୍ରଭାବ
ଘରେ ଘରେ ଭାଇରାଲ୍ ଜ୍ବରର ପ୍ରଭାବ, ଅଧିକାଂଶ ଖୁଁ ଖଁା

ତେବେ ସ୍କ୍ରବ୍ ଟାଇଫସ୍‌ ରାଜ୍ୟ ପାଇଁ ନୂଆ ନୁହେଁ। ଏହା ପୂର୍ବରୁ ପ୍ରତିବର୍ଷ ଏହି ରୋଗରେ କିଛି ଲୋକ ଆକ୍ରାନ୍ତ ହୋଇଥାନ୍ତି। ହେଲେ ଚଳିତବର୍ଷ ହଠାତ୍ ଏହି ରୋଗ କାହିଁକି ଦ୍ରୁତ ଗତିରେ ବ୍ୟାପିଲା ତାହା ଅନେକଙ୍କୁ ଚିନ୍ତାରେ ପକାଇଛି। ଚିଗର୍ସଙ୍କ ସଂଖ୍ୟା ବଢ଼ିବା ପଛରେ କାରଣ କ’ଣ? ଜଳବାୟୁ ପରିବର୍ତ୍ତନ ନା ପୂର୍ବରୁ ଏ ସଂପର୍କରେ ସଚେତନ ନ ଥିବାରୁ ଲୋକମାନେ ଶିକାର ହେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ମଧ୍ୟ ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ରାଜ୍ୟରେ ସେଭଳି କୌଣସି ଅନୁଧ୍ୟାନ କିମ୍ବା ଗବେଷଣା ହୋଇନାହିଁ। ତେଣୁ ଏହାକୁ ନେଇ ଉଭୟ ଲୋକ ଓ ରାଜ୍ୟ ସରକାର ଦ୍ବନ୍ଦ୍ବରେ ରହିବା ସ୍ବାଭାବିକ।
ହିସାବ କହୁଛି ଯେ ରାଜ୍ୟରେ ଚଳିତବର୍ଷ ୨ହଜାରରୁ ଅଧିକ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ବିଗତ କିଛିବର୍ଷରେ ସର୍ବାଧିକ। ବରଗଡ଼ ଜିଲ୍ଲାରେ ବେସରକାରୀଭାବେ ୭ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ରାଜ୍ୟବ୍ୟାପୀ ସ୍କ୍ରବ୍ ଟାଇଫସ୍‌ ଜନିତ ମୃତ୍ୟୁ ସଂଖ୍ୟା ୧୦ରୁ ଅଧିକ ହେବ। ତେବେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଯେଉଁଭଳି ସଚେତନତା କରିବା କଥା ତାହା ଦେଖିବାକୁ ମିଳିନାହିଁ। ଆହୁରି କେତେଦିନ ପର୍ଯ୍ୟନ୍ତ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ଜାରି ରହିବ ସେ ସଂପର୍କରେ ମଧ୍ୟ କାହା ପାଖରେ ସୂଚନା ନାହିଁ। କେନ୍ଦ୍ରୀୟ ସ୍ବାସ୍ଥ୍ୟ ଦଳ ଆସନ୍ତାକାଲି ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ସ୍ଥିତି ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଆଶା କରାଯାଉଛି।

ଅପରପକ୍ଷରେ ରାଜ୍ୟରେ ଡେଙ୍ଗୁ ପୂର୍ବଭଳି ଜାରି ରହିଛି। ଜୁନ୍ ମାସଠାରୁ କ୍ରମାଗତ ଭାବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଯଦିଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହରୁ ଖସି ଆସିଛି, ହେଲେ ଏବେ ଶହେ ଉପରେ ଦୈନିକ ସଂକ୍ରମଣ ଜାରି ରହିଛି। ଅକ୍ଟୋବର ମାସରେ ମଧ୍ୟ ବର୍ଷା ଜାରି ରହିଥିବାରୁ ଚଳିତମାସ ଶେଷ ବେଳକୁ ମଧ୍ୟ ଡେଙ୍ଗୁରୁ ନିସ୍ତାର ନ ମିଳିପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ମାତ୍ର ଚଳିତବର୍ଷର ଡେଙ୍ଗୁ ସଂକ୍ରମଣ ରାଜ୍ୟରେ ବିଗତ ୫ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଦେଶର ସର୍ବାଧିକ ସଂକ୍ରମିତ କିଛି ହାତ ଗଣତି ରାଜ୍ୟ ଭିତରେ ଓଡ଼ିଶା ରହିଛି। ପ୍ରତିବର୍ଷ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ହେଉଥିବା ବେଳେ ଏହାକୁ କିଭଳି ଠିକଣା ଢଙ୍ଗରେ ନିୟନ୍ତ୍ରଣ କରାଯିବ ସେଥିପାଇଁ ରାଜ୍ୟ ସରକାରଙ୍କ କିଛି ନିର୍ଦ୍ଦିଷ୍ଟ ରଣନୀତି ମଧ୍ୟ ନାହିଁ। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଏକାଧିକ ବିଭାଗର ସମନ୍ବୟର ଆବଶ୍ୟକତା ଥିବାରୁ ପ୍ରତିବର୍ଷ ମୌସୁମୀ ଆସିବା ପୂର୍ବରୁ ଆବଶ୍ୟକ ପଦକ୍ଷେପ ନେବା ଜରୁରି ବୋଲି କୁହାଯାଉଛି।
ନାମ ଗୋପନ ସର୍ତ୍ତରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ରାଜ୍ୟରେ ଚିଗର୍ସ ପୂର୍ବରୁ ମଧ୍ୟ ରହିଛି। ତେବେ ପଶ୍ଚିମ ଓଡ଼ିଶାରେ ଥିବା ଚିଗର୍ସ ସଂକ୍ରମିତ ହେବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ ପାଇଁ ବିଲକୁ ଯାଉଥିବା ଲୋକମାନେ ଏହାର ଶିକାର ହେଉଛନ୍ତି। ମାତ୍ର କେଉଁ ପରିସ୍ଥିତିରେ ଚଳିତବର୍ଷ ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା ତାହା ଉପରେ ଏକ ବୈଜ୍ଞାନିକ ଗବେଷଣା ହେବା ଦରକାର ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।