ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ସିବି ଅଧୀକ୍ଷକଙ୍କ ନୂଆ ନିର୍ଦ୍ଦେଶ: ଓପିଡି ଟିକେଟ୍‌ କାଉଣ୍ଟର୍‌ରେ ରହିବନି ମଧ୍ୟାହ୍ନ ବିରତି

କଟକ: କଟକ ବଡ଼ ଡାକ୍ତରଖାନା ଓ ଦନ୍ତ ମହାବିଦ୍ୟାଳୟର ଓପିଡି ପାଇଁ ଉଦ୍ଦିଷ୍ଟ ଟିକେଟ୍‌ କାଉଣ୍ଟରରେ ଆଉ ମଧ୍ୟାହ୍ନଭୋଜନ ବିରତି(ଲଞ୍ଚ ବ୍ରେକ୍‌) ରହିବନି। ସକାଳ ସାଢେ ୮ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଓପିଡି ଟିକେଟ୍‌ କାଉଣ୍ଟର୍‌ ଖୋଲା ରହିବ। ଏସ୍‌ସିବି ଅଧୀକ୍ଷକ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ଅପରାହ୍ଣ ଗୋଟାଏରୁ ୨ଟା ପର୍ଯ୍ୟନ୍ତ ଓପିଡିରେ ରୋଗୀସେବା ମଧ୍ୟାହ୍ନଭୋଜନ ବିରତି ପାଇଁ ଘଣ୍ଟାଟିଏ ପୂର୍ବ ଭଳି ବନ୍ଦ ରହିବ। ତାହା ଅପରିବର୍ତ୍ତିତ ରହିଛି। ଟିକେଟ୍‌ କାଉଣ୍ଟର୍‌ ପାଇଁ ମଧ୍ୟାହ୍ନଭୋଜନ ବିରତି ବାତିଲ୍‌ କରାଯିବା ନେଇ ଏସ୍‌ସିବି କର୍ତ୍ତୃପକ୍ଷ ସଂପୃକ୍ତ ଆଉଟ୍‌ସୋର୍ସିଂ ସଂସ୍ଥା ‘ଷ୍ଟକ୍‌ହୋଲ୍‌ଡିଂ ଡକୁମେଣ୍ଟ ମ୍ୟାନେଜମେଣ୍ଟ୍‌ ସର୍ଭିସ୍‌ ଲିମିଟେଡ୍‌’କୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟାହ୍ନଭୋଜନ ବିରତି କଟାଯାଇଥିବାରୁ ଏହାକୁ ନେଇ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏପଟେ ଯଦିଓ ସରକାରୀ ଭାବେ ଓପିଡି ଦିନ ଗୋଟାଏରୁ ବନ୍ଦ ହେବ ବୋଲି କୁହାଯାଉଛି, କିନ୍ତୁ ଅଧିକାଂଶ ଓପିଡି ସାଢ଼େ ୧୨ଟାବେଳକୁ ଡାକ୍ତର ରହୁ ନଥିବାରୁ ଅନେକ ବିଭାଗରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଏପରିକି ଦିନ ୨ଟାରେ ଓପିଡି ଖୋଲିବା ପାଇଁ ନିର୍ଦ୍ଦେଶନାମା ଥିଲେ ବି ଡାକ୍ତର ଠିକ୍‌ ସମୟରେ ଆସୁ ନଥିବା ନେଇ ବିଭିନ୍ନ ସମୟରେ ରୋଗୀ ଅଭିଯୋଗ କରୁଛନ୍ତି। ଘଣ୍ଟା ଘଣ୍ଟା ଲମ୍ବା ଲାଇନ୍‌ରେ ଛିଡା ହୋଇ ରୋଗୀଙ୍କୁ ନିରାଶ ହେବାକୁ ବି ପଡୁଛି। ଯେଉଁ ରୋଗୀଙ୍କର ଅପରାହ୍ନ ୩/୪ଟାରେ ପାଳି ପଡୁଛି, ସେ ଡାକ୍ତରଙ୍କୁ ଦେଖାଇ ଚିଠା ଅନୁସାରେ ଉକ୍ତ ଦିନ ପରୀକ୍ଷା କରାଇ ପାରୁ ନାହାନ୍ତି। ପରୀକ୍ଷା କରି ରିପୋର୍ଟ ଦେଖାଇବା ପାଇଁ ରୋଗୀଙ୍କୁ ଓପିଡିର ଅନ୍ୟ ବାରକୁ ଅପେକ୍ଷା କରିବାକୁ ପଡୁଛି। କେବଳ ସେତିକି ନୁହେଁ, ଓପିଡିରେ ଲମ୍ବା ଲାଇନ୍‌ରେ ଛିଡା ହୋଇ ‌ଶେଷରେ ଡାକ୍ତରଙ୍କ ପାଖକୁ ପହଂଚିଲାବେଳକୁ ବିଶେଷଜ୍ଞ ଡାକ୍ତର ବି ରହୁ ନ ଥିବାରୁ ରୋଗୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଦୁଇଦିନ ତଳେ ଅର୍ଥୋପେଡିକ୍‌ ବିଭାଗ ଓପିଡିରେ ଡାକ୍ତର ନଥିବା ନେଇ ରୋଗୀ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ବିଭାଗକୁ ଟୁଇଟ୍‌ ମଧ୍ୟ କରିଥିବା ନଜିର ରହିଛି।

ତେବେ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସଂପର୍କୀୟଙ୍କ ସୁବିଧା ଓ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଯଦି ଓପିଡି ‌ଟିକେଟ୍‌ କାଉଣ୍ଟର ଖୋଲା ରହିବ ତାହେଲେ ଓପିଡି ଖୋଲା ରଖିବା ପାଇଁ କର୍ତ୍ତୃପକ୍ଷ କାହିଁକି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁ ନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି କିଛି କର୍ମଚାରୀ? ଏପଟେ, କେତେକ ବିଭାଗରେ ଓପିଡି ବିଳମ୍ବରେ ଆରମ୍ଭ ହେଉଥିବା ବେଳେ କେତେକ ବିଭାଗରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଓପିଡି ବନ୍ଦ କରିଦେଉଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।