ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧାରୁ ଅଶାନ୍ତ: ଜୟନାରାୟଣଙ୍କ ମନ୍ତବ୍ୟ ନେଇ ବିବାଦ

ଭୁବନେଶ୍ବର: ବିଧାନସଭାର ଆଜି ଚତୁର୍ଥ ଦିନରେ ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଥିଲା। ପ୍ରଶ୍ନକାଳ ଯଥାରୀତି ଚାଲିଲା। କିନ୍ତୁ ଶୂନ୍ୟକାଳରେ ଦୃଶ୍ୟପଟ୍ଟ ବଦଳିଗଲା। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଦୁଇ ତିନି ମିନିଟ୍‌ର ବକ୍ତବ୍ୟ ଗୃହକୁ ଉଠାଇଲା ପକାଇଲା। ଆଉ ଶେଷ ପର୍ଯ୍ୟନ୍ତ ସ୍ବାଭାବିକ ସ୍ଥିତି ଫେରିଲା ନାହିଁ। ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କିଛି ମନ୍ତବ୍ୟ ଦେଇଥିଲେ। ସେ କହିସାରିଲା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଘୋର ଆପତ୍ତି ଉଠାଇଥିଲେ। ବିରୋଧୀ ଦଳ ନେତାଙ୍କ ବିରୋଧରେ ସେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣୁଛନ୍ତି ବୋଲି କହିଥିଲେ। ଶାସକ ଦଳ ସଭ୍ୟମାନେ ଠିଆ ହୋଇ ଏହାର ପ୍ରତିବାଦ ଜଣାଇଥିଲେ। ବିଜେପି ସଭ୍ୟମାନେ ମଧ୍ୟ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ଏପଟେ ବିରୋଧୀ ଦଳ ନେତାଙ୍କ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିବା ପାଇଁ ଠିଆ ହୋଇଥିଲେ ମଧ୍ୟ ବାଚସ୍ପତି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ସୁଯୋଗ ଦେଇଥିଲେ। ଏଥିପାଇଁ କଂଗ୍ରେସ ବିଧାୟକମାନେ ଖପା ହୋଇ ପାଟିତୁଣ୍ଡ କରିଥିଲେ। ତିନି ଦଳର ବିଧାୟକମାନଙ୍କ ହୋହଲ୍ଲା ଯୋଗୁ ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ବାଚସ୍ପତି ଗୃହକୁ ୧୦ ମିନିଟ୍ ମୁଲତବୀ ରଖିଥିଲେ। ଏହାପରେ ଆଉ ୮ ମିନିଟ୍ ମୁଲତବୀ ରଖାଯାଇଥିଲା।

ଜୟନାରାୟଣଙ୍କ ମନ୍ତବ୍ୟ ନେଇ ବିବାଦ
ମନ୍ତବ୍ୟକୁ ବିବରଣୀରୁ ବାଦ୍ ଦେଲେ ବାଚସ୍ପତି
ପ୍ରତିବାଦରେ ବିଜେପି ସଭ୍ୟଙ୍କ ନାରାବାଜି
କଂଗ୍ରେସ ବିଧାୟକ ବି ହୋହଲ୍ଲା କଲେ

୧୨ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଲେ, ଗୃହର ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିରୋଧୀ ଦଳ ନେତା କଦର୍ଥ କରି କିଛି କଥା କହିଛନ୍ତି। ଏପରିକି ଗୃହର ସଦସ୍ୟ ନଥିବା ଜଣଙ୍କ ନାଁ ନେଇ କଦର୍ଯ୍ୟ କଥା କହିଛନ୍ତି। ତେଣୁ ବିରୋଧୀ ଦଳ ନେତାଙ୍କ ସମ୍ପୂର୍ଣ୍ଣ ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦିଆଯାଉ। ସଦସ୍ୟମାନଙ୍କ ଗାରିମା ରକ୍ଷା କରିବାକୁ ଏହି କଥା ଗଣମାଧ୍ୟମକୁ ନଯାଉ। ଏହାକୁ ସମର୍ଥନ କରି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଲେ, ବିରୋଧୀ ଦଳ ନେତା ଗୃହର ମର୍ଯ୍ୟାଦା ଓ ଗାରିମା ନଷ୍ଟ କରିଛନ୍ତି। ଏହାପରେ ବାଚସ୍ପତି ଶ୍ରୀ ମିଶ୍ରଙ୍କ ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦେଇଥିଲେ ଓ ଗଣମାଧ୍ୟମ ଏହାକୁ ପ୍ରକାଶ କରିପାରିବେ ନାହିଁ ବୋଲି ରୁଲିଂ ଦେଇଥିଲେ। କିନ୍ତୁ ବିଜେପି ସଭ୍ୟମାନେ ଏହାର ପ୍ରତିବାଦ କରିଥିଲେ। ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପୁଣି ନଁା ନ ନେଇ ସେହି ବିବାଦୀୟ ପ୍ରସଙ୍ଗ ଉଠାଇଲେ। ଏଥର ବି ଶାସକ ଦଳ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ପୁଣି ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଏପଟେ ବିଜେପି ସଭ୍ୟମାନେ ବି ହୋହଲ୍ଲା କରିଥିଲେ। କଂଗ୍ରେସ ସଭ୍ୟମାନେ ଗୃହ ପରିଚାଳନାରେ ଅସନ୍ତୋଷ ପ୍ରକାଶ କରି ମଧ୍ୟ ଭାଗରେ ପାଟିତୁଣ୍ଡ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପୁଣି ଅପରାହ୍ନ ୪ଟା ଯାଏ ମୁଲତବୀ ରଖିବାକୁ ପଡ଼ିଲା।

ଅପରାହ୍ନ ୪ଟାରେ ଗୃହ ସ୍ଥିତିରେ କିଛି ବି ପରିବର୍ତ୍ତନ ଆସିଲାନି। ବିରୋଧୀ ଦଳ ନେତାଙ୍କ ପରେ କାହିଁକି କଂଗ୍ରେସ ବିଧାୟକ ଦଳ ନେତାଙ୍କୁ କହିବା ପାଇଁ ସୁଯୋଗ ଦିଆଯାଇ ନଥିବା ପ୍ରତିବାଦରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ମୋର ମନ୍ତବ୍ୟକୁ ଗୃହରୁ ବିବରଣୀରୁ ବାଦ୍ ଦିଆଗଲା। ଯିଏ ଏଠି ସଦସ୍ୟ ନାହାନ୍ତି, ମୁଁ ତାଙ୍କ ବିଷୟରେ କିଛି କହିନାହିଁ। ମୁଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଚାରିଥିଲି। ଆପଣ ତାହାକୁ ଯାଞ୍ଚ୍ ନ କରି ସିଧା କାଟିଦେଲେ? ମୁଁ କୌଣସି ଅଶାଳୀନ କଥା କହି ନଥିଲି। ଏହି ସମୟରେ ବିଜେପି ସଭ୍ୟମାନେ ଗୋଟିଏ ଫଟୋ ଦେଖାଇ ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ। ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଲେ। ବିଭିନ୍ନ ପର୍ଯ୍ୟାୟରେ ଗୃହକୁ ୫ଟା ୧୫ ଯାଏ ମୁଲତବୀ ରଖାଗଲା।

୫ଟା ୧୫ରେ ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଲା। କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ତଳେ ପ୍ରତିବାଦ କରିଥିଲେ। ବିଜେପି ସଭ୍ୟମାନେ ଫଟୋ ପ୍ରଦର୍ଶନ କରି ନାରାବାଜି କରିଥିଲେ, ‘ବାଚସ୍ପତିଙ୍କ ମନମୁଖୀ କାର୍ଯ୍ୟ ଚାଲିବ ନାହିଁ’, ‘ପାତର ଅନ୍ତର ଚଳିବ ନାହିଁ’। ବାଚସ୍ପତି ଗୃହ କାର୍ଯ୍ୟ ଚଳାଇ ରଖିବାରୁ ବିଜେପି ସଭ୍ୟମାନେ କକ୍ଷ ତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। କିଛି ସମୟ ପରେ କଂଗ୍ରେସ ସଭ୍ୟମାନେ ବି କକ୍ଷତ୍ୟାଗ କରିଥିଲେ। ବିନା ବିରୋଧୀ ଦଳରେ ବିଲ୍ ପାସ୍ ହେଲା ପରେ ୬ଟା ୧୭ରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଗଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।